ଅଲିଅଳି ତଅପୋଇ
ଶ୍ଯାମା ପ୍ରସାଦ୍ ବୋଷ୍
ଅଲିଅଳି ଅଟେ ତଅପୋଇ ନାମେ
ସାଧବ ଦୁଲଣୀ ଟିଏ
ସାତ ଭାଇର ସେ ଭାରି ଅଲିଅଳି
ଗୋଟିଏ ଭଉଣୀ ସିଏ ।
ଅତି ସୁକୁମାରୀ ସେ ସାଧବ କୁମାରୀ
ସରଗର ଚାନ୍ଦ ପରି
ଅତି ଯତନରେ ସ୍ନେହ ଆଦରରେ
ବଢିଥିଲା ଫୁଲ ପରି ।
ସାତ ଭାଇ ଙ୍କର ଆଖିର ତାରା ସେ
ସୁଖର ପସରା ଭରି
ଗେଲବସର ରେ ବଢୁ ଥିଲା ସତେ
ଚନ୍ଦ୍ରକଳା ସମ ସରି ।
ସାତ ଭାଇ ସାତ ଭାଉଜ ଙ୍କ ମେଳେ
ଆନନ୍ଦରେ ଦିନ ସାରି
ଜୀବନରେ ତାର ହସ ଖୁସି ଭରି
ରହିଥିଲା ଅସୁମାରୀ ।
ସାଧବ ପୁଅ ଯେ ସାତ ଭାଇ ତାର
ବଣିଜ ବେପାର କରି
ଧନ ଦଉଲତ ବୋହି ଆଣିବାକୁ
ଗଲେ ସେ ଦରିଆ ପାରି ।
ସାତ ଭାଉଜ ଙ୍କୁ ସାତ ଭାଇ ତାର
ଦାୟିତ୍ୱରେ ଛାଡି ଦେଲେ
ଟିକିଏ ବି ଦୁଃଖ ନପାଏ ଯେମିତି
ଭାଉଜଙ୍କୁ କହିଗଲେ ।
ଅତି ଅଲିଅଳି ତଅପୋଇ ସେତ
ସୁଖେ କାଟୁଥିଲା ଦିନ
ଭାଉଜ ମାନେ ତ ସହି ପାରିଲେନି
କଲେ କେତେ ହୀନିମାନ ।
ପୋଇଲି ପରାଏ ଖଟାଇଲେ ତାକୁ
ଖୁଦ ମଳୁଖକୁ ଦେଇ
ବନ କୁ ପଠାଇ ଦେଉଥିଲେ ତାକୁ
ଯାଉଥିଲା ଛେଳି ନେଇ ।
ଛେଳି ଚରାଇଲା ଯାତନା ସହିଲା
କେତେ ଦୁଃଖ କଷ୍ଟ ପାଇ
ଅତି ସୁକୁମାରୀ ହେଲା ହୀନିମାନୀ
ବାସି ଅଇଁଠା କୁ ଖାଇ ।
ସାତ ଭାଇଙ୍କୁ ସେ ଝୁରି ହେଉଥିଲା
ରହିଥିଲା ପଥ ଚାହିଁ
ଦୁଃଖର ବୋଝ ତା ବଢି ଯାଉଥିଲା
ଭାଇଙ୍କର ଦେଖା ନାହିଁ ।
ଛଅ ଭାଉଜ ଙ୍କ ବଢେ ଅତ୍ଯାଚାର
ସାନ ଭାଉଜ ଟି ଏକା
ତଅପୋଇ ଦୁଃଖେ ସମଦୁଃଖୀ ଥିଲା
ଦୂରାଇ ମନରୁ ଶଙ୍କା ।
ତଅପୋଇ କି ସେ ଭାରି ଭଲପାଏ
ଆଦର ଯତନ କରେ
କହି ପାରେ ନାହିଁ ସହି ପାରେ ନାହିଁ
ଛଅ ଯାଆଙ୍କର ଡରେ ।
ଘରମଣୀ ନାମେ ଛେଳି ଟିଏ ଥିଲା
ବଡ ଭାଉଜର ପ୍ରିୟ
ବନରେ ଦିନେ ସେ ହଜିଗଲା ପୁଣି
ତଅପୋଇ ମନେ ଭୟ ।
ଝଡ ବରଷା ରେ ରାତିର ଅନ୍ଧାରେ
ଜରୁଆ ଦେହରେ ତାକୁ
ବଡ ଭାଉଜ ତା ଘରୁ ତଡିଦେଲା
ଘରମଣୀ ଖୋଜିବାକୁ ।
ବାଟରେ ଦେଖିଲା ମଙ୍ଗଳା ମାଆର
ଖୁଦୁରୁକୁଣୀ ର ପୂଜା
ମନେ ସୁମରିଲା ମଙ୍ଗଳା ମାଆଙ୍କୁ
ଭୋଗ ଦେଲା ଖୁଦ ଭଜା ।
ଘୋର ବନସ୍ତରେ ଉଚ୍ଚ ଶ୍ବରେ କାନ୍ଦି
ଡାକୁଥାଏ ଘରମଣୀ
ମଙ୍ଗଳା ମାଆଙ୍କୁ ସୁମରଣା କରି
ମନେ ହେଲା କେତେ ଭଣି ।
ସାତଭାଇ ଙ୍କର ଫେରିବା ମନାସୀ
କାନ୍ଦି କାନ୍ଦି ତଅପୋଇ
ଆଖିର ଲୁହରେ ଅର୍ଘ୍ଯ ଢାଳୁଥିଲା
କାନ୍ଦୁ ଥିଲା କଇଁ କଇଁ ।
ଖୁଦୁରୁକୁଣୀ ଙ୍କ ଅପାର ଦୟାରୁ
ସାତଭାଇ ଫେରି ଆସି
ଦେଖିଲେ ବନସ୍ତେ ଘରମଣୀ ଖୋଜି
ତଅପୋଇ କାନ୍ଦେ ବସି ।
ଅଲିଅଳି ତଙ୍କ ଭଉଣୀ ର ଦୁଃଖ
ଶୁଣି ସାତ ଭାଇ ତାର
ଛଅ ଭାଉଜଙ୍କୁ ଦଣ୍ଡିଲେ ତାହାର
ସାନ ହେଲା ଗଳା ହାର ।
ଅଲିଅଳି ସେହି ତଅପୋଇ ପୁଣି
ସାତଭାଇ ଙ୍କର ପରା
ସେନେହ ପରଶେ ରହିଲା ହରଷେ
ଖୁସିରେ ସେ ଆତ୍ମହରା ।
ଖୁଦୁରୁକୁଣୀ ର ଉପାଖ୍ଯାନ ଏହି
ଅଲିଅଳି ତଅପୋଇ
ମଙ୍ଗଳା ମାଆର ପୂଜା କରିଥିଲା
ରହିଛି ବର୍ଣ୍ଣିତ ହୋଇ ।
ଶ୍ଯାମା ପ୍ରସାଦ୍ ବୋଷ୍
ବେଗୁନିଁଆ , ମଲ୍ଲୀକ୍ ସାହି
ଗୋପ୍ , ପୁରୀ


