ଚକରା ମକରା
ଉପେନ୍ଦ୍ର କୁମାର ବସ୍ତିଆ
ଆମ ଗାଁ ମକରା ଅତି ଡରକୁଳା
ଅନ୍ଧାରକୁ ଦେଖି ଡରୁଚି
ହଲିଲେ ପତର ହୁଏ ଥରହର
ଛାତିରେ ଛେପକୁ ଥୁକୁଚି
ଅଳପଟା ଦିନ ହେଇଚି
ଗଳେ ରଶି ଦେଇ ମଲା ରଙ୍ଗୀ ଆଈ
ରାତିରେ ପଥର ଫିଙ୍ଗୁଚି ll
ବାଟେ ଯେବେ ଯାଏ ମକରାଟା କହେ
ଚୁଡ଼ି ଝଣଝଣ ହଉଚି
ସଞ୍ଜ, ପାହାନ୍ତାରେ ମଶାଣି ଭୁଇଁରେ
ଚିରିଗୁଣି ପିଲା ସେକୁଚି
ବରଗଛ ଡାଳେ ବସୁଚି
ଦି’ ଗୋଡ଼ ଝୁଲେଇ ସେଇ ରଙ୍ଗୀ ଆଈ
ଡାଳ କଡ଼ମଡ଼ କରୁଚି ll
ମକରା ଦେହରେ ରଙ୍ଗୀଆଈ କାଳେ
ସକାଳେ ସବାର ହେଇଚି
ମରିଲା କେମିତି କହେ ଗୋଟି ଗୋଟି
ହଲି, ଝୁଲିଝୁଲି କହୁଚି
ଚକରା ଗୁଣିଆ ହୋଇଛି
ଝୁଣା ଧୂପ ଦେଇ ବେତରେ ବାଡ଼େଇ
ଛାଞ୍ଚୁଣିରେ ସେକି ଦଉଚି ll
ଆଖି ବଡ଼ବଡ଼ ଦାନ୍ତ କଡ଼ମଡ଼
ମୁଣ୍ଡକୁ ହଲେଇ କହୁଚି
ନେବି ମୁଣ୍ଡ ଦଶ କହେ ହସହସ
କହୁକହୁ ପୁଣି କାନ୍ଦୁଚି
ଗୁଣିଆ ଚୂଟିକୁ ଧରିଚି
ଆସିଲୁ କାହିଁକି କହ ଗୋଟିଗୋଟି
ନହେଲେ ତୋତେ କି’ ଛାଡ଼ୁଚି ll
ଚକରା ଗୁଣିଆ ଦେଲା ଠୋଅ ଠାଆ
ଯାଆ ଯାଆ ପରା କହୁଚି
ସାଲୁକନା ଗୁଡ଼ା ହାଡ଼ ଦୁଇ ଯୋଡ଼ା
ଖପୁରୀରେ ଝୁଣା ଦଉଚି
ଲୋକଙ୍କ ଗହଳି ଶୁଭୁଚି
ମକରା ଦେହରେ ପ୍ରେତ ଆତ୍ମା ବୋଲେ
ମୁଣ୍ଡ ନବାପାଇଁ ଆଇଚି ll
ଦୁଇ ଗରା ପାଣି ନେବୁ ରଙ୍ଗିନାନୀ
ରହରହ ରଙ୍ଗୀ ଦଉଚି
ଦୁଇ ହାତେ ଦୁଇ ଗରା ନେବୁ ତୁହି
ଦାନ୍ତରେ ବାଲଟି ଧରିଚି
ଧାଇଁଧାଇଁ ଯାଇ ପଡୁଛି
ସୋରିଷ ମନ୍ତୁରା ଫିଙ୍ଗୁଚି ଚକରା
ଘର ବି’ ଖେଳେଇ ଦଉଚି ll
ମକରା ଶରୀର ଶହେ ଆଠ ଜର
ଜରେ ଦେହ ଖଇ ଫୁଟୁଚି
ମେଲେରିଆ ଜର କମ୍ପୁଚି ଶରୀର
ବାଉଳି ଚାଉଳି ହଉଚି
ଗୁଣିଆ ଯେ ଗଦ ଦଉଚି
ଭାରି ଡରକୁଳା ସତରେ ଚକରା
ଗୁଣିଆ ହୋଇ ସେ ଝାଡୁଛି ll
ମଫସଲ ପଡ଼ା ଚକରା, ମକରା
ଅଶିକ୍ଷିତେ ଗାଆଁ ପୂରିଚି
ଦେହ ପା’ ହେଲେ ଦିଶାରୀ ପାଖରେ
ଝଡ଼ା ଫୁଙ୍କା ଯାଇ କରୁଚି
ଡାକତର କିଏ ଯାଉଚି?
ସେଥିପାଇଁ ପରା ଭୂତ ପ୍ରେତ ଆଡ଼ା
ତୋଟା, ମଶାଣିରେ ଯମୁଚି
ମକରାଠି ଭୂତ ଲାଗୁଚି
ଚକରା ଗୁଣିଆ ଝାଡ଼ୁଚି
ରାଉରକେଲା