ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲାରେ ଜାତୀୟ ପ୍ରେସ୍‌ ଦିବସ ପାଳିତ

ରାଉରକେଲା/ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜାତୀୟ ପ୍ରେସ୍‌ ଦିବସ ଉଦିତନଗର ସ୍ଥିତ ଆଇଟିଡିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଗଣମାଧ୍ୟମ ପ୍ରତିନିଧିମାନେ ତଥ୍ୟ ଓ ସୂଚନା ସମ୍ବଳିତ ଖବର ପରିବେଷଣ କରିବା ଓ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କର ରହିବା ପାଇଁ ଏହି ଅବସରରେ ଅତିଥି ଓ ବକ୍ତାମାନେ ମତ ଦେଇଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡା ଶୁଭଙ୍କର ମହାପାତ୍ର ଯୋଗଦେଇ ପୂରାଣ ଓ ଇତିହାସରୁ ବିଭିନ୍ନ ଉଦାହରଣ ମାଧ୍ୟମରେ ଗଣମାଧ୍ୟମର ଗୁରୁତ୍ୱ ଓ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଗଣମାଧ୍ୟମ ଏକ ସେତୁ ଭଳି କାର୍ଯ୍ୟ କରିଥାଏ ବୋଲି ଡା ମହାପାତ୍ର କହିଥିଲେ। ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନାରେ ବିଭିନ୍ନ ବର୍ଗର ସାମ୍ବାଦିକମାନେ ମତାମତ ରଖିଥିଲେ। ସମ୍ମାନିତ ଅତିଥିଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକ୍ରମ କେଶରୀ ଭୋଇ ପୋଲିସ ପକ୍ଷରୁ ବିଭିନ୍ନ କାର୍ଯ୍ୟ ନିମନ୍ତେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଉତ୍ତମ ସମନ୍ୱୟ ଓ ସମ୍ପର୍କ ସମ୍ପର୍କରେ ସୂଚନା ଦେଇଥିଲେ। ରାଉରକେଲା ସହରର ଛେଣ୍ଡ ସ୍ଥିତ ରିମ୍‌ସ ଶିକ୍ଷାନୁଷ୍ଠାନର ସାମ୍ବାଦିକ ଓ ଗଣମାଧ୍ୟମ ବିଭାଗର ସ୍ନାତକ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଲୋଚନାରେ ଭାଗନେବା ସହିତ ବିଭିନ୍ନ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଅବସରରେ ସାମ୍ବାଦିକ ମହେନ୍ଦ୍ର ମିଶ୍ରଙ୍କ ଦ୍ୱାରା ପ୍ରାୟ ୨୨୩ଟି ବିଭିନ୍ନ ଭାଷାର ସମ୍ବାଦପତ୍ରକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପୀତବାସ ମିଶ୍ର,ମନୋରଞ୍ଜନ ଦାଶ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଡଃ ସୁମନ ଦତ୍ତ, ସତ୍ୟାନନ୍ଦ ବେହେରା, ବିବେକାନନ୍ଦ ଦାସ,ଦେବ ପଟ୍ଟନାୟକଙ୍କ ସମେତ ଶିକ୍ଷକ ସୁନିଲ କୁମାର ମହାନ୍ତି ଓ ସାମ୍ବାଦିକା ଡଲିରାଣି ବ୍ରହ୍ମା ପ୍ରମୁଖ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଶ୍ରୀ ମିଶ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବର୍ଗର ଗଣମାଧ୍ୟମ ପ୍ରତିନିଧି ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ବିରଞ୍ଚି ନାରାୟଣ ପଟ୍ଟନାୟକ, ପୱନ ତିୱାରୀ,ନିଗମାନନ୍ଦ ଦାଶ,ଉମେଶ ସିଂ ଙ୍କ ସମେତ ବହୁ ସାମ୍ବାଦିକ ମାନେ ଭାଗ ନେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜଗଦୀଶ ଶତପଥୀ ଙ୍କ କବିତା ଶିଖା

Sunil Chandra Nayak

କଳାହାଣ୍ଡି କରଣ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ଏବଂ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ବାରାହ ଫାସରେ ଫସି ମୃତ୍ୟୁବରଣ କରିଥିବା ଯମୁନା ଜାନୀଙ୍କ ପରିବାର କୁ ୧ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ

Leave a Comment

error: Content is protected !!