ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କମି ଆସିଲାଣି କାଠ ଗଣ୍ଡିରେ ହେଉଥିବା ପାରମ୍ପାରିକ ଧାନ ମଳା ପଦ୍ଧତି

ଡାବୁଗାଁ, ୧୧/୧୨ (ମ.ନି.ସ.)- ଆଜିର ଆଧୁନିକ ଯୁଗରେ କାଠ ଗଣ୍ଡୀ ରେ ଧାନ ମଳା ଏହି ବିରଳ ଦୃଶ୍ୟ ଟି ଦେଖିବାକୁ ମିଳିଛି ଆଦିବାସୀ ବହୁଳ ନବରଙ୍ଗପୁର ଜିଲାର ଡାବୁଗାଁ ବ୍ଲକର ପଲ୍ଲୀ ଗାଁ ଗୁଡିକରେ । ସମୟ ସ୍ରୋତରେ ଆଧୁନିକ ଜ୍ଞାନ କୌଶଳ ର ବିକାଶ ମଧ୍ୟରେ କୃଷି କ୍ଷେତ୍ରରେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ତିଆରି ହୋଇ ଆସିବା ପରେ ପୁରାତନ ପାରମ୍ପାରିକ ଧାନ ଚାଷ ପ୍ରଣାଳୀ ରେ ଅନେକ କିଛି ପରିବର୍ତ୍ତନ ହୋଇଛି । କମ୍ ସମୟ, କମ୍ ଲୋକ ଏବଂ ଅଧିକ ଅମଳ ପାଇଁ ଆଧୁନିକ ଚାଷ ପଦ୍ଧତି କୁ ଆପଣେଇଛନ୍ତି ସମ୍ପ୍ରାତିକ ଚାଷୀ ଭାଇ । କୋଦାଳ, କାଠ ଲଙ୍ଗଳ ପରିବର୍ତ୍ତେ ପାୱାର ଟିଲର, ଟ୍ରାକ୍ଟର, ଧାନ ରୁଆ ଯନ୍ତ୍ର, ଧାନ କଟା ମେସିନ ଓ ଧାନ ମଳା ଯନ୍ତ୍ର ବଜାର ରେ ଉପଲବ୍ଧ ହେବା ଫଳରେ ପାରମ୍ପାରିକ ଚାଷ ପଦ୍ଧତି ଛାଡି ଆଧୁନିକ କୃଷି ଯନ୍ତ୍ରପାତି ରେ ଚାଷ କରି ଲାଭବାନ ହେଉଛନ୍ତି ଚାଷୀ । ଯେଉଁ ଚାଷୀ ଭାଇମାନେ ନିଜର ସକ୍ଷମ ଅନୁସାରେ ଧାନ ଚାଷ ପାଇଁ ବିଭିନ୍ନ କୃଷି ଯନ୍ତ୍ରପାତି ବ୍ୟବହାର କରୁଥିବା ବେଳେ ଆଜିବି ଅନେକ ଗରିବ ମଧ୍ୟମ ଚାଷୀ ପାରମ୍ପାରିକ ଚାଷ ପଦ୍ଧତି ସହ ଜଡ଼ିତ ରହିଥିବା ଦେଖିବାକୁ ମିଳିଛି । ନିଜର ଆର୍ଥିକ କ୍ଷମତା କୁ ଧରି ପୁରାତନ ପଦ୍ଧତି ଉପରେ ଆଜି ବି ଗ୍ରାମାଞ୍ଚଳର ଅନେକ ଚାଷୀ ପରିବାର କିଛି ପୁରୁଣା ଚାଷ ପଦ୍ଧତି ସମୟ ସାପେକ୍ଷ ହେଲେ ମଧ୍ୟ ତହିଁ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି।

        ଧାନ ପାଚିଲା ପରେ କ୍ଷେତରୁ ଧାନ କାଟି ଆଣି ଥାକ ମାରି କିଛିଦିନ ଖଳା ରେ ରଖିଥାନ୍ତି ଚାଷୀ । ଧାନ ମଳା ପୂର୍ବରୁ ଖଳା ପ୍ରସ୍ତୁତ କରାଯାଇଥାଏ | ପ୍ରଥମେ ଜମିକୁ ସମତୁଲ କରି ଅନାବନା ଘାସ, ଲଟା ବୁଦା ଚାଞ୍ଚି ସଫା କରାଯାଏ । ବହଳ ଗୋବର ପାଣି ଲିପି ସୁନ୍ଦର ଭାବେ ଖଳା ପ୍ରସ୍ତୁତ କରାଯାଇଥାଏ । ଏହି ପ୍ରକ୍ରିୟା ଧାନ ପରିମାଣ ଦେଖି ଏକାଧିକଥର ଗୋବର ପାଣି କରି ଖଳା କୁ ଶୁଖିବାକୁ ଦିଆଯାଏ । ଖଳା ଶୁଖିଲା ପରେ ଧାନ ଗଦା ରୁ ବିଡା ସବୁ ମୁକୁଳା କରି ବିଞ୍ଚା ଯାଇଥାଏ । ଅଧିକାଂଶ ସମୟ ସନ୍ଧ୍ୟା ଆଗତ ପରେ ଧାନ ବିଛେଇ ଶୀତ କାକର ପଡ଼ିବାକୁ ଦିଆଯାଇଥାଏ । ରାତ୍ରିର ପ୍ରଥମ ପ୍ରହର ପରେ ବଳଦ ହଳରେ କାଠ ଗଣ୍ଡି ଯୋଚା ଯାଇ କୁଢା ହୋଇଥିବା ଧାନ ଗଦା ଉପରେ ଗୋଲେଇ କାଠ ଗଣ୍ଡୀ କୁ ବଳଦ ବା ମଇଁଷି ସାହାଯ୍ୟରେ ଯୁଆଳି କରି ବୁଲେଇବାକୁ ପଡେ । କିଛି ଘଣ୍ଟା ପରେ ଧାନ ନଡାରୁ ଧାନ ବୀଜ ଝଡିଲା ପରେ ଉପର ସ୍ତରରେ ଥିବା ପାଳ କୁ ଦାଆ ଓ ବାଡ଼ି ସାହାଯ୍ୟରେ ଝାଡି ପାଳକୁ ଅଲଗା କରାଯାଏ । ତା ଉପରେ ଆଉ ଧାନ ବିଡା ବିଂଛା ଯାଇଥାଏ | ସ୍ତର ସ୍ତର କରି ଧାନ ନଡ଼ା ବିଛା ଯାଇଥାଏ | ପାଳ ରୁ ଧାନ ଅଲଗା ହେବାପରେ ପାଳ କୁ ଅଲଗା କରି ଝାଡି ଥିବା ଧାନ କୁ ଏକାଠି ଗଦା କରି କୁଲା ସାହାଯ୍ୟରେ ପବନ ର ବିପରୀତ ଦିଗରେ ହଲାଇ ଧାନ ଓ ଅଗାଡ଼ି ପୃଥକ୍ କରାଯାଇଥାଏ |

            ସାଧାରଣତଃ ଆମ୍ବ, କେନ୍ଦୁ, ମହୁଲ, ଧଅଁଡା ଓ ସିଉନା ଗଛର କାଠ ଗଣ୍ଡୀରେ ତିଆରି ହୋଇଥାଏ । ଦୁଇ ରୁ ତିନି କୁଇଣ୍ଟଲ ଓଜନ ର ହୋଇଥାଏ କାଠ ଗଣ୍ଡୀ ର ଓଜନ। ମଇଁଷି ବଳଦ ଯୁଆଳି ରେ ଯୋଡି ହଳ ବୁଲାଇବା ପରି ଧାନ ନଡ଼ା ଉପରେ ବୁଲେଇବାକୁ ପଡେ । କାଠ ଗଣ୍ଡୀ ର ଉଭୟ ପାର୍ଶ୍ଵ ର ମଧ୍ୟ ଭାଗରେ ଛଅ ରୁ ଆଠ ଇଞ୍ଚ ଗୋଲାଇ ର ଅଖ ତିଆରି କରାଯାଇ ପଟା ଖଣ୍ଡ ଦେଇ ଦୁଇ ଲମ୍ବା କାଠ ସାହାଯ୍ୟରେ ଯୁଆଳି ରେ ସଂଯୋଗ କରିବାକୁ ହୁଏ । ଗଣ୍ଡୀ କୁ ଚାରି ଇଞ୍ଚ ଛାଡି ଆଉ ଗୋଟିଏ ପଟା ଖଣ୍ଡ ଗଣ୍ଡୀ ଉପରେ ଯୋଡି ତହିଁ ଉପରେ ଜଣେ ବସି ହଳ କୁ ବୃତାକାରରେ ଧାନ ଗଦା ଉପରେ ଚଲେଇବାକୁ ପଡେ । ଗୋଲେଇ କାଠ ଗଣ୍ଡୀ ଟି ଘୁରି ଘୁରି ଧାନ ନଡ଼ା ଉପରେ ଚାପ ପକାଇ ଥାଏ । ପଚିଶ ରୁ ତିରିଶ କ୍ଵିଣ୍ଟାଲ ଧାନ ଅମଳ ପାଇଁ ପାଞ୍ଚ ରୁ ଛଅ ଘଂଟା ସମୟ ଲାଗିଥାଏ। ଚାରି ରୁ ପାଞ୍ଚ ଜଣ ଶ୍ରମ ଦାନ କରିବାକୁ ପଡ଼ିଥାଏ। ଏହି ପ୍ରକ୍ରିୟାରେ ଧାନ ମଳା ସାଧାରଣତଃ ସନ୍ଧ୍ୟାରେ ଆରମ୍ଭ କରି ବଢି ଭୋର ସକାଳ ପର୍ଯ୍ୟନ୍ତ କାଠ ଗଣ୍ଡୀ କୁ ବୁଲାଯାଏ । ଶୀତ କାକର ଧାନ ନଡାରେ ପଡି ଧାନ ମଞ୍ଜି ଶୀଘ୍ର ଝଡିଥାଏ । ଧାନ ନଡ଼ା ଉପରେ ଗଣ୍ଡୀ ର ଚାପ ଏବଂ ବଳଦ ମଇଁଷି ର ଗୋଡ଼ ଖୁରା ରେ ଚାପି ହୋଇ ଧାନ ପାଳରୁ ଝଡିଥାଏ | ଏହି ପ୍ରକ୍ରିୟାରେ ଧାନ ଭାଙ୍ଗେ ନାହିଁ । ପାଳ ଖଣ୍ଡ ଖଣ୍ଡ ନ ହୋଇ ଲମ୍ବା ଲମ୍ବା ରହୁଥିବାରୁ ଗୋ ଖାଦ୍ୟ ଏବଂ ଘର ଛପର କରିବା ପାଇଁ ବ୍ୟବହାର ହୋଇଥାଏ ବୋଲି କହିଛନ୍ତି । ଆଜିର ଦିନ ରେ ମଧ୍ୟ ପୁରପଲ୍ଲୀ ରେ ତିରିଶ ପ୍ରତିଶତ ଗରିବ କ୍ଷୁଦ୍ର ମଧ୍ୟମ ଚାଷୀ ଏହି ପାରମ୍ପାରିକ ପୁରାତନ ପଦ୍ଧତି କୁ ବ୍ୟବହାର କରି ଆସୁଥିବା ଦେଖିବାକୁ ମିଳୁଛି।

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କ୍ରୀଡାବିତଙ୍କ ସଫଳତା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣେ ବୋଲି କହିଲେ ବିଧାୟକ 

Sunil Chandra Nayak

ପଣ୍ଡକୁଳ ଗ୍ରାମରେ ବସୁଧା ଯୋଜନା ବିଫଳ 

ରାଇରଙ୍ଗପୁରରେ ଦୁଇ ଦିବସୀୟ ବାମନଘାଟୀ ଫୁଟବଲ ଚମ୍ପିୟାନ ସିପ୍ ୨୦୨୨/୨୩ ରେ ହେମ୍ବ୍ରମ ଫୁଟବଲ କ୍ଲବ ବଡବାଇକଳା ଫୁଟବଲ ଟିମକୁ ହରାଇ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!