ରାୟଗଡ଼ା (ମ.ପ୍ର) ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ପକ୍ଷରୁ କାଳୀ ମନ୍ଦିର ଛକରୁ ପଦଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶାରେ ପ୍ରତିଷ୍ଠା ହୋଇଥିବା ନବରତ୍ନ କମ୍ପାନୀ ନାଲକୋର ଘରୋଇ କରଣ ପ୍ରସ୍ତାବକୁ ସରକାରଙ୍କ ଏ ଭଳି ପଦକ୍ଷେପ ଶ୍ରମିକ ଓ ଜନବିରୋଧୀ ନିଷ୍ପତ୍ତି ବୋଲି ସଂଘ କହିଛି। ଓଡ଼ିଶା ଭଳି ଏକ ଗରିବ ଓ ଆଦିବାସୀ ବହୁଳ ରାଜ୍ୟରେ ଉନ୍ନତ ମାନର ବକ୍ସାଇଟ ଓ ଯଥେଷ୍ଟ କୋଇଲା ମହଜୁଦ ଥିବାରୁ ୪୨ ବର୍ଷ ତଳେ କେନ୍ଦ୍ର ସରକାରଙ୍କ ତରଫରୁ ରାଷ୍ଟ୍ରାୟତ ଉଦ୍ୟୋଗ ଭାବେ ନାଲକୋ ପ୍ରତିଷ୍ଠା କରାଯାଇଥିଲା। ନାଲକୋ ଘରୋଇକରଣ ହେବା ଦ୍ଵାରା କମ୍ପାନୀରେ ଶ୍ରମିକ ଭାବେ ନିଯୁକ୍ତ ପାଇଥିବା ହଜାର ହଜାର ଆଦିବାସୀ ଓ ଜମିହରା ନାଗରିକ ଛଟେଇ ଓ ଶୋଷଣର ଶିକାର ହେବେ। ନାଲକୋ ଦ୍ଵାରା ହେଉଥିବା ବ୍ୟାପକ ସାମାଜିକ ଜନହିତକର କାର୍ଯ୍ୟକ୍ରମ ବନ୍ଦ ହୋଇଯିବ। ଭାରତୀୟ ମଜଦୂର ସଂଘ ରାଜ୍ୟ ସମ୍ପାଦକ ଯୋଗେଶ୍ଵର ଦାସ କହିଛନ୍ତି।ଗତ ୨୩ ତାରିଖରୁ ଭାରତୀୟ ମଜଦୂର ସଂଘ ଓଡ଼ିଶା ପକ୍ଷରୁ ନାଲକୋ ଘରୋଇକରଣକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘ ଜିଲ୍ଲା ସଂପାଦକ ଖଗେଶ୍ବର ସିଂ, ଜିଲ୍ଲା ଉପସଭାପତି ମୋହନ ରାଓ ମାଝୀ, କିଶୋର ସାହୁଙ୍କ ସହ ଭାରତୀୟ ମଜଦୂର ସଂଘ ସହିତ ଜଡିତ ପ୍ରମୁଖ କର୍ମକର୍ତ୍ତା ସାମିଲ ହୋଇଥିଲେ। ଯୁୁୁୁଗଲ କିଶୋର ଜେନା ଙ୍କ ରିପୋର୍ଟ
previous post