ରାଉରକେଲା/ଜନନାଟ୍ୟ ମଞ୍ଚ ଓ ବାଜିରାଉତ ଶିକ୍ଷା ନିକେତନ ର ମିଳିତ ଆନୁକୂଲ୍ୟରେ ବିଶ୍ଵ ନାଟ୍ୟ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲିଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି, ଜନନାଟ୍ୟ ମଞ୍ଚ ର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ବିଶ୍ବ ନାଟ୍ୟ ଦିବସ ପାଳନ ସମ୍ପର୍କରେ ଆଲୋଚନା କରି କହିଲେ ଆଜି ହେଉଛି ବିଶ୍ବ
ନାଟ୍ୟ ଦିବସ। ଓଡ଼ିଶାରେ ଆଦି ନାଟ୍ୟକାର ଜଗମୋହନ ଲାଲା ଯେଉଁ “ବାବାଜୀ” ନାଟକ ରଚନା କରି ସମାଜରେ ଅନ୍ଧବିଶ୍ୱାସ କୁସଂସ୍କାର ବିରୁଦ୍ଧରେ ମଞ୍ଚ ନାଟକ ମାଧ୍ୟମରେ ଯେଉଁ ବାର୍ତ୍ତା ପ୍ରଚାର କରିଥିଲେ, ଆଜି ମଧ୍ୟ ତା’ର ପ୍ରାସଙ୍ଗିକତା ଅଛି। ଅପର ଦିଗରେ ସମସ୍ତ ଚେଷ୍ଟା ସତ୍ତ୍ବେ ଓଡ଼ିଆ ନାଟକର କଳା ମୂଲ୍ୟ ଏ ପର୍ଯ୍ୟନ୍ତ ଯଥାଯଥ ସ୍ବୀକୃତି ମଧ୍ୟ ପାଇନାହିଁ। ବହୁ ପରୀକ୍ଷା ନିରୀକ୍ଷା ପରେ ମଧ୍ୟ ଓଡ଼ିଆ ମଞ୍ଚ ନାଟକ ସଙ୍କଟ ଦେଇ ଗତି କରୁଛି। ଏହି ସଙ୍କଟ ତା’ର ବିକାଶକୁ ବ୍ୟାହତ କରିଛି। ସାହିତ୍ୟର ଏକ ବଡ଼ ଶାଖା
ହେଉଛି ନାଟକ। ନାଟକ ସାହିତ୍ୟ ର ବିକାଶ ନହେଲେ ଓଡ଼ିଆ ସାହିତ୍ୟର ବିକାଶ ହୋଇ ପାରିବ ନାହିଁ। ଆମ ନାଟକ ର ଦୁର୍ବଳତା ର କାରଣ ହେଉଛି ଅର୍ଥନୈତିକ ସାମାଜିକ ଓ ସାଂସ୍କୃତିକ ଯାହାକୁ ସାମଗ୍ରିକ ଭାବେ ସାମାଜିକ ବୋଲି କୁହାଯାଇ ପାରେ। ଭଲ ନାଟକରୁ ଓଡ଼ିଶା ର ରଙ୍ଗମଞ୍ଚ ଓ ଓଡ଼ିଆ ସାହିତ୍ୟ ବଞ୍ଚିତ ହେଉଛି। ନାଟ୍ୟକାର ଅଭିନେତା, ରଙ୍ଗମଞ୍ଚ ଓ ଦର୍ଶକ ଏହି ଚାରୋଟି ମଧ୍ୟରେ ଉପଯୁକ୍ତ ସହାବସ୍ଥାନ ର ଅଭାବ ହେତୁ ଓଡ଼ିଆ ନାଟକ ର ବିକାଶ ହୋଇପାରୁ ନାହିଁ । ଦ୍ଵନ୍ଦ ହେଉଛି ନାଟକର ପ୍ରାଣ। ଆମର ମଧ୍ୟବିତ୍ତ ମାନେ ଦ୍ଵନ୍ଦ ଭୀରୁ। ସେଥିପାଇଁ ଯେଉଁ ନାଟକ ସୃଷ୍ଟି ହେଲା ତାହା ଠିକ୍ ନାଟକ ନୁହେଁ। ତେଣୁ ଆସ
ଆଜିର ଦିନରେ ଆମେ ଶପଥ ନେବା ମଞ୍ଚ ନାଟକ କୁ ଶୋଷଣ କଷଣ ନିପୀଡିତ ଜନଗଣଙ୍କ ସ୍ବରକୁ ମଞ୍ଚ ମାଧ୍ୟମରେ ପ୍ରଚାର ପ୍ରସାର କରିବା ବୋଲି ଶ୍ରୀ ମହାପାତ୍ର କହିଥିଲେ। ମୁଖ୍ୟ ଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଆଜିର ମଞ୍ଚ ନାଟକ ସମୟ ସହିତ ତାଳ ଦେଇ ଓଡ଼ିଆ ନାଟକ ଆପଣାର ସ୍ବର ପରିବର୍ତ୍ତନ କରିଛି। କେତେବେଳେ ମନୋରଞ୍ଜନ ଧର୍ମୀ କେତେବେଳେ ସାହିତ୍ୟ ଧର୍ମକୁ ଆପଣାର କରିବାକୁ ଚେଷ୍ଟା କରିଛି। ବୃହତ୍ତର ଜନଗୋଷ୍ଠିକୁ ମଞ୍ଚ ଆଡ଼କୁ ଆକର୍ଷିତ କରିବା ପାଇଁ ସାମାଜିକ ଚେତନା ତଥା ପୁରୁଣା ଯାତ୍ରା ଶୈଳୀ କୁ ହତାଦର କରିନାହିଁ ତଥାପି ପୂର୍ବରୁ ପ୍ରଚଳିତ ଲୋକନାଟ୍ୟ ଭଳି ଲୋକପ୍ରିୟ ହୋଇପାରି ନାହିଁ। ଆଜିର ଦିବସ ବିଶ୍ଵ ନାଟ୍ୟ ଦିବସ ର ବାର୍ତ୍ତା ରଙ୍ଗମଞ୍ଚ ଓ ଶାନ୍ତି ର ସଂସ୍କୃତି କୁ ମଞ୍ଚ ମାଧ୍ୟମରେ ପ୍ରଚାର କରିବା ଆବଶ୍ୟକ ବୋଲି କହିଥିଲେ। ସଭାପତି ସୁଶ୍ରୀ ମୁଦାଲି ତାଙ୍କ ସଭାପତିତ୍ବ ଅଭିଭାଷଣ ରେ କହିଲେ ଯେ ଏ ପୃଥିବୀ ହେଉଛି ଗୋଟିଏ ରଙ୍ଗମଞ୍ଚ। ଏଠାରେ ଆମେ ସମସ୍ତେ ହେଉଛୁ ଗୋଟିଏ ଗୋଟିଏ କଳାକାର। ସମସ୍ତେ ଭଲ ଅଭିନୟ କରି ଏ ସମାଜକୁ ଶୋଷଣ ମୁକ୍ତ ସମାଜ ଗଠନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଆଜିର ଦିବସରେ ସେ ଆହ୍ବାନ ଦେବା ସହିତ ଜନନାଟ୍ୟ ମଞ୍ଚ ଅନ୍ଧବିଶ୍ୱାସ କୁସଂସ୍କାର ବିରୁଦ୍ଧରେ ତା’ର ଯାତ୍ରା ଅବ୍ୟାହତ ରଖୁ ବୋଲି ସେ କହିଥିଲେ। ଏହି ବିଶ୍ବ ନାଟ୍ୟ ଦିବସ ସଭାରେ ଧନ୍ୟବାଦ ଦେଇଥିଲେ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ବାରିକ। ଛାତ୍ର ଛାତ୍ରୀ ମାନେ ନାଟକ ସମ୍ପର୍କରେ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଥିବାରୁ ତାଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି ସଭାରେ ସହଯୋଗ କରିଥିଲେ ବିଦ୍ୟାଳୟ ର ଶିକ୍ଷକ ଅକ୍ଷୟ କୁମାର ଦାସ, ରଶ୍ମିତା ସାମଲ, ଜୀତେନ୍ଦ୍ର ଚୌଧୁରୀ, ସୁନୀତା ମହାପାତ୍ର ପ୍ରମୁଖ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ


