ମହା ବିଷୁବ ସଂକ୍ରାନ୍ତି
_ବସନ୍ତ ମଳୟ ହେଲା ଅନ୍ତର୍ଦ୍ଧାନ_
_ଚଇତାଳି ଆଗମନ,_
_ମିହିର ଚଳିଲେ ଉତ୍ତରାୟଣକୁ_
_ରୌଦ୍ରତାପ ଘନଘନ_ l
_ତପନର ପ୍ରଭା ବିଚ୍ଛୁରନ୍ତି ଝାଞ୍ଜି_
_ଅବୋଷ ଲାଗଇ ପ୍ରାଣ,_
_ନିଦାଖ ଗ୍ରୀଷ୍ମର ପ୍ରବାହେ ମନୁଷ୍ୟ_
_ଦହି ହୁଅଇ ଜୀବନ_ l
_ଚୈତ୍ର ମାସ ଶୁକ୍ଳ ପ୍ରତିପଦା ତିଥି_
_ମହା ବିଷୁବ ସଂକ୍ରାନ୍ତି_ ,
_ସର୍ବ ଉତ୍କଳୀୟ ଆହ୍ଲାଦ ମନରେ_
_ଏହିଦିନ ପାଳିଥାନ୍ତି_ l
_ମନେ ରଖି ମୁଦ ଓଡିଶା ବାସିଏଁ_
_ପାଳନ୍ତି ନବ ବରଷ_ ,
_ହନୁମାନ ଜନ୍ମ ଦିବସ ପାଳନ୍ତି_
_ହୃଦୟେ ରଖି ହରଷ_ l
_ପୂଜାଥାଳି ହସ୍ତେ ଧରିଣ ଭାମିନୀ_
_ଭକତି ଭାବ ମନରେ_ ,
_ଧୂପ ଦୀପ ଗନ୍ଧ ତାସାଥେ ନୈବେଦ୍ୟ_
_ସମର୍ପନ୍ତି ପ୍ରଭୁଠାରେ_ l
_ଶ୍ରୀଫଳ କଦଳୀ ଖଇ ସାଥେ ଗୁଡ଼_
_ଭୋଗ ଲାଗେ ଚଉଁରାରେ_ ,
_ପଣା ଠେକି ତୋଳି ବୃନ୍ଦାବତୀ ଠାରେ_
_ପୂଜନ୍ତି ତୋଷ ମନରେ_ l
_ମହା ଆଡମ୍ବରେ ଦେବୀଙ୍କର ପୂଜା_
_ଦୈବୀପିଠେ ହୋଇଥାଏ,_
_ଭକତ ବୃନ୍ଦଙ୍କ ଦଣ୍ଡନୃତ୍ୟ ପୁଣି_
_ଆଶୟକୁ ଶାନ୍ତି ଦିଏ l_
ସ୍ଵାଗତିକା ମିଶ୍ର
କଣ୍ଟାବାଞ୍ଜି
ବଲାଙ୍ଗୀର
ତାରିଖ :-୧୪/୦୪/୨୦୨୨