ପଇସା
ସୁରେନ୍ଦ୍ର କୁମାର ବେହେରା
ଏହି ଦୁନିଆରେ ପଇସାର ଖେଳ
ପଇସା କରେ ବେଉସା
ପଇସା ଯାହାର ମୁଲକ ତାହାର
ରାଜକୀୟ ବେଶ ଭୁଷା ।1।
ପଇସା ବଳରେ ସର୍ବେ ବଳିୟାନ
ଅନ୍ୟାୟ ରାଜୁତି କରେ
ପାପ ପୁଣ୍ୟ ଭଲ ମନ୍ଦ କିଛି ନାହିଁ
ଧର୍ମକୁସେ ଆଖି ଠାରେ ।2।
ପ୍ରେମ ଏଠି ହୁଏ ନିଲାମ ବଜାରେ
ଅର୍ଥ ଅନର୍ଥର ମୂଳ
ଯଉତୁକ ପାଇଁ ବଧୂ ହତ୍ୟା ପୁଣି
ପଇସା ସାଜୁଛି କାଳ ।3।
ପ୍ରେମିକା ଛାଡ଼ୁଛି ପ୍ରେମୀକର ହାତ
କେବଳ ପଇସା ପାଇଁ
ପଇସା ନଥିଲେ ପ୍ରେମ ମୂଲ୍ୟହୀନ
ହୃଦୟ ଚିହ୍ନୁନି କେହି ।4।
ପଇସା ପାଖରେ ଯାହାର ଅଧିକ
ସମାଜରେ ତାର ପୂଜା
ଜ୍ଞାନ ଗାରିମା,ତା ନଥାଉ ପଛକେ
ସବୁଠାରେ ଆଗ ଖୋଜା ।5।
ବାପ ପୁଅ ମଧ୍ୟେ ସମ୍ପର୍କ ବିଛିନ୍ନ
କେବଳ ଏହି ପଇସା
ସମାଜରେ ଏବେ ସବୁଠି ଚାଲିଛି
ପଇସା ବେଉସା ହିଂସା ।6।
ନାରୀର ଇଜ୍ଜତ ନିଲାମ ହେଉଛି
ମନରେ ପଇସା ଲୋଭ
ନିଜ ନୈତିକତା ହରେଇ ବସୁଛି
ଭାବରେ ଘଟେ ଅଭାବ ।7।
ଅର୍ଥ ପିପାସୁ ଏ ମାନବ ଦାନଵ
ହିଂସା ପଥ ଆପଣେଇ
ଭଲମନ୍ଦ କିଛି ବୁଝିବା ଆଗରୁ
ସମ୍ପର୍କ ଦିଏ ତୁଟେଇ ।8।
ଅର୍ଥରୁ ଅନର୍ଥ ଅନ୍ୟାୟର ପଥ
ଖେଳ କରଇ ପଇସା
ନିର୍ଦୋଷ ମୁଣ୍ଡରେ ଦୋଷ ଲଦିଦେଇ
ଧନ୍ୟ ଅନର୍ଥ ବେଉସା ।9।
ଧନୀ ଗରିବର ଭେଦାଭେଦ ଭାବ
ତୋଠାରୁ ହୋଇଛି ସୃଷ୍ଟି
ଏହି ସମାଜରେ ଚଳିବାକୁ ହେଲେ
ତୋ,ପରେ ସଭିଙ୍କ ଦୃଷ୍ଟି ।10।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର