ଦେଲେ ଭଲ
ଜୟ କୁମାର ମିଶ୍ର
ଦବାଟି ଯେବେ, ଭଲ ହୋଇବ
ନାହିଁ ବିରତି ଯେବେ
ଲଭିବା ଆଶା, ମନରେ ବସା
ବୃଥା ପ୍ରଶଂସା ଦେବେ ll
ତୁପରା ଭଲ, ତୋହର ଭଲ
ସାତ ପୁରୁଷ ଜନ,
ଚାଟର ଗୀତ, ଭାଟଟି ମିତ
ବଢିବ ଦିନୁଦିନ ll
ଗୁଡ଼କୁ ଜନ୍ଦା, ଧାଡିର ଧନ୍ଦା
ଦିବସ ରାତ୍ର ଯାଏ,
କେତେ କଳ୍ପନା, କେତେ ଭାବନା
ଚଉପାସରେ ରୁହେ ll
ଦେହରେ ବଳ, କଳା କୌଶଳ
ଥିବାର ଯାଏ ଜାଣ,
ଡକା ହକରା, କେତେ ଯାତରା
ସରାଗ ପ୍ରୀତି, ରାଣ ll
ପାଇବା ଆଶା, କେତେ ଭରସା
ନୁଆଁ ସମ୍ପର୍କ ଗଢ଼େ,
ଛିଣ୍ଡିବା ସବୁ,ଯୋଡ଼ି ହୋଇବେ
ରହିବେ ପାଖତଡେ଼ ll
ଅତୀତ କଥା, କିଏ ପଚାରେ
ବୃଥା ଭାବନା ଘର,
ନିନ୍ଦା, ଚନ୍ଦନ, ଗାଳି କର୍ପୁର
ଧୋକା ସୁବାସ ନୀର ll
ଦେଇ ଦେଇକା, ସରାଗ ଶିଖା
ତେଜି ଉଠିବ ହେଜି,
ହେଲେ ଅଭାବ, ବନ୍ଦ ହୋଇବ
ସମ୍ପର୍କ ଯିବ ଭାଜି ll
ଗାଳି ବରଷା, ନିନ୍ଦା ପରସା
ଗଢ଼ପିଢ଼ ଯେ କେତେ,
ଗୁଣ ନକହି, ଖୁଣକୁ କହି
ବୁଲିବେ ଗ୍ରାମ ପଥେ ll
ଭୋଜି ଭାତରେ, ଶୁଭ ଅଶୁଭେ
ସ୍ଥାନ, କlଳକୁ ଭୁଲି,
କହି ବୁଲିବେ, ଗାଳି କରିବେ
ସୁବିଧାବାଦୀ ଖାଲି ll
ଏକା ତୁଣ୍ଡରେ ଉଆ ଉଷୁନା
ବଦଳେ କଥାଭାଷା,
ବ୍ୟବହାରଟି ଅନୁରୂପଟି
ଅନୁରାଗର ତୃଷା ll
ଅପମାନଟି, ଯିବଟି ଛୁଟି
ବାହାନା ପଥ କାଢ଼ି,
ଜାଣି ଅଜଣା, ଅବାଟେ ବଣା
ଲାଭ ଲୋଭରେ ପଡି ll
ସାତ ଶତ୍ରୁଏଁ, ହୋଇବେ ମେଳି
ମହା ଆନନ୍ଦେ ତାଳି,
ରାଗ ପୌରଷ, ହୋଇବ ଶେଷ
ସ୍ୱାଭିମାନଟି ବଳି ll
ନିର୍ଲଜ ହସ, ସଜଡା ଭାଷ
ଦୂରରୁ ବାରି ହୁଏ,
ଚହଟି ଉଠେ, ଦାନ୍ତଟି ଫୁଟେ
ଭୁରି ପ୍ରଶଂସା ଗାଏ ll
ଯିଏଟି ଦବ, ଭଲ ହୋଇବ
ଯାହା ବି କର ତୁମେ
ଦେବା ବୁଜୁଳା, ବୋଲିବ କଳା
ନିକୃଷ୍ଟ ଶ୍ରେଷ୍ଠ ପ୍ରେମେ ll
ଜୟ କୁମାର ମିଶ୍ର,
ଗ୍ରାମ-ବୁଦୁରା
ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର,
ଜିଲ୍ଲା-ଗଜପତି
ଓଡିଶା, 761206