ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିନି ଯୁବତୀ ଶବ ବୋହିନେବା ଘଟଣା  ପୁଣି ବାସନ୍ଦର ଶିକାର ହେଲେ ଦୁଇ ପରିବାର କଙ୍ଗାରୁ କୋର୍ଟର କଡ଼ା ନିର୍ଦ୍ଦେଶ- ତୁରନ୍ତ ଗାଁ ଛାଡ଼ିଯାଅ

ତିନି ଯୁବତୀ ଶବ ବୋହିନେବା ଘଟଣା 

ପୁଣି ବାସନ୍ଦର ଶିକାର ହେଲେ ଦୁଇ ପରିବାର

କଙ୍ଗାରୁ କୋର୍ଟର କଡ଼ା ନିର୍ଦ୍ଦେଶ- ତୁରନ୍ତ ଗାଁ ଛାଡ଼ିଯାଅ

ଲାଞ୍ଜିଗଡ଼, ୩୧/୧୦(ମନିସ)-ସାମାଜିକ ବାସନ୍ଦ ଭୟରେ ମୃତକଙ୍କ ଶବକୁ ନଛୁଇଁବା ଓ ପରେ ବାଧ୍ୟ ହୋଇ ଜଣେ ନାବାଳିକାଙ୍କ ସମେତ ତିନି ଜଣ ସମ୍ପର୍କୀୟ ଯୁବତୀ ଶବ ବୋହିନେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଲାଞ୍ଜିଗଡ଼ ସହରର ପ୍ରଧାନୀପଡ଼ାରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ସମସ୍ତ ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଇଛି। ଅଞ୍ଚଳବାସୀଙ୍କ ମଣିଷପଣିଆ ଓ ମାନବିକତା ଉପରେ ଲକ୍ଷେଟଙ୍କିଆ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଏହି ଘଟଣାକୁ ନେଇ ସମସ୍ତେ ଛି ଛାକର କରୁଥିବାବେଳେ ନିଜକୁ ସମାଜର ଦଇବ ବିଧାତା ବୋଲାଉଥିବା ଲୋକେ ଏହି ଘଟଣାରେ କଟା ଘାଆରେ ଚୂନ ବୋଳିଛନ୍ତି। ଏପରିକି ଲାଞ୍ଜିଗଡ଼ର ମୃତକ ମହେନ୍ଦ୍ର ଦଳେଇଙ୍କ ଶବ ସତ୍କାରରେ ସାମିଲ ହୋଇଥିବା ତାଙ୍କ ସମ୍ପର୍କୀୟ ଭାଇ ପୂର୍ଣ୍ଣଚନ୍ଦ୍ର ଦଳେଇ ଓ ଅନ୍ୟ ଏକ ପରିବାରକୁ କଙ୍ଗାରୁ କୋର୍ଟରେ ଦଣ୍ଡିତ କରିଛନ୍ତି। ସମାଜରୁ ନିଆଁପାଣି ବାସନ୍ଦ କରିବା ସହିତ ଗାଁ ଛାଡ଼ି ଚାଲିଯିବାକୁ ଖୋଲାଖୋଲି ଧମକ ଦେଇଛନ୍ତି। ଏହି ଅଭାବନୀୟ ଘଟଣା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଗୁରୁବାର ସନ୍ଧ୍ୟାରେ କିଛି ଲୋକେ ଏକ ବୈଠକ ବସାଇ ଏକତରଫା ଭାବେ ତାଙ୍କୁ ସମାଜରୁ ବାସନ୍ଦ କରିବା ସହିତ ତାଙ୍କ ପରିବାରକୁ ଗାଁ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିବା ପୂର୍ଣ୍ଣଚନ୍ଦ୍ର ଦଳେଇ ଓ ଲିଙ୍ଗରାଜ ଦଳେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ପ୍ରଶାସନ ଗୁରୁତ୍ୱର ସହିତ ନେଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଯୁବତୀମାନଙ୍କ ସାହସକୁ ପ୍ରଶଂସା କରିବା ସହିତ ଏହି ଦୁଃଖଦ ଘଟଣାର ଯେପରି ପୁନରାବୃତ୍ତି ନହେବ ସେ ଦିଗରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ସଚେତନ କରାଯିବ ବୋଲି ସେ କହିଛନ୍ତି। ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଲାଞ୍ଜିଗଡ଼ ପୁଲିସ ମୃତକଙ୍କ ଘରକୁ ଯାଇ ସରଜମିନ ତଦନ୍ତ କରିଛି। ସେହିପରି ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା ସହାୟତାର ହାତ ବଢାଇବା ସହିତ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥରାଶି ପ୍ରଦାନ କରିଛନ୍ତି। ବସନ୍ତପଡ଼ା ସରପଞ୍ଚ ତଥା ଯୁବନେତା ଚାଞ୍ଚେର ମାଝୀ ମଧ୍ୟ ମୃତକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସାହାଯ୍ୟ କରିଛନ୍ତି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା ନବରଙ୍ଗପୁର ର ବନ୍ଧୁମିଳନ କାର୍ଯ୍ୟକ୍ରମ

Sunil Chandra Nayak

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଓ ଆଲୋଚନାଚକ୍ର 

Sunil Chandra Nayak

ନୂଆପଡ଼ା ଜିଲ୍ଲା ରେ ମୋ ଘର ଯୋଜନାର ଶୁଭାରମ୍ଭ, ତିନି ଲକ୍ଷ ଟଙ୍କା ଆବାସ ଗୃହ ହିତାଧିକାରୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!