ମୁଠିଭିକ୍ଷା
ବାଲାଜି ସେଠୀ
ହେଇଟି ଶୁଣୁଛ….! କାଲି ମୋର ଆଖି ଓଷ ଆଉ ବିପି ଓଷ ଯେମିତି ହେଲେ ଆଣିବ… ନହଲେ କାଲିଠାରୁ ମୋ ପାଇଁ ବି ଖାଇବା ନେଇକି ଆସିବ ! ମୁଁ ଆଉ ପାରିବିନି ….ବାରିପଟେ ଚୁଲିମୁଣ୍ଡରୁ ପାଟି କରୁଥିଲେ ଋକ୍ମୁଣୀ ଦେବୀ l ଶୁଖିଲା ନଡ଼ିଆ ବାହୁଙ୍ଗି ଦୁଇପଟକୁ ଚୁଲିରେ ମୁହାଁଇ ରୋଷେଇ କରୁ କରୁ ଧୂଆଁ ପସି ଆଖିରୁ ଧାର ଧାର ଲୁହ ବୋହି ଧଇଁ ଉଠିଗଲାଣି ….।
ସେପଟେ ତ୍ରିନାଥ ବାବୁ ଦାଣ୍ଡଘରେ ଗାମୁଛା ପକାଇ ଆସନରେ ବସି ଜପ କରୁଛନ୍ତି ।ହନୁମାନ ଚାଳିଶା ସହିତ ବିଭିନ୍ନ ଶ୍ଳୋକ,ମନ୍ତ୍ର ବିଳିବିଳୋଉଛନ୍ତି ।
ତ୍ରିନାଥ ଭୋଇ। ବୟସ ପ୍ରାୟ ପଞ୍ଚସ୍ତରୀ !ଶିକ୍ଷିତ ଲୋକ ।ସରକାରୀ ଚାକିରୀଟିଏ ପାଇଁ ସୁଯୋଗ ଆସିଥିଲା । ଦୂର ସ୍ଥାନରେ ପୋଷ୍ଟିଂଗ୍ ମିଳିବାରୁ ମାଆଙ୍କ ଆକଟରେ ଚାକିରୀ କଲେନାହିଁ । ଋକ୍ମୁଣୀ ଦେବୀଙ୍କ ପାଣିଗ୍ରହଣ ପରେ ତାଙ୍କ ସଂସାର କିଛି ଦିନ ଖୁସିବାସିରେ ଚାଲିଥିଲା । ସୁଖକୁ କିଏ ବା ଅଣ୍ଟିରୀ ବାନ୍ଧି ସବୁଦିନ ପାଇଁ ରଖିପାରିବ ….! କେତେବେଳେ ଯେ ଖୁସିର
ଅଣ୍ଟି ଗଣ୍ଠି ଫିଟି ଯାଇ ଦୁଃଖ, ଲାଉ ହୋଇ ପିଠିରେ ଓହଳି ପଡେ ,,,ଆଉ ମେରୁଦଣ୍ଡକୁ ବାଙ୍କିଦିଏ କାହାକୁ ଜଣା ନଥାଏ …।
ଗୋଟି ଗୋଟି ହୋଇ ପଛକୁ ପଛ ପାଞ୍ଚଟି ଝିଅ ଅବେଳରେ ବାହୁଡ଼ି ଗଲେ ….। ଋକ୍ମୁଣୀ ଦେବୀ କେତେ ଓଷା ,କେତେ ବ୍ରତ, ମାନସିକ କରି କରି ଦେହ କଣ୍ଟା ହେଲାଣି। ତ୍ରିନାଥ ବାବୁ ବି ଅତି ଧର୍ମ ପରାୟଣ ବ୍ୟକ୍ତି । ସେ ବି ସତସଙ୍ଗ,ନାମ ସଂକୀର୍ତ୍ତନ , ମନ୍ଦିର ଯିବାରେ ହେଳା କରନ୍ତିନି । ପୁଅ ହେଉ ବା ଝିଅ ବଂଶ ରକ୍ଷା ପାଇଁ ସନ୍ତାନ ଟିଏ ଲୋଡ଼ା । ସ୍ୱାମୀ ସ୍ତ୍ରୀ ଚିନ୍ତାରେ ବୁଡିରହିଥାନ୍ତି ।
ଋକ୍ମୁଣିଦେବୀ ଷଷ୍ଠ ଥର ପାଇଁ ଗର୍ଭ ଧାରଣ କଲେ।ଏଥର ତ୍ରିନାଥ ବାବୁ ମାନସିକ କଲେ ଯେ, ପୁଅ ହେଉ ବା ଝିଅ ଛୁଆଟି ଯଦି ବଂଚି ରହେ ତାକୁ ବାର ବର୍ଷ ହେଲେ “ମୁଠି ଭିକ୍ଷା ” କରି ବଦ୍ରିକା ଯାଇ ବଦ୍ରିନାଥ ଙ୍କୁ ଦର୍ଶନ କରି ମାଳା ଚଢାଇବେ । ନାତି ନାତୁଣୀ ଦେଖିଲେ ଯଦି ବଂଚି ଥାଏ ତେବେ ଖାଲି ପାଦରେ ଯାଇ ଚାରିଧାମ ଦର୍ଶନ କରିବେ …..।ବଦ୍ରିନାଥଙ୍କ ସୁଦୟା ହେଲା ।
ଠିକ୍ ସମୟରେ ଋକ୍ମୁଣିଦେବୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ।
ଶିଶୁ ପୁତ୍ରର ନାମ ରଖିଲେ ବଦ୍ରୀ ନାରାୟଣ ।ଆଉ ଏକ ସନ୍ତାନର କାମନା କରି ପଛ କୁ ପଛ ଦୁଇଟି ଶିଶୁ ପୁତ୍ରକୁ ଯମଦେବଙ୍କ ହାତରେ ଟେକି ଦେଲେ । ଯା’ ଭାଗ୍ୟରେ ଯାହା ଅଛି ! ଯାହା ଭୋଗ କରିବାକୁ ଭାଗ୍ୟରେ ନାହିଁ ତାହା ଯେ କୌଣସି ମୂଲ୍ୟରେ ଅର୍ଜିଲେ ବି ତାହା ଭୋଗ କରିହୁଏ ନାହିଁ …..!ଏହା ଅସତ୍ୟ ନୁହେଁ।
ଏକୋଇର ବଳା ବିସିକେଶନ ବଦ୍ରିନାରାୟାଣକୁ ବାପା ମାଆ ସଯତ୍ନେ ପାଳିଲେ ।ପୁଅ ବଡ ହେଲା ।ପାଠ ପଢିଲା । ପୁଅକୁ ବାର ବର୍ଷ ହେଲାରୁ ବାପା ତ୍ରିନାଥ ପାଖ ସହରକୁ ଯାଇ ବଜାର ,ବସଷ୍ଟାଣ୍ଡ ,ଆଦି ବିଭିନ୍ନ ଜାଗାରେ ବୁଲି ବୁଲି “ମୁଠି ଭିକ୍ଷା” ମାଗିବା ଆରମ୍ଭ କରିଦେଲେ ।ବଦ୍ରିକା ଯାଇ ମାନସିକ ପୁରଣକଲେ ଗାଁ ରେ ଚାଳ ଛପର ଘର ଖଣ୍ଡେ ଛଡା ଆଉ କିଛି ନାହିଁ ।ଋକ୍ମୁଣିଦେବୀ ପର ଜମିକୁ ଭଡାରେ ଆଣି ଚାଷ କରି ତିନି ଜଣିଆ ପରିବାରକୁ ଯେନ ତେନ ଚଳାଇନିଆନ୍ତି। ପୁଅ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢିଲା। ଆର୍ଥିକ ଅନଟନକୁ ଦୂର କରିବାକୁ ସୁଦୂର ମୁମ୍ବାଇକୁ ଚାଲିଗଲା । ସେଠାରେ ଏକ ହୀରା କମ୍ପାନୀରେ କାମ କଲା ।ଭଲ ଦୁଇ ପଇସା ରୋଜଗାର କଲା । ତିନି ଚାରିବର୍ଷ ପରେ ଚାଳ ଛପର ଘରକୁ ଭାଙ୍ଗି ତିନି ବଖୁରିଆ ଛାତ ଘରଟେ ତିଆରି କଲା।
ବାରିପଟେ କୂଅଟେ ଖୋଳି ପାଣି ମୋଟର ଲାଗେଇଦେଲା ।
ଘରେ ବିଦ୍ୟୁତ ଆଲୁଅ ଜଳିଲା,ରଙ୍ଗୀନ ଟିଭି ଲଗେଇଲା । ବାପା ମାଆ ଖୁସି ହେଲେ ।ମାଆର ଦୁଃଖ ଟିକେ ଲାଘବ ହେଲା। ନାମ, ଜପ ,ସଂକୀର୍ତ୍ତନ , ସତସଙ୍ଗ ଯିବା ତ୍ରିନାଥ ବାବୁଙ୍କ ଅଭ୍ୟାସରେ ପରିଣତ ହୋଇଯାଇଥିଲା । ରୋଜଗାର କରିବା , ଘର ଚଳେଇବା ଘରର ହାନି ଲାଭ ବୁଝିବା ଏ ସବୁରେ ତାଙ୍କର ନିଘା ନଥିଲା । କେତେବେଳେ କୋଉଠି ଖାଇବେ,କୋଉଠେ ରହିବେ , କଣ କରିବେ ତାଙ୍କର କିଛି ହିସାବ ନାହିଁ ।ତଥାପି ସଂସାର ଚାଲିଥାଏ।
କାନ୍ଥରେ ଟଙ୍ଗା ହୋଇଥିବା କାନ୍ଥ ଘଣ୍ଟାରେ ସବୁଠାରୁ ବଡ କଣ୍ଟା ଟି ଅନବରତ ଘୁରୁଛି। ବଦ୍ରିର ବିବାହ ବୟସ ହେଲା ।ନିଜ ପସନ୍ଦର ଝିଅଟିଏ ଦେଖି ବାହାହେଲା । ଶିକ୍ଷିତ , ସୁନ୍ଦରୀ, ଆଧୁନିକା ବୋହୁଟିଏ ଘରକୁ ଆସିବାରୁ ବାପା ମା ଭାରି ଖୁସି ହେଲେ।ବୋହୁକୁ ନିଜ ଝିଅ ଭଳି ଆଦର ଯତ୍ନ କଲେ ।ତାର ମନ ନେଇ ଚଳିଲେ ଏମିତି ଖୁସିରେ ବିତିଗଲା କିଛି ଦିନ ।
ପୁଅ ମନ ମାଆ ଠାରୁ ବେଶୀ କିଏ ଜାଣିବ …..?
ବଦ୍ରୀ ତ ଋକ୍ମୁଣୀ ଦେବୀଙ୍କ ଜୀବନ,,,! ତାକୁ ସେ ମର୍ମେ ମର୍ମେ ବୁଝିଛନ୍ତି। ପିଲା ବେଳେ ବଦ୍ରୀ ପୁନେଇ ଚାନ୍ଦକୁ ଦେଖି ହଟୁଥିଲା ।
“ତାକୁ ଧରି ଆଣିଦେ ମାଆ ….। ମୁଁ ତା ସାଥିରେ ଖେଳିବି …।”
ମାଆ ବଦ୍ରୀକୁ କୋଳେଇ ଧରି ବାରିପଟକୁ ଧାଇଁ ଯାଉଥିଲେ ଆଉ କହୁଥିଲେ ; “ଧନ ଜହ୍ନ ଆମ ବାରିପଟେ ଅଛି । ଚାଲ ତା ସାଥିରେ ଖେଳିବୁ ….।” ପାଣି ଭର୍ତ୍ତି ଥିବା ବାରିହାଣ୍ଡିରେ ଜହ୍ନ ଦେଖାଇ ,ହାଣ୍ଡିକୁ ହଲାଇ ଦେଇ କହୁଥିଲେ “ଦେଖେ ତତେ ଦେଖି ଜହ୍ନ କେମିତି ନାଚ କରୁଛି ।” ଚହଲା ପାଣି ହାଣ୍ଡିରେ ଜହ୍ନକୁ ଦେଖି ତଳି ମାରି ନାଚି ଉଠୁଥିଲା ବଦ୍ରୀ ।
★★★
ଚାରି ମାସ ପରେ ବଦ୍ରୀ ମୁମ୍ବାଇରୁ ଫେରିଲା ।
ପ୍ରତିଦିନ ରାତିରେ ଶୋଇଲା ବେଳେ ସ୍ତ୍ରୀ ଠାରୁ କର୍ଣ୍ଣମନ୍ତ୍ର ଶୁଣିଲା ,,,ଅଭିଯୋଗ ବି ,,, ।”ତୁମ ମାଆ କୁ ଗ୍ୟାସରେ ରୋଷେଇ କରିବା ଜଣା ନାହିଁ ,,, ତୁମ ବାପା ଘରେ କୁଟା ଦି ଖଣ୍ଡ ନ କରି ଅର୍ଣ୍ଣ ଧ୍ୱଂସ କରୁଛନ୍ତି ,,, କୁଆଡେ ବୁଲିଯିବାକୁ ବାରଣ ,,, କାହା ସହିତ କଥା ହବାକୁ ବାରଣ ,,,କାହା ଘରକୁ ଯିବାକୁ ବାରଣ କରୁଛନ୍ତି ତୁମ ମାଆ ।ଘର ଭିତର ବସି ବସି ମୁଁ ବୋର୍ ହେଇ ଯାଉଛି …।ଏ ଘରେ ମୁଁ ଆଉ ରହିପାରିବି ନାହିଁ । ତୁମ ସାଙ୍ଗରେ ମୋତେ ବି ନେଇଯାଅ। ନହଲେ ମୋ ବାପଘରେ ଛାଡ଼ି ଦେଇ ଯାଅ….ଇତ୍ୟାଦି …ଇତ୍ୟାଦି ।” କଥାରେ ଅଛି ” ନୀତି କୁହାକୁ ମହନି ଓଷ ସରି ନାହିଁ !” ବଦ୍ରିନାରାୟାଣ ଦୋ’ ଛକିରେ ପଡିଗଲା ।
ବାପା ମାଆକୁ କିଛି କହିପାରୁଛି ନା ସ୍ତ୍ରୀ ର ମନ ଭାଙ୍ଗି ପାରୁଛି ।
ପୁଅର ମୁହଁ ଦେଖିଲେ ମାଆ ତାର ଅନ୍ତର ପଢିପାରେ !ବୋହୁକୁ ସାଙ୍ଗରେ ନେଇ ମୁମ୍ବାଇ ଯିବାକୁ ଋକ୍ମୁଣୀ ଦେବୀ ନିଜ ଆଡୁ କହିଲେ।
ଯାହା ହେଉ ବଦ୍ରିର ବିନା କୌଣସି ଝାମଲାରେ ସମସ୍ୟା ହାଲୁକା ହୋଇଗଲା । ବାପା ମାଆ ଠାରୁ ଆଶୀର୍ବାଦ ନେଇ ସ୍ବସ୍ତ୍ରୀକୁ ଧରି ବଦ୍ରୀ ମୁମ୍ବାଇ ଯିବାକୁ ବାହାରିଲା ।ଗଲାବେଳେ ଋକ୍ମୁଣିଦେବୀ କହିଲେ;” ଭଗବାନ ତୁମ ଦୁଇ ଜଣକୁ କୋଟି ପରମାୟୁ ଦିଅନ୍ତୁ !
ଭଲରେ ଯାଅ,ଭଲରେ ରୁହ ! ହେଲେ ଖୁବ ଶୀଘ୍ର ମୋ ଘର କୁ ନାତି କି ନତୁଣୀ ଟିଏ ଧରି ଆସ।”
ତିନି ଚାରି ବର୍ଷ ପରେ ବଦ୍ରୀ ସସ୍ତ୍ରୀକ ଘରକୁ ଫେରିଛି ।
ସାଙ୍ଗରେ ବର୍ଷକର ଛୁଆ “ସୁରଜିତ”। ତ୍ରିନାଥ ବାବୁ ଆଉ ଋକ୍ମୁଣୀ ଦବୀ ଖୁସିରେ ଫାଟିପଡିଲେ ,ନାତିକୁ ପାଇ ଉଭୟ ସ୍ୱାମୀ ସ୍ତ୍ରୀ ଆତ୍ମସନ୍ତୋଷ ଲାଭ କଲେ। କୃତ୍ୟ କୃତ୍ୟ ହୋଇଗଲେ । ତାଙ୍କର ସବୁ ଅଭିଳାଷ ପୂର୍ଣ୍ଣ ହୋଇଗଲା।ଆଉ କଣ ଦରକାର ଯେ…?
ଗାଁ ରେ ପନ୍ଦର ଦିନ ରହିଲେ ପୁଅ ବୋହୂ ।ଫେରିଗଲା ବେଳେ ଋକ୍ମୁଣିଦେବୀ ଅଶ୍ରୁ ସମ୍ବରଣ କରିପାରିଲେ ନାହିଁ ।କାନ୍ଦି କାନ୍ଦି ପୁଅ ବୋହୂ ଆଉ ଗେଲ୍ହା ନାତି ସୁରଜିତକୁ ବିଦାୟ ଦେଲେ । ଏଥର ମାନସିକ ପୁରଣ କରିବାର ବେଳ ଆସିଗଲା । ଚାରିଧାମ ଯାଇ ଦିଅଁ ଦର୍ଶନ କରି ନାତିର ଦୀର୍ଘାୟୁ କାମନା ନିମନ୍ତେ ” ମୁଠି ଭିକ୍ଷା” ପ୍ରକ୍ରିୟା ତ୍ରିନାଥ ବାବୁ ଆରମ୍ଭ କରିଦେଲେ ।
★★★
ମୁଠି ଭିକ୍ଷା ଏବଂ ତୀର୍ଥ ଭ୍ରମଣରେ ପନ୍ଦର ବର୍ଷ ବିତିଗଲା ।
ମୁଠି ଭିକ୍ଷା କେତେବେଳେ ଭିକ୍ଷା ବୃତ୍ତିରେ ପରିଣତ ହୋଇଯାଇଛି ତ୍ରିନାଥ ବାବୁଙ୍କର…. !ଋକ୍ମୁଣୀ ଦେବୀ ଆଉ କୋଉ କାମକୁ ପାରୁନାହାନ୍ତି । ପୁଅ ବଦ୍ରୀ ନାରାୟଣ ତା ପରିବାରକୁ ନେଇ ଯାଇଛି ତ ଯାଇଛି । ପନ୍ଦର ବର୍ଷ ହୋଇଗଲା ।ନା ପଇସା ନା ଖବର ….। ସେମାନଙ୍କୁ ଟିକେ ଦେଖିବାକୁ ବୁଢା ବୁଢ଼ୀ ଦୁଇ ଜଣଙ୍କ ଆଖିରୁ ପାଣି ମରିଲାଣି ।ବୃଦ୍ଧ ବାପା ମା ଦୁଇଟା ବଂଚିଛନ୍ତି କି ମରିଗଲେଣି ତାହା ମଧ୍ୟ ତା ପାଖରେ ଖବର ନାହିଁ । ବୁଢା ବୁଢ଼ୀ ଦୁଇଟା ମରଣ ଆସିବା ଯାଏଁ ତ ବଞ୍ଚିବାକୁ ପଡିବ !ହେଲେ ମନରେ ପ୍ରବଳ ଇଛା । ମାରିବା ଆଗରୁ ଥରେ ନାତିକୁ ଦେଖିବେ ଯାହା ପାଇଁ ଏତେ ଓଷା ,ଏତେ ବ୍ରତ ଆଉ ଯାହାର ଆୟୁ ଦୀର୍ଘାୟୁ କରିବାକୁ ତ୍ରିନାଥ ବାବୁ ଚାରିଧାମ ଦର୍ଶନ କରି ଆଶୀର୍ବାଦ କାମନା କରୁଛନ୍ତି,ତାକୁ ଥରେ ଏ ନେତ୍ରରେ ନ ଦେଖି ମରିଗଲେ ଚାରିଧାମ ବୁଲିବାର ଲାଭ କଣ….? ଏବେ ମଧ୍ୟ ଋକ୍ମୁଣୀ ଦେବୀ ତାଙ୍କ ନାତି ସୁରଜିତର ଲଙ୍ଗଳା ବୟସର ରୂପକୁ ମନେରଖିଛନ୍ତି ।ନାତିର ଯୁବକ ଚେହେରାକୁ ଯେବେ ସେ କଳ୍ପନା କରନ୍ତି ପୁଅ ବଦ୍ରୀର ଚେହେରାଟି ତାଙ୍କ ମାନସ ଚକ୍ଷୁରେ ନାଚି ଉଠେ । ତ୍ରିନାଥ ବାବୁ ପୁରୀ ,ଦ୍ଵାରିକା ଓ ରାମେଶ୍ୱରଂ ଯାଇ ଭଗବାନଙ୍କ ଦର୍ଶନ କରି ଆସି ସାରିଛନ୍ତି । ଆଉଗୋଟେ ଧାମ ଯିବାକୁ ବାକି ଅଛି । ହେଲେ ଏଥର ଏକା ଯିବାକୁ ଚାହୁଁ ନାହାନ୍ତି । ଋକ୍ମୁଣୀ ଦେବୀଙ୍କୁ ସାଙ୍ଗରେ ନେଇ ଯିବେ ।ଯେତେ କଷ୍ଟ ହୋଉ ପଛେ !ପୁଅ ପାଇଁ ବଦ୍ରିକା ଯାଇ ବଦ୍ରିନାଥଙ୍କୁ ଦର୍ଶନ କରିଥିଲେ ଏଥର ନାତି ପାଇଁ କରିଥିବା ମାନସିକ ବଦ୍ରିକା ରେ ହିଁ ପୂରଣ କରିବେ ।
ଦୀର୍ଘ ପନ୍ଦର ବର୍ଷ ପରେ ବଦ୍ରୀ ଆସିଛି । ସ୍ତ୍ରୀ ଓ ପୁଅକୁ ଧରି। କାରଣ ଶଶୁରର ଦେହାନ୍ତ ହୋଇଯାଇଛି । ଆଠ ଦଶ ଦିନ ରହି ପୁଣି ଚାଲିଯିବ ।ସମୟର ତାଳେ ତାଳେ ବଦଳି ଯାଇଥିଲା ବଦ୍ରୀ । ତାର ରହଣି ସହଣୀ ଷ୍ଟାଟସ୍ ଖାଦ୍ୟ ପେୟ ସବୁ କିଛି ।
ମୁମ୍ବାଇରେ ଫ୍ଲାଟ୍ ଟିଏ କିଣିଛି ତାର ସ୍ତ୍ରୀ ମଧ୍ୟ ଫେସନ୍ ଡିଜାଇନର୍ ଭାବେ ଏକ ନାମୀ ଦାମୀ କମ୍ପାନୀରେ କାମ କରୁଛି । ନାମୀ ଦାମୀ ବେସରକାରି ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢୁଛି ସୁରଜିତ୍ ।ଷୋହଳ ବର୍ଷର ଯୁବକ ନାତିକୁ ଦେଖି ଋକ୍ମୁଣୀ ଦେବୀ ନାତିକୁ କୁଣ୍ଢେଇଧରି କଇଁ କଇଁ ହୋଇ ଘଡ଼ିଏ ଯାଏଁ କାନ୍ଦିଲେ ।
ତ୍ରିନାଥ ବାବୁ ତନ୍ତ ବୁଣା ଛିଣ୍ଡା ଚୌକି ଉପରେ ବସି ଆନନ୍ଦଶ୍ରୁ ଢାଳୁଥିଲେ ।ଏକଲୟରେ ଅନାଇଁ ରହିଥିଲେ ସୁରଜିତକୁ । ତାଙ୍କୁ ସାକ୍ଷାତ ପ୍ରଭୁ ବଦ୍ରିନାଥଙ୍କ ଦର୍ଶନ କଲା ଭଳି ଲାଗୁଥିଲା ….।
ଘରର ଅବସ୍ଥା ଦେଖି ନିଜକୁ ଦୋଷୀ ଦୋଷୀ ଅନୁଭବ କରୁଥିଲା ବଦ୍ରୀ । କୂଅ ଅଛି । କୂଅ ଭିତର ପାର୍ଶ୍ୱରୁ ବର-ଓସ୍ତ ଗଛ ଉଠି ଛତା ଭଳି ଠିଆ ହୋଇଛି । ପାଣି ମୋଟର କଳଙ୍କି ଲାଗି ଲାଗି ଜଉମୁଦା ହୋଇଗଲାଣି ।ଘରେ ବିଜୁଳି ଜଳୁନି ,ଡିବିରି କଳାରେ ଘର ଛାତ ସିଲିଙ୍ଗ୍ରୁ ଅଳନ୍ଧୁ ଗୁଡାକ ତରଳି ପିଚୁ ପରି କାଳି ଟୋପା ଟୋପା
ହୋଇ ପଡୁଛି ।କୂଅରୁ ଦୁଇ ବାଲ୍ଟି ପାଣି କାଢି ଦେହରେ ଢାଳି ହେଇଗଲା ବଦ୍ରୀ। ସ୍ତ୍ରୀ ଚିତ୍କାର କରୁଥିଲା …।ଗାଧାଅନି ଏଲର୍ଜି ହୋଇଯିବ ,ଇନ୍ଫେକ୍ସନ୍ ହୋଇଯିବ….! ଘର ର ଅବସ୍ଥା ଦେଖି ବୋହୁ କ୍ଷଣିଏ ରହିବାକୁ ନାରାଜ ।ବାପ ଘରକୁ ଯିବାକୁ କାକୁର୍ତ୍ତି ହେଉଛି। ତାକୁ ଅଟକାଇବାକୁ କାହାର ଜୁ ନାହିଁ…। ବଦ୍ରୀ ମୁମ୍ବାଇ ଫେରିଲା ଦିନ ଘରକୁ ଆସିଥିଲା ।ସେ ପୁଣି ଏକେଲା ।ବାପା ମାଆ ଙ୍କୁ କହିକି ଯିବ ! ନାତିକୁ ଆଉଟିକେ ଦେଖିବେ ବୋଲି କେତେ ବ୍ୟାକୁଳ ହୋଉଥିଲେ ବୁଢା ବୁଢ଼ୀ ଦିଟା। ସୁରଜିତ ଆସିବାକୁ ଚାହୁଁଥିଲା କିନ୍ତୁ ତା ମମି ତାକୁ ଛାଡ଼ିଲାନି ବୋଲି କହିଲା ବଦ୍ରୀ। ମା ଋକ୍ମୁଣୀ ଦେବୀଙ୍କ ହାତରେ କିଛି ଟଙ୍କା ଗୁଂଜି ଦେଇ ଲୋକ ଦେଖାଣିଆ ପ୍ରଣାମ କରିଦେଇ ବଦ୍ରୀ ଚାଲିଗଲା ….।
ସୁରଜିତର ବିଟେକ୍ ଇଂଜିନିଅରିଂ ପାଠ ସାରିଲାଣି ।
ବିଦେଶ ଯିବାକୁ ବାହାରିଛି।ଚାକିରୀ କରିବାକୁ ନୁହେଁ ବରଂ ସେ ଯିବ ତାର ଜାପାନୀ ପ୍ରେମିକାକୁ ଦେଖା କରିବାକୁ ।ଶ୍ୱେତାଙ୍ଗୀ ଜାପାନୀ ଲଳନା “ଜୁଲିଆ”। ଦିଲୀରେ ରହି ପାଠ ପଢିଲା ବେଳେ ସୁରଜିତ ଓ ଜୁଲିଆ ଦେଖା ସାକ୍ଷାତ ହୋଇଥିଲା ।ଜୁଲିଆ ସୁରଜିତ ଠାରୁ ଦୁଇ ବର୍ଷ ବଡ ।ଦୁହିଁ ଙ୍କ ଭିତରେ ବନ୍ଧୁତ୍ୱ ସୃଷ୍ଟି ହୋଇଥିଲା ।ନିବିଡ଼ତା ବଢିଥିଲା ।ଧୀରେ ଧୀରେ ଏହି ବନ୍ଧୁତ୍ୱ ପ୍ରେମର ରୂପ ନେଇସାରିଥିଲା । ସାତ ଦରିଆ ଡେଇଁ ଉଭୟେ ଉଭୟଙ୍କୁ ସାକ୍ଷାତ କରୁଥିଲେ । ଜୁଲିଆ ଏକ ମଲ୍ଟିନେସ୍ନାଲ୍ କମ୍ପାନୀରେ ଚାକିରୀ କରୁଛି।ସୁରଜିତ ଏଇ କିଛି ମାସ ହେଲା ଏକ ଜାତୀୟ ବ୍ୟାଙ୍କରେ ଚାକିରୀ ପାଇଛି । ବ୍ରହ୍ମପୁରରେ ପୋଷ୍ଟିଂଗ୍ ହୋଇଛି । ନିଜ ଗାଁ ଠାରୁ ମାତ୍ର ପଚାଶ କିଲୋମିଟର ଦୂରରେ ।ଉଚ୍ଚ ପଦବୀ ।ଉଚ୍ଚ ଦରମା ।ଏବେ ଖର୍ଚ କରିବାକୁ ଆଉ ମମି, ଡାଡି ଉପରେ ନିର୍ଭର କରିବାକୁ ପଡୁନି ।ବଦଳି ଯାଇଛି ତାର ଆଦବ କାଇଦା । ଆପଦମସ୍ତକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆସେ ବିଦେଶରୁ ।ଜୋତା, ଘଡି, ଚଷମା ,କଫି ଆଦି ସବୁ ବିଦେଶୀ । ବ୍ରହ୍ମପୁରରେ ଫ୍ଲାଟ୍ ଟିଏ ଭଡାରେ ନେଇଛି ସୁରଜିତ ।ଛୁଟି ନେଇ ବିଦେଶୀ ଯାଇପାରୁଛି ,ହେଲେ ବୃଦ୍ଧ ଜେଜେବାପା ଜେଜେମାଙ୍କୁ ଥରେ ଦେଖିବାକୁ ସମୟ ହେଉନି …..! ନା ଗାଁ କୁ ଆସିଲେ ନିଜ ର ଆଭିଜାତ୍ୟରେ କଳଙ୍କି ଲାଗିଯିବ …??ବିଦେଶୀ ପ୍ରେମିକା କୁ ଆମନ୍ତ୍ରଣ କରିଛି ଓଡ଼ିଶା ବୁଲେଇ ଦେଖେଇବ…!!
ପାଚିଲା ତାଳ ଦିଟା କେତେବେଳେ ଝଡି ପଡିବେ କିଛି ଠିକ୍ ନାହିଁ ।ଋକ୍ମୁଣୀ ଦେବୀ ଆଉ ଭଲ ଭାବରେ ଦେଖିପାରୁନାହାନ୍ତି।
ଉଚ୍ଚ ରକ୍ତ ଚାପ ତା ସାଙ୍ଗକୁ ପେଟ ବିମାରୀ। “ମୁଠି ଭିକ୍ଷା” ରୁ ସଂଗ୍ରହ ହୋଇଥିବା ଅର୍ଥ କେତେଥର ତାଙ୍କ ଦେହ ମୁଳେ ଖର୍ଚ ହୋଇଗଲାଣି ।ଅପରେସନ ଆଖି । ନିତି ଡ୍ରପ୍ ନପକାଇଲେ ଲୁହ ବୋହୁଛି । ଔଷଧ ନ ଖାଇଲେ ମୁଣ୍ଡ ବୁଲା, ପେଟ ବ୍ୟଥା ବାହାରୁଚି ।ତ୍ରିନାଥ ବାବୁଙ୍କର ପିଲା ଦିନେ ପୋଡି ଯାଇଥିବା ବାମ ପାଦ ଟି ଏ ବୟସରେ ବରଦାନ ପାଲିଟିଚି। ଚାଲିବାକୁ କଷ୍ଟ ହେଲେ ମଧ୍ୟ ଭିକ୍ଷା ମିଳିବାରେ ବିଶେଷ ସହାୟକ ହେଉଛି ।ପ୍ରତିଦିନ ସକାଳେ ଗାଁ ରୁ ବାହାରୁଥିବା ମିନିବସ୍ ରେ ସହରକୁ ଯାଆନ୍ତି। ବସ୍ କଣ୍ଡକ୍ଟର ଚିହ୍ନାପରିଚିତ ଥିବାରୁ ପଇସା ମାଗେନି ।ସହରର ଗଳିକନ୍ଦି , ବଜାର, ବସ ଷ୍ଟାଣ୍ଡ ବୁଲି ବୁଲି ଭିକ୍ଷାବୃତି କରି ଯାହା ପାଆନ୍ତି ସନ୍ଧ୍ୟା ବେଳେ ଦୁଇ ପ୍ରାଣୀଙ୍କ ପାଇଁ ଆବଶ୍ୟକ ସଉଦା ପତ୍ର ନେଇକି ଆସନ୍ତି ।ବଳକା ପଇସା ଏକ ମାଟିର କୁମ୍ପିରେ ସଞ୍ଚୟ କରନ୍ତି ବଦ୍ରିକା ଯିବାପାଇଁ …।
ଆଜି ସକାଳୁ କାହା ମୁହଁ ଚାହିଁଥିଲା ମଣିଷ କେଜାଣି …!
ସକାଳୁ ଆସି ବାର ଘଣ୍ଟ ହେଲାଣି ଚାହା କପେ ଖାଇବାକୁ ବି ପାଞ୍ଚ ଟଙ୍କା ପାଇଲାନି …..! ସଞ୍ଜରେ ଫେରିଲା ବେଳେ ସ୍ତ୍ରୀ ପାଇଁ ଔଷଧ ବି କିଣି ନେବାକୁ ପଡିବ ।ନହେଲେ ବୁଢ଼ୀର କୋଉ ଘଡି କୋ କଥା କିଏ ଜାଣେ …! ଧୋବ ଫର ଫର ଦାମୀ କାର୍ ଟିଏ। କଳା କାଚ ଝରକା ଭିତରୁ କାଚଗୋରୀ ତରୁଣୀ ର ଚେହେରା ଟି ଝଲ ମଲ କରୁଛି ।ଥକିଯାଇଥିବା ପାଦ ଦୁଇଟି ଗାଡି ନିକଟରେ ଅଟକିଲା ।ବାଙ୍କି ବାଡିଟି କାଖରେ ଜାକି ଦେଇ ସାତ ସିଆଁ ସାର୍ଟ ପକେଟରୁ ଔଷଧ ଚିଠା ଟିକୁ ବାହାର କରି ଦୁଇ ହାତରେ ଖୋଲି ତରୁଣୀକୁ ଦେଖାଇଲେ ।ଗାଡିର ଝରକା କାଚକୁ ତଳକୁ ଟାଣିଦେଲେ ତରୁଣୀ ଜଣଙ୍କ । ଗାଡିର ଏସିରୁ ବାହାରୁଥିବା ଦୁଲୁକାଏ କାକର ପବନ ଆସି ତ୍ରିନାଥ ବାବୁ ଙ୍କ ଦେହରେ ନେସି ହୋଇଗଲା। ଆଖିରେ ସନ୍ଗ୍ଲାସ ପିନ୍ଧା ବିଦେଶୀନୀକୁ ଦେଖି ଇଂରେଜୀ ଭାଷାରେ ସମ୍ଭାଷଣ କଲେ । ନମସ୍କାର ଜଣାଇ କେଇପଦ କଥାହେଲେ । ଓଷଧ କିଣିବାକୁ ସାହାଯ୍ୟ ମାଗିଲେ ।ବିଦେଶୀନୀଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ।ଗାଡି ଡ୍ରାଇଭର ଜଣଙ୍କ ଭଲ ଭାବରେ ଇଂରେଜୀରେ କଥାବାର୍ତ୍ତା କରିପାରୁନଥିବା ବେଳେ ଜଣେ ବୃଦ୍ଧ ଭିକାରି ପ୍ରାଞ୍ଜଳ ଭାବେ ଇଂରେଜୀ ଆଉ ହିନ୍ଦୀ ରେ କଥାବାର୍ତ୍ତା କରିପାରୁଛି …।ବିଦେଶିନୀ ଜଣଙ୍କ ତ୍ରିନାଥ ବାବୁଙ୍କୁ ଅପେକ୍ଷା କରିବାକୁ କହି ନିଜ ମୋବାଇଲରୁ କିଛି ବାର୍ତ୍ତା ଲେଖି ପଠାଇଲେ । ହଁ…. ବିଦେଶିନୀ ଜଣଙ୍କ ହେଉଛନ୍ତି ସେଇ ଜାପାନୀ ଲଳନା “ଜୁଲିଆ” । ମେସେଜ୍ ଦେଖି ସୁରଜିତ ଏଟିଏମ୍ କାଚଘର ଭିତରୁ ଗାଡି ନିକଟକୁ ଚାହିଁଲା ।ତା’ ଡାଡି ଙ୍କ ପୁରୁଣା ସାର୍ଟ କୁ ସାତସିଆଁ କରି ପିନ୍ଧିଥିବା ବୃଦ୍ଧ ଭିକାରୀକୁ ଦେଖିଲା । ସୁରଜିତ ଟଙ୍କା ଉଠାଇସାରି ବାହାରକୁ ଆସି ପାଖ ଦୋକାନରୁ ହେଲେମେଟ୍ ଟିଏ କିଣିଲା ।ମୁଣ୍ଡରେ ହେଲେମେଟ୍ ପିନ୍ଧି ଗାଡି ଭିତରେ ବସିଗଲା।ଟଙ୍କା ଭର୍ତି ଲଫାପା ଟିଏ ଜୁଲିଆକୁ ଦେଇ ସେଇ ବୃଦ୍ଧ ଭିକାରୀକୁ ଦେଇଦେବା ପାଇଁ ସୁରଜିତ କହିଲା ।ତ୍ରିନାଥ ବାବୁ ଜୁଲିଆ ହାତରୁ ଲଫାପାଟି ଗ୍ରହଣ କରୁ କରୁ ଆଶୀର୍ବାଦ ଦେଲେ ଏବଂ କହିଲେ ମୋର ନାତି ବି ଦେଖିବାକୁ ଠିକ୍ ଏହି ହେଲେମେଟ୍ ପିନ୍ଧା ବାବୁଙ୍କ ପରି …। ଧନ୍ୟବାଦ ଜଣାଇ ଗାଡିର ଗ୍ଲାସ୍ ବନ୍ଦ କରିଦେଲା ଜୁଲିଆ ।ଚାରିଚକିଆ ଗାଡିର ଡ୍ରାଇଭର ର ପଛ ସିଟ ରେ ବସିଥିବା ହେଲେମେଟ ପିନ୍ଧା ସୁରଜିତକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହେଇଥିଲା ଜୁଲିଆ। ସୁରଜିତର ଆଚରଣକୁ ଜୁଲିଆ ବୁଝିପାରୁନଥିଲା। ବିଦେଶୀ ଭାଷାକୁ ଦରବୁଝା ଡ୍ରାଇଭର କିନ୍ତୁ ଠିକ୍ ବୁଝିପାରୁଥିଲା …..।ସହରର ରାଜରାସ୍ତାର ଭିଡ ଭିତରେ ଗାଡିଟି ଧୀରେ ଧୀରେ ହଜିଗଲା ।” ମୁଠି ଭିକ୍ଷା ” ରେ ପ୍ରାପ୍ତ ଲଫାପାଟିକୁ ଅଶ୍ରୁଳ ସ୍ନେହାଞ୍ଜଳୀ ଅର୍ପଣ କରିଥିଲେ ତ୍ରିନାଥ ବାବୁ…….।।
—ସମାପ୍ତ—
ଚିତ୍ରକୋଣ୍ଡା, ମାଲକାନଗିରି