ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଧାମୋହନ ପୂଜାହାରୀ ଙ୍କ କବିତା ଶ୍ରୀକୃଷ୍ଣ ଉବାଚ

ଶ୍ରୀକୃଷ୍ଣ ଉବାଚ

 

ଦ୍ବାପରରେ ଭୀଷ୍ମ ଥରୁଟେ କୃଷ୍ଣଙ୍କୁ 

ଏକାନ୍ତେ ଭେଟିଲେ ଯାଇ, 

ମନର ଦ୍ବିଧାକୁ ପ୍ରକାଶିଲେ ତାଙ୍କ

ହରି ଆଶ୍ୱାସନା ପାଇ l (୧)

 

ଭୀଷ୍ମ ପିତାମହ ସେଇଠି କୃଷ୍ଣଙ୍କୁ 

ପଚାରିଲେ କିଛି ପ୍ରଶ୍ନ,

କହିଲେ ହେ ହରି ପାଇଲେ ଉତ୍ତର 

ଚିତ୍ତ ହେବ ମୋର ମନ l (୨)

 

ସଂସାରର ସତ୍ୟ ସମ୍ବନ୍ଧେ ଚାରୋଟି  

ପ୍ରଶ୍ନ କଲେ ଭୀଷ୍ମ ତାଙ୍କୁ,

କହିଲେ ପ୍ରଭୁ ହେ ଶୀଘ୍ର ତୃପ୍ତ କର

ମୋ ମନର ଜିଜ୍ଞାସାକୁ l (୩)

 

ଯେଉଁ ଜଳ ସାରା ସଂସାର ଲୋକଙ୍କ 

ମୁଖେ ହସ ଆଣିଦିଏ,

କୁହ ପ୍ରଭୁ ଏ ଭୁବନେ ସେ ଜଳଠୁ 

ଅଧିକ ପତଳା କିଏ ? (୪)

 

ଖରା, ବର୍ଷା, ଶୀତ ସଭିଙ୍କ ପ୍ରକୋପ 

ଯେଉଁ ଭୂମି ସହେ ସବୁ,

ସେ ଭୂମିଠୁ ବେଶୀ ଓଜନିଆ କିଏ  

ଆଉ କେ ଅଛି ହେ ପ୍ରଭୁ ? (୫)

 

ଯେଉଁ ଅଗ୍ନୀ ବଳେ ନିମିଷକେ ହୁଏ 

ଏ ସଂସାର ନାରଖାର,

କୁହ ପ୍ରଭୁ ସେହି ଅଗ୍ନୀଠୁ ଅଧିକ 

ଆଉ ବା ତେଜ କାହାର ? (୬)

 

ନାରୀ ନିଜ ନେତ୍ରେ ଯେଉଁ କଜ୍ଜଳକୁ 

ଆଗ୍ରହେ ଦିଏ ଲଗେଇ,

ସେହି କଜ୍ଜଳଠୁ ଅଧିକ କଳା ଏ

ସଂସାରେ ଅଛି କି କେହି ? (୭)

 

ପିତାମହ ମୁଖୁ ଶୁଣି ସବୁ ପ୍ରଶ୍ନ 

ମୁରୁକି ହସନ୍ତି ହରି,

କୁହନ୍ତି ହେ ଭୀଷ୍ମ ! ଦେଉଛି ଉତ୍ତର

ଶୁଣ ଗୋଟି ଗୋଟି କରି l (୮)

 

ଯେଉଁ ଆତ୍ମଜ୍ଞାନ ବଳେ ଏହି ଜୀବ 

ସିଦ୍ଧି ପ୍ରାପ୍ତ କରିଥାଏ,

ସେ ଜ୍ଞାନ ସର୍ବଦା ଜଳଠୁ ଅଧିକ 

ପତଳା ଯେ ହୋଇଥାଏ l (୯)

 

ଅଧର୍ମୀର ପାପକର୍ମ ଯେବେ ହୁଏ  

ଅତିଶୟ ମାତ୍ରାଧିକ,

ଭୂମିଠୁ ବି ବଳି ସଂସାରେ ହୁଏ ସେ 

ପାପର ଭାର ଅଧିକ l (୧୦)

 

ମଣିଷର କ୍ରୋଧ ଜାଳେ ମଣିଷକୁ 

ଦିବାନିଶି ଅହରହ,

ସେହି କ୍ରୋଧ ଅଗ୍ନୀ ତେଜ ଠୁ ଅଧିକ 

ହୋଇଥାଏ ଭୟାବହ l (୧୧)

 

ରମଣୀର ନେତ୍ରୁ ନିତ୍ୟ ଲିଭୁଥାଏ 

କଜ୍ଜଳର କଳା ଚିହ୍ନ,

କିନ୍ତୁ କଳଙ୍କର ଅଲିଭା କାଳିମା 

ରହିଯାଏ ଚିରଦିନ l (୧୨)

 

କୃଷ୍ଣଙ୍କ ଠୁ ପାଇ ପ୍ରତିଟି ଉତ୍ତର 

ଭୀଷ୍ମ ମନ ହେଲା ଶାନ୍ତ,

ଜୟ କୃଷ୍ଣ କହି ଭକ୍ତିଭରେ ହେଲେ 

ଶ୍ରୀପୟରେ ପ୍ରଣିପାତ l (୧୩)

ରାଧାମୋହନ ପୂଜାହାରୀ

ବୀରମହାରାଜପୁର (ସୁବର୍ଣ୍ଣପୁର)

Related posts

ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣି ଙ୍କ ଡୋଙ୍ଗର ଯାତ୍ରା ପାଳିତ

Sunil Chandra Nayak

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ହେ କର୍ମବୀର

ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!