ଶ୍ରୀକୃଷ୍ଣ ଉବାଚ
ଦ୍ବାପରରେ ଭୀଷ୍ମ ଥରୁଟେ କୃଷ୍ଣଙ୍କୁ
ଏକାନ୍ତେ ଭେଟିଲେ ଯାଇ,
ମନର ଦ୍ବିଧାକୁ ପ୍ରକାଶିଲେ ତାଙ୍କ
ହରି ଆଶ୍ୱାସନା ପାଇ l (୧)
ଭୀଷ୍ମ ପିତାମହ ସେଇଠି କୃଷ୍ଣଙ୍କୁ
ପଚାରିଲେ କିଛି ପ୍ରଶ୍ନ,
କହିଲେ ହେ ହରି ପାଇଲେ ଉତ୍ତର
ଚିତ୍ତ ହେବ ମୋର ମନ l (୨)
ସଂସାରର ସତ୍ୟ ସମ୍ବନ୍ଧେ ଚାରୋଟି
ପ୍ରଶ୍ନ କଲେ ଭୀଷ୍ମ ତାଙ୍କୁ,
କହିଲେ ପ୍ରଭୁ ହେ ଶୀଘ୍ର ତୃପ୍ତ କର
ମୋ ମନର ଜିଜ୍ଞାସାକୁ l (୩)
ଯେଉଁ ଜଳ ସାରା ସଂସାର ଲୋକଙ୍କ
ମୁଖେ ହସ ଆଣିଦିଏ,
କୁହ ପ୍ରଭୁ ଏ ଭୁବନେ ସେ ଜଳଠୁ
ଅଧିକ ପତଳା କିଏ ? (୪)
ଖରା, ବର୍ଷା, ଶୀତ ସଭିଙ୍କ ପ୍ରକୋପ
ଯେଉଁ ଭୂମି ସହେ ସବୁ,
ସେ ଭୂମିଠୁ ବେଶୀ ଓଜନିଆ କିଏ
ଆଉ କେ ଅଛି ହେ ପ୍ରଭୁ ? (୫)
ଯେଉଁ ଅଗ୍ନୀ ବଳେ ନିମିଷକେ ହୁଏ
ଏ ସଂସାର ନାରଖାର,
କୁହ ପ୍ରଭୁ ସେହି ଅଗ୍ନୀଠୁ ଅଧିକ
ଆଉ ବା ତେଜ କାହାର ? (୬)
ନାରୀ ନିଜ ନେତ୍ରେ ଯେଉଁ କଜ୍ଜଳକୁ
ଆଗ୍ରହେ ଦିଏ ଲଗେଇ,
ସେହି କଜ୍ଜଳଠୁ ଅଧିକ କଳା ଏ
ସଂସାରେ ଅଛି କି କେହି ? (୭)
ପିତାମହ ମୁଖୁ ଶୁଣି ସବୁ ପ୍ରଶ୍ନ
ମୁରୁକି ହସନ୍ତି ହରି,
କୁହନ୍ତି ହେ ଭୀଷ୍ମ ! ଦେଉଛି ଉତ୍ତର
ଶୁଣ ଗୋଟି ଗୋଟି କରି l (୮)
ଯେଉଁ ଆତ୍ମଜ୍ଞାନ ବଳେ ଏହି ଜୀବ
ସିଦ୍ଧି ପ୍ରାପ୍ତ କରିଥାଏ,
ସେ ଜ୍ଞାନ ସର୍ବଦା ଜଳଠୁ ଅଧିକ
ପତଳା ଯେ ହୋଇଥାଏ l (୯)
ଅଧର୍ମୀର ପାପକର୍ମ ଯେବେ ହୁଏ
ଅତିଶୟ ମାତ୍ରାଧିକ,
ଭୂମିଠୁ ବି ବଳି ସଂସାରେ ହୁଏ ସେ
ପାପର ଭାର ଅଧିକ l (୧୦)
ମଣିଷର କ୍ରୋଧ ଜାଳେ ମଣିଷକୁ
ଦିବାନିଶି ଅହରହ,
ସେହି କ୍ରୋଧ ଅଗ୍ନୀ ତେଜ ଠୁ ଅଧିକ
ହୋଇଥାଏ ଭୟାବହ l (୧୧)
ରମଣୀର ନେତ୍ରୁ ନିତ୍ୟ ଲିଭୁଥାଏ
କଜ୍ଜଳର କଳା ଚିହ୍ନ,
କିନ୍ତୁ କଳଙ୍କର ଅଲିଭା କାଳିମା
ରହିଯାଏ ଚିରଦିନ l (୧୨)
କୃଷ୍ଣଙ୍କ ଠୁ ପାଇ ପ୍ରତିଟି ଉତ୍ତର
ଭୀଷ୍ମ ମନ ହେଲା ଶାନ୍ତ,
ଜୟ କୃଷ୍ଣ କହି ଭକ୍ତିଭରେ ହେଲେ
ଶ୍ରୀପୟରେ ପ୍ରଣିପାତ l (୧୩)
ରାଧାମୋହନ ପୂଜାହାରୀ
ବୀରମହାରାଜପୁର (ସୁବର୍ଣ୍ଣପୁର)