ପମ୍ପ ହାଉସରୁ ବାରମ୍ବାର ହେଉଛି ତମ୍ବା କେବୁଲ ତାର ଚୋରି, ପୁଲିସର ହାତ ଖାଲି , ପାନୀୟ ଜଳ ଯୋଗାଣ ପ୍ରଭାବିତ
ରୁପ୍ରା, 19/5 (ଅଜୟ ସେନାପତି ) : ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ଓ ମୁସ୍କୁଟି ସମେତ ଅନ୍ୟାନ୍ୟ ଗ୍ରାମ ପଞ୍ଚାୟତକୁ ସାନ୍ଦୁଲ ନଦୀରୁ ପମ୍ପ ହାଉସ ମାଧ୍ୟମରେ ପାନୀୟ ଜଳ ଯୋଗାଣ ହୋଇ ଆସୁଛି l ପମ୍ପ ହାଉସରୁ କୂଅ ପର୍ଯ୍ୟନ୍ତ ମୋଟରକୁ ତମ୍ବା କେବୁଲ ତାରରେ ବିଦ୍ୟୁତ ସଂଯୋଗ ହେଉଛି l ତେବେ ଅତ୍ୟନ୍ତ ପରିତାପର ବିଷୟ ଉକ୍ତ ପମ୍ପ ହାଉସରୁ ବାରମ୍ବାର ତମ୍ବା କେବୁଲ ତାର ଚୋରି ହେବାସହ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଛି l ଉକ୍ତ ଚୋରି ସମ୍ପର୍କରେ ଅନେକ ଥର ପୁଲିସ ଠାରେ ଅଭିଯୋଗ ହୋଇଥିଲେହେଁ ଚୋର ଧରା ପଡୁନାହିଁ, ସେହିପରି ପୁଲିସକୁ ଚାଲେଞ୍ଜ ଦେଇ ଚୋର ସକ୍ରିୟ ରହିଛନ୍ତି l ଉକ୍ତ ଚୋରି ସହ କେତୋଟି ଗେଙ୍ଗ ସମ୍ପୃକ୍ତ ରହିଛନ୍ତି, ଏଥିପାଇଁ ପୁଲିସର ମୁଣ୍ଡ ବ୍ୟଥା ବଢ଼ି ଯାଇଛି l ସୂଚନା ମୁତାବକ ଉକ୍ତ ପମ୍ପ ହାଉସ ଦାୟିତ୍ୱରେ ଥିବା (SEM ) କର୍ମଚାରୀ ନେତ୍ରାନନ୍ଦ ସା ମଙ୍ଗଳବାର ସକାଳେ ପାଣିପମ୍ପ ଚଳାଇବା ପାଇଁ ପମ୍ପ ହାଉସକୁ ଯାଇଥିବା ବେଳେ ଘରର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ l ରୁପ୍ରା ଓ ମୁସ୍କୁଟି ପମ୍ପ ହାଉସର ପ୍ରାୟ 3ଟି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ତମ୍ବା କେବୁଲ ତାର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ l ସେ ସାଙ୍ଗେ ସାଙ୍ଗେ RWSS ର କନିଷ୍ଠ ଯନ୍ତ୍ରୀ ଓ ସରପଞ୍ଚଙ୍କୁ ଚୋରି ବିଷୟରେ ଅବଗତ କରାଇଥିଲେ l ତେବେ ଉକ୍ତ ଚୋରୀ ସମ୍ପର୍କରେ ପଲମ ଫାଣ୍ଡିରେ ଅଭିଯୋଗ ହେବାପରେ ମଙ୍ଗଳବାର ସନ୍ଧ୍ୟାରେ ପୁଲିସ ଦଳ ତଦନ୍ତ କରି ଫେରିଯାଇଛନ୍ତି l ବର୍ତ୍ତମାନ ଉକ୍ତ ତାର ଚୋରି ହୋଇଥିବାରୁ ପାନୀୟ ଜଳ ଯୋଗାଣ ମଧ୍ୟ ବନ୍ଦ ରହିବ, ଫଳରେ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେବେ l ସୂଚନା ମୁତାବକ ଗତ 14ତାରିଖ ଦିନ କେସିଙ୍ଗା ତେଲନଦୀରୁ ବେଦାନ୍ତକୁ ଯୋଗାଣ ହେଉଥିବା ପମ୍ପ ହାଉସରୁ ମଧ୍ୟ ଲକ୍ଷାଧିକ ଟଙ୍କାର ତମ୍ବା କେବୁଲ ତାର ଚୋରୀ ହୋଇଥିବା କେସିଙ୍ଗା ଆଦର୍ଶ ଥାନାରେ ଅଭଯୋଗ ହୋଇଥିବା ଜଣାପଡିଛି l ତେବେ ପୁଲିସ ପେଟ୍ରୋଲିଙ୍ଗ କଡାକଡି କରିବା ସାଙ୍ଗକୁ ଚୋର ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବୀ କରିଛନ୍ତି l ସେହିପରି ଶୀଘ୍ର କିପରି ପାନୀୟ ଜଳ ଯୋଗାଣ ସ୍ୱାଭାବିକ ହେବ ଏଥିପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ କରିଛନ୍ତି l

