ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରବୀନ୍ଦ୍ର କୁମାର ବେହେରା ଙ୍କ ଗଳ୍ପ ମଗର ବୃତ୍ତାନ୍ତ

ମଗର ବୃତ୍ତାନ୍ତ

 

ରବୀନ୍ଦ୍ର କୁମାର ବେହେରା

ନଦୀ ର ଶ୍ୱେତ ଶୀତଳ ଜଳ ରେ ସେଦିନ କୁମ୍ଭୀର ବନ୍ଧୁ ମାଙ୍କଡ଼ ଙ୍କୁ ପୃଷ୍ଠ ଉପରେ ବସାଇ ଯେତେ ଗର୍ବ ସାଉଁଟି ନ ଥିଲା ସେତେ ଦୁଃଖ ରେ ଭାଙ୍ଗିଯାଇଥିଲା ।

ବନ୍ଧୁ ଙ୍କର ମୃତ୍ୟୁ ହେବ ଆଉ ଗୃହିଣୀ ମର୍କଟ କଳିଜା ଟିଏ ଖାଇ ଆତ୍ମା ସନ୍ତୋଷ ପାଇବେ ।

କୁମ୍ଭୀର ଟା ଭାବୁଥିଲା ।

ଦୁନିଆ ଟା ସେଇମିତି । ଏଇ ସ୍ତ୍ରୀ ଜାତିଟା ର ସାମାନ୍ୟ ରୂପ ଯୌବନ କୁ ମଦିରା ପାନ ପରି ଚୁଁ ଚୁଁ କରି ପିଇ ଚାଲିଛି ପୁରୁଷ । ତା ମୂଲ୍ୟ ରେ ଦେଇ ଦେଇଛି ତା ଜୀବନ ଟା ।

ଖଟୁଛି । ମୁଣ୍ଡଝାଳ ତୁଣ୍ଡରେ ମାରୁଛି । ଚମଡା ତଳେ ହାଡ଼ କୁ ପେଷି ଦେଉଛି । ପୁଣି ତା ଗଧ ଖଟଣୀ କୁ ଭୁଲିଯାଉଛି ତା ସ୍ତ୍ରୀ ର ହସ ହସ ମୁହଁ ଟିକୁ ଦେଖି । କି ମାୟା ! ପୁରୁଷ ଟା ସେହି ମାୟା ଭିତରେ କେମିତି ଛନ୍ଦିମନ୍ଦି ବାନ୍ଧି ହୋଇଯାଇଛି ।

ନଈ ର ପାଣି କୁ ଦୁଇ ଭାଗ କରି ପହଁରି ଚାଲିଛି କୁମ୍ଭୀର ।

ତା ମନ ଭିତରେ ଏଇ ଅନାବନା ଅଡ଼ୁଆ ଭାବନା ଗୁଡାକ ବୁଢିଆଣୀ ସୂତା ପରି ଗୁଡେଇ ପୁଡ଼େଇ ହେଉଛି ।

ଆଜି ତା ସ୍ତ୍ରୀ ର ଭୁରିଭୋଜନ ପାଇଁ ବନ୍ଧୁ ଟିକୁ ହରାଇବାକୁ ପଡିବ ।

ହଁ, କଣ ଆଉ ନ ହରାଇଛି ପୁରୁଷ ଜାତିଟା ! ସବୁ ହରାଇଛି ଏଇ ସ୍ତ୍ରୀ ପାଇଁ । ନିଜେ ଚିରା ଗାମୁଛା ପିନ୍ଧି ସ୍ତ୍ରୀ କୁ ପାଟଲୁଗା ପିନ୍ଧାଇଛି । ନିଜେ ବାସିରୁଟି ଆଳୁ ଚକଟା ଖାଇ ମାର୍କେଟ ଛକ ରୁ ଅଧା ମଜୁରୀ ରେ ବିରିଆନି କିଣି ଦେଇଛି । ତା ସ୍ତ୍ରୀ ଭଲ ଖାଇବା, ଭଲ ପିନ୍ଧିବ, ରାଣୀ ପରି ଦିଶିବ । ତେବେ ସିନା ଦୁନିଆ କୁ ସୁନ୍ଦର ଦିଶିବ ।

ସ୍ତ୍ରୀ ପରା ସମ୍ମାନ । ପୁରୁଷ ଟା ତା ମାଲିକ ପଝରେ ଜୁହାର ହୋଇ ଗୋଡ଼ ତଳେ ଶୋଇଯାଏ । ସ୍ତ୍ରୀ କୁ କହିଦିଏ – ତୁମେ ନମସ୍କାର କରନି । ତୁମେ ପରା ମୋ ସମ୍ମାନ । ତୁମେ ପରା ମୋ ଜୀବନ । ମୋ ସ୍ୱାଭିମାନ । ପାଣି କାଦୁଅ ରେ ସାଲୁବାଲୁ ହୋଇ ବିଲରେ ମଜୁରିଆ ଟା ଯେତେବେଳେ ଦେଖେ ତା ସ୍ତ୍ରୀ ଭଲ ଶାଢୀ଼ଟିଏ ପିନ୍ଧି ସେହିବାଟେ ଯାଉଛି , ବର୍ବ ରେ ଫୁଲିଉଠେ ମନଟା । ସରଗ କୁ ଛୁଇଁଲା ଛୁଇଁଲା ପରିଲାଗେ । ଯେମିତି ସ୍ତ୍ରୀ ଟା ଆତ୍ମା ।

କୁମ୍ଭୀର ଭାବୁଥିଲା ସେ କେଡେ ଅସହାୟ ହୋଇଯାଉଛି ସେଇମିତି ଗୋଟିଏ ସ୍ତ୍ରୀ ପାଖରେ । ତା ଜିଦ ଆଗରେ ମୁଣ୍ଡ ନୁଆଇଁ ଦେଉଛି ସେ । ଖାଇବା ପାଇଁ ତାକୁ କଣ ନ ଦେଇଛି ସେ । ଆଉ ଆଜି ବନ୍ଧୁଙ୍କର କଲିଜା । ଛିଃ । ଏତେ ହୀନ ମନ ତା ସ୍ତ୍ରୀ ର !

ମଝି ନଈ ହେଲାଣି । କେମିତି ତୁଣ୍ଡ ଖୋଲି କହିବ-

ମୋ ସ୍ତ୍ରୀ ତୁମ କଳିଜା ଖାଇବାକୁ ଇଛା କରିଛନ୍ତି । ତା ର ବି ସ୍ତ୍ରୀ ଅଛି । ତା’ ର ବି ପିଲାଛୁଆ ଅଛନ୍ତି । ଘର ସଂସାର ଅଛି । ବନ୍ଧୁଙ୍କୁ ଏ କଥା କହି ପାରିବ ତ ?

କେତେ କହିବ । କହି କହି କେତେ ସେ ବୁଝାଇଛି ।

ଆମର ଯାହା ଅଛି , ସେତିକି ରେ ସନ୍ତୁଷ୍ଟ ହେବା । ପରମାନେ କିଏ କଣ କଲେ ତାଙ୍କ କଥା ଆମ ଘରେ କାହିଁକି ଶୁଭିବ ।

ଏଇ ଦୁନିଆ ରେ ଥିଲାବାଲାମାନେ କିଏ ଶାନ୍ତି ଅଛନ୍ତି କହିଲୁ ? ଖାଲି ସିନା ଚହଟ ଚିକଣ ଦେହ । ତାଜମହଲ ପରିଘର । ମନ ରେ କଣ ଆମପରି ଶାନ୍ତି ରଖିପାରିଛନ୍ତି ? ଦୂରପାହାଡ଼ ପରା ସୁନ୍ଦର ।

କିଛି ବୁଝେନି ଏଇ ସ୍ତ୍ରୀ ମନଟା । କିଏ ଏହି ମନଟା ତିଆରି କରିଛି କେଜାଣି । ଖାଲି ତୁଳନା । ତାଙ୍କର ଅମକ ଆସିଲା ଆମର ନାହିଁ । ତାଙ୍କର ଢ଼ମକ ରଖିଲେ ଆମର ରଖିବା । ଯେତେ ଦେଲେ ସେତେ ଅସନ୍ତୁଷ୍ଟ ।

ବେଳେବେଳେ ତ ଶୁଣିବାକୁ ପଡେ-

କାହିଁକି ଏ ଅଯୋଗ୍ୟ ପୁରୁଷ ର ହାତଟା ଧରୁଥିଲି କେଜାଣି ।

ମଝିନଈ । କୁମ୍ଭୀର ର ଛାତି ଟା ଉଠୁଛି ପଡୁଛି । କେମିତି କହିବି ସେ ଅପ୍ରିୟ ସତ କଥାଟି । ବିଶ୍ୱାସ ରେ ବିଷ ଦେବ କେମିତି ?

ମାଙ୍କଡ଼ କହିଲା- ହେ ସଙ୍ଗାତ ! ଆଉ କେତେ ଦୂର ତୁମ ଘର ? ସଙ୍ଗାତୁଣୀ ମୋତେ ପାଛୋଟି ନେବାପାଇଁ ଆସିବେ ତ ? ମୁଁ କେବଳ ବନ୍ଧୁପତ୍ନୀ ଙ୍କ ରୂପ ଟିକିଏ ଦେଖିବାକୁ ଆସିଛି । ଆଉ ତାଙ୍କ ସୁନ୍ଦର ହାତ ର ରାନ୍ଧଣା ଟିଏ ବି ଚାଖିବି ।

କୁମ୍ଭୀର ର କୁମ୍ଭୀର କାନ୍ଦଣା କେବଳ ସେହିଦିନ ହିଁ ସତ୍ୟ ହୋଇଯାଇଥିଲା ।

ସତ ଅକଥ୍ୟ କଥାଟିଏ କହିଦେଇଥିଲା କୁମ୍ଭୀର । ତା ପରେ ବନ୍ଧୁଙ୍କ ଚକ୍ଷୁ ରୁ ଅବିଶ୍ୱାସ ର ସ୍ଫୁଲିଙ୍ଗ ନିର୍ଗତ ହେଉଥିଲା ତୁହକୁତୁହା । ଆଉ ସେହି ଚକ୍ଷୁ ର ପଛପାଖ କାନ୍ଥ ରେ ତା ସ୍ତ୍ରୀ ମାଙ୍କଡ଼ କଳିଜା ର ସ୍ୱାଦ ରେ ଆତ୍ମହରା ହୋଇଯାଉଥିଲା ।

               ନଦୀକୂଳ ସାହୀ, ଶିଖରପୁର ,କଟକ -୪

Related posts

ଭିଜିଲାନ୍ସ ଜାଲରେ ଢେ଼ଙ୍କାନାଳ ଡିଏସପି ଅଭିନବ ଡ଼ାଳୁଆ 

Sunil Chandra Nayak

ନିଦ୍ଧାରିତ ସମୟରେ ସ୍କୁଲ ଆସିଲେନି ଶିକ୍ଷକ, ସ୍କୁଲ ସାମ୍ନାରେ ଜଗି ରହିଲେ ଛାତ୍ରଛାତ୍ରୀ

ଚର୍ଚ୍ଚାରେ ସୁଗାର ଫ୍ରି ଆମ୍ବ.. ପାଚିବା ପର୍ଯ୍ୟନ୍ତ ୧୬ଥର ବଦଳାଇଥାଏ ରଙ୍ଗ

Sunil Chandra Nayak

Leave a Comment

error: Content is protected !!