ମଗର ବୃତ୍ତାନ୍ତ
ରବୀନ୍ଦ୍ର କୁମାର ବେହେରା
ନଦୀ ର ଶ୍ୱେତ ଶୀତଳ ଜଳ ରେ ସେଦିନ କୁମ୍ଭୀର ବନ୍ଧୁ ମାଙ୍କଡ଼ ଙ୍କୁ ପୃଷ୍ଠ ଉପରେ ବସାଇ ଯେତେ ଗର୍ବ ସାଉଁଟି ନ ଥିଲା ସେତେ ଦୁଃଖ ରେ ଭାଙ୍ଗିଯାଇଥିଲା ।
ବନ୍ଧୁ ଙ୍କର ମୃତ୍ୟୁ ହେବ ଆଉ ଗୃହିଣୀ ମର୍କଟ କଳିଜା ଟିଏ ଖାଇ ଆତ୍ମା ସନ୍ତୋଷ ପାଇବେ ।
କୁମ୍ଭୀର ଟା ଭାବୁଥିଲା ।
ଦୁନିଆ ଟା ସେଇମିତି । ଏଇ ସ୍ତ୍ରୀ ଜାତିଟା ର ସାମାନ୍ୟ ରୂପ ଯୌବନ କୁ ମଦିରା ପାନ ପରି ଚୁଁ ଚୁଁ କରି ପିଇ ଚାଲିଛି ପୁରୁଷ । ତା ମୂଲ୍ୟ ରେ ଦେଇ ଦେଇଛି ତା ଜୀବନ ଟା ।
ଖଟୁଛି । ମୁଣ୍ଡଝାଳ ତୁଣ୍ଡରେ ମାରୁଛି । ଚମଡା ତଳେ ହାଡ଼ କୁ ପେଷି ଦେଉଛି । ପୁଣି ତା ଗଧ ଖଟଣୀ କୁ ଭୁଲିଯାଉଛି ତା ସ୍ତ୍ରୀ ର ହସ ହସ ମୁହଁ ଟିକୁ ଦେଖି । କି ମାୟା ! ପୁରୁଷ ଟା ସେହି ମାୟା ଭିତରେ କେମିତି ଛନ୍ଦିମନ୍ଦି ବାନ୍ଧି ହୋଇଯାଇଛି ।
ନଈ ର ପାଣି କୁ ଦୁଇ ଭାଗ କରି ପହଁରି ଚାଲିଛି କୁମ୍ଭୀର ।
ତା ମନ ଭିତରେ ଏଇ ଅନାବନା ଅଡ଼ୁଆ ଭାବନା ଗୁଡାକ ବୁଢିଆଣୀ ସୂତା ପରି ଗୁଡେଇ ପୁଡ଼େଇ ହେଉଛି ।
ଆଜି ତା ସ୍ତ୍ରୀ ର ଭୁରିଭୋଜନ ପାଇଁ ବନ୍ଧୁ ଟିକୁ ହରାଇବାକୁ ପଡିବ ।
ହଁ, କଣ ଆଉ ନ ହରାଇଛି ପୁରୁଷ ଜାତିଟା ! ସବୁ ହରାଇଛି ଏଇ ସ୍ତ୍ରୀ ପାଇଁ । ନିଜେ ଚିରା ଗାମୁଛା ପିନ୍ଧି ସ୍ତ୍ରୀ କୁ ପାଟଲୁଗା ପିନ୍ଧାଇଛି । ନିଜେ ବାସିରୁଟି ଆଳୁ ଚକଟା ଖାଇ ମାର୍କେଟ ଛକ ରୁ ଅଧା ମଜୁରୀ ରେ ବିରିଆନି କିଣି ଦେଇଛି । ତା ସ୍ତ୍ରୀ ଭଲ ଖାଇବା, ଭଲ ପିନ୍ଧିବ, ରାଣୀ ପରି ଦିଶିବ । ତେବେ ସିନା ଦୁନିଆ କୁ ସୁନ୍ଦର ଦିଶିବ ।
ସ୍ତ୍ରୀ ପରା ସମ୍ମାନ । ପୁରୁଷ ଟା ତା ମାଲିକ ପଝରେ ଜୁହାର ହୋଇ ଗୋଡ଼ ତଳେ ଶୋଇଯାଏ । ସ୍ତ୍ରୀ କୁ କହିଦିଏ – ତୁମେ ନମସ୍କାର କରନି । ତୁମେ ପରା ମୋ ସମ୍ମାନ । ତୁମେ ପରା ମୋ ଜୀବନ । ମୋ ସ୍ୱାଭିମାନ । ପାଣି କାଦୁଅ ରେ ସାଲୁବାଲୁ ହୋଇ ବିଲରେ ମଜୁରିଆ ଟା ଯେତେବେଳେ ଦେଖେ ତା ସ୍ତ୍ରୀ ଭଲ ଶାଢୀ଼ଟିଏ ପିନ୍ଧି ସେହିବାଟେ ଯାଉଛି , ବର୍ବ ରେ ଫୁଲିଉଠେ ମନଟା । ସରଗ କୁ ଛୁଇଁଲା ଛୁଇଁଲା ପରିଲାଗେ । ଯେମିତି ସ୍ତ୍ରୀ ଟା ଆତ୍ମା ।
କୁମ୍ଭୀର ଭାବୁଥିଲା ସେ କେଡେ ଅସହାୟ ହୋଇଯାଉଛି ସେଇମିତି ଗୋଟିଏ ସ୍ତ୍ରୀ ପାଖରେ । ତା ଜିଦ ଆଗରେ ମୁଣ୍ଡ ନୁଆଇଁ ଦେଉଛି ସେ । ଖାଇବା ପାଇଁ ତାକୁ କଣ ନ ଦେଇଛି ସେ । ଆଉ ଆଜି ବନ୍ଧୁଙ୍କର କଲିଜା । ଛିଃ । ଏତେ ହୀନ ମନ ତା ସ୍ତ୍ରୀ ର !
ମଝି ନଈ ହେଲାଣି । କେମିତି ତୁଣ୍ଡ ଖୋଲି କହିବ-
ମୋ ସ୍ତ୍ରୀ ତୁମ କଳିଜା ଖାଇବାକୁ ଇଛା କରିଛନ୍ତି । ତା ର ବି ସ୍ତ୍ରୀ ଅଛି । ତା’ ର ବି ପିଲାଛୁଆ ଅଛନ୍ତି । ଘର ସଂସାର ଅଛି । ବନ୍ଧୁଙ୍କୁ ଏ କଥା କହି ପାରିବ ତ ?
କେତେ କହିବ । କହି କହି କେତେ ସେ ବୁଝାଇଛି ।
ଆମର ଯାହା ଅଛି , ସେତିକି ରେ ସନ୍ତୁଷ୍ଟ ହେବା । ପରମାନେ କିଏ କଣ କଲେ ତାଙ୍କ କଥା ଆମ ଘରେ କାହିଁକି ଶୁଭିବ ।
ଏଇ ଦୁନିଆ ରେ ଥିଲାବାଲାମାନେ କିଏ ଶାନ୍ତି ଅଛନ୍ତି କହିଲୁ ? ଖାଲି ସିନା ଚହଟ ଚିକଣ ଦେହ । ତାଜମହଲ ପରିଘର । ମନ ରେ କଣ ଆମପରି ଶାନ୍ତି ରଖିପାରିଛନ୍ତି ? ଦୂରପାହାଡ଼ ପରା ସୁନ୍ଦର ।
କିଛି ବୁଝେନି ଏଇ ସ୍ତ୍ରୀ ମନଟା । କିଏ ଏହି ମନଟା ତିଆରି କରିଛି କେଜାଣି । ଖାଲି ତୁଳନା । ତାଙ୍କର ଅମକ ଆସିଲା ଆମର ନାହିଁ । ତାଙ୍କର ଢ଼ମକ ରଖିଲେ ଆମର ରଖିବା । ଯେତେ ଦେଲେ ସେତେ ଅସନ୍ତୁଷ୍ଟ ।
ବେଳେବେଳେ ତ ଶୁଣିବାକୁ ପଡେ-
କାହିଁକି ଏ ଅଯୋଗ୍ୟ ପୁରୁଷ ର ହାତଟା ଧରୁଥିଲି କେଜାଣି ।
ମଝିନଈ । କୁମ୍ଭୀର ର ଛାତି ଟା ଉଠୁଛି ପଡୁଛି । କେମିତି କହିବି ସେ ଅପ୍ରିୟ ସତ କଥାଟି । ବିଶ୍ୱାସ ରେ ବିଷ ଦେବ କେମିତି ?
ମାଙ୍କଡ଼ କହିଲା- ହେ ସଙ୍ଗାତ ! ଆଉ କେତେ ଦୂର ତୁମ ଘର ? ସଙ୍ଗାତୁଣୀ ମୋତେ ପାଛୋଟି ନେବାପାଇଁ ଆସିବେ ତ ? ମୁଁ କେବଳ ବନ୍ଧୁପତ୍ନୀ ଙ୍କ ରୂପ ଟିକିଏ ଦେଖିବାକୁ ଆସିଛି । ଆଉ ତାଙ୍କ ସୁନ୍ଦର ହାତ ର ରାନ୍ଧଣା ଟିଏ ବି ଚାଖିବି ।
କୁମ୍ଭୀର ର କୁମ୍ଭୀର କାନ୍ଦଣା କେବଳ ସେହିଦିନ ହିଁ ସତ୍ୟ ହୋଇଯାଇଥିଲା ।
ସତ ଅକଥ୍ୟ କଥାଟିଏ କହିଦେଇଥିଲା କୁମ୍ଭୀର । ତା ପରେ ବନ୍ଧୁଙ୍କ ଚକ୍ଷୁ ରୁ ଅବିଶ୍ୱାସ ର ସ୍ଫୁଲିଙ୍ଗ ନିର୍ଗତ ହେଉଥିଲା ତୁହକୁତୁହା । ଆଉ ସେହି ଚକ୍ଷୁ ର ପଛପାଖ କାନ୍ଥ ରେ ତା ସ୍ତ୍ରୀ ମାଙ୍କଡ଼ କଳିଜା ର ସ୍ୱାଦ ରେ ଆତ୍ମହରା ହୋଇଯାଉଥିଲା ।