ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳନର ଉଦଯାପନୀ ଦିବସରେ ଆଲୋଚନା ଚକ୍ର

ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳନର ଉଦଯାପନୀ ଦିବସରେ ଆଲୋଚନା ଚକ୍ର

ନିଶାମୁକ୍ତ ନୂଆପଡ଼ା ଗଠନ ପାଇଁ ଆଚରଣ ପରିବର୍ତ୍ତନ ହିଁ ସର୍ବଶ୍ରେଷ୍ଠ ପରିବର୍ତ୍ତନ: ଜିଲ୍ଲାପାଳ

ନୂଆପଡ଼ା,୨୬.୦୬.(ସୁଜିତ କୁମାର ପ୍ରଧାନ )ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ-୨୦୨୬ ପାଳନ ଅବସରରେ ଆୟୋଜିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ଶୁକ୍ରବାର ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ନୂଆପଡ଼ା ପକ୍ଷରୁ ସଦଭାବନା ସଭାଗୃହଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ନିଶାର କୁପ୍ରଭାବ, ଅବୈଧ ନିଶା କାରବାର ରୋକିବା ଏବଂ ନିଶାମୁକ୍ତ ସମାଜ ଗଠନ ନେଇ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ କହିଥିଲେ ଯେ, ଆଚରଣ ପରିବର୍ତ୍ତନ ହିଁ ସର୍ବଶ୍ରେଷ୍ଠ ପରିବର୍ତ୍ତନ। ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀମାନେ ପରିବର୍ତ୍ତନର ରାଜଦୂତ ଭାବେ କାର୍ଯ୍ୟ କରି ଏକ ନିଶାମୁକ୍ତ ନୂଆପଡ଼ା ଗଠନରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ।

ସେ ଛାତ୍ରଛାତ୍ରୀଙ୍କୁ ‘ଚିତ୍ରକର ଆଖି, କବି ହୃଦୟ ଏବଂ ବୈଜ୍ଞାନିକ ମନ’ ଭଳି ମନୋଭାବ ବିକଶିତ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଉପସ୍ଥିତ ସମସ୍ତେ ନିଶା ବିରୋଧରେ ଏକ ସାମୂହିକ ଶପଥ ଗ୍ରହଣ କରି ନିଶାମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପ ନେଇଥିଲେ।

ସମ୍ବଳ ବ୍ୟକ୍ତି (Resource Person) ଭାବେ ବ୍ରହ୍ମାକୁମାରୀ ଅନୀତା ପଟେଲ, ଏଡିଏମଓ ଡା. ଉମାକାନ୍ତ ମେହେର ଏବଂ ସହକାରୀ ନିର୍ଦ୍ଦେଶକ, ହସ୍ତଶିଳ୍ପ ପୁଷ୍ପରଞ୍ଜନ ସାହୁ ନିଶା ନିବାରଣ ଓ ଏହାର ସାମାଜିକ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ୱଚ୍ଛ ଭାରତ ସଂଯୋଜକ ଅନିଲ କୁମାର ଲେଙ୍କା ମଞ୍ଚ ପରିଚାଳନା କରିଥିଲେ। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତିରେଖା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ସଂଗଠନକୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମରେ ସିଡିଏମଓ ଡା. ଦ୍ୱାରିକାନାଥ ସତପଥୀ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ପରିଷଦ ଏପିଡି କ୍ଷମାନିଧି ଭୋଇଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଯୋଗଦେଇଥିଲେ।

Related posts

କୋକସରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ଉଦଯାପନି ସମାରୋହ ଅନୁଷ୍ଠିତ

masiha

ଆମ ଆଦମୀ ପାର୍ଟି ତରଫରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଭଟାଙ୍ଗପଦରରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ 

masiha

Leave a Comment

error: Content is protected !!