ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକାରେ ଅନ୍ତଃଜିଲ୍ଲା ‘ବିକ୍ଷିପ୍ତା’ ସାହିତ୍ୟ ସମ୍ମିଳନୀ; ୧୫୦ରୁ ଅଧିକ କବିଙ୍କ ସ୍ୱରଚିତ କବିତା ପାଠ

ଆସିକାରେ ଅନ୍ତଃଜିଲ୍ଲା ‘ବିକ୍ଷିପ୍ତା’ ସାହିତ୍ୟ ସମ୍ମିଳନୀ; ୧୫୦ରୁ ଅଧିକ କବିଙ୍କ ସ୍ୱରଚିତ କବିତା ପାଠ

ଆସିକା, ୨୮/୬/୨୬ (ଶିବ ଶଙ୍କର ମିଶ୍ର ) ଆସିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଅନ୍ତଃଜିଲ୍ଲା ‘ବିକ୍ଷିପ୍ତା’ ସାହିତ୍ୟ ସମ୍ମିଳନୀ ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାତା ସମ୍ପାଦକ ଡ. ଶ୍ୟାମା ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସାହିତ୍ୟ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ସାହିତ୍ୟିକ, କବି, ଗବେଷକ ଓ ସାହିତ୍ୟପ୍ରେମୀ ଯୋଗଦେଇ ସାହିତ୍ୟିକ ପରିବେଶକୁ ସରଗରମ କରିଥିଲେ।

କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ଅଧିବେଶନ ରେ ଡ. ବିନୋଦ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ସମାଜର ଦର୍ପଣ ବୋଲି କହିଥିଲେ। ସମ୍ମାନିତ ଅତିଥି ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ସହ ନୂତନ ପିଢ଼ିଙ୍କ ମଧ୍ୟରେ ପାଠାଭ୍ୟାସ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ।ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଶ୍ରୀ କାଳିନ୍ଦୀ ଚରଣ ନାୟକ ଯୋଗଦେଇ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ଦୀର୍ଘ ୩୮ ବର୍ଷର ସାହିତ୍ୟିକ ଯାତ୍ରାର ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟ ବକ୍ତା ସୁଶାନ୍ତ ଦାଶ ସାହିତ୍ୟର ସାମାଜିକ ଦାୟିତ୍ୱ ଓ ସୃଜନଶୀଳତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଡ. ସୁଶାନ୍ତ ଦାସ ଓ ଡ. ଗଜାନନ ତ୍ରିପାଠୀ ଓଡ଼ିଆ ସାହିତ୍ୟର ବର୍ତ୍ତମାନ ସ୍ଥିତି, ନୂତନ ସୃଷ୍ଟିଧାରା ଏବଂ ଭବିଷ୍ୟତ ସମ୍ଭାବନା ଉପରେ ମାର୍ଗଦର୍ଶନ କରିଥିଲେ। ପ୍ରଥମ ଏବଂ ୨ୟ ପର୍ଯ୍ୟାରେ ଶ୍ରୀ ଗୌରୀପତି ଦାଶ ସଭାପତିତ୍ୱ କରିଥିଲେ । ଏହାପରେ ଆୟୋଜିତ କବିତା ପାଠୋତ୍ସବରେ ବି. ଗୋବିନ୍ଦ ରାଓ ସଭାପତିତ୍ୱ କରିଥିବା ବେଳେ ରାଜୀବ ଲୋଚନ ପାଣିଗ୍ରାହୀ, ସୁନୀଲ କୁମାର ଗୌଡ଼, ଅଶୋକ କୁମାର ମାହାନ୍ତି, ଅମୂଲ୍ୟ କୁମାର ଦାଶ, ପ୍ରସନ୍ନ କୁମାର ସାହୁ ଓ ଚିନ୍ମୟ କୁମାର ବେବର୍ତ୍ତା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଉପସ୍ଥିତ ରହି କବିମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମିଳନୀର ଅନ୍ୟତମ ଆକର୍ଷଣ ଥିଲା କବିତା ଆସର। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୧୫୦ରୁ ଅଧିକ କବି ନିଜର ସ୍ୱରଚିତ କବିତା ପାଠ କରି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। କବିତା ଆସରକୁ ଯୁବ ସାହିତ୍ୟିକ ରାଜେଶ କୁମାର ପାତ୍ର, ରୁଦ୍ର ନାରାୟଣ ନାୟକ , ନନ୍ଦିନୀ ମହାରଣା ଏବଂ କାର୍ତ୍ତିକ ପାଣିଗ୍ରାହୀ ସୁନ୍ଦର ଭାବେ ସଂଯୋଜନା କରିଥିଲେ।

ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ୩୮ ବର୍ଷ ଧରି ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ଓଡ଼ିଆ ସାହିତ୍ୟର ବିକାଶ, ନୂତନ ପ୍ରତିଭାର ସନ୍ଧାନ ଏବଂ ସାହିତ୍ୟିକମାନଙ୍କୁ ଏକ ମଞ୍ଚରେ ଏକତ୍ର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ସଂସ୍ଥାର ଏହି ଅବଦାନ ଓଡ଼ିଆ ସାହିତ୍ୟ ଇତିହାସରେ ସଦା ସ୍ମରଣୀୟ ହୋଇ ରହିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।ସମ୍ମିଳନୀ ଅବସରରେ ବିଭିନ୍ନ କ୍ଷେତ୍ରରେ ସାହିତ୍ୟ ସେବା କରିଥିବା ବହୁ ପ୍ରତିଭାସମ୍ପନ୍ନ ସାହିତ୍ୟିକଙ୍କୁ ମାନପତ୍ର, ଉପଢୌକନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ସାଧାରଣ ସମ୍ପାଦକ ଡ. ଶ୍ୟାମା ପ୍ରସାଦ ମିଶ୍ର ସଫଳତାର ସହ ପରିଚାଳନା କରିଥିବା ବେଳେ ଯୁବ ସଂଯୋଜକ ରାଈ ରଞ୍ଜନ ନନ୍ଦ ଓ ସୁପ୍ରଜିତ ସାହୁ ବିଭିନ୍ନ ପର୍ଯ୍ୟାୟର ସମନ୍ୱୟ କରିଥିଲେ। ଶେଷରେ ଅନୁଷ୍ଠାନର ସଭାପତି ଗୌରପତି ଦାଶ ଧନ୍ୟବାଦ ଅର୍ପଣ କରି ସମ୍ମିଳନୀର ସଫଳ ସମାପ୍ତି ଘୋଷଣା କରିଥିଲେ।

Related posts

ଚେକଡେମ, କେନାଲ ମରାମତି ଦାବି 

masiha

ସାନ୍ତାଳୀ ଙ୍କର ନିଆରା ପର୍ବ ମାରାମବୁରୁ ବନ ଭୋଜନି ପାଳିତ

Sunil Chandra Nayak

ଫଟୋ ସାମ୍ବାଦିକ ବୀରୁ ସାହୁଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସଭା

masiha

Leave a Comment

error: Content is protected !!