ଚଳଚଞ୍ଚଳ କୁଲାଡ଼ ରଥଖଳା ; ପ୍ରସ୍ତୁତି ଶେଷ
ଭଞ୍ଜନଗର,୧୧/୭ ରଥଖଳା ଚଳଚଞ୍ଚଳ ହୋଇ ଉଠିବା ସହ ରଥ ନିର୍ମାଣ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୧୬ ତାରିଖ ଶ୍ରୀଜିଉଙ୍କ ରଥଯାତ୍ରା। ଏଥିପାଇଁ ଘୁମୁସରର ଗୌରବ କୁଲାଡ଼ ଜଗନ୍ନାଥ ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି। ଦେବୋତ୍ତର ବିଭାଗ ଅଧୀନରେ ଏହି ମନ୍ଦିର ରହିଥିବାରୁ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ସାରିଥିବା ବେଳେ ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମାହାର ଦୈନନ୍ଦିନ ଏହାର ସମୀକ୍ଷା କରୁଛନ୍ତି। ଅଣସର କାର୍ଯ୍ୟ ଠାରୁ ଆରମ୍ଭ କରି ଆବଶ୍ୟକ ପୂଜା ପାଇଁ ପ୍ରସ୍ତୁତି ଚାଲିଛି। କାରିଗର ତ୍ରିନାଥ ମହାରଣାଙ୍କ ନେତୃତ୍ବରେ କାରିଗରମାନେ ରଥ ନିର୍ମାଣ କାଯ୍ୟକୁ ସମ୍ପାଦନ କରିଛନ୍ତି। ସେହିପରି ରଙ୍ଗଦିଆ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଚଳିତବର୍ଷ ରଥଯାତ୍ରାକୁ ଆର୍କଷଣୀୟ କରିବା ପାଇଁ ପଦକ୍ଷେପ ନିଆଯାଇଛି। ରଥ ନିର୍ମାଣ ସମୟରେ ରଥର ଚକ ଠାରୁ ଆରମ୍ଭ କରି ଅଖ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଜିନିଷକୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ଏକ ଟିମ୍ ରଥର ସ୍ଥିତି ଯାଞ୍ଚ କରିଥିଲେ। ବନ ଉନ୍ନୟନ ସଂସ୍ଥାରୁ କାଠ ଅଣାଯାଇ ଥିଲା। ପ୍ରଶାସନିକ ଟିମ୍ ସମୀକ୍ଷା କରିବା ପରେ ରଥର ଚକ ଗୁଡିକୁ ନୂଆ କରିବା ସହ ଅଖକୁ ବଦଳାଇବା ପାଇଁ କମିଟି ପରାମର୍ଶ ଦେଇଥିଲେ। ଏହାପରେ ବନ ବିଭାଗ ସହଯୋଗରେ ଓଏଫ୍ଡିସିରୁ ଆବଶ୍ୟକ ପରିମାଣର କାଠ ଅଣାଯାଇ ନୂତନ ରଥ ନିର୍ମାଣ କରାଯାଇଛି। କୁଲାଡ଼ ଜଗନ୍ନାଥ ମନ୍ଦିରର ରଥର ଉଚ୍ଚତା ପ୍ରାୟ ୪୫ ଫୁଟ ଓ ଓସାର ୨୭ ଫୁଟ ରହିଥାଏ। ସ୍ନାନଯାତ୍ରା ପରେ ଏକ ଶୁଭଦିନରୁ ନିର୍ମାଣ କାମ ଆରମ୍ଭ ହୋଇ ବର୍ତ୍ତମାନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଥି ସହିତ ଦୀର୍ଘ ୨ବର୍ଷ ପରେ ଜଗନ୍ନାଥ ମନ୍ଦିର ଦାନହୁଣ୍ଡିକୁ ପରିଚାଳନା କମିଟି ଓ ସେବାୟତଙ୍କ ଉପସ୍ଥିତରେ ଶୁକ୍ରବାର ପ୍ରଶାସନ ପକ୍ଷରୁ ଖୋଲାଯାଇଛି। ସେଥିରୁ ମୋଟ ୬୬ ହଜାର ୮୮୫ଟଙ୍କା ରହିଥିବା ଜଣାପଡିଛି। ସୂଚନା ଥାଉକି, କୁଲାଡ଼ ରଥଯାତ୍ରାରେ ଚତୁର୍ଦ୍ଧା ମୂର୍ତ୍ତି ଗୋଟିଏ ରଥରେ ଯାତ୍ରା କରିଥାନ୍ତି। ଏଥିପାଇଁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ବିଧାୟକଙ୍କ ସହ ଉପଜିଲ୍ଲାପାଳ ଓ ତହସିଲଦାର ଏହି ଯାତ୍ରାରେ ନିଜକୁ ସାମିଲ କରୁଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

