ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଭଗବତ୍ ଗୀତାର ଅଷ୍ଟମ ଅଧ୍ଯାୟର ସାରକଥା–୮

ଶ୍ରୀମଦ୍ ଭଗବତ୍ ଗୀତାର ଅଷ୍ଟମ ଅଧ୍ଯାୟର ସାରକଥା–୮

      ଅଧ୍ଯାୟ ଆରମ୍ଭରେ ଅର୍ଜୁନ ଭଗବାନଙ୍କୁ ଆଠଗୋଟି ପ୍ରଶ୍ନକଲେ । ତା’ର ଉତ୍ତରରେ ଭଗବାନ କହିଲେ- ଯାହା ସର୍ବଶ୍ରେଷ୍ଠ ମୂଳକାରଣ ବା ଅବିନାଶୀ ଭାବ ତାହାହିଁ ବ୍ରହ୍ମତତ୍ତ୍ବ । ସ୍ବଭାବ ବା ମୂଳଭାବ ଜୀବ(ଆତ୍ମା) ରୂପରେ ଦେହ ମଧ୍ଯରେ ପ୍ରକାଶିତ-ତାହା ଅଧ୍ଯାତ୍ମତତ୍ତ୍ବ । ବିଶ୍ବସୃଷ୍ଟି ହିଁ କର୍ମ । ଭଗବାନଙ୍କ ସୃଷ୍ଟ ବିନଶ୍ବର ଭାବ ହିଁ ଅଧିଭୂତ(ଦେହ) । ଦେବତାମାନଙ୍କର ଅଧିପତି ଭୂତସ୍ରଷ୍ଟା ହରିଣ୍ଯ ଗର୍ଭ ବ୍ରହ୍ମା ହିଁ ଅଧିଦୈବ । ସୃଷ୍ଟିରକ୍ଷା ପାଇଁ ଜୀବ ଯେଉଁ କର୍ମ କରେ ତାହା ଯଜ୍ଞ ଏବଂ ନିଜେ ଭଗବାନ୍ ସମସ୍ତ ଜୀବ ମଧ୍ଯରେ ନିୟନ୍ତା ଓ ଫଳଦାତା ରୂପେ ରହିଛନ୍ତି-ସେ ହେଉଛନ୍ତି ଅଧିଯଜ୍ଞ । ଅର୍ଜୁନଙ୍କ ଶେଷ ପ୍ରଶ୍ନର ଉତ୍ତରରେ ଭଗବାନ୍ କହିଲେ-ମୃତ୍ୟୁ ସମୟରେ ସେ ଯେଉଁଭାବ ସ୍ମରଣକରି ଦେହ ତ୍ଯାଗ କଲେ ସେ ସେହି ଭାବକୁ ହିଁ ପାଏ । ତେବେ ପୂର୍ବରୁ ଭଗବାନଙ୍କୁ ସର୍ବଦା ସ୍ମରଣ କରିବାର ଅଭ୍ଯାସ ନଥିଲେ ଶେଷ ସମୟରେ ସେ ଭାବ ଆସିବ ନାହିଁ । ତେଣୁ ସର୍ବଦା ପ୍ରତ୍ୟେକ କାର୍ଯ୍ଯ ଭଗବାନଙ୍କୁ ସ୍ମରଣ କରି କରିବାକୁ ହେବ ।

       ଯେଉଁ ବ୍ଯକ୍ତି ମୃତ୍ୟୁ ସମୟରେ ସର୍ବଜ୍ଞ,ଅନାଦି ସର୍ବନିୟନ୍ତା,ସମସ୍ତର ବିଧାତା,ଅଚିନ୍ତ୍ଯ ରୂପଯୁକ୍ତ,ସୂର୍ଯ୍ଯଙ୍କ ପରି ଆଲୋକରେ ଉଦଭାସିତ ପ୍ରକୃତିର ନିୟନ୍ତ୍ରଣର ଉର୍ଦ୍ଧ୍ବରେ ଅବସ୍ଥିତ ସେହି ପରମ ପୁରୁଷଙ୍କୁ ସ୍ମରଣ କରି ଦେହତ୍ଯାଗ କରନ୍ତି ସେ ମୁକ୍ତି ଲାଭ କରନ୍ତି । ମୃତ୍ୟୁ ସମୟରେ ସମସ୍ତ ଇନ୍ଦ୍ରିୟଙ୍କୁ ସଂଯତ କରି,ମନକୁ ହୃଦୟସ୍ଥ କରି,ପ୍ରାଣବାୟୁକୁ ଦୁଇ ଭ୍ରୂ ମଧ୍ଯରେ ସ୍ଥିରରଖି ଏକାଗ୍ର ଚିତ୍ତରେ ଯୋଗଧାରଣ କରି ଓଁ ବ୍ରହ୍ମଙ୍କର ଏହି ଏକାକ୍ଷର ନାମ ଜପ କରୁ କରୁ ଦେହ ତ୍ଯାଗ କଲେ ମୋକ୍ଷଲାଭ ହୁଏ । କେଵଳ ଅନନ୍ଯଚେତା ହୋଇ ସର୍ବଦା ଭଗବାନଙ୍କୁ ସ୍ମରଣ କଲେ ଏହା ସମ୍ଭବ ହୁଏନ୍ତ,ଅନ୍ଯଥା ହୁଏନାହିଁ । ଏହି ନିତ୍ଯଯୁକ୍ତ ଯୋଗୀ ଆଉ ପୁନର୍ଜନ୍ମ ଲାଭ କରନ୍ତି ନାହିଁ । ମାତ୍ର ବ୍ରହ୍ମଲୋକ (ବ୍ରହ୍ମାଙ୍କ ଲୋକ) ପର୍ଯ୍ୟନ୍ତ ଯାଉଥିବା ସମସ୍ତ ଜୀବ ପୁଣି ସଂସାରକୁ ଫେରି ଆସନ୍ତି । ମୁକ୍ତିଲାଭ କରିଥିବା ଜୀବଙ୍କ ବ୍ଯତୀତ ଅନ୍ଯ ସମସ୍ତ ଭୂତ କଳ୍ପ ଆରମ୍ଭରେ ଜନ୍ମଗ୍ରହଣ କରିବାକୁ ବାଧ୍ଯ ହୁଅନ୍ତି ।

    ଶୁକ୍ଳ ମାର୍ଗରେ ଦେହ ତ୍ଯାଗ କରୁଥିବା ଯୋଗୀ ବ୍ରହ୍ମଙ୍କୁ ଲାଭ କରନ୍ତି । କୃଷ୍ଣମାର୍ଗରେ ଦେହତ୍ଯାଗ କଲେ ପୁଣି ଜନ୍ମ ଗ୍ରହଣ କରନ୍ତି । ପ୍ରକୃତ ଯୋଗୀ ଶୁକ୍ଳ କୃଷ୍ଣ ଗତି ଜାଣି ମଧ୍ଯ ଆଦୌ ବିଚଳିତ ହୁଅନ୍ତ ନାହିଁ । ବେଦ,ଯଜ୍ଞ,ତପ,ଦାନ,ପ୍ରଭୃତି ପୁଣ୍ଯ ଫଳରୁ ଯେଉଁ ସ୍ବର୍ଗଲାଭ ହୁଏ ତାହା ମୁକ୍ତିପ୍ରଦ ହୋଇନଥିବାରୁ ଯୋଗୀ ତାହା ତ୍ଯାଗ କରି ପରମ ବ୍ରହ୍ମପଦ ଲାଭ କରିବା ପାଇଁ ଯତ୍ନ କରନ୍ତି । ଏଣୁ ହେ ଅର୍ଜୁନ ! ତୁମେ ସର୍ବଦା ଯୋଗଯୁକ୍ତ ହୁଅ ।

   ଅକ୍ଷର (ଅବ୍ଯୟ) ବ୍ରହ୍ମତତ୍ତ୍ବ ଏ ଅଧ୍ଯାୟରେ ମୁଖ୍ଯତଃ ଆଲୋଚିତ ହୋଇଥିବାରୁ ଏ ଅଧ୍ଯାୟର ନାମ ଅକ୍ଷର ବ୍ରହ୍ମଯୋଗ ରଖାଯାଇଛି ।

 

ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,

ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ମହା ଆଡ଼ମ୍ବରରେ ପାଳିତ ହେଲା ପ୍ରଭୁ ବାଆଦୀ ଠାକୁରଙ୍କ ବାର୍ଷିକ ଦଶହରା ପର୍ବ

Sunil Chandra Nayak

ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକଙ୍କ ପରଲୋକ

Sunil Chandra Nayak

ଲୁନାର ଦାସ ଙ୍କ କବିତା ଦୀପ

Sunil Chandra Nayak

Leave a Comment

error: Content is protected !!