ଶ୍ରୀମଦ୍ ଭଗବତ୍ ଗୀତାର ଅଷ୍ଟମ ଅଧ୍ଯାୟର ସାରକଥା–୮
ଅଧ୍ଯାୟ ଆରମ୍ଭରେ ଅର୍ଜୁନ ଭଗବାନଙ୍କୁ ଆଠଗୋଟି ପ୍ରଶ୍ନକଲେ । ତା’ର ଉତ୍ତରରେ ଭଗବାନ କହିଲେ- ଯାହା ସର୍ବଶ୍ରେଷ୍ଠ ମୂଳକାରଣ ବା ଅବିନାଶୀ ଭାବ ତାହାହିଁ ବ୍ରହ୍ମତତ୍ତ୍ବ । ସ୍ବଭାବ ବା ମୂଳଭାବ ଜୀବ(ଆତ୍ମା) ରୂପରେ ଦେହ ମଧ୍ଯରେ ପ୍ରକାଶିତ-ତାହା ଅଧ୍ଯାତ୍ମତତ୍ତ୍ବ । ବିଶ୍ବସୃଷ୍ଟି ହିଁ କର୍ମ । ଭଗବାନଙ୍କ ସୃଷ୍ଟ ବିନଶ୍ବର ଭାବ ହିଁ ଅଧିଭୂତ(ଦେହ) । ଦେବତାମାନଙ୍କର ଅଧିପତି ଭୂତସ୍ରଷ୍ଟା ହରିଣ୍ଯ ଗର୍ଭ ବ୍ରହ୍ମା ହିଁ ଅଧିଦୈବ । ସୃଷ୍ଟିରକ୍ଷା ପାଇଁ ଜୀବ ଯେଉଁ କର୍ମ କରେ ତାହା ଯଜ୍ଞ ଏବଂ ନିଜେ ଭଗବାନ୍ ସମସ୍ତ ଜୀବ ମଧ୍ଯରେ ନିୟନ୍ତା ଓ ଫଳଦାତା ରୂପେ ରହିଛନ୍ତି-ସେ ହେଉଛନ୍ତି ଅଧିଯଜ୍ଞ । ଅର୍ଜୁନଙ୍କ ଶେଷ ପ୍ରଶ୍ନର ଉତ୍ତରରେ ଭଗବାନ୍ କହିଲେ-ମୃତ୍ୟୁ ସମୟରେ ସେ ଯେଉଁଭାବ ସ୍ମରଣକରି ଦେହ ତ୍ଯାଗ କଲେ ସେ ସେହି ଭାବକୁ ହିଁ ପାଏ । ତେବେ ପୂର୍ବରୁ ଭଗବାନଙ୍କୁ ସର୍ବଦା ସ୍ମରଣ କରିବାର ଅଭ୍ଯାସ ନଥିଲେ ଶେଷ ସମୟରେ ସେ ଭାବ ଆସିବ ନାହିଁ । ତେଣୁ ସର୍ବଦା ପ୍ରତ୍ୟେକ କାର୍ଯ୍ଯ ଭଗବାନଙ୍କୁ ସ୍ମରଣ କରି କରିବାକୁ ହେବ ।
ଯେଉଁ ବ୍ଯକ୍ତି ମୃତ୍ୟୁ ସମୟରେ ସର୍ବଜ୍ଞ,ଅନାଦି ସର୍ବନିୟନ୍ତା,ସମସ୍ତର ବିଧାତା,ଅଚିନ୍ତ୍ଯ ରୂପଯୁକ୍ତ,ସୂର୍ଯ୍ଯଙ୍କ ପରି ଆଲୋକରେ ଉଦଭାସିତ ପ୍ରକୃତିର ନିୟନ୍ତ୍ରଣର ଉର୍ଦ୍ଧ୍ବରେ ଅବସ୍ଥିତ ସେହି ପରମ ପୁରୁଷଙ୍କୁ ସ୍ମରଣ କରି ଦେହତ୍ଯାଗ କରନ୍ତି ସେ ମୁକ୍ତି ଲାଭ କରନ୍ତି । ମୃତ୍ୟୁ ସମୟରେ ସମସ୍ତ ଇନ୍ଦ୍ରିୟଙ୍କୁ ସଂଯତ କରି,ମନକୁ ହୃଦୟସ୍ଥ କରି,ପ୍ରାଣବାୟୁକୁ ଦୁଇ ଭ୍ରୂ ମଧ୍ଯରେ ସ୍ଥିରରଖି ଏକାଗ୍ର ଚିତ୍ତରେ ଯୋଗଧାରଣ କରି ଓଁ ବ୍ରହ୍ମଙ୍କର ଏହି ଏକାକ୍ଷର ନାମ ଜପ କରୁ କରୁ ଦେହ ତ୍ଯାଗ କଲେ ମୋକ୍ଷଲାଭ ହୁଏ । କେଵଳ ଅନନ୍ଯଚେତା ହୋଇ ସର୍ବଦା ଭଗବାନଙ୍କୁ ସ୍ମରଣ କଲେ ଏହା ସମ୍ଭବ ହୁଏନ୍ତ,ଅନ୍ଯଥା ହୁଏନାହିଁ । ଏହି ନିତ୍ଯଯୁକ୍ତ ଯୋଗୀ ଆଉ ପୁନର୍ଜନ୍ମ ଲାଭ କରନ୍ତି ନାହିଁ । ମାତ୍ର ବ୍ରହ୍ମଲୋକ (ବ୍ରହ୍ମାଙ୍କ ଲୋକ) ପର୍ଯ୍ୟନ୍ତ ଯାଉଥିବା ସମସ୍ତ ଜୀବ ପୁଣି ସଂସାରକୁ ଫେରି ଆସନ୍ତି । ମୁକ୍ତିଲାଭ କରିଥିବା ଜୀବଙ୍କ ବ୍ଯତୀତ ଅନ୍ଯ ସମସ୍ତ ଭୂତ କଳ୍ପ ଆରମ୍ଭରେ ଜନ୍ମଗ୍ରହଣ କରିବାକୁ ବାଧ୍ଯ ହୁଅନ୍ତି ।
ଶୁକ୍ଳ ମାର୍ଗରେ ଦେହ ତ୍ଯାଗ କରୁଥିବା ଯୋଗୀ ବ୍ରହ୍ମଙ୍କୁ ଲାଭ କରନ୍ତି । କୃଷ୍ଣମାର୍ଗରେ ଦେହତ୍ଯାଗ କଲେ ପୁଣି ଜନ୍ମ ଗ୍ରହଣ କରନ୍ତି । ପ୍ରକୃତ ଯୋଗୀ ଶୁକ୍ଳ କୃଷ୍ଣ ଗତି ଜାଣି ମଧ୍ଯ ଆଦୌ ବିଚଳିତ ହୁଅନ୍ତ ନାହିଁ । ବେଦ,ଯଜ୍ଞ,ତପ,ଦାନ,ପ୍ରଭୃତି ପୁଣ୍ଯ ଫଳରୁ ଯେଉଁ ସ୍ବର୍ଗଲାଭ ହୁଏ ତାହା ମୁକ୍ତିପ୍ରଦ ହୋଇନଥିବାରୁ ଯୋଗୀ ତାହା ତ୍ଯାଗ କରି ପରମ ବ୍ରହ୍ମପଦ ଲାଭ କରିବା ପାଇଁ ଯତ୍ନ କରନ୍ତି । ଏଣୁ ହେ ଅର୍ଜୁନ ! ତୁମେ ସର୍ବଦା ଯୋଗଯୁକ୍ତ ହୁଅ ।
ଅକ୍ଷର (ଅବ୍ଯୟ) ବ୍ରହ୍ମତତ୍ତ୍ବ ଏ ଅଧ୍ଯାୟରେ ମୁଖ୍ଯତଃ ଆଲୋଚିତ ହୋଇଥିବାରୁ ଏ ଅଧ୍ଯାୟର ନାମ ଅକ୍ଷର ବ୍ରହ୍ମଯୋଗ ରଖାଯାଇଛି ।
ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର