ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ୧୫ ଟିକିଆ ହାତୀପଲଙ୍କ ଉପଦ୍ରବ: କଦଳୀ,ନଡ଼ିଆ ଓ ପନିପରିବା ବଗିଚା ଉଜାଡ଼ିଲେ,୨-ବର୍ଷାରେ ପୁରୁଣା କଟକ ସମ୍ବଲପୁର ୪୨ ନଂ ଜାତୀୟ ରାଜପଥର ଓସ୍ତପାଳ ରୋଡ ସାଇଡି ଭାଙ୍ଗିଲା ,୩-ବିଦ୍ୟୁତ୍ ଆଘାତରେ ମହିଳା ମୃତ , ୪- ବଜ୍ରାଘାତରେ ପରିବାରର ୫ ଆହତ

୧୫ ଟିକିଆ ହାତୀପଲଙ୍କ ଉପଦ୍ରବ: କଦଳୀ,ନଡ଼ିଆ ଓ ପନିପରିବା ବଗିଚା ଉଜାଡ଼ିଲେ

ଢେଙ୍କାନାଳ – ବନବିଭାଗର ଅପାରଗତାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ। ହିନ୍ଦୋଳ ବନାଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। ବନବିଭାଗର ଅବହେଳା ଯୋଗୁଁ ପ୍ରତିବର୍ଷ ସ୍ଥାନୀୟ ଚାଷୀମାନେ ବ୍ୟାପକ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି।ଏଭଳି ଏକ ଅଭାବନୀୟ ତଥା ସମ୍ବେଦନଶୀଳ ଘଟଣା ହିନ୍ଦୋଳ ବନାଞ୍ଚଳ କଂସରା ପଞ୍ଚାୟତ ଆମ୍ବିଠି ଭଗତପୁର ଗ୍ରାମରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ‌ ତିରିଶ ତାରିଖ ବିଳମ୍ବିତ ରାତିରେ ୧୫ ଟିକିଆ ହାତୀପଲ ଗାଁ ଭିତରେ ପଶି ଆମ୍ବିଠି ଭଗତପୁର ଗ୍ରାମର ଚାଷୀ ରବିନାରାୟଣ ପ୍ରଧାନଙ୍କ ଏକର ଏକର ଜମିରେ ହୋଇଥିବା କଦଳୀ,ନଡ଼ିଆ ଓ ବିଭିନ୍ନ ପନିପରିବା ବଗିଚାକୁ ସମ୍ପୂର୍ଣ୍ଣ ରୂପେ ଦଳିଚକଟି ନଷ୍ଟ କରିଦେଇଛନ୍ତି। ହାତୀପଲ ବଗିଚା ପାଖକୁ ଚାଲିଆସି ବ୍ୟାପକ ଭଙ୍ଗାରୁଜା ଓ କ୍ଷତିସାଧନ କରୁଥିବା ବେଳେ ବନବିଭାଗର କୌଣସି କର୍ମଚାରୀଙ୍କ ଦେଖା ମିଳିନଥିଲା। ଚାଷୀ ଜଣଙ୍କ ଅତି ଆତଙ୍କିତ ଅବସ୍ଥାରେ ରାତି ବିତାଇଥିବା ବେଳେ ବନବିଭାଗର ଏପରି ଦାୟିତ୍ୱହୀନତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଥାଉ କି ଚାଷୀ ରବିନାରାୟଣ ପ୍ରଧାନ ନିଜର ସମସ୍ତ ପୁଞ୍ଜି ଲଗାଇ ଏହି ବଗିଚା କରିଥିବା ବେଳେ,ହାତୀପଲଙ୍କ ଉପଦ୍ରବ ଯୋଗୁଁ ଆଜି ସେ ସମ୍ପୂର୍ଣ୍ଣ ନିଃସ୍ୱ ହୋଇପଡ଼ିଛନ୍ତି। ପ୍ରତିବର୍ଷ ଏହି ଅଞ୍ଚଳରେ ହାତୀପଲ କ୍ଷତିସାଧନ କରୁଥିଲେ ସୁଦ୍ଧା ଚାଷୀଙ୍କୁ ଆବଶ୍ୟକ କ୍ଷତିପୂରଣ ମିଳୁନଥିବା ଚାଷୀ ଜଣଙ୍କ ଅଭିଯୋଗ କରିଛନ୍ତି। ଅପରପକ୍ଷରେ,ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ତ୍ରିଲୋଚନ ଦେହୁରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,”କ୍ଷତିଗ୍ରସ୍ତ ଚାଷୀଙ୍କ ଜମିର ତୁରନ୍ତ ତଦନ୍ତ କରାଯିବ ଏବଂ ସରକାରୀ ନିୟମାନୁସାରେ ଯଥାଶୀଘ୍ର ଆବଶ୍ୟକ କ୍ଷତିପୂରଣ ସହାୟତା ଯୋଗାଇ ଦିଆଯିବ।ତେବେ କେବଳ ପ୍ରତିଶ୍ରୁତି ନୁହେଁ,ବରଂ ବନବିଭାଗ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିପୂରଣ ପ୍ରଦାନ କରିବା ସହ ହାତୀ ଦାଉରୁ ଗାଁ ଓ ଚାଷଜମିକୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ଚାଷୀ ଜଣଙ୍କ ଦାବି ଜଣାଇଛନ୍ତି।

ବର୍ଷାରେ ପୁରୁଣା କଟକ ସମ୍ବଲପୁର ୪୨ ନଂ ଜାତୀୟ ରାଜପଥର ଓସ୍ତପାଳ ରୋଡ ସାଇଡି ଭାଙ୍ଗିଲା

ଢେ଼ଙ୍କାନାଳ -ବର୍ଷାରେ ପୁରୁଣା କଟକ ସମ୍ବଲପୁର ୪୨ ନଂ ଜାତୀୟ ରାଜପଥର ଓସ୍ତପାଳ ରୋଡ ସାଇଡ଼ି ବର୍ଷା ଜଳ ପଶି ୩ ଫୁଟ୍‌ର ଗର୍ଭ ସୃଷ୍ଟି ହୋଇ ଭାଙ୍ଗିଯାଇଛି। ଲଗାଣ ବର୍ଷା ପ୍ରଭାବରେ ପାଣି ପଶି ମାଟି ଧୋଇ ନେବା ସହ ପିଚୁରାସ୍ତା ଭୁସୁଡ଼ି ପଡ଼ି ରାସ୍ତା ସାଇଡିରେ ୩ ଫୁଟର ଗର୍ଭ ସୃଷ୍ଟି ହୋଇଛି। ରାସ୍ତା ବିପଦସଙ୍କୁଳ ହୋଇପଡ଼ି ଥିବା ବେଳେ ତୁରନ୍ତ ମରାମତି କରିବାକୁ ଦାବି ହୋଇଛି।

ବିଦ୍ୟୁତ୍ ଆଘାତରେ ମହିଳା ମୃତ

କାମାକ୍ଷାନଗର – କାମାକ୍ଷାନଗର ସହରର ମୁଣ୍ଡିଦେଉଳି ସାହିରେ ଶନିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ଲାଗିଥିବା ଟୁଲୁ ପମ୍ପ ଚଳାଇବାବେଳେ ବିଦ୍ୟୁତ୍ ଆଘାତରେ ସସ୍ମିତା ଖୁଣ୍ଟିଆଙ୍କ (୩୫) ମୃତ୍ୟୁ ଘଟିଛି। ଏହି ଘଟଣା ସହରରେ ଶୋକର ଛାୟା ଖେଳାଇ ଦେଇଛି। ସୂଚନା ଅନୁଯାୟୀ,ଘରେ ଟୁଲୁ ପମ୍ପ ଚଳାଇବାବେଳେ ବିଦ୍ୟୁତ ଆଘାତର ଶିକାର ହୋଇ ସସ୍ମିତା ପଡ଼ିଯାଇଥିଲେ। ବର୍ଷା ଯୋଗୁ ଚାରିପାଖ ଓଦାଥିବାରୁ ବିଦ୍ୟୁତ ଆଘାତର ପ୍ରଭାବ ଅଧିକ ହୋଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ସସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ।

ବଜ୍ରାଘାତରେ ପରିବାରର ୫ ଆହତ

 କାମାକ୍ଷାନଗର -କାମାକ୍ଷାନଗର ଏନ୍‌ଏସି ଆଳତୁମା ବଡ଼ବନ୍ଧ ସାହିରେ ଅପରାହ୍ଣ ୪ଟା ୩୦ରେ ବଜ୍ରାଘାତ ହେବାରୁ ଗୋଟିଏ ପରିବାରର ୫ ଜଣ ଆହତ ହୋଇଛନ୍ତି। ସେମାନେ ଘରେ ଥିବାବେଳେ ବଜ୍ରାଘାତ ହେବାରୁ ସାଇକୃଷ୍ଣ ସାହୁ,ସ୍ନେହାରାଣୀ ସାହୁ,ରିଣ୍ଟୁ ସାହୁ,ଭାଗ୍ୟଶ୍ରୀ ସାହୁ ଓ କ୍ଲାସିକା ସାହୁଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାରେ ଶଯ୍ୟା ନ ମିଳିବାରୁ ଚଟାଣ ଉପରେ ଶୁଆଇ ସାଲାଇନ୍ ଦିଆଯାଉଛି। ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଓ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବିପର୍ଯ୍ୟୟ ପ୍ରଶମନ ହ୍ରାସ ନିମନ୍ତେ ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କୀୟ ଜିଲ୍ଲା ସ୍ତରୀୟ କର୍ମଶାଳା 

masiha

ପୋଖରୀ ରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ 

masiha

ମହାତ୍ମାଗାନ୍ଧୀ ଓ ଶାନ୍ତି ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ

masiha

Leave a Comment

error: Content is protected !!