ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ଗବେଷକ ଓ ବକ୍ତା ଡଃ ବିଜୟ ମିଶ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା 

ବିଶିଷ୍ଟ ଗବେଷକ ଓ ବକ୍ତା ଡଃ ବିଜୟ ମିଶ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା 

ନବରଙ୍ଗପୁର:(୭|୮)(ରବି ନାରାୟଣ ମହାନ୍ତି))ବିଶିଷ୍ଟ ଗବେଷକ, ଲେଖକ ଓ ସୁବକ୍ତା ଡଃ ବିଜୟ କୁମାର ମିଶ୍ରଙ୍କ ବିୟୋଗରେ ଏକ ସ୍ମୃତି ଚାରଣ ସଭା ସ୍ଥାନୀୟ ତୃପ୍ତି ଲଡ୍ଜ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ନାଗରୀକ କମିଟି, ଭାଗୀରଥି ସ୍ମୃତି ସଂସଦ, ଶ୍ରୀ କୁଞ୍ଜ ବିହାରୀ ପାଠାଗାର, ସମ୍ବାଦ ସାହିତ୍ୟ ଘର ଓ ଉତ୍କଳ ପରିଷଦର ମିଳିତ ଆନୁକୁଲ୍ଯରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ଜଗନ୍ନାଥ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ରାମ ପ୍ରସାଦ ପାତ୍ର ଡଃ ମିଶ୍ରଙ୍କ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ପ୍ରଭାସିନୀ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । କବି ବିଜୟ ଚୌଧୁରୀ, ନିରଞ୍ଜନ ମିଶ୍ର, ମୁନା ତ୍ରିପାଠୀ ଓ ଡଃ ସାଇ ରମେଶ ରାଓ ମଞ୍ଚାସୀନ ହେବାସହ ଡଃ ମିଶ୍ରଙ୍କ ଜୀବନୀ ସମ୍ବନ୍ଧରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଡଃ ମିଶ୍ରଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା ଓ ଦିବଙ୍ଗତ ଆତ୍ମାଙ୍କ ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା । କଣ୍ଠଶିଳ୍ପୀ ସୁରେଶ ମିଶ୍ର ଓ କସ୍ତୁରୀ ରଥ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ପରିବେଷଣ କରିଥିଲେ । ଡ଼. ମିଶ୍ର “ନବରଙ୍ଗପୁର ଜିଲ୍ଲାର ଜନଜାତି ବିକାଶ” ବିଷୟରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ପିଏଚ୍.ଡି. ଉପାଧି ଅର୍ଜନ କରିଥିଲେ। ୧୯୮୨ ମସିହାରୁ କୋଟପାଡ଼ ମହାବିଦ୍ୟାଳୟ (କୋରାପୁଟ ଜିଲ୍ଲା), ପରେ ଧର୍ମଗଡ଼ ମହାବିଦ୍ୟାଳୟ (କଳାହାଣ୍ଡି ଜିଲ୍ଲା) ଏବଂ ୨୦୦୩ ରୁ ୨୦୧୯ ପର୍ଯ୍ୟନ୍ତ ନବରଙ୍ଗପୁର ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ସେ’ ରାଜନୀତି ବିଜ୍ଞାନ ବିଭାଗର ରିଡର ପଦରୁ ଅବସର ଗ୍ରହଣ କରିଥିଲେ।ଡ଼. ମିଶ୍ର ଆଠଟି ପୁସ୍ତକ ରଚନା କରିଛନ୍ତି। ତାଙ୍କ ରଚିତ “ସାହିତ୍ୟିକ ଭାଗୀରଥି ପାତ୍ର” ପୁସ୍ତକଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ହୋଇଛି। ପୁସ୍ତକ ବ୍ୟତୀତ ସେ ବିଭିନ୍ନ ସମ୍ବାଦପତ୍ରରେ ୧୦୦ରୁ ଅଧିକ ପ୍ରବନ୍ଧ ପ୍ରକାଶ କରିଛନ୍ତି। ତାଙ୍କର ତିନୋଟି ପ୍ରବନ୍ଧ ଆନ୍ତର୍ଜାତୀୟ ସ୍ତରରେ ପ୍ରକାଶିତ ହୋଇଛି। ତାଙ୍କ ଶେଷ ଗବେଷଣା ମୂଳକ ପ୍ରବନ୍ଧ “ସ୍ଵାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଅବଦାନ” ପୁସ୍ତକ ଭାବରେ ପ୍ରକାଶ ପାଇଛି । ସେ’ ଜଣେ ସ୍ୱନାମଧନ୍ୟ ଗବେଷକ ଓ ବିଦ୍ୱାନ ବକ୍ତା ଭାବେ ପରିଚିତ ଥିଲେ । ତାଙ୍କ ତତ୍ତ୍ୱାବଧାନରେ ୧୫ ଜଣ ସ୍ନାତକୋତ୍ତର ଛାତ୍ରଛାତ୍ରୀ ନିଜ ଗବେଷଣା ପ୍ରବନ୍ଧ ସମାପ୍ତ କରିଛନ୍ତି ଏବଂ ୪ ଜଣ ଅଧ୍ୟାପକ ପିଏଚ୍.ଡି. ଉପାଧି ହାସଲ କରିଛନ୍ତି। ସେ’ ଇଂରାଜୀରୁ ଓଡ଼ିଆ ଭାଷାକୁ ଅନେକ ପୁସ୍ତକ ଅନୁବାଦ ମଧ୍ୟ କରିଛନ୍ତି। ଡ଼. ମିଶ୍ର ଅନେକ ଜାତୀୟ ସେମିନାରରେ ଅଂଶଗ୍ରହଣ କରିଛନ୍ତି ଏବଂ ଭାରତ ସରକାରଙ୍କ ଏନ୍.ଆଇ.ଆର୍.ଡି. (NIRD) ଠାରୁ ଦୁଇଥର ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି।

ଡ଼. ମିଶ୍ର ଜଣେ ଉତ୍କୃଷ୍ଟ ବକ୍ତା। ସେ ଅନଲାଇନ୍ ମାଧ୍ୟମରେ ମଧ୍ୟ ବିଭିନ୍ନ ବିଷୟରେ ବକ୍ତୃତା ପ୍ରଦାନ କରିଛନ୍ତି। ସେ ସଂଯୁକ୍ତ ଆରବ ଏମିରେଟ୍ସ (UAE), ସିଙ୍ଗାପୁର, ଥାଇଲାଣ୍ଡ, ମାଲେସିଆ, ନେପାଳ ଓ ଭିଏତନାମ ଭଳି ବିଦେଶ ଗସ୍ତ କରିଛନ୍ତି। ସେ’ ରଥଯାତ୍ରା ସମୟରେ ଧାରା ବିବରଣୀ ପ୍ରଦାନ କରିବା ସହ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ରାମାୟଣ ଉପରେ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରୁଥିଲେ ।

ଡ଼. ବିଜୟ କୁମାର ମିଶ୍ର ଜଣେ ଆଦର୍ଶ ଶିକ୍ଷକ, ସଫଳ ଲେଖକ ଏବଂ ପ୍ରଭାବଶାଳୀ ବକ୍ତା ଭାବେ ପରିଚିତ ଏବଂ ତାଙ୍କ ଅବର୍ତ୍ତମାନରେ ସାହିତ୍ୟ ଓ ଶିକ୍ଷା ଜଗତର ଏକ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ସଜ୍ଜନ କବି ଜଗଦୀଶ ଚନ୍ଦ୍ର ତ୍ରିପାଠୀ, କବି ପର୍ଶୁରାମ ସାହୁ, ଅଧ୍ୟାପକ ଅଖିଳ ଭଟ୍ଟ, ନବରଙ୍ଗପୁର ମହାବିଦ୍ୟାଳୟର ଉପାଧ୍ୟକ୍ଷା ସଂଗୀତା ତ୍ରିପାଠୀ, ଜିଲ୍ଲା ଆଇନଜୀବୀ ସଂଘ ସଭାପତି ସନ୍ତୋଷ ମିଶ୍ର, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ମନୋରମା ମାଝି, ପି. ରବିକାନ୍ତ ରଘୁରାମ, ରଜନୀ ପାତ୍ର, ଇଂ ସର୍ବେଶ୍ଵର ତ୍ରିପାଠୀ, ଡଃ ଜାହ୍ନବୀ ପଣ୍ଡା, ଗୋପାଳ ପାଣିଗ୍ରାହୀ, ମନୋଜ ପଟ୍ଟନାୟକ, ଦିଲ୍ଲୀପ ହୋତା, ଭାରତୀ ବିଶୋୟୀ, ସୁରେଶ କୁମାର ନାଇଡୁ, ତପନ ବିଶୋୟୀ, ଡଃ.ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ସୁଶୋଭିତା ତୁରୁକ, କିଶୋରୀ ପଟ୍ଟନାୟକ, ସ୍ଵର୍ଣ୍ଣ ଲତା ପଟ୍ଟନାୟକ, ବିକ୍ରମ ଦାଶ, ତ୍ରିପତି ବାଲାଜୀ ସାହୁ, ସିଦ୍ଧାର୍ଥ ଶଙ୍କର ବେହେରା, ପ୍ରଦୀପ ସାହୁ, ଶ୍ରୀନିବାସ ପାତ୍ର, ସୁବ୍ରତ ବେହେରା, ଝରଣା ପଟ୍ଟନାୟକ, କୃଷ୍ଣ ପ୍ରସାଦ ରଥ, ସବ୍ୟସାଚୀ ବେହେରା, ସିରାଜୁଦ୍ଧିନ ଅହମ୍ମଦ, ରାମ କୃଷ୍ଣ ପାତ୍ର, ଜଗନ୍ନାଥ ବେହେରା, ଦାଶରଥି ପଟ୍ଟନାୟକ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଡଃ ମିଶ୍ରଙ୍କ ଏକ ସ୍ମୃତି ସଂସଦ ଗଠନ କରିବା ସହ ତାଙ୍କ ଅବଦାନକୁ ନେଇ ଏକ ସ୍ମରଣିକା ପ୍ରକାଶ କରିବାପାଇଁ ସଭାରେ ପ୍ରସ୍ତାବ ଆଗତ ହୋଇଥିଲା । ଡଃ ମିଶ୍ରଙ୍କ ଅନ୍ତରଙ୍ଗ ବନ୍ଧୁ ଅଧ୍ୟାପକ ନବୀନ ପଣ୍ଡା ଓ ବରିଷ୍ଠ କବି ନାରାୟଣ ପଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ପାଠ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନାରାୟଣ ରାଉତ ଙ୍କ ସ୍ମୃତି ଚାରଣ ସଭା 

masiha

ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର 

Sunil Chandra Nayak

Indian Railways Extends Weekly Special Trains for Diwali and Puja Rush

Sunil Chandra Nayak

Leave a Comment

error: Content is protected !!