ଉଦନ୍ତୀ ବନ୍ୟାରେ ସହ ସହ ଏକର ଚାଷଜମି ନଷ୍ଟ, ଅନେକ ସ୍ଥାନରେ ନଦୀବନ୍ଧ ଭାଙ୍ଗିବାରୁ ବଢ଼ୁଛି ବିପଦ
ନୂଆପଡା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଉଦନ୍ତୀ ନଦୀକୂଳିଆ ଲିଆଡ, ଚଅଁରା ଓ ଝାଙ୍କରଗୁଡ଼ା ଗ୍ରାମରେ ଗତ ଜୁଲାଇ ମାସର ବନ୍ୟାର ଚିହ୍ନ ଏବେ ବି ସ୍ପଷ୍ଟ ଦେଖାଯାଉଛି। ବନ୍ୟାଜଳର ପ୍ରବଳ ସ୍ରୋତରେ ପ୍ରାୟ ୩୦୦ ଏକର ଚାଷଜମି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶହ ଶହ ଏକର ଜମି ବାଲିଚରରେ ପରିଣତ ହୋଇଛି।
ଝାଙ୍କରଗୁଡ଼ାଠାରୁ ଲିଆଡ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଅଞ୍ଚଳରେ ଉଦନ୍ତୀ ନଦୀର ପାଣି କେତେକ ସ୍ଥାନରେ ଅଧ କିଲୋମିଟରରୁ ଅଧିକ ଅଞ୍ଚଳକୁ ମାଡ଼ିଯାଇଥିଲା। ପାଣିର ଉଚ୍ଚତା ପ୍ରାୟ ୧୦ରୁ ୧୨ ଫୁଟ ପର୍ଯ୍ୟନ୍ତ ପହଞ୍ଚିଥିବାରୁ ନଦୀକୂଳର ଚାଷଜମିରେ ବ୍ୟାପକ କ୍ଷୟକ୍ଷତି ହୋଇଛି।ଚାଷୀମାନେ କହିଛନ୍ତି ଯେ, ବୁଣା ହୋଇଥିବା ଧାନ ବିହନ, ରୁଆ ହୋଇଥିବା ଧାନ ତଳି, ହରଡ଼, କପା ସମେତ ବିଭିନ୍ନ ଫସଲ ବନ୍ୟାଜଳରେ ନଷ୍ଟ ହୋଇଛି। ଅନେକ ଜମିର ଉପରି ଉର୍ବର ମାଟି ପ୍ରବଳ ସ୍ରୋତରେ ଧୋଇଯାଇଛି। ଆଉ କେତେକ ସ୍ଥାନରେ ନଦୀରୁ ଆସିଥିବା ବାଲି ଜମିକୁ ଢାଙ୍କି ଦେଇଥିବାରୁ ଚାଷ କରିବା ଏବେ କଷ୍ଟକର ହୋଇପଡ଼ିଛି।
ସବୁଠାରୁ ଚିନ୍ତାଜନକ ସ୍ଥିତି ହେଉଛି ନଦୀବନ୍ଧ। ଉଦନ୍ତୀ ନଦୀ ଏହି ଅଞ୍ଚଳରେ ପ୍ରାୟ ଚାରିଟି ସ୍ଥାନରେ ହୁଡ଼ା ଭାଙ୍ଗିଦେଇଛି। ଭଙ୍ଗା ସ୍ଥାନଗୁଡ଼ିକ ଦେଇ ନଦୀଜଳ ଚାଷଜମିକୁ ପ୍ରବେଶ କରୁଥିବାରୁ ଚାଷୀମାନେ ଆଶଙ୍କାରେ ଅଛନ୍ତି। ତୁରନ୍ତ ମରାମତି ନହେଲେ ଆଉ ଏକ ବଡ଼ ବର୍ଷା ଆସିଲେ ଆଉଥରେ ଚାଷଜମି ମଧ୍ୟ ନଷ୍ଟ ହେବାର ଭୟ ରହିଛି।ବନ୍ୟାରେ କେବଳ ଚଳିତ ଫସଲ ନଷ୍ଟ ହୋଇନାହିଁ, ଅନେକ ଚାଷୀ ନିଜ ଚାଷଜମିର ମାଟି ମଧ୍ୟ ହରାଇଛନ୍ତି। କେତେକ ସ୍ଥାନରେ ନଦୀ ତଟକ୍ଷୟ ଯୋଗୁଁ ଚାଷଜମି ଧୀରେ ଧୀରେ ନଦୀଗର୍ଭକୁ ଚାଲିଯାଉଛି। ଏହା ଫଳରେ ନଦୀକୂଳିଆ ଚାଷୀଙ୍କ ଜୀବିକା ଉପରେ ଦୀର୍ଘକାଳୀନ ସଙ୍କଟ ସୃଷ୍ଟି ହୋଇଛି।ଚାଷୀମାନଙ୍କ କହିବା ଅନୁସାରେ, ଉଦନ୍ତୀ ନଦୀରେ ପ୍ରତି ତିନି-ଚାରି ବର୍ଷରେ ଥରେ ବଡ଼ ବନ୍ୟା ଆସୁଥିବାରୁ ସ୍ଥାୟୀ ସମାଧାନ ନହେଲେ ଏହି ସମସ୍ୟା ପୁଣି ଦେଖାଦେବ। ତେଣୁ ଭଙ୍ଗା ହୁଡ଼ାର ତୁରନ୍ତ ମରାମତି ସହ ଦୁର୍ବଳ ନଦୀବନ୍ଧଗୁଡ଼ିକର ବୈଷୟିକ ଯାଞ୍ଚ ଓ ସୁଦୃଢ଼ୀକରଣ, ବାଲିଚର ଜମିରୁ ବାଲି ହଟାଇବା ଏବଂ ନଷ୍ଟ ହୋଇଥିବା ଚାଷଜମିର ପୁନରୁଦ୍ଧାର ଜରୁରୀ ହୋଇପଡ଼ିଛି।ଏପରି ସ୍ଥିତିରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ସଠିକ ଆକଳନ କରି ପ୍ରଭାବିତ ଚାଷୀଙ୍କୁ ତୁରନ୍ତ ସହାୟତା ଯୋଗାଇବା ସହ ନଦୀବନ୍ଧର ସ୍ଥାୟୀ ସୁରକ୍ଷା ପାଇଁ ପଦକ୍ଷେପ ନେବା ଦାବି ଜୋର ଧରିଛି।

