ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବର୍ଷା କମିଛି କିନ୍ତୁ ଚାଷୀ ଙ୍କର ଦୁର୍ଦଶା କମିନି , ୨- ଖାଉଟି ମୁଣ୍ଡରେ ଚଡ଼କ, ବୃଦ୍ଧି ପାଉଛି ଚିନି ଦର ,୩- ଭୁବନ ପୋଲିସ ପକ୍ଷରୁ ନିଶାମୁକ୍ତ ଅଭିଯାନ ଛାତ୍ର ଛାତ୍ରୀ ନିଶାମୁକ୍ତ ପାଇଁ ଶପଥ ନେଲେ , ୪- ସିଲ୍ ହେଲା ସାହୁ ହୋଟେଲ ଆଣ୍ଡ ଲଜ୍ , ୫- ବିଦ୍ୟୁତ ଆଘାତରେ ମୃତକ ଙ୍କ ପରିବାର ବର୍ଗ କୁ ଭେଟିଲା ବିଜେଡି ଟିମ୍ ବିଦ୍ୟୁତ ବିଭାଗ କ୍ଷତିପୂରଣ ଦେବାକୁ ଦାବି , ୬- ମଠକରଗୋଳା ମହାବିଦ୍ୟାଳୟରେ ମହିଳା ସୁରକ୍ଷା ସମ୍ପର୍କିତ ଆଇନଗତ ଅଧିକାର ଉପରେ କର୍ମଶାଳା, ୭ – ଛଦେଶ ବିକାଶ ପରିଷଦର ୩୦ ଜଣିଆ ଟିମ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ , ୮- ଢେଙ୍କାନାଳ ଭାପୁରରୁ ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ 

ବର୍ଷା କମିଛି କିନ୍ତୁ ଚାଷୀ ଙ୍କର ଦୁର୍ଦଶା କମିନି 

ଢେଙ୍କାନାଳ – ଲଗାଣ ବର୍ଷାରେ ବେହାଲ ହୋଇଛି ଗଁଦିଆ ବ୍ଲକର ବିଭିନ୍ନ ଅଂଚଳ ବର୍ଷା ସିନା ଛାଡି ଯାଇଛି କିନ୍ତୁ ଅସରନ୍ତି ଦୁଃଖ ଅଜାଡି ଦେଇ ଯାଇଛି ଚାଷୀ କୂଳକୁ ନିଜର ଧାନ କ୍ଷେତ ର ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଇଛି ବିଚରା ଚାଷୀ ଏବେ ସୁଦ୍ଧା ଧାନ କ୍ଷେତ ମାନଙ୍କରେ ବର୍ଷା ପାଣି ଜମି ରହିଛି ଏହା ଫଳରେ ଅନେକ କ୍ଷେତରେ ଧାନ ଗଛ ସବୁ ପଚି ନଷ୍ଟ ହେବାକୁ ଲାଗିଲାଣି ଯାହାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି କଣ କରିବ କଣ ନକରିବ ସେହି ଚିନ୍ତାରେ ଆଜି ଚାଷୀ କୁଳ ଉକ୍ତ ବ୍ଲକରେ ପ୍ରମୁଖ ଅର୍ଥକରି ଫସଲ ମଧ୍ୟରେ ଧାନ ଚାଷ ହେଉଛି ଅନ୍ୟତମ ଚାଷୀ ବର୍ଷ ତମାମ ସାଇତା ଅର୍ଥ କୁ ଏହି କ୍ଷେତ୍ରରେ ବିନିଯୋଗ କରି ଅମଳ ଶସ୍ୟ କୁ ମଣ୍ଡିରେ ବିକ୍ରି କରି ଯାହା ଅର୍ଥ ପାଏ ସେହି ଥିରେ ତାହାର ପରିବାର ଭରଣ ପୋଷଣ କରିଥାଏ ବିଶେଷ କରି ଉକ୍ତ ବ୍ଲକର ସୀମାନ୍ତ ରେ ପ୍ରବାହିତ ବ୍ରାହ୍ମଣୀ ନଦୀ କୁଳ ସଲଗ୍ନ ଗ୍ରାମ ପଂଚାୟତ ଯଥା ମନ୍ଦାର, ଦିଗାମ୍ବରପୁର, କାଶୀପୁର, ଖଣ୍ଡବନ୍ଧ, ପିଙ୍ଗୁଆ ଓ ଦଶମାଣପାଟଣା ମଞ୍ଜୁରୀପଡା ଗୁଡିକର ନଦୀ କୁଳିଆ ଗ୍ରାମ ଗୁଡିକର ଚାଷୀ ମାନଙ୍କର ଧାନ ଫସଲ ବ୍ୟାପକ ଭାବରେ ପ୍ରଭାବିତ ହୋଇଛି ନବଲିଙ୍ଗା, ଚିତ୍ତଳପୁର, ପୁରୁଷୋତ୍ତମପୁର, ପର୍ବତକଣୀ, ବୃନ୍ଦାବନପୁର, ଭାଲିଆପାଟ, ତଳକାଶୀପୁର, ପୁରୁଣାଅମାଙ୍ଗ, କାଲୁଣିଗୋଡ଼ା, ପିଙ୍ଗୁଆ, ଓ ମଞ୍ଜୁରୀପଡା ଆଦି ଗ୍ରାମ ଗୁଡିକର ଧାନ କ୍ଷେତ ଗୁଡିକ ନଦୀ କୂଳରେ ଅବସ୍ଥିତ ହୋଇଥିବା ଫଳରେ ବର୍ଷା ଦିନରେ ନଦୀରେ ପାଣି ଭରି ରହିବା ଯୋଗୁ ବର୍ଷା ଜନିତ ପାଣି ସବୁ ନଦୀକୁ ନିଷ୍କାସିତ ନହୋଇ ଧାନ କ୍ଷେତରେ ଜମି ରହିବା ଫଳରେ ଏହାର ପ୍ରବହାରେ କ୍ଷେତରେ ଥିବା ଧାନ ଗଛ ସବୁ ପଚି ନଷ୍ଟ ହେଉଛି l ଉକ୍ତ ବର୍ଷାରେ ପ୍ରଭାବିତ ଧାନ କ୍ଷେତ ଗୁଡିକର କ୍ଷୟ କ୍ଷତି ଆକଳନ କରି ଚାଷୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ସାଧାରଣରେ ଦାବି ହେଉଛି।

ଖାଉଟି ମୁଣ୍ଡରେ ଚଡ଼କ, ବୃଦ୍ଧି ପାଉଛି ଚିନି ଦର 

ଢେଙ୍କାନାଳ – ଗତ କିଛି ଦିନ ହେଲା ଢେଙ୍କାନାଳ ସହର ତଥା ୮ ଟି ବ୍ଲକରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ରୂପେ ପରିଚିତ ଚିନିଦର ଅହେତୁକ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁଁ ଖାଉଟିଙ୍କ ମୁଣ୍ଡରେ ଚଡକ ପଡିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥ‌ିବା ଦେଖିବାକୁ ମିଳୁଛି। କେବେ ଏହି ଚିନି ଦର ବୃଦ୍ଧିରେ ବ୍ରେକ୍ ଲାଗିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗତ କିଛି ଦିନ ତଳେ ଖୋଲା ବଜାରରେ ଚିନିଦର କିଲୋ ପ୍ରତି ୪୫ ରୁ ୪୮ ଟଙ୍କାରେ ବିକ୍ରି ହେଉଥିଲା ବେଳେ ଗତ ୨ ଦିନ ହେଲା ଏହି ଦର ବୃଦ୍ଧି ପାଇ ପ୍ରାୟ ୬୭ ରୁ ୭୫ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି। ଆଗକୁ ପାର୍ବଣ ଋତୁ ଥିବାବେଳେ ଏବେଠୁ ଚିନି ଦର ଉପର ମୁହାଁ ହେବାରେ ଲାଗିଥିବା ଯୋଗୁଁ ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀର ସାଧାରଣ ଜନତା ଚିନ୍ତାରେ ପଡିଯାଇଥିବା ଦେଖିବାକୁ ମିଳୁଛି | ଆଗକୁ ରାକ୍ଷୀ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ଦଶହରା, କାଳୀପୂଜା ଭଳି ବଡ ବଡ ପର୍ବ ରହିଛି। ଏହି ସମୟରେ ମିଠାର ଚାହିଦା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବାର ସମ୍ଭାବନାକୁ ମଧ୍ୟ ଏଡାଇ ହେଉନାହିଁ। ପାର୍ବଣ ସମୟରେ ଚିନିଦରକୁ ନେଇ ନାନା ସମସ୍ୟା ଦେଖାଦେବାର ଯଥେଷ୍ଟ ଆଶଙ୍କା ରହିଛି | ସବୁଦିନିଆ ବ୍ୟବହୃତ ଚିନିର ଦରକୁ ନେଇ ଢେଙ୍କାନାଳ ସହର ତଥା ୮ ଟି ବ୍ଲକ ର ଖାଉଟିଙ୍କ ମଧ୍ୟରେ ଚିନ୍ତା ବଢିବାରେ ଲାଗିଛି । ରାତି ପାହିଲେ ହାଣ୍ଡିଶାଳକୁ ଘାରୁଛି ମହଙ୍ଗା ମାଡର ଚିନ୍ତା | ଗ୍ରାମାଞ୍ଚଳରେ ମଧ୍ଯ ଚିନି ଦର ସହରାଞ୍ଚଳ ଠାରୁ ଅଧିକ ଥିବା ଆଲୋଚନା ହେଉଛି। ଚିନିଦର ବୃଦ୍ଧି ସିଧାସଳଖ ପ୍ରଭାବ ଅଧିକାଂଶ ଚା ଦୋକାନୀ ଉପରେ ପଡିଥ‌ିବା ଜଣାପଡିଛି । ଗତ କିଛି ଦିନ ହେଲା ଚିନିର ଦର ଆକାଶଛୁଆଁ ହେବାରେ ଲାଗିଥିବା ଯୋଗୁଁ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କୁ ଏହି ଦର ବାଧୁଥ‌ିବା ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବର୍ଦ୍ଧିତ ଚିନିଦରକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖ‌ିବାକୁ ମିଳୁଛି।

ଭୁବନ ପୋଲିସ ପକ୍ଷରୁ ନିଶାମୁକ୍ତ ଅଭିଯାନ ଛାତ୍ର ଛାତ୍ରୀ ନିଶାମୁକ୍ତ ପାଇଁ ଶପଥ ନେଲେ 

କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲା ଭୁବନ ପୋଲିସ ପକ୍ଷରୁ ନିଶାମୁକ୍ତ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ପିଏମ ଶ୍ରୀ ସ୍ୱାମୀ ତ୍ରିଗୁଣାନନ୍ଦ ସରସ୍ୱତୀ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ସଚେତନତା ଅଭିଯାନରେ ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ଯୋଗଦେଇ ନିଶା ସେବନ ଦ୍ୱାରା ଶାରୀରିକ,ମାନସିକ କୁପ୍ରଭାବ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ପାନ,ଗୁଟଖା , ବିଡି,ସିଗାରେଟ୍ ସେବନ ଦ୍ୱାରା ଅନେକ ଲୋକ ମୁଖ ଗହ୍ୱର କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି ଓ ମଦ୍ୟପାନ ଦ୍ୱାରା ଲିଭର ନଷ୍ଟ ହେଉଛି । ନିଶାଡି ମାନେ ଅବେଳରେ ମୃତ୍ୟୁକୁ ଆମନ୍ତ୍ରଣ କରୁଛନ୍ତି ବୋଲି କହିବା ସହ ନିଶା ଠାରୁ ଦୂରେଇ ରହିବା ଓ ପରିବାର ଏବଂ ପଡ଼ୋଶୀରେ ପରିବର୍ତ୍ତନର ଦୂତ ହେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏସ ଆଇ ପ୍ରଦୀପ ଭୂତାଣୁ ଟୋଲ୍ ଫ୍ରି ନମ୍ବର ୧୯୩୩ ରେ ନିଶାଡିଙ୍କ ସମ୍ପର୍କରେ ଗୁପ୍ତ ତଥ୍ଯ ଦେଇ ପୁରସ୍କୃତ ହେବା ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ନିଶାମୁକ୍ତ ପାଇଁ ଶପଥ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

ସିଲ୍ ହେଲା ସାହୁ ହୋଟେଲ ଆଣ୍ଡ ଲଜ୍ 

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଇସିଙ୍ଗା ଗାଁ ନିକଟରେ ଥିବା ସାହୁ ହୋଟେଲ ଆଣ୍ଡ ଲଜ୍‌କୁ ସିଲ୍ କରାଯାଇଛି। ଏକ ଘରୋଇ ବ୍ୟାଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛିl ସୂଚନା ଅନୁସାରେ, ସାହୁ ହୋଟେଲ ଆଣ୍ଡ ଲଜ୍‌କୁ ବନ୍ଧକ ରଖି ବ୍ୟାଙ୍କରୁ ୫୯ ଲକ୍ଷ ଟଙ୍କା ଋଣ ନିଆଯାଇଥିଲା। ଦୀର୍ଘଦିନ ଧରି ଋଣ ପରିଶୋଧ ନହେବାରୁ ସୁଧ ଓ ଅନ୍ୟାନ୍ୟ ଦେୟ ମିଶି ଏହି ରାଶି ପ୍ରାୟ ୯୨ ଲକ୍ଷ ଟଙ୍କାରେ ପହଞ୍ଚିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି।ବ୍ୟାଙ୍କ ପକ୍ଷରୁ ଗତ ୬ ମାସ ଧରି ବାରମ୍ବାର ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ଋଣଗ୍ରହୀତା ଋଣ ପରିଶୋଧ କରିନଥିବା କିମ୍ବା ନିୟମିତ କିସ୍ତି ଦେଇନଥିବା ଅଭିଯୋଗ ହୋଇଛିl ଶେଷରେ ଜିରିଡାମାଳି ସ୍ଥିତ ଘରୋଇ ବ୍ୟାଙ୍କ ଶାଖାର ଅଧିକାରୀ, କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ସୌମ୍ୟଜିତ ପାଇକରାୟ ଏବଂ କାମାକ୍ଷାନଗର ପୋଲିସର ଉପସ୍ଥିତିରେ ହୋଟେଲ ଆଣ୍ଡ ଲଜ୍‌କୁ ସିଲ୍ କରାଯାଇଛି। ସୁରକ୍ଷାକୁ ଆଖି ଆଗରେ ରଖି ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l

ବିଦ୍ୟୁତ ଆଘାତରେ ମୃତକ ଙ୍କ ପରିବାର ବର୍ଗ କୁ ଭେଟିଲା ବିଜେଡି ଟିମ୍
ବିଦ୍ୟୁତ ବିଭାଗ କ୍ଷତିପୂରଣ ଦେବାକୁ ଦାବି

କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତର କୀର୍ତ୍ତନପୁର ଗ୍ରାମରେ ଶୁକ୍ରବାର ବିଲରେ ବାଉଁଶ ଦ୍ୱାରା ବାଡ ଦେଉଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତମାନୁ ମଲିକ ଓରଫ ଅଗାଧୁ (୩୩ ) ଙ୍କ ର ମୃତ୍ୟୁ ହୋଇଥିବା ବେଳେ ଅମିନ ମଲିକ ଗୁରୁତର ଆହତ ହୋଇଥିଲେ । ଅଗାଧୁ ଙ୍କ ପିତା କୀର୍ତ୍ତନ ମଲିକ ଜଣେ ଶ୍ୱାସ ରୋଗୀ ଓ ତାଙ୍କର ଏକ ଛୋଟ ଶିଶୁ ପୁତ୍ର ଅଛି । ବିଜୁ ଜନତା ଦଳ, ଭୁବନ ତରଫରୁ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଓ ବିଜେଡି କର୍ମକର୍ତ୍ତା ମାନେ କୀର୍ତ୍ତନପୁର ଗ୍ରାମକୁ ଯାଇ ଉଭୟ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଏହି ଦୁଃଖଦ ସମୟରେ ପରିବାର ସହିତ ଠିଆ ହୋଇଥିଲେ । ଗୁରୁତର ଆହତ ଅମିନଙ୍କୁ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ପଠାଇବାର ବ୍ୟବସ୍ଥା କରିଥିଲେ । ଏଭଳି ଦୁଃଖଦ ସମୟରେ ବିଜେଡି ନେତା ମାନେ ମୃତକ ଙ୍କ ପରିବାର ବର୍ଗ ଭେଟି ସମବେଦନା ଜଣାଇବା ସହିତ ସହଯୋଗ କରିଥିବାରୁ ଜନ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛି । ଟି ପି ସି ଓ ଡି ଏଲ ର ଖାମ ଖିଆଲି ଓ ବେପରୁଆ ନୀତି ସାଙ୍ଗକୁ ଅବହେଳା ପାଇଁ ବିଭିନ୍ନ ସ୍ଥାନରେ ( ଚାଷ ଜମି ଓ ଜନ ବସତି ଉପରେ) ବହୁତ ତଳେ ୧୧ କେ ଭି ତାର ଝୁଲି ରହିଛି ଓ ବାରମ୍ବାର ଏଭଳି ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି । ବିଦ୍ୟୁତ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ମଠକରଗୋଳା ମହାବିଦ୍ୟାଳୟରେ ମହିଳା ସୁରକ୍ଷା ସମ୍ପର୍କିତ ଆଇନଗତ ଅଧିକାର ଉପରେ କର୍ମଶାଳା

କାମାକ୍ଷାନଗର – ମଠକରଗୋଳା ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ଆନୁକୂଲ୍ୟରେ “ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଆଇନଗତ ଅଧିକାର ଓ ନିୟମାବଳୀ – IPC, POSH, POCSO ଓ ଆଣ୍ଟି-ରାଗିଂ” ଶୀର୍ଷକରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମହିଳାଙ୍କ ସୁରକ୍ଷା, ସଂରକ୍ଷଣ ଓ ଅଧିକାର ସମ୍ପର୍କିତ ବିଭିନ୍ନ ଆଇନଗତ ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କର୍ମଶାଳାର ସଭାପତି ପ୍ରଫେସର ଚିତ୍ତ ରଞ୍ଜନ ଦାଶ ମହିଳାଙ୍କ ସୁରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଆଇନଗତ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ। କର୍ମଶାଳାର ମୁଖ୍ୟ ଅତିଥି ଭାବେ ଆଭ୍ୟନ୍ତରୀଣ ଅଭିଯୋଗ ସମିତି (ICC) ର ସଦସ୍ୟା ଅଧ୍ୟାପିକା ପ୍ରତିଭା ମଞ୍ଜରୀ ଦାଶ ଯୋଗଦେଇ ବାଳିକାମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ। ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ସଂଯୋଜିକା ଶ୍ରୀମତୀ ଶୁଭସ୍ମିତା ବିଶ୍ଵାଳ POCSO ଆଇନ ଉପରେ ବିଶେଷ ଗୁରୁତ୍ୱ ଦେଇ ଏହାର ମୁଖ୍ୟ ବ୍ୟବସ୍ଥାଗୁଡ଼ିକ ବ୍ୟାଖ୍ୟା କରିଥିଲେ ଏବଂ ଶିଶୁମାନଙ୍କୁ ଯୌନ ନିର୍ଯାତନା, ଶୋଷଣ ଓ ହଇରାଣରୁ ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ।ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ସଦସ୍ୟା ଶ୍ରୀମତୀ ବିଦ୍ୟାବତୀ ରାଜେନ୍ଦ୍ର, ଶ୍ରୀମତୀ ଅର୍ଚ୍ଚିତା ମହାମାନସିଂ, ଶ୍ରୀମତୀ ବିଜୟିନୀ ଲେଙ୍କା ଓ ରୋଜାଲିନ୍ ପୃଷ୍ଟି ମଧ୍ୟ ନିଜ ନିଜ ମତ ପ୍ରକାଶ କରିଥିଲେ। ଶ୍ରୀ ଫକିର ମୋହନ ଲେଙ୍କା ଯାନ୍ତ୍ରିକ ସହାୟତା ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ଅଧ୍ୟାପିକା ଦିପ୍ତିମୟୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଛଦେଶ ବିକାଶ ପରିଷଦର ୩୦ ଜଣିଆ ଟିମ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ଢେଙ୍କାନାଳ – ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକର ଛଦେଶ ଅଞ୍ଚଳଟି ସଦର ବ୍ଲକର ୮ଟି ପଞ୍ଚାୟତ ଏବଂ ଓଡ଼ାପଡ଼ା ବ୍ଲକର ୪ ଟି ପଞ୍ଚାୟତକୁ ନେଇ ଗଢିଉଠିଛି। ଛଦେଶ ଅଞ୍ଚଳଟି ବହୁ ସମସ୍ୟା ଦେଇ ଗତିକରି ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇ ପଡ଼ିଛି। ଛଦେଶବାସୀ ଏହାର ପ୍ରତିବାଦ କରି ଭାପୁର ଠାରେ ୧୦ ଦଫା ଦାବି ନେଇ ଛଦେଶ ବିକାଶ ପରିଷଦ ପକ୍ଷରୁ ଛଦେଶ ବନ୍ଦ ପରେ ଏହି ୧୦ ଦଫା ଦାବି ନେଇ ଛଦେଶ ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ଅଗଷ୍ଟ ୯ ଠାରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଅହୋରାତ୍ର ୧୦ ଦଫା ଦାବୀକୁ ନେଇ ଧାରଣା ଦେଇଥିଲେ। ୧୦ ଟି ମୁଖ୍ୟ ଦାବି ହେଲା ଯଥା-

୧- ଛଦେଶ ବ୍ଳକ ଗଠନ .

୨- ବିଜୁଳି ସମସ୍ୟା ସ୍ଥାୟୀ ସାମାଧାନ

୩- ଭାପୁର ତଥା ଅନ୍ୟ ମେଡିକାଲ ଗୁଡିକରେ ଡାକ୍ତର ଷ୍ଟାଫ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ .

୪- ଭାପୁର ଫାଣ୍ଡି କୁ ଥାନାଜୁ ପରିଣତ.

୫- ସାପୁଆ ନଦୀର ସୁରକ୍ଷା

୬-ଶଙ୍କରପୁର କୋତ୍ତମ ରାସ୍ତା ମରାମତି .

୭- ଭତ୍ତା ଧାରୀଙ୍କ ଭତ୍ତା ଟଙ୍କା ତୁରନ୍ତ ଯୋଗାଇବା

୮- ଉପଯୁକ୍ତ ହିତାଧିକାରୀଙ୍କୁ ଆବାସ ଗୃହ ଯୋଗାଣ .

୯- ଦମକଳ କେନ୍ଦ୍ର ସ୍ଥାପନ .

୧୦- ଭାପୁରରେ ଏକ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପନ । ଏଥିରେ ଫଳ ପଦ ନ ହେବାରୁ ଛଦେଶ ବିକାଶ ପରିଷଦର ୩୦ ଜଣିଆ ଏକ ଟିମ୍ କମିଟି ଆଜି ଭୁବନେଶ୍ୱର ଗ୍ରସ୍ତ କରିଥିଲେ। ପୂର୍ବତନ ବିଧାୟକ ସୁଧୀର କୁମାର ସାମଲଙ୍କ ସହଯୋଗରେ ନବୀନ ନିବାସକୁ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳର ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ସମସ୍ୟାର ସମାଧାନ ପାଇଁ ଦାବୀ ଜଣାଇ ଥିଲେ।

ଢେଙ୍କାନାଳ ଭାପୁରରୁ ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ 

ଢେଙ୍କାନାଳ – ଢେଙ୍କାନାଳ ସଦର ଥାନା ଭାପୁର ଅଞ୍ଚଳରୁ ଚୋରା ମାଙ୍କଡା ପଥର ବୋଝେଇ ଏକ ଟ୍ରକ୍‌କୁ ଜବତ କରିଛି ପୋଲିସ,ଟ୍ରକ୍‌ଟି ଜବତ ପରେ ଏବେ ଏହାର ମାଲିକାନା,ପଥରର ଉତ୍ସ ଏବଂ ପରିବହନ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି। ସୂଚନା ଅନୁସାରେ,ଦୁଇ ଦିନ ତଳେ ଭାପୁର ଅଞ୍ଚଳ ଦେଇ ଏକ ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ୍ ଯାଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ପୋଲିସ ଗାଡ଼ିଟି ଉପରେ ନଜର ରଖିଥିଲା। ପୋଲିସ ଟ୍ରକ୍‌ଟିକୁ ପିଛା କରି ଅଧା ରାସ୍ତାରେ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଟ୍ରକ୍‌ରେ ମାଙ୍କଡା ପଥର ବୋଝେଇ ହୋଇଥିବା ଦେଖିବାକୁ ମିଳିବା ପରେ ପୋଲିସ ଗାଡ଼ିଟିକୁ ଜବତ କରିଥିଲା। ଜବତ ଟ୍ରକ୍‌ର ନମ୍ବର OR 02 AX 6755 ବୋଲି ଜଣାପଡ଼ିଛି। ଭାପୁର ଫାଣ୍ଡି ପୋଲିସ ଟ୍ରକ୍‌ଟିକୁ ଭାପୁରରେ ରଖି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଏହି ମାଙ୍କଡା ପଥର କେଉଁଠାରୁ ଆସିଥିଲା,ଏହାର ପରିବହନ ପାଇଁ ଆବଶ୍ୟକ ଅନୁମତି ଥିଲା କି ନାହିଁ ଏବଂ ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି,ସେନେଇ ପୋଲିସ ତଦନ୍ତ କରୁଛି। ଭାପୁର ଅଞ୍ଚଳରେ ଚୋରା ମାଙ୍କଡା ପଥର ପରିବହନକୁ ନେଇ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ପରେ ଏବେ ପଥର ଚୋରାଚାଲାଣ ଉପରେ ଅଙ୍କୁଶ ଲାଗିବ ବୋଲି ଆଶା କରାଯାଉଛି। ତଦନ୍ତ ପରେ ଘଟଣାର ପୂରା ସତ୍ୟ ସାମ୍ନାକୁ ଆସିବ । ଭାପୁରରୁ ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି।

ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କ ପରଲୋକ 

କାମାକ୍ଷାନଗର- କାମାକ୍ଷାନଗର ସହରର ମୁଣ୍ଡିଦେଉଳି ବସ୍ତିର ଅବସରପ୍ରାପ୍ତ ଚିକିତ୍ସକ ଗୋକୁଳାନନ୍ଦ ମହାପାତ୍ରଙ୍କର ୯0 ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି l ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ରହିଥିଲେ l ମୃତ୍ୟୁ ଖବର ପ୍ରଚାର ହେବା ପରେ ବହୁ ଶୁଭେଛୁ, ବନ୍ଧୁ ଓ ପରିବାର ବର୍ଗ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ l ତାଙ୍କର ମୃତଦେହକୁ ଏକ ଶୋଭାଯାତ୍ରାରେ ନିଆଯାଇ ପୈତୃକ ଗ୍ରାମ ଆମ୍ବପଲାଶ ଗ୍ରାମର ଶ୍ମାଶନରେ ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଛି l ତାଙ୍କର ପୁତ୍ର ପ୍ରବୋଧ ମୁଖାଗ୍ନି ଦେଇଛନ୍ତି l ତାଙ୍କ ମୃତ୍ୟୁରେ ସହର ତଥା ନିଜ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ରାଉରକେଲା ଏସସି ଏବଂ ଏସଟି କର୍ମଚାରୀ ସଂଘର ସ୍ୱଚ୍ଛତା ସ୍ବାଭିମାନ କାର୍ଯ୍ୟକ୍ରମ 

Sunil Chandra Nayak

ବାଇକ ଦୁର୍ଘଟଣାରେ ମହିଳା ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ : ସମୀକ୍ଷା କଲେ ମାନ୍ୟବର ବିଧାୟକ ନବରଙ୍ଗପୁର

Sunil Chandra Nayak

Leave a Comment

error: Content is protected !!