ତାଳଚେରଠାରେ ହେବ ହିନ୍ଦ ମଜଦୁର ସଭା ଓଡ଼ିଶା ରାଜ୍ୟ ସମ୍ମିଳନୀ , ଆଇନ ଅନୁଯାୟୀ ରାଜ୍ୟ କମିଟି ଓ କର୍ମକର୍ତ୍ତା ନିର୍ବାଚନ
ରାଉରକେଲା : ହିନ୍ଦ ମଜଦୁର ସଭା ଓଡ଼ିଶା ରାଜ୍ୟ ପରିଷଦର ଆଗାମୀ ରାଜ୍ୟ ସମ୍ମିଳନୀ ତାଳଚେରଠାରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ସହିତ ସଭା ର ଓଡ଼ିଶା ରାଜ୍ୟ ପରିଷଦର ନୂତନ ରାଜ୍ୟ କମିଟି ଓ କର୍ମକର୍ତ୍ତାମାନଙ୍କ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ ଗତ ଜୁନ୍ ୭ ତାରିଖରେ ସମ୍ବଲପୁରଠାରେ ସଭାପତି ବିଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ କମିଟି ବୈଠକରେ ରାଜ୍ୟ ସମ୍ମିଳନୀ ଆୟୋଜନ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ଓ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଉକ୍ତ ନିଷ୍ପତ୍ତି ଅନୁଯାୟୀ ଏବଂ ସଭା ର ଆଇନ ରେ ନିର୍ଦ୍ଧାରିତ ସମସ୍ତ ନିୟମ ଓ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଆଧାର କରି ଆଗାମୀ ରାଜ୍ୟ ସମ୍ମିଳନୀ ତଥା ରାଜ୍ୟ କମିଟି ଓ କର୍ମକର୍ତ୍ତା ନିର୍ବାଚନ ସେପ୍ଟେମ୍ବର ୨୬-୨୭ ଦୁଇ ଦିନ ଧରି ତାଳଚେରଠାରେ ଅନୁଷ୍ଠିତ ହେବ।
ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଶିଳ୍ପାଞ୍ଚଳ, ଖଣି, କାରଖାନା ଓ ବିଭିନ୍ନ ପ୍ରତିଷ୍ଠାନରୁ ହିନ୍ଦ ମଜଦୁର ସଭା ସହ ସମ୍ବନ୍ଧିତ ସମସ୍ତ ଟ୍ରେଡ ୟୁନିଅନର ପ୍ରତିନିଧି, କର୍ମକର୍ତ୍ତା ଓ ଶ୍ରମିକ ସାଥୀମାନେ ଯୋଗଦେବେ। ସମ୍ମିଳନୀରେ ଶ୍ରମିକମାନଙ୍କ ବର୍ତ୍ତମାନର ସମସ୍ୟା, ଚାକିରି ସୁରକ୍ଷା, ମଜୁରି, ସାମାଜିକ ସୁରକ୍ଷା, ଠିକା ଶ୍ରମିକଙ୍କ ସମସ୍ୟା, ଶ୍ରମିକ କଲ୍ୟାଣ ଏବଂ ଶ୍ରମିକଙ୍କ ନ୍ୟାଯ୍ୟ ଅଧିକାର ଆଦି ବିଷୟରେ ବ୍ୟାପକ ଆଲୋଚନା କରାଯିବ। ଏଥିସହିତ ରାଜ୍ୟରେ ସଭା ର ସାଙ୍ଗଠନିକ କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ଏବଂ ଶ୍ରମିକ ଆନ୍ଦୋଳନକୁ ତୃଣମୂଳ ସ୍ତରରେ ଅଧିକ ସଂଗଠିତ କରିବା ପାଇଁ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ। ଏଚଏମଏସ
ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସମ୍ମିଳନୀ ଓ କର୍ମକର୍ତ୍ତା ନିର୍ବାଚନ ସଂଗଠନର ଆଇନ ଅନୁଯାୟୀ ସ୍ୱଚ୍ଛ, ଶୃଙ୍ଖଳିତ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମ୍ପନ୍ନ କରାଯିବ। ସଂଗଠନର ଏକତା, ଶୃଙ୍ଖଳା ଓ ଗଣତାନ୍ତ୍ରିକ ପରମ୍ପରାକୁ ଅକ୍ଷୁଣ୍ଣ ରଖି ସମସ୍ତ ସମ୍ବନ୍ଧିତ ସଂଘର ସକ୍ରିୟ ସହଯୋଗ ଏହି ସମ୍ମିଳନୀକୁ ସଫଳ କରିବାରେ ମୁଖ୍ୟ ଭୂମିକା ନେବ। ଏହି ପରିପ୍ରେକ୍ଷୀରେ ଏଚଏମଏସ ଓଡ଼ିଶା ରାଜ୍ୟ ପରିଷଦ ସହ ସମ୍ବନ୍ଧିତ ସମସ୍ତ ସଂଘର ସାଥୀ, କର୍ମକର୍ତ୍ତା ଓ ପ୍ରତିନିଧିମାନଙ୍କୁ ରାଜ୍ୟ ସମ୍ମିଳନୀ ଓ ନିର୍ବାଚନ ପ୍ରକ୍ରିୟାରେ ପୂର୍ଣ୍ଣ ସହଯୋଗ କରିବା ସହିତ ଏହାକୁ ସଫଳ କରିବା ପାଇଁ ଏକତାବଦ୍ଧ ଭାବେ ଆଗେଇ ଆସିବାକୁ ଅନୁରୋଧ କରାଯାଇଛି। ତାଳଚେର ଠାରେ ହେବାକୁ ଥିବା ଏହି ରାଜ୍ୟ ସମ୍ମିଳନୀ ଓ ରାଜ୍ୟ କମିଟି ନିର୍ବାଚନ ହିନ୍ଦ ମଜଦୁର ସଭା ଓଡ଼ିଶାର ସାଙ୍ଗଠନିକ ଏକତାକୁ ଆହୁରି ମଜବୁତ କରିବା ସହିତ ଆଗାମୀ ଦିନରେ ଶ୍ରମିକ ସ୍ୱାର୍ଥ ଓ ଅଧିକାର ପାଇଁ ଏକ ଶକ୍ତିଶାଳୀ ଓ ସୁଦୃଢ଼ ଆନ୍ଦୋଳନ ଗଢ଼ି ତୋଳିବ ବୋଲି ଆଶା ପ୍ରକାଶ କରାଯାଇଛି।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

