ଆସନ୍ତା ୧୨ ତାରିଖ ରାଉରକେଲା ର ସାହିତ୍ୟ ସଂଗଠନ ପାଳିବ କଳାଦିବସ
ଆଦର୍ଶ ପାଠାଗାର ପାଇଁ ଏକ ହେଲେ ସାହିତ୍ୟିକ, ସାଂସ୍କୃତିକ, ସାମାଜିକ, ଶ୍ରମିକ ସଂଗଠନ ଓ ରାଜନୈତିକ ଦଳ
ରାଉରକେଲା: ରାଉରକେଲା ଇସ୍ପାତ କାରଖାନା କର୍ତ୍ତୁପକ୍ଷ ସହରର ସର୍ବ ପୁରାତନ ସାହିତ୍ୟ ସଂସ୍କୃତିର ବାର୍ତ୍ତାବହ ସାଜିଥିବା ଆଦର୍ଶ ପାଠାଗାର ଓ ଭଞ୍ଜଭବନକୁ ଠିକ୍ ବର୍ଷକ ତଳେ ନିଜ ଅକ୍ତିଆରକୁ ନେଇଥିବାରୁ, ଏହା ବିରୋଧରେ ସହରର ବିଭିନ୍ନ ସାହିତ୍ୟିକ, ସାମାଜିକ, ସାଂସ୍କୃତିକ ଓ ଶ୍ରମିକ ସଂଗଠନ ତଥା ବିଭିନ୍ନ ରାଜନୈତିକ ଦଳ ତରଫରୁ ଭଞ୍ଜ ଭବନ ସମ୍ମୁଖରେ ଥିବା ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ନିକଟରେ କଳାଦିବସ ପାଳନ କରିବ ବୋଲି ସ୍ଥିର କରିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହୁଥିବାବେଳେ, ରାଉରକେଲା ଇସ୍ପାତ କାରଖାନା ( ସେଲ)ଓଡ଼ିଆ ଅସ୍ମିତାକୁ ପଦାଘାତ କରି ଦୀର୍ଘ ୬୮ ବର୍ଷର ଅନୁଷ୍ଠାନ ଆଦର୍ଶ ପାଠାଗାର ତଥା ଭଞ୍ଜଭବନ କୁ ଜୋର ଜବରଦସ୍ତ ନିଜ ଅକ୍ତିଆରକୁ ନେଇଥିଲା । ୧୯୫୮ ମସିହାରେ ଭାଷା, ସାହିତ୍ୟ, ସଂସ୍କୃତି ପାଇଁ ପ୍ରତିଷ୍ଠିତ ହୋଇଥିବା ଆଦର୍ଶ ପାଠାଗାରର ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେବେ ନ୍ୟାୟାଳୟରେ ମାମଲା ବିଚାରଧୀନ ଥିଲା ବେଳେ ଅତ୍ୟନ୍ତ ଅନ୍ୟାୟ ଭାବେ କୋର୍ଟର ରହିତାଦେଶ କୁ ଅବଜ୍ଞା କରି ବଳପୂର୍ବକ ଭାବେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଜୋର ଜବରଦସ୍ତ ନିଜ ଅଧୀନକୁ ନେଇ ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି କୁଠାରାଘାତ କରିଛନ୍ତି ବୋଲି ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହେବା ସହିତ ଘୋର ପ୍ରତିବାଦ କରାଯାଇଛି । ଏନେଇ ସ୍ଥାନୀୟ ସରୋବର ଠାରେ ଆଦର୍ଶ ପାଠାଗାର ସଭାପତି ରାଧାକାନ୍ତ ମିଶ୍ର ଙ୍କ ଆବାହକରେ ଆୟୋଜିତ ବୈଠକରେ ସହରର ବିଭିନ୍ନ ଅନୁଷ୍ଠାନରୁ ଓଡ଼ିଆ ଭାଷା ପ୍ରେମୀ ମାନେ ଆସନ୍ତା ୧୨ ତାରିଖ ଦିନ କଳାଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ବିଭିନ୍ନ ଓଡ଼ିଆ ସଂଗଠନ, ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଇଛି। ଏଥିପାଇଁ ସେହିଦିନଠାରୁ ଦସ୍ତଖତ ଅଭିଯାନ ସହ ଏ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀ ,ରାଜସ୍ବ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ରାଜ୍ୟସଭା ସାଂସଦ, ଜିଲ୍ଲା ସାଂସଦ, ଜିଲ୍ଲାର ସମସ୍ତ ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ତଥା ଆବଶ୍ୟକ ସ୍ଥଳେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କୁ ପ୍ରକୃତ ତଥ୍ୟ ଅବଗତ କରାଯାଇ ଏଥି ପ୍ରତି ନ୍ୟାୟ ପ୍ରଦାନ କରିବା ପାଇଁ ଅନୁରୋଧ କରାଯିବ। ଏଥିପାଇଁ ଓଡ଼ିଆ ଭାଷା ଓ ସଂସ୍କୃତିକୁ ସମ୍ମାନ ଦେଉଥିବା ସମସ୍ତଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଆଜିର ଏହି ବୈଠକରେ ସହରର ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ, ରାଜନୈତିକ ଦଳ ପକ୍ଷରୁ ସର୍ବଶ୍ରୀ ଡ ସନାତନ ପ୍ରଧାନ,ଅଭୟ କୁମାର ଦାସ,ପି ପି ରାୟ,ସଂଜୀବ ମହାନ୍ତି, ଅକ୍ଷୟ ସାମଲ,ଗଙ୍ଗାଧର ଦାଶ, ଶ୍ରୀମନ୍ତ ବେହେରା,ଏଟମ ରଥ,ଡା ବସନ୍ତ ଦାସ,ଆର୍ତ୍ତତ୍ରାଣ ମହାପାତ୍ର, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ପ୍ରଦୀପ କୁମାର ପଟ୍ଟନାୟକ,ଆଲୋକ ବୋଷ, ବିଜୟ କୁମାର ପାତ୍ର, ଆଶୁତୋଷ ଜ୍ୟୋତିଷୀ, ବିଭୁତି ଭୁଷଣ ବିଶ୍ବାଳ,କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

