ଆଜିର ଦିବସର ଅନୁଚିନ୍ତା: ଅକ୍ଟୋବର ୨୫ ତାରିଖ: କାଳର କାନଭାସରେ ଇତିହାସ,ବିଜ୍ଞାନ ଓ ମାନବୀୟ ଚେତନାର ଅପୂର୍ବ,ଅନନ୍ୟ,ଅନୁପମ ସମନ୍ୱୟ
ଡା.ଦେବୀ ପ୍ରସାଦ ମିଶ୍ର
କାଳର ପ୍ରବାହ ନିରନ୍ତର।ସମୟର ପ୍ରତିଟି ମୁହୂର୍ତ୍ତ ଇତିହାସର ପୃଷ୍ଠାରେ ନିଜର ସ୍ୱତନ୍ତ୍ର ସ୍ୱାକ୍ଷର ଛାଡ଼ିଯାଏ।ଅକ୍ଟୋବର ୨୫ ତାରିଖ କଳା, ସଙ୍ଗୀତ, ବିଜ୍ଞାନ,ଗଣତନ୍ତ୍ର ଓ ପ୍ରକୃତିର ଶକ୍ତି ସମ୍ପର୍କରେ ଆମକୁ ଅନେକ ଶିକ୍ଷଣୀୟ ବାର୍ତ୍ତା ପ୍ରଦାନ କରେ।
ବିଶ୍ୱ କ୍ଷେତ୍ରରେ ବିଶ୍ୱ ପ୍ରେକ୍ଷାପଟରେ ଆଜି ଆନ୍ତର୍ଜାତୀୟ କଳାକାର ଦିବସ ଓ ବିଶ୍ୱ ଅପେରା ଦିବସ ପାଳନ କରାଯାଏ। ୧୮୮୧ ମସିହା ଏହି ଦିନ ସ୍ପେନ୍ର ମାଲାଗାଠାରେ ମହାନ ଚିତ୍ରଶିଳ୍ପୀ ପାବ୍ଲୋ ପିକାସୋ ଜନ୍ମଗ୍ରହଣ କରିଥିଲେ।ତାଙ୍କର ସୃଜନଶୀଳତା ଓ ଜର୍ଜ ବ୍ରାକ୍ଙ୍କ ସହ କ୍ୟୁବିଜିମ୍ର ବିକାଶ ଆଧୁନିକ ଚିତ୍ରକଳାକୁ ନୂତନ ଦିଗ ଦେଇଥିଲା।୧୮୩୮ ମସିହା ଅକ୍ଟୋବର ୨୫ରେ ଜନ୍ମିତ ସଙ୍ଗୀତଜ୍ଞ ଜର୍ଜ ବିଜେଙ୍କ ‘କାର୍ମେନ୍’ ଓପେରା ବିଶ୍ୱ ସଙ୍ଗୀତ ଜଗତର ଏକ ଅମର କୃତି। ଏହି ଦିନ ୨୦୦୧ ମସିହାରେ ମାଇକ୍ରୋସଫ୍ଟର ୱିଣ୍ଡୋଜ୍ ଏକ୍ସପି ବିଶ୍ୱବ୍ୟାପୀ ଉପଲବ୍ଧ ହୋଇଥିଲା। ଏହା ଡିଜିଟାଲ୍ ପ୍ରଯୁକ୍ତିର ଇତିହାସରେ ଏକ ଉଲ୍ଲେଖନୀୟ ଘଟଣା।
ଭାରତ କ୍ଷେତ୍ରରେ ଭାରତର ଗଣତାନ୍ତ୍ରିକ ଯାତ୍ରାରେ ମଧ୍ୟ ଅକ୍ଟୋବର ୨୫ର ଗୁରୁତ୍ୱ ରହିଛି।୧୯୫୧ ମସିହା ଏହି ଦିନ ହିମାଚଳ ପ୍ରଦେଶରେ ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନର ମତଦାନ ଆରମ୍ଭ ହୋଇଥିଲା।ଏହି ଐତିହାସିକ ପ୍ରକ୍ରିୟା ଭାରତର ସାର୍ବଜନୀନ ମତାଧିକାର ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିଥିଲା।ଚଳିତ ୨୦୨୬ ମସିହା ଅକ୍ଟୋବର ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।ଏହା ଦେଶର ଆର୍ଥିକ ତଥ୍ୟ ସୁରକ୍ଷା ଓ ଡିଜିଟାଲ୍ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସହାୟକ ହେବ।
ଓଡ଼ିଶା କ୍ଷେତ୍ରରେ ଏହାର ଇତିହାସରେ ୧୯୯୯ ମହାବାତ୍ୟା ଏକ ହୃଦୟବିଦାରକ ଅଧ୍ୟାୟ। ଅକ୍ଟୋବର ୨୫ରେ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟ ନିମ୍ନଚାପ କ୍ଷେତ୍ର ଶକ୍ତିଶାଳୀ ହୋଇ ୨୯ ଅକ୍ଟୋବରରେ ପାରାଦୀପ ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା।ଏହା ବ୍ୟାପକ ଜୀବନହାନି ଓ ସମ୍ପତ୍ତି ନଷ୍ଟର କାରଣ ହୋଇଥିଲା। ଏହି ବିପର୍ଯ୍ୟୟ ଆମକୁ ଆଗୁଆ ସତର୍କ ସୂଚନା, ଜନସଚେତନତା,ନିରାପଦ ଆଶ୍ରୟ ଓ ସୁଦୃଢ଼ ବିପର୍ଯ୍ୟୟ ପରିଚାଳନାର ଗୁରୁତ୍ୱ ଶିଖାଇଛି।
ଆଜିର ଦିବସର ଅନୁଚିନ୍ତା ସମ୍ପର୍କରେ ଅନୁଶୀଳନ କଲେ ଜଣାପଡ଼େ ଯେ ଜ୍ଞାନ,କଳା,ବିଜ୍ଞାନ,ଗଣତନ୍ତ୍ର ଓ ସଂଘର୍ଷଶୀଳତା ମାନବ ସଭ୍ୟତାର ପ୍ରକୃତ ଶକ୍ତି।ପିକାସୋଙ୍କ ସୃଜନଶୀଳତା,ବିଜେଙ୍କ ସଙ୍ଗୀତ, ଗଣତନ୍ତ୍ରର ମୂଲ୍ୟବୋଧ ଓ ମହାବାତ୍ୟାରୁ ମିଳିଥିବା ଶିକ୍ଷା ଆମକୁ ନୂତନ ଦିଗ ଦେଖାଏ।ତେବେ ଆସନ୍ତୁ,ଆମେ ସମସ୍ତେ ବିଜ୍ଞାନର ସଦୁପଯୋଗ, ପ୍ରକୃତି ପ୍ରତି ସମ୍ମାନ,ମାନବୀୟ ସହାନୁଭୂତି ଓ ସେବାଭାବ ମାଧ୍ୟମରେ ଏକ ସମୃଦ୍ଧ,ସୁରକ୍ଷିତ ଓ ପ୍ରଗତିଶୀଳ ବିଶ୍ୱ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।
ଡା.ଦେବୀ ପ୍ରସାଦ ମିଶ୍ର,

