ଚଳନା ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା ପାଇଁ ମାଟି ଅନୁକୂଳ
ସିନାପାଲି, ୩୦/୧୦ : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଳନା ଗ୍ରାମରେ ପ୍ରଭୁ ଶ୍ରୀ ଗିରିଗୋବର୍ଦ୍ଧନଙ୍କ ପୂଜା ଉତ୍ସବ ପାଇଁ ଆଜି ପାରମ୍ପରିକ ରୀତିନୀତି ଅନୁଯାୟୀ ମାଟି ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ଧାର୍ମିକ କାର୍ଯ୍ୟକ୍ରମକୁ ନେଇ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ପ୍ରକାଶ ପାଇଛି।
ଏହି ଅବସରରେ ପ୍ରଥମେ ଗ୍ରାମର ଝାଙ୍କରଙ୍କ ଦ୍ୱାରା ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପରେ ସ୍ଥାନୀୟ ଉଦନ୍ତୀ ନଦୀ ପୀଠରୁ ମାଟି ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶଙ୍ଖ, ଘଣ୍ଟ ଓ ହୁଳହୁଳି ଧ୍ୱନି ସାଙ୍ଗକୁ ସଂକୀର୍ତ୍ତନ ମଣ୍ଡଳୀଙ୍କ ନାମ ସଂକୀର୍ତ୍ତନରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।
ଗ୍ରାମର ଏହି ପାରମ୍ପରିକ ଧାର୍ମିକ ଉତ୍ସବରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ମାଟି ଅନୁକୂଳ କାର୍ଯ୍ୟରେ ସହଯୋଗ କରିଥିଲେ। ଗିରିଗୋବର୍ଦ୍ଧନ ପୂଜା ଗ୍ରାମବାସୀଙ୍କ ଧାର୍ମିକ ଭାବନା ଓ ପରମ୍ପରା ସହ ଜଡ଼ିତ ଥିବାରୁ ପ୍ରତିବର୍ଷ ଏହି ପୂଜାକୁ ନେଇ ଅଞ୍ଚଳରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥାଏ। ମାଟି ଅନୁକୂଳ ସହିତ ଆଗାମୀ ପୂଜା ଉତ୍ସବର ପ୍ରସ୍ତୁତି ଆରମ୍ଭ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଛି।

