କଳାହାଣ୍ଡିରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ
ଭବାନୀପାଟଣା, ୨.୧୧.୨୦୨୬: ଆଗାମୀ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ର ସଫଳ ଆୟୋଜନ ନିମନ୍ତେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାଁନ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ବୈଠକରେ ମେଳାର ଆୟୋଜନ, କାର୍ଯ୍ୟସୂଚୀ ପ୍ରସ୍ତୁତି, ଚାଷୀଙ୍କ ଅଂଶଗ୍ରହଣ, ବିଭିନ୍ନ ବିଭାଗର ସମନ୍ୱୟ ଏବଂ ଆବଶ୍ୟକୀୟ ଭିତ୍ତିଭୂମି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଆସନ୍ତା ଡିସେମ୍ବର ୧୫ ଓ ୧୬ ତାରିଖରେ ଦୁଇଦିନିଆ ମେଳା ଆୟୋଜନ ପାଇଁ ପ୍ରାଥମିକ ଭାବେ ପ୍ରସ୍ତାବ ରଖାଯାଇଥିଲା।ମେଳାରେ ପ୍ରାୟ ୭୦୦ ଜଣ ଚାଷୀଙ୍କୁ ସାମିଲ କରିବା ସହ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୮ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଯୋଜନା ରହିଛି। ଏଥିସହିତ ୨୫ଟି ପ୍ରଦର୍ଶନୀ ଷ୍ଟଲ୍, ଜୀବନ୍ତ ପଶୁପକ୍ଷୀ ଓ ମାଛ ପ୍ରଦର୍ଶନ, ବାୟୋଫ୍ଲକ୍, ମାଛ ଚାଷର ଆଧୁନିକ ପ୍ରଣାଳୀ, ସମନ୍ୱିତ କୃଷି ପ୍ରଣାଳୀ ଏବଂ ଉନ୍ନତ ପ୍ରଜନନ ଓ ପାଳନ ପ୍ରଯୁକ୍ତିର ପ୍ରଦର୍ଶନ କରାଯିବା ନେଇ ଆଲୋଚନା ହୋଇଥିଲା।
ଚାଷୀ-ବୈଜ୍ଞାନିକ ଆଲୋଚନାଚକ୍ର, ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ସଚେତନତା, ଆଧୁନିକ ଯନ୍ତ୍ରପାତିର ପ୍ରଦର୍ଶନ, ଭିଡିଓ ପ୍ରଦର୍ଶନୀ ଏବଂ ଜିଲ୍ଲାର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମେଳାର ମୁଖ୍ୟ ଆକର୍ଷଣ ଭାବେ ସାମିଲ କରିବାକୁ ପ୍ରସ୍ତାବ ରହିଛି।
ଏହି ମେଳା ମାଧ୍ୟମରେ ମତ୍ସ୍ୟଚାଷୀ, ପଶୁପାଳକ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ଯୁବ ଉଦ୍ୟୋଗୀମାନଙ୍କୁ ସରକାରୀ ଯୋଜନା, ଆଧୁନିକ ଜ୍ଞାନକୌଶଳ ଓ ଉଦ୍ୟୋଗ ପ୍ରତିଷ୍ଠାର ସୁଯୋଗ ସମ୍ପର୍କରେ ଅବଗତ କରାଇବା ସହ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ଆତ୍ମନିଯୁକ୍ତି ଓ ଆୟ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ରହିବ।
ବୈଠକରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିର ସଦସ୍ୟ ସି ଡି ଭି ଓ ନିରଦ ଚନ୍ଦ୍ର କହଁର,ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀ, ଡି ଆଇ ପି ଆର୍ ଓ ମନୋଜ ବେହେରା,ଡି ସି ଓ ବିବେକାନନ୍ଦ ମହାନନ୍ଦ,ଡି ଡି ଏଚ ଅଜୟ କୁମାର ପ୍ରଧାନ, ଡି ପି ସି , ମିଶନ ଶକ୍ତି ସୁମନ ଦ୍ୱିବେଦୀ,ଏଲ ଡି ଏମ ଉଇଲିଅମ ରାକେଶ, ଏ ଡି ଭି ଓ ବି ଖମାରୀ ଯୋଗଦେଇ ମେଳାର ସଫଳ ଆୟୋଜନ ନିମନ୍ତେ ନିଜ ନିଜ ବିଭାଗର ପ୍ରସ୍ତୁତି ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍

