ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଦମୁକ୍ତ ପଞ୍ଚାୟତ ଗଠନ ପାଇଁ ମହିଳାଙ୍କ ମେଳି: ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ମଦମୁକ୍ତ ପଞ୍ଚାୟତ ଗଠନ ପାଇଁ ମହିଳାଙ୍କ ମେଳି: ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଧର୍ମଗଡ଼:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତରେ ଦେଶୀ ଓ ବିଦେଶୀ ମଦର ଅବାଧ ବିକ୍ରିକୁ ନେଇ ଦିନକୁ ଦିନ ଅସନ୍ତୋଷ ଘନେଇବାରେ ଲାଗିଛି। ପଞ୍ଚାୟତର ବିଭିନ୍ନ ଗାଁରେ ଜାରି ରହିଥିବା ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ସମଗ୍ର ପଞ୍ଚାୟତକୁ ନିଶାମୁକ୍ତ ଘୋଷଣା କରିବା ଦାବିରେ ଆଜି ଶତାଧିକ ମହିଳା ଓ ଏସଏଚଜି (SHG) ସଦସ୍ୟାମାନେ ଏକାଠି ହୋଇ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଅଭିଯୋଗ ଅନୁଯାୟୀ, ବଡ଼ପୋଡ଼ାଗୁଡ଼ା, ରଏନଗୁଡ଼ା, ଡାବ୍ରିଗୁଡ଼ା, ସର୍ଗିଗୁଡ଼ା, ତଲାଗାଁ, ଭଳିଆଜୋର, ତେଲିଗୁଡ଼ା, ବାବେକୁହୁରା ଓ କଛାରପଡ଼ା ଆଦି ଗ୍ରାମର ଗଳିକନ୍ଦି ଏବଂ ଛକମାନଙ୍କରେ ଦେଶୀ ଓ ବିଦେଶୀ ମଦର ଅବାଧ ବିକ୍ରି ଚାଲିଛି। ଏହାର କୁପ୍ରଭାବ ସାମାଜିକ ଓ ପାରିବାରିକ ପରିବେଶ ଉପରେ ଗଭୀର ଭାବେ ପଡ଼ୁଛି। ରାସ୍ତାଘାଟରେ ମଦ୍ୟପଙ୍କ ଆଡ଼ା ଜମୁଥିବାରୁ ମହିଳା ଓ ଯୁବତୀମାନେ ଯାତାୟାତ ସମୟରେ ଅସୁରକ୍ଷିତ ମନେ କରୁଛନ୍ତି। ମଦ୍ୟପାନକୁ କେନ୍ଦ୍ର କରି ପ୍ରତିଦିନ ପରିବାରରେ କଳହ, ଗାଳିଗୁଲଜ ଓ ମାରପିଟ୍ ଘଟୁଥିବା ବେଳେ ଏହା ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଆଡ଼କୁ ଠେଲି ଦେଉଛି।

ପୂର୍ବରୁ ଏନେଇ ପୁଲିସ ଓ ଅବକାରୀ ବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ମିଳିପାରି ନାହିଁ। କେବଳ ସାମୟିକ ଚଢ଼ାଉ ବଦଳରେ ଗାଁଗୁଡ଼ିକରେ ଚାଲିଥିବା ମଦ କୋଠିଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବାକୁ ମହିଳାମାନେ ଦାବି କରିଛନ୍ତି।

ପ୍ରଶାସନ, ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ନିୟମିତ ଚଢ଼ାଉ କରିବା, ବେଆଇନ ମଦ ବ୍ୟବସାୟୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଗ୍ରାମାଞ୍ଚଳରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବା ପାଇଁ ମହିଳାମାନେ ଆହ୍ୱାନ ଦେଇଛନ୍ତି।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯମୁନା ମାଝୀ, ପ୍ରଭାତୀ ଦାସ, ଜନେକ ନାଏକ, ଲକ୍ଷ୍ମୀ ବେମାଲ, ମୁକ୍ତା ମାଝୀ, ବିନୋଦିନୀ ନାଏକ, ଦମୟନ୍ତୀ ବାଗ, କସ୍ତୁରୀ ସୁନା, ବେଲମତି ସୁନା, ଘସିଆଣୀ ନାଏକ, ଡାଳିମ୍ବ ନାଗ, ବୈଦି ବାଗ, କୁନ୍ତୀ ନାଗ, ଇନ୍ଦ୍ରା ନାଏକ, ଭବାନୀ ଭାଟି, ପଦ୍ମା ଦାସ ଏବଂ ହୀରା ମଙ୍ଗରାଜଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଅମିତ କୁମାର ବେହେରା ଏହି ଦାବିପତ୍ର ଗ୍ରହଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସ୍ଥାନାନ୍ତରିତ ହେଲା ବିପିୟୁଟି ଠାରେ ଥିବା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର

Sunil Chandra Nayak

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ସୁଚନା ଅଧିକାର ଆଇନ ପ୍ରଶିକ୍ଷଣ କର୍ମଶାଳା 

masiha

ଭଉଣୀର ଚିକିତ୍ସା ପାଇଁ ଏମ କେ ସି ଜି ମେଡିକାଲକୁ ନେଇ ବଡ଼ଭାଇ ନିଖୋଜ 

Sunil Chandra Nayak

Leave a Comment

error: Content is protected !!