ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଏମ୍ ଶ୍ରୀ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଆଇନ ସେବା ଦିବସ ପାଳିତ

ପିଏମ୍ ଶ୍ରୀ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଆଇନ ସେବା ଦିବସ ପାଳିତ

ରାଇରଙ୍ଗପୁର, – ୧୦/୧୧: ଆଇନ କେବଳ ନ୍ୟାୟାଳୟର ପରିସର ମଧ୍ୟରେ ସୀମିତ ନୁହେଁ, ବରଂ ଏହା ପ୍ରତ୍ୟେକ ନାଗରିକଙ୍କ ଅଧିକାର, ସ୍ୱାଧୀନତା ଓ ମର୍ଯ୍ୟାଦାର ସୁରକ୍ଷା କବଚ। ଏକ ସଚେତନ ସମାଜ ଏବଂ ସମସ୍ତଙ୍କ ପାଇଁ ନ୍ୟାୟର ସୁଲଭତା ସୁନିଶ୍ଚିତ କରିବାର ମହତ୍ ଉଦ୍ଦେଶ୍ୟ ନେଇ ଗତକାଲି ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ରାଇରଙ୍ଗପୁର ତାଲୁକ ଆଇନ ସେବା କମିଟି ଆନୁକୂଲ୍ୟରେ ପିଏମ ଶ୍ରୀ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆଇନ ସେବା ସମ୍ଭନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ଅବସରରେ ରାଇରଙ୍ଗପୁର ଉପଖଣ୍ଡ ନ୍ୟାୟାଳୟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଡ. ଭି. ସୁଜାତା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ଆଲୋକ ପଣ୍ଡା ଏବଂ ଉପଖଣ୍ଡ ନ୍ୟାୟିକ ମାଜିଷ୍ଟ୍ରେଟ୍ ଶ୍ରୀ ମନୀନ୍ଦ୍ର ଭୂଷଣ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲେ। ସମସ୍ତ ଅତିଥି ବୃନ୍ଦ ଜାତୀୟ ଆଇନ ସେବା ଦିବସର ଐତିହାସିକ ପୃଷ୍ଠଭୂମି, ମୌଳିକ ଲକ୍ଷ୍ୟ ଓ ସାମାଜିକ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିବା ସହ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ମାଗଣା ଆଇନ ସହାୟତା, ଆଇନଗତ ଅଧିକାର, ନ୍ୟାୟ ପ୍ରାପ୍ତିର ସୁଯୋଗ ଏବଂ ନ୍ୟାୟ ବ୍ୟବସ୍ଥାରେ ସମସ୍ତଙ୍କ ସମାନ ଅଧିକାର ସମ୍ପର୍କରେ ସବିଶେଷ ବିଶ୍ଳେଷଣ କରିଥିଲେ।ଆଇନ ସଚେତନତା ହିଁ ନ୍ୟାୟଭିତ୍ତିକ ସୁସ୍ଥ ସମାଜ ଗଠନର ପରିଚାୟକ ବୋଲି ଅତିଥିବୃନ୍ଦ ମତ ପ୍ରକାଶ କରିଥିଲେ ।

ଅନ୍ୟତମ ଆମନ୍ତ୍ରିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଆର୍.ଏନ୍. ଜିଉ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଦିଲ୍ଲୀପ କୁମାର ମହାନ୍ତି ଯୋଗଦେଇ ଆଇନ ସେବାର ବିଭିନ୍ନ ଦିଗ ଓ ଏଥି ନିମନ୍ତେ ସମାଜର ସବୁ ବର୍ଗର ଲୋକଙ୍କ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଶିକ୍ଷା, ନୈତିକତା, ଆଇନ ପ୍ରତି ସମ୍ମାନ ଏବଂ ଜଣେ ଦାୟିତ୍ୱସମ୍ପନ୍ନ ନାଗରିକ ଭାବେ ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ ସମ୍ପର୍କରେ ନିଜର ଅନୁଭବ ଓ ଚିନ୍ତାଧାରା ବାଣ୍ଟିଥିଲେ।

କାର୍ଯ୍ୟକ୍ରମର ଏକ ଆକର୍ଷଣୀୟ ଅଧ୍ୟାୟ ଭାବେ ଆଇନ ସଚେତନତା ସମ୍ପର୍କିତ ଶିକ୍ଷଣୀୟ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଏହା ମାଧ୍ୟମରେ ଜଟିଳ ଆଇନଗତ ବିଷୟଗୁଡ଼ିକୁ ସରଳ ଓ ବୋଧଗମ୍ୟ ଭାବରେ ଉପସ୍ଥାପନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବିଚାରପତିମାନେ ଛାତ୍ରଛାତ୍ରୀଙ୍କ ସହ ଏକ ମୁକ୍ତ ପ୍ରଶ୍ନୋତ୍ତର ଅଧିବେଶନରେ ଯୋଗଦେଇ ସେମାନଙ୍କ ବିଭିନ୍ନ ଜିଜ୍ଞାସାର ଯୁକ୍ତିଯୁକ୍ତ ଓ ସରଳ ଉତ୍ତର ପ୍ରଦାନ କରିଥିଲେ। ନ୍ୟାୟିକ ଅଧିକାରୀଙ୍କ ସହ ଏଭଳି ସିଧାସଳଖ ଆଲୋଚନା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଇନ ବ୍ୟବସ୍ଥା ପ୍ରତି ଆଗ୍ରହ ଓ ସଚେତନତା ବୃଦ୍ଧି କରିଥିଲା।ଆଇନ ସମ୍ପର୍କରେ ଜ୍ଞାନ ଆହରଣ କରିବା କେବଳ ଏକ ଶିକ୍ଷାଗତ ଆବଶ୍ୟକତା ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସାମାଜିକ ଦାୟିତ୍ୱ—ଏହି ବାର୍ତ୍ତା ସହ କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ମନରେ ନ୍ୟାୟ, ସମାନତା ଓ ଅଧିକାର ସମ୍ପର୍କିତ ଏକ ସକାରାତ୍ମକ ଚେତନା ସୃଷ୍ଟି କରିଥିଲା।

କାର୍ଯ୍ୟକ୍ରମର ସଫଳ ସଂଯୋଜନା ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ସୁନୀଲ କୁମାର ବିଶ୍ୱାଳଙ୍କ ଦ୍ୱାରା ସମ୍ପାଦିତ ହୋଇଥିବାବେଳେ ଶ୍ରୀ ଉଦୟଭାନୁ ପ୍ରଧାନ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀଙ୍କ ସକ୍ରିୟ ସହଯୋଗ ଓ ସହଭାଗିତାରେ କାର୍ଯ୍ୟକ୍ରମ ସୁଚାରୁରୂପେ ଆୟୋଜିତ ହୋଇଥିଲା।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ରାଇହରି-ଜାମୁଡ଼ାଳି ଗ୍ରାମ୍ୟ ରାସ୍ତା ମରଣଯନ୍ତା ! କାଦୁଅ ପଚ୍ ପଚ୍ କଂକ୍ରିଟ ରାସ୍ତା ନିର୍ମାଣ ଦାବି

Sunil Chandra Nayak

ଶିକ୍ଷକ ଦିବସରେ ଶିଶୁ ବିବାହ ବିରୋଧରେ ସାମୂହିକ ଦାୟିତ୍ୱର ଆହ୍ୱାନ

Sunil Chandra Nayak

ଝାଲ ମୁଢ଼ି ପେ ଚର୍ଚ୍ଚା ” ରେ ବିଧାୟକ ଦୁର୍ଗା ଚରଣ ତନ୍ତୀ

Leave a Comment

error: Content is protected !!