ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବାରହା ଉପଦ୍ରବ,ଉଜୁଡ଼ିଲା ଧାନ ଫସଲ , ୨- ହାତୀ ଆକ୍ରମଣରେ ଜଣେ କଳାକାରଙ୍କ ମୃତ୍ୟୁ ,୩- କାମାକ୍ଷାନଗର ପାରିମାଳରେ ହାତୀର ମୃତ୍ୟୁ,କାରଣ ଅସ୍ପଷ୍ଟ – ପ୍ରଶାସନ ଉପରେ ପ୍ରଶ୍ନ

ବାରହା ଉପଦ୍ରବ,ଉଜୁଡ଼ିଲା ଧାନ ଫସଲ

କାମାକ୍ଷାନଗର – କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଧୀନ ବିଜାଡ଼ିହ, ପଣ୍ଡୁଆ, ଗୋଦରବିଲି,ମହୁଲି ଓ ଆଲୁଅଝରଣ ଆଦି ଗାଁରେ ଜଙ୍ଗଲୀ ବାରହା ପଲ ଧାନ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଧାନ ଅମଳ ସମୟ ପାଖେଇ ଆସିଥିବା ବେଳେ ବାରହା ପଲ ଦିନରାତି ଜମିରେ ଉପଦ୍ରବ ଚଳାଇ ପାଚିଲା ଧାନ ଖାଇବା ସହ ଦଳିଚକଟି ନଷ୍ଟ କରି ଦେଉଛନ୍ତି। ବର୍ଷସାରା କଠିନ ପରିଶ୍ରମ କରି ଫସଲ ଅମଳକୁ ଅପେକ୍ଷା କରିଥିବା ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ଧାରକରଜ କରି ଚାଷ କରିଥିବା ଚାଷୀଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଛି। ଭାଗ ଚାଷୀମାନେ ମଧ୍ୟ ଫସଲ ନଷ୍ଟ ହେବାରୁ ଆର୍ଥିକ କ୍ଷତି ଆଶଙ୍କାରେ ଅଛନ୍ତି। ଗୋଟିଏ ପଟେ ଚାଷ ଖର୍ଚ୍ଚ,ଅନ୍ୟପଟେ ବାରହା ଉପଦ୍ରବ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ଫସଲକୁ ସୁରକ୍ଷା ଦେବା ପାଇଁ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ସହ କ୍ଷତିଗ୍ରସ୍ତ ଚାଷଜମିର ଆକଳନ କରି ଉଚିତ କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ହାତୀ ଆକ୍ରମଣରେ ଜଣେ କଳାକାରଙ୍କ ମୃତ୍ୟୁ

ଢେଙ୍କାନାଳ /ଓଡାପଡା- ବାରମ୍ବାର ଅଭିଯୋଗ ସତ୍ତ୍ୱେ କାଉଁରିଆପାଳ ବିଟ୍ ହାଉସ୍‌କୁ ଗଦାଶିଳା ରେଞ୍ଜ ଅଫିସରେ ରଖାଯାଇଥିବାରୁ ଏରିଆରେ ହାତୀ ଉପଦ୍ରବ ବଢ଼ିଚାଲିଛି। ବିଟ୍ ହାଉସ୍‌ରେ କର୍ମଚାରୀ ନରହିବାରୁ ସମୟ ମତେ ହାତୀ ଘଉଡ଼ା ହୋଇପାରୁନି। ଫଳରେ ଗତକାଲି ରାତିରେ ହାତୀ ଆକ୍ରମଣରେ ବସନ୍ତ ପ୍ରଧାନ କଳାକାରଙ୍କ ଜୀବନ ଯାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ,ବାରମ୍ବାର ବନ ବିଭାଗକୁ ଜଣାଇଲେ ବି ବିଟ୍ ହାଉସ୍‌କୁ ନିଜ ସ୍ଥାନକୁ ଫେରାଇ ଅଣାଯାଉନି। ଏହି ଅବହେଳା ଯୋଗୁଁ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏ ନେଇ ତୁରନ୍ତ କାଉଁରିଆପାଳ ବିଟ୍ ହାଉସ୍‌କୁ ନିଜ ଅଞ୍ଚଳକୁ ଫେରାଇ ଆଣି ହାତୀ ଘଉଡ଼ା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

କାମାକ୍ଷାନଗର ପାରିମାଳରେ ହାତୀର ମୃତ୍ୟୁ,କାରଣ ଅସ୍ପଷ୍ଟ – ପ୍ରଶାସନ ଉପରେ ପ୍ରଶ୍ନ

କାମାକ୍ଷାନଗର- କାମାକ୍ଷାନଗର ପାରିମାଳ ଅଞ୍ଚଳରେ ପୁଣି ଏକ ହାତୀର ଅକାଳ ମୃତ୍ୟୁ ଘଟିଛି। ଆଜି ସକାଳେ ଜଙ୍ଗଲ ଭିତରେ କୁନି ହାତୀଟିର ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି। ମୃତ୍ୟୁର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ କାରଣ ସ୍ପଷ୍ଟ ହେବ ବୋଲି ବିଭାଗ କହିଛି। ଢେଙ୍କାନାଳ ଜିଲ୍ଲାରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ବନ ବିଭାଗ ଓ ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ପ୍ରତିବର୍ଷ ବିଦ୍ୟୁତ୍ ତାର,ଶିକାରୀ ଫାଶ,ଖାଦ୍ୟ ଅଭାବ ଓ ହାତୀ-ମଣିଷ ସଂଘର୍ଷରେ ହାତୀ ମରୁଥିବା ଅଭିଯୋଗ ହେଉଛି। ଏହାକୁ ରୋକିବା ପାଇଁ ଗଜ ସାଥୀ ନିୟୋଜନ,ସଚେତନତା ଓ ପେଟ୍ରୋଲିଂ ବଢାଯାଇଥିବା କୁହାଯାଉଛି,ହେଲେ ବାସ୍ତବ ଚିତ୍ର ଓଲଟା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ବସ୍ତି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବଣ୍ଟନ 

masiha

ପାରମ୍ପରିକ ଲୋକକଳା “ପାଲା” କୁ ଲୋକାଭିମୁଖୀ କରିବାକୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରୋତ୍ସାହନ ଓ ଜନ ଜାଗରଣ 

Sunil Chandra Nayak

ଇସ୍ପାତ ନଗର କମିଟିର ଖଡ୍ଗ ଶୋଭାଯାତ୍ରା ଆସନ୍ତା ୨୧ ରେ ….

Sunil Chandra Nayak

Leave a Comment

error: Content is protected !!