ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଢେଙ୍କାନାଳ ରଥଯାତ୍ରା : ଇତିହାସ ପରମ୍ପରା ଓ ଗଡ଼ଜାତ ଗୌରବ , ୨-ମଢ଼ିର ମହିମାଟୁଙ୍ଗି – ଅଲେଖ ଧର୍ମର ଉତ୍ତର ଧାମ , ୩- ବିନା ସୁରକ୍ଷା ସାମଗ୍ରୀ ରେ ଉଚ୍ଚତା ରେ କାମ କରୁଛନ୍ତି ଶ୍ରମିକ, ସୁରକ୍ଷା ନେଇ ପ୍ରଶ୍ନବାଚୀ,ପୂର୍ତ୍ତ ବିଭାଗ ର ଦାୟିତ୍ୱ ହୀନତା ଓ ଠିକା ସଂସ୍ଥା ର ମନ ମାନି ରେ ଚାଲିଛି କାର୍ଯ, ନିମ୍ନମାନର ଅଭିଯୋଗ ପରେ ବି ନା ହେଉଚି ତଦନ୍ତ ,୪-.ଟ୍ରଲର ଧକ୍କାରେ CRPF ଯବାନଙ୍କ ମୃତ୍ୟୁ , ୫- ଖଣି ମାଫିଆର ମୁଖ୍ୟ କିଏ ? , ୬ – ବାତ୍ୟା ଅକୱାନ ପ୍ରଭାବ : ଧାନ ଫସଲର ବ୍ୟାପକ କ୍ଷତି,ଚାଷୀ ମୁଣ୍ଡରେ ଚଡ଼କ , ୭- ଟାଟା ଷ୍ଟିଲ୍ ମେରାମଣ୍ଡଳୀକୁ ସୁରକ୍ଷା କ୍ଷେତ୍ରରେ ଉତ୍କର୍ଷ ପାଇଁ ଜାତୀୟ ସମ୍ମାନ. , ୮- ଖଙ୍କିରାରେ ହାତୀ ଦେଖେଇଲା ମାତୃତ୍ଵର ପାରାକାଷ୍ଠା , ୯- ବେଆଇନ ଗାଈ ଚାଲାଣ ଗାଡି ଜବତ , ୧୦-.ରୋପଣ ନ ହୋଇ ଜଙ୍ଗଲରେ ଫିଙ୍ଗା ଯାଉଛି ଚାରା , ୧୧- ବେଡରେ ଶୋଇ ରୋଗୀ ଦେଖୁଛନ୍ତି ଡାକ୍ତର , ମଦ ନିଶାରେ ଚଟାଣରେ ଗଡୁଛନ୍ତି ଡ୍ରେସର 

ଢେଙ୍କାନାଳ ରଥଯାତ୍ରା : ଇତିହାସ ପରମ୍ପରା ଓ ଗଡ଼ଜାତ ଗୌରବ

ଢେଙ୍କାନାଳ – ଓଡ଼ିଶାର ପ୍ରତ୍ୟେକ ରଥଯାତ୍ରାର ନିଜସ୍ୱ ପରମ୍ପରା ରହିଛି। ସେହିପରି ଗଡ଼ଜାତ ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା ହେଉଛି ଢେଙ୍କାନାଳ ରଥଯାତ୍ରା। ଏହା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ,ବରଂ ରାଜପରମ୍ପରା,ଜଗନ୍ନାଥ ସଂସ୍କୃତି,ଲୋକବିଶ୍ୱାସ ଓ ଭକ୍ତିର ଏକ ଜୀବନ୍ତ ପରମ୍ପରା। ଶତାବ୍ଦୀ ଧରି ଏହି ଉତ୍ସବ ଢେଙ୍କାନାଳର ସାଂସ୍କୃତିକ ପରିଚୟକୁ ଅକ୍ଷୁଣ୍ଣ ରଖିଆସିଛି। ଐତିହାସିକ ତଥ୍ୟ ଅନୁଯାୟୀ,ଢେଙ୍କାନାଳରେ ରଥଯାତ୍ରାର ପ୍ରଚଳନ ପ୍ରାୟ ୧୬୯୦ ମସିହା ବେଳେ ଆରମ୍ଭ ହୋଇଥିଲା। ଢେଙ୍କାନାଳ ରାଜପରିବାରଙ୍କ ପୃଷ୍ଠପୋଷକତାରେ ଏହି ମହାପର୍ବ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଅବିରତ ଚାଲିଆସୁଛି। ରାଜାମାନେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାରକୁ ନିଜର ରାଜଧର୍ମ ବୋଲି ମନେ କରୁଥିଲେ। ସେମାନଙ୍କ ଉଦ୍ୟମରେ ମନ୍ଦିର,ରଥ,ସେବାପୂଜା ଓ ରୀତିନୀତି ସୁସଂଗଠିତ ଭାବେ ବିକଶିତ ହୋଇଥିଲା। ଢେଙ୍କାନାଳର ଇତିହାସରେ ରାଜା ଲୋକନାଥ ରାୟ ସିଂହ ଭ୍ରମରବର (୧୫୯୪–୧୬୧୫ ଖ୍ରୀ.)ଙ୍କ ଅବଦାନ ଅତୁଳନୀୟ। ତାଙ୍କ ଶାସନକାଳରେ ଶ୍ରୀ ବଳରାମ (ବଳଦେବ) ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ରାଜା ନୃସିଂହ ରାୟ ସିଂହ ଭ୍ରମରବରଙ୍କ ସମୟରେ ମନ୍ଦିରର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ବିଧିବଦ୍ଧ ଭାବେ ବଳରାମଙ୍କ ପ୍ରତିଷ୍ଠା କରାଯାଇଥିଲା। ବଳରାମଙ୍କୁ ଢେଙ୍କାନାଳ ରାଜପରିବାର କୁଳଦେବତା ଭାବରେ ଆରାଧନା କରୁଥିଲେ। ଏହି କାରଣରୁ ବଳରାମ ମନ୍ଦିର ଢେଙ୍କାନାଳର ଆଧ୍ୟାତ୍ମିକ ଜୀବନର କେନ୍ଦ୍ରବିନ୍ଦୁ ପାଲଟିଯାଇଛି। ଲୋକକଥା ଅନୁସାରେ,ଜଣେ ସାଧୁଙ୍କ ସ୍ୱପ୍ନାଦେଶ ପାଇ ରାଜା ବଳରାମଙ୍କ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ଆଉ ଏକ ଲୋକବିଶ୍ୱାସ ଅନୁଯାୟୀ,ଢେଙ୍କାନାଳରେ ବଳରାମଙ୍କ ରଥ ପ୍ରଥମେ ଗଡ଼ିବା ପରେ ହିଁ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଶୁଭାରମ୍ଭ ହୁଏ। ଏହାର ଐତିହାସିକ ପ୍ରମାଣ ସୀମିତ ଥିଲେ ମଧ୍ୟ ଏହି ବିଶ୍ୱାସ ଆଜି ମଧ୍ୟ ଭକ୍ତମାନଙ୍କ ମନରେ ଅଟୁଟ ରହିଛି। ରଥଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ଛେରା ପହଁରା। ଏହି ନୀତିରେ ଢେଙ୍କାନାଳର ରାଜା ସୁବର୍ଣ୍ଣ ସମ୍ମାର୍ଜନୀ ଧରି ରଥକୁ ସଫା କରନ୍ତି। ଏହା ଦର୍ଶାଏ ଯେ ମହାପ୍ରଭୁଙ୍କ ସମ୍ମୁଖରେ ରାଜା ଓ ପ୍ରଜା ସମସ୍ତେ ସମାନ। ଏହି ପରମ୍ପରା ଆଜି ମଧ୍ୟ ଢେଙ୍କାନାଳ ରାଜପରିବାର ଦ୍ୱାରା ପାଳନ କରାଯାଉଛି। ତେବେ ଇତିହାସରେ ପ୍ରଥମେ କେଉଁ ରାଜା ଛେରା ପହଁରା କରିଥିଲେ,ତାହାର ସ୍ପଷ୍ଟ ଲିଖିତ ପ୍ରମାଣ ମିଳିନାହିଁ। ରଥଯାତ୍ରା ସମୟରେ ଢେଙ୍କାନାଳ ସହର ଭକ୍ତିର ରଙ୍ଗରେ ରଙ୍ଗାୟିତ ହୋଇଯାଏ। ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିବା ପାଇଁ ସମବେତ ହୁଅନ୍ତି। ଘଣ୍ଟ,ଘଣ୍ଟା,ମୃଦଙ୍ଗ,ଝାଞ୍ଜ,ହୁଳହୁଳି ଓ “ଜୟ ବଳରାମ”,”ଜୟ ଜଗନ୍ନାଥ”ଧ୍ୱନିରେ ସମଗ୍ର ସହର ମୁଖରିତ ହୋଇଉଠେ। ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଭକ୍ତମାନଙ୍କ ଉତ୍ସାହ ଅବ୍ୟାହତ ରହେ। ଢେଙ୍କାନାଳ ରଥଯାତ୍ରାର ଆଉ ଏକ ବିଶେଷତ୍ୱ ହେଉଛି ଏହା ଜାତି,ଧର୍ମ,ବର୍ଣ୍ଣ ଓ ସମ୍ପ୍ରଦାୟର ସମସ୍ତ ଭେଦଭାବକୁ ଦୂର କରି ସମସ୍ତଙ୍କୁ ଏକାଠି କରେ। ଏହି ମହାପର୍ବ ସମାଜରେ ଭାଇଚାରା,ସମନ୍ୱୟ ଓ ସେବାର ବାର୍ତ୍ତା ପ୍ରସାର କରିଥାଏ। ଏହା କେବଳ ଢେଙ୍କାନାଳର ଗୌରବ ନୁହେଁ,ସମଗ୍ର ଓଡ଼ିଶାର ଜଗନ୍ନାଥ ସଂସ୍କୃତିର ଏକ ଉଜ୍ଜ୍ୱଳ ଅଧ୍ୟାୟ। ଆଜିର ପିଢ଼ିର କର୍ତ୍ତବ୍ୟ ହେଉଛି ଏହି ଐତିହ୍ୟକୁ ସଂରକ୍ଷଣ କରିବା, ଏହାର ପ୍ରକୃତ ଇତିହାସକୁ ଜାଣିବା ଓ ଆଗାମୀ ପିଢ଼ିଙ୍କ ପାଖରେ ପହଞ୍ଚାଇବା। କାରଣ ଢେଙ୍କାନାଳର ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ,ଏହା ଆମ ଐତିହ୍ୟ,ଆମ ସଂସ୍କୃତି ଓ ଆମର ଆତ୍ମପରିଚୟର ପ୍ରତୀକ। ଜୟ ବଳରାମ। ଜୟ ଜଗନ୍ନାଥ।

ମଢ଼ିର ମହିମାଟୁଙ୍ଗି – ଅଲେଖ ଧର୍ମର ଉତ୍ତର ଧାମ

କାମାକ୍ଷାନଗର – କାମାକ୍ଷାନଗରର ପ୍ରାଚୀନ ନାମ ମଢ଼ି । ମଢ଼ି ନାମକରଣକୁ ନେଇ ଅନେକ କ‌ଥା ରହିଛି। ତେବେ ମହିମାଧର୍ମ ଇତିହାସରେ ଏହାକୁ ନେଇ ରହିଛି କିଛି ଅଲଗା ରହସ୍ୟ। କାମାକ୍ଷାନଗର ସହରରୁ ଢେଙ୍କାନାଳ ଯିବା ବାଟରେ ସହରର ପ୍ରବେଶ ପଥରେ ଅବସ୍ଥିତ ମହିମା ଆଶ୍ରମ। ବିଶାଳ ମହିମା ମନ୍ଦିର ଓ ମହିମାଧର୍ମ ଇତିହାସର ଗାଥା ବହନ କରୁଛି। ଏହି କାମାକ୍ଷାନଗରର ମହିମା ଟୁଙ୍ଗି ଓ ଏହି ଟୁଙ୍ଗି ଅନେକ ସାଧୁ,ସନ୍ନ୍ୟାସଙ୍କ ଭକ୍ତି,ନିଷ୍ଠା ଏବଂ ମହିମାଧର୍ମ ଏତିହ୍ୟକୁ ଆସନ୍ତୁ ଜାଣିବା। ଅଲେଖ ମହିମା ଧର୍ମର ପ୍ରତିଷ୍ଠା ମହିମାସ୍ୱାମି ୧୮୭୪ ମସିହାରେ କାମାକ୍ଷାନଗର (ମଢ଼ି)ରେ ପହଞ୍ଚିଥିଲେ। ସେତେବେଳେ ସେ ମହିମାଧର୍ମ ଉପାସନା ପାଇଁ ସ୍ଥାନୀୟ ମଢି ଗାଁ ମୁଣ୍ଡରେ ଏକ ଚାଳ ଘର ପରେ ଏକୋଇଶ ହାତର ଏକ ଟୁଙ୍ଗି ନିର୍ମାଣ କରିଥିଲେ। ଯେଉଁଠି ସେ ଫାଲଗୁନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ ଧୂନି ସ୍ଥାପନ କରି ମହିମାଧର୍ମର ଆୟରମ୍ଭ କରିଥିଲେ। ଏହା ମହିମା ଗୋସେଇଁଙ୍କ ଚାରିଧାମ ମଧ୍ୟରୁ ଏହି ‘’ଉତ୍ତର ଧାମ‘’ ମଢି ଆଶ୍ରମ ଭାବେ ପରିଚିତ । କିଛିଦିନର ଗହଣି ପରେ ମହିମା ସ୍ଵାମୀ ଭକ୍ତମାନଙ୍କୁ ନେଇ ମଢି ଅଞ୍ଚଳର ବିଭିନ୍ନ ଗାଁ ବୁଲି ମହିମା ଧର୍ମର ପ୍ରଚାର ପ୍ରସାର କରିଥିଲେ। ମହିମାସ୍ଵାମୀ କାମାକ୍ଷାନଗର ବା ମଢ଼ି ପ୍ରସ୍ଥୁନ ପରେ ସିଦ୍ଧ ବଡ କୃପାସିନ୍ଧୁ ବାବା ମହିମା ଟୁଙ୍ଗି ପ୍ରତିଷ୍ଠା ଓ ପ୍ରଚାର ପ୍ରସାର କରାଇଥିଲେ। ସେହି ସମୟରୁ ୧୯୮୦ ମସିହା ପର୍ଯ୍ୟନ୍ତ ସିଦ୍ଧ ରଘୁନାଥ ବାବାଙ୍କ ସବଧାମ ପ୍ରସ୍ଥାନ ପର୍ଯ୍ୟନ୍ତ କାମାକ୍ଷାନଗର ମହିମା ଟୁଙ୍ଗି ସାରା ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଥିଲା। ତେବେ ୧୯୮୦ ମସିହାରେ ଗଜେନ୍ଦ୍ର ଦାସ ବାବା ବର୍ତ୍ତମାନର ବିଶାଳ ମହିମା ଟୁଙ୍ଗି ଓ ଆଶ୍ରମର ଚାଳଛପର ଘରେ ଟ୍ରଙ୍ଗି ନିର୍ମାଣ ପରିକଳ୍ପନ କରି ପୁନଃନିର୍ମାଣ ଆରମ୍ଭ କରାଇ ଥିଲେ। ସେହିଠାରୁ ପ୍ରଥମ କରି ମନ୍ଦିରରେ ନୀତିକାନ୍ତି ସହ ଉପାସନା ଆରମ୍ଭ ହୋଇଥିଲା। ୧୯୮୦ ମସିହାରୁ କାର୍ଯ୍ୟ ଆରମ୍ଭ ହୋଇ ୧୯୮୪ ମସିହାରେ ଗଜେନ୍ଦ୍ର ବାବାଙ୍କ ଚେଷ୍ଟାରେ ଓ ସ୍ଥାନୀୟ ଭକ୍ତଙ୍କ ସହଯୋଗରେ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ସେବେ ଠାରୁ ୨୦୦୧ ମସିହା ପର୍ଯ୍ୟନ୍ତ ଗଜେନ୍ଦ୍ର ବାବା ମହିମା ମନ୍ଦିରର ମୁଖ୍ୟ ଭାବେ କାର୍ଯ୍ୟ ସମ୍ପାଦନ କରି ମହିମା ଧର୍ମକୁ ଆହୁରି ପରିବ୍ୟାପ୍ତ କରିଥିଲେ। ଗଜେନ୍ଦ୍ର ବାବାଙ୍କ ଅନ୍ତେ ୨୦୦୧ ମସିହାରୁ ଆଜି ପର୍ଯ୍ୟନ୍ତ ଖଗେଶ୍ଵର ଦାସ ବାବା କାମାକ୍ଷାନଗର ମହିମା ଟୁଙ୍ଗି ଓ ଆଶ୍ରମର ପରିଚଳନା କରି ଆସୁଛନ୍ତି। ଶିଷ୍ୟ ଅପର୍ତି ଦାସ ବାବାଙ୍କ ଅନୁଗାମୀ ଭାବେ ନୀତିକାନ୍ତି ଠାରୁ ଆରମ୍ଭ କରି ବିଭିନ୍ନ ପୂଜା,ମେଳା ଓ ମହୋତ୍ସବରେ ସଭ୍ୟଙ୍କୁ ସାହାଯ୍ୟ କରିଥାନ୍ତି। କାମାକ୍ଷାନଗରର ମହିମା ଟୁଙ୍ଗିରେ ଦିନକୁ ଦୁଇଥର ନୀତି ହୋଇଥାଏ। ଏହି ମହିମା ଟୁଙ୍ଗିରେ ମାଘ ସପ୍ତମୀ ତଥା ମଠର ବାର୍ଷିକ ଉତ୍ସବ ଭାବେ ଓ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀରେ ନୂଆଖାଇ ନବାଗ୍ନଭୋଗ ପାଇଁ ଆୟୋଜିତ ହୁଏ ବଡ ମେଳା। ଏହି ମେଳାକୁ ମହିମା ଗାଦିର ସମସ୍ତ ବାବା ଓ ସ୍ଥାନୀୟ କାମାକ୍ଷାନଗର (ମଢ଼ି) ବାସିନ୍ଦା ଖୁବ୍ ଧୁମଧାମ୍‌ରେ ପାଳନ କରନ୍ତି। ଏବେ ମୁଖ୍ୟ ମନ୍ଦିର ପାଖରେ ୮୦ ଡେସିମିଲ ଜାଗାରେ ଦୁଇ ବଖରା ମାଟି ଘର ଓ ଦୁଇ ବଖରା ଛାତ ଘରକୁ ନେଇ ଆଶ୍ରମ ପରିଚାଳିତ ହେଉଅଛି। ୧୮୭୫ ମସିହାରୁ ବଡ଼ କୃପାସିନ୍ଧୁ ବାବାଙ୍କ ମଠ ମଧ୍ୟ ଏହି ପରିସରରେ ଶୋଭା ପାଇ ଆସୁଅଛି ଓ ଆଶ୍ରମ ପରିସରରେ ଏକ ଖୋଲାକୁଅ ସହ ନଡ଼ିଆ,ଆମ୍ବ,ପିଜୁଳି,ଅଁଳା,ଲେମ୍ବୁ ଇତ୍ୟାଦି ବୃକ୍ଷ ପରିବେଶକୁ ଅତ୍ୟନ୍ତ ମନମୁଗ୍ଧକର କରିଥାଏ ଏହି ପରିବେଶ।

ବିନା ସୁରକ୍ଷା ସାମଗ୍ରୀ ରେ ଉଚ୍ଚତା ରେ କାମ କରୁଛନ୍ତି ଶ୍ରମିକ, ସୁରକ୍ଷା ନେଇ ପ୍ରଶ୍ନବାଚୀ,ପୂର୍ତ୍ତ ବିଭାଗ ର ଦାୟିତ୍ୱ ହୀନତା ଓ ଠିକା ସଂସ୍ଥା ର ମନ ମାନି ରେ ଚାଲିଛି କାର୍ଯ, ନିମ୍ନମାନର ଅଭିଯୋଗ ପରେ ବି ନା ହେଉଚି ତଦନ୍ତ       

ଢେଙ୍କାନାଳ -ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ମେଡ଼ିକାଲ ପରିସରରେ ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର ଅଟ୍ଟାଳିକା । ଠିକାଦାରର ମନମାନୀ ଏବଂ ବିଭାଗୀୟ ଅଧିକାରୀଙ୍କ ନିରବଦ୍ରଷ୍ଟା ଯୋଗୁଁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ପୂର୍ତ୍ତ ବିଭାଗ ଦ୍ଵାରା ଚାଲିଛି କୋଟି କୋଟି ଟଙ୍କାର ନୂତନ ଗୃହ ନିର୍ମାଣ କାର୍ଯ୍ୟ । ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଇଟା ଅତୀବ ନିମ୍ନ ମାନର ଥିବା ବେଳେ କିଭଳି ବିଭାଗ ଜାଣି ଶୁଣି ଅଖି ବୁଜିଦେଉଚି ତାହା ବଡ ଆଶ୍ଚର୍ଯ୍ୟ ର କଥା। ସୂଚନାରୁ ଜଣାଯାଏ କୋଡ଼ିଏ କୋଟି ଟଙ୍କାରୁ ଉର୍ଦ୍ଧ୍ୱରେ ନିର୍ମିତ ହେଉଥିବା ଘର କାମ ଚାଲିଥିବା ବେଳେ ଏଠାରେ କୌଣସି ସୂଚନା ଫଳକ ଲାଗି ନଥିବାରୁ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ । ଗୋଟିଏ କଥା ଏତେ ବଡ ଅଟ୍ଟାଳିକା ତିଆରି ଚାଲି ଥିଲେ ମଧ୍ୟ ବିନା ସୁରକ୍ଷା ସାମଗ୍ରୀ ରେ ଶ୍ରମିକ ମାନେ ବହୁ ଉଚ୍ଚତା ରେ କାର୍ଯ୍ୟ କରି ଚାଲିଛନ୍ତି, ଶ୍ରମିକ ସୁରକ୍ଷା ନିମିତ୍ତ ପାଖରେ ମଧ୍ୟ କୌଣସି ପ୍ରକାର ସରଞ୍ଜାମ ମଧ୍ୟ ଖଣ୍ଡେ ନାହଁ,କିଭଳି ଭାବେ ଶ୍ରମିକ ମାନଙ୍କୁ ଏଠି ଠିକାଦାର କାର୍ଯ୍ୟ କରାଇ ଚାଲିଛି, ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି ଏହି ନେଇ ଆମ୍ଭ ପ୍ରତିନିଧି ଆସିଷ୍ଟାଣ୍ଟ ଶ୍ରମ ଅଧିକାରିଣୀ ବୈଜୟନ୍ତୀ ମାଳ। ମଲ୍ଲିକ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗସମ୍ଭବ ହୋଇପାରିନଥିଲା ,ଏଥିପ୍ରତି ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଦୃଷ୍ଟି ଦେବାକୁ ସଧାରଣରେ ଦାବୀ ହେଉଛି ।

ଟ୍ରଲର ଧକ୍କାରେ CRPF ଯବାନଙ୍କ ମୃତ୍ୟୁ

କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବାଇସିଙ୍ଗା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ CRPF ଯବାନଙ୍କ ମୃତ୍ୟୁ ହୋଇଛି। ମୃତ ଯବାନ ହେଉଛନ୍ତି ତୁମୁସିଙ୍ଗା ଥାନା ରଗଡିପଡ଼ା ଗ୍ରାମର ଅନିଲ ନାୟକ।ସୂଚନା ଅନୁଯାୟୀ, ଅନିଲ କାମାକ୍ଷାନଗର ପଟୁ ବାଇସିଙ୍ଗା ଗାଁ ଆଡ଼କୁ ଯାଉଥିବା ବେଳେ ଭୁବନ ଦିଗକୁ ଯାଉଥିବା ଏକ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା।ତେବେ ମେଡିକାଲରେ ଡାକ୍ତର ଅନିଲଙ୍କୁ ମୃତ ଘୋଷଣା କରିଥିଲେ। ଯବାନଙ୍କ ମୃତ୍ୟୁ ଖବର ପରେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି।

ଖଣି ମାଫିଆର ମୁଖ୍ୟ କିଏ ?

ଢ଼େଙ୍କାନାଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ବାବନ୍ଧ ରାଜସ୍ୱ ସର୍କଲ ଅଧୀନ ହରିଜନ ସାହି ବାସିନ୍ଦା ହିନ୍ଦୋଳ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କ ଗାଁ ନିକଟ ଜଙ୍ଗଲ ଜମି (ଖାତା ନଂ ୪୧୮,ପ୍ଲଟ ନଂ ୫୩୭) ରୁ ଖଣି ମାଫିଆମାନେ ଦୀର୍ଘ ଦିନ ହେଲା ବେଆଇନ ଭାବେ କଳା ଗ୍ରାନାଇଟ୍ ପଥର ଉତ୍ତୋଳନ କରି ଚାଲାଣ କରୁଛନ୍ତି। ଅଭିଯୋଗ ଅନୁସାରେ,ଜଙ୍ଗଲ ଭିତରେ ହଜାର ହଜାର ଫୁଟ ଗଭୀର ଖଣି ଖୋଳି କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି କରାଯାଉଛି, ହେଲେ ବିଭାଗ ନାମମାତ୍ର ଜରିମାନା ଆଦାୟ କରି ଚୁପ୍ ବସିଛି। ଦିନରାତି ଡାଇନାମାଇଟ୍ ବିସ୍ଫୋରଣରେ ଲୋକେ ଆତଙ୍କିତ। ପରିବେଶ ପ୍ରଦୂଷିତ ହେଉଛି,ପିଇବା ପାଣି ବିଷାକ୍ତ ହେବାରୁ ପେଟ ରୋଗ ବଢୁଛି। ଧୂଳି ଧୂଆଁରେ ଘରଦ୍ୱାର ଅପରିଷ୍କାର। ଚାଷ ଜମି ନଷ୍ଟ ହେଉଛି। ବାବନ୍ଧ,ବେଡାପଡା ନିକଟ ଗିରିଧାରୀପ୍ରସାଦ,ବ୍ରହ୍ମପୁର,କାରନ୍ଦା ପଞ୍ଚାୟତ,ମାନୀଆନାଳି ଅଞ୍ଚଳରେ କଳା ଗ୍ରାନାଇଟ୍ ଓ କୁଟୁଣିଆ ପଞ୍ଚାୟତ ଅଧିନ ଗୁଆଗାଡିଆ,ଜାମୁଚକଡା ଜଙ୍ଗଲରେ ଲାଟେରାଇଟ୍ ପଥରର ବେଆଇନ ଖଣନ ଚାଲିଛି। ଅଭିଯୋଗ ହେଉଛି,୩ଟି ପଞ୍ଚାୟତରେ କଳା ଗ୍ରାନାଇଟ୍ ଓ ଅନ୍ୟ ଏକ ପଞ୍ଚାୟତରେ ଲାଟେରାଇଟ୍ ପଥର ଖଣନ ପଛରେ ପଞ୍ଚାୟତ ପ୍ରତିନିଧିମାନେ ହିଁ କିଙ୍ଗପିନ୍ ସାଜିଛନ୍ତି। ୮୨ରୁ ଅଧିକ ବେଆଇନ ଖଣି ଚାଲିଛି। ବେଆଇନ ଡାଇନାମାଇଟ୍ ଯୋଗାଣ କିଏ କରୁଛି? ଏଥିପାଇଁ ପ୍ରଶାସନ ଦାୟୀ ନା ମାଫିଆ? ପୂର୍ବ ସରକାର ଅମଳରେ ଗଠିତ କୋର କମିଟି ମଝେରେ ଚଢ଼ାଉ କରି ଜରିମାନା କରୁଥିଲେ ବି ଅନେକ ଖଣି ଲୁଚି ରହିଛି। ତହସିଲଦାର,ଖଣି ବିଭାଗ,ପ୍ରଦୂଷଣ ବିଭାଗ,ଜଙ୍ଗଲ ବିଭାଗ ଓ ପୋଲିସ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣରେ ଦାବି ହେଉଛି।

ବାତ୍ୟା ଅକୱାନ ପ୍ରଭାବ : ଧାନ ଫସଲର ବ୍ୟାପକ କ୍ଷତି,ଚାଷୀ ମୁଣ୍ଡରେ ଚଡ଼କ

ଢେଙ୍କାନାଳ – ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ତଥା ସଦର ଭାପୁର ଅଞ୍ଚଳରେ ବାତ୍ୟା ଅକୱାନ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଧାନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଓ ପବନରେ ପାଚିଲା ଧାନ ଗଛ ଜମିରେ ଶୋଇପଡ଼ିଥିବା ବେଳେ କେତେକ ସ୍ଥାନରେ ଜମିରେ ପାଣି ଜମି ରହି ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଅମଳ ସମୟରେ ଏପରି କ୍ଷତି ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ଉପଯୁକ୍ତ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

ଟାଟା ଷ୍ଟିଲ୍ ମେରାମଣ୍ଡଳୀକୁ ସୁରକ୍ଷା କ୍ଷେତ୍ରରେ ଉତ୍କର୍ଷ ପାଇଁ ଜାତୀୟ ସମ୍ମାନ. 

• ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ ସେଫ୍ଟି ଆୱାର୍ଡସ୍ ୨୦୨୬ରେ କର୍ମକ୍ଷେତ୍ର ଏବଂ ସଡ଼କ ସୁରକ୍ଷା ଜନିତ ଉତ୍କର୍ଷ ପାଇଁ ସମ୍ମାନ

ଢେଙ୍କାନାଳ – ଟାଟା ଷ୍ଟିଲ ମେରାମଣ୍ଡଳୀକୁ ସୁରକ୍ଷା କ୍ଷେତ୍ରରେ ଉତ୍କର୍ଷ ଓ ନବସୃଜନ ପାଇଁ ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସଏ) ସେଫ୍ଟି ଆୱାର୍ଡସ୍ ୨୦୨୬ରେ ଦୁଇଟି ସମ୍ମାନଜନକ ପୁରସ୍କାର ମିଳିଛି। ନୂଆଦିଲ୍ଲୀଠାରେ ଆଇଏସଏ ପକ୍ଷରୁ ଆୟୋଜିତ ଏହି ଜାତୀୟସ୍ତରୀୟ ସମାରୋହରେ ଟାଟା ଷ୍ଟିଲ୍ ଲିମିଟେଡ୍‌ର ସେଫ୍ଟି, ହେଲଥ୍ ଆଣ୍ଡ ସଷ୍ଟେନେବିଲିଟି ବିଭାଗ ଭାଇସ୍ ପ୍ରେସିଡେଣ୍ଟ ରାଜୀବ ମଙ୍ଗଳ ଯୋଗଦେଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି। କର୍ମକ୍ଷେତ୍ରରେ ସୁରକ୍ଷା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସଫଳ ବ୍ୟବହାର ଓ ସୁରକ୍ଷା ଅଭ୍ୟାସ ଏବଂ ଲିଡରସିପ୍ ମାଧ୍ୟମରେ ସଡ଼କ ଲଜିଷ୍ଟିକ୍ସ ଏବଂ ଟ୍ରାଫିକ୍ ବିପଦକୁ ହ୍ରାସ କରିବା ଦିଗରେ ଉଲ୍ଲେଖନୀୟ ସଫଳତା ପାଇଁ ଟାଟା ଷ୍ଟିଲ୍ ମେରାମଣ୍ଡଳୀକୁ ପୁରସ୍କୃତ କରାଯାଇଛି। କର୍ମକ୍ଷେତ୍ର ସୁରକ୍ଷା ପଦକ୍ଷେପ ଅନ୍ତର୍ଗତ, ସମ୍ଭାବ୍ୟ ବିପଦକୁ ଆଗୁଆ ଚିହ୍ନଟ କରିବା ଏବଂ ରୋକିବା ପାଇଁ ଏଆଇ, ଆଡଭାନ୍ସଡ୍ ଆନାଲିଟିକ୍ସ ଏବଂ କନେକ୍ଟେଡ୍ ୱାର୍କଫୋର୍ସ ଟେକ୍ନୋଲୋଜିକୁ ଏକତ୍ରିତ କରାଯାଇଛି। ‘ସେଫ୍ଟି ଲେନ୍ସ’, ‘ସେଫ୍ଟି ଆଇ-କ୍ୟୁ’ ଏବଂ ‘ଟାଟା ଡିଜିଟାଲ୍ ଆସିଷ୍ଟାଣ୍ଟ’ ଭଳି ବୈଷୟିକ ସମାଧାନ ମାଧ୍ୟମରେ ଠିକ୍ ସମୟରେ ବିପଦ ସମ୍ପର୍କରେ ଜାଣିପାରିବା ଏବଂ ତୁରନ୍ତ ସମୟୋଚିତ ପଦକ୍ଷେପ ଗ୍ରହଣ କରାଯାଇପାରୁଛି। ଏହାଦ୍ୱାରା ୧୫୦ରୁ ଅଧିକ ଅତି ସମ୍ବେଦନଶୀଳ ତଥା ବିପଦପୂର୍ଣ୍ଣ ପରିସ୍ଥିତିକୁ ଏଡ଼ାଇବାରେ ସଫଳତା ମିଳିପାରିଛି।

ସେହିପରି ସଡ଼କ ସୁରକ୍ଷା କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିରନ୍ତର ସୁଧାର ଅଣାଯାଉଛି। ଏଥିରେ ଗାଡି ଚାଳକଙ୍କ ଥକାପଣ ନିରୀକ୍ଷଣ ବ୍ୟବସ୍ଥା, ଜିପିଏସ୍ ଆଧାରିତ ଯାନବାହନ ଟ୍ରାକିଂ, ଏଏନପିଆର ଆଧାରିତ ବେଗ ନିୟନ୍ତ୍ରଣ, କମାଣ୍ଡ ସେଣ୍ଟର ମାଧ୍ୟମରେ ନିରୀକ୍ଷଣ ଏବଂ ସ୍ୱୟଂଚାଳିତ ୱେବ୍ରିଜ୍ ଭଳି ପ୍ରମୁଖ ପଦକ୍ଷେପ ଅନ୍ତର୍ଭୁକ୍ତ। ଏହି ବ୍ୟବସ୍ଥାଗୁଡ଼ିକ ପ୍ଲାଣ୍ଟ ପରିସରରେ ଟ୍ରାଫିକ୍ ଶୃଙ୍ଖଳା ଏବଂ ଚାଳକଙ୍କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହୋଇପାରିଛି। ଏଆଇ ଆଧାରିତ ନବସୃଜନ, ଇଞ୍ଜିନିୟରିଂ ଉତ୍କର୍ଷ ଏବଂ ନେତୃତ୍ୱର ବିକାଶକୁ ପାଥେୟ କରି ଟାଟା ଷ୍ଟିଲ ମେରାମଣ୍ଡଳୀ ପ୍ଲାଣ୍ଟ ଏହାର ‘ଶୂନ୍ୟ ଦୁର୍ଘଟଣା’ ଲକ୍ଷ୍ୟ ଦିଗରେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛି। ପ୍ରତିଟି ଜୀବନର ସୁରକ୍ଷା କରିବା ଏବଂ ପ୍ରତ୍ୟେକ କର୍ମଚାରୀ ଓ ସହଯୋଗୀ ଯେପରି ସୁରକ୍ଷିତ ଭାବେ ଘରକୁ ଫେରିବେ ତାହା ସୁନିଶ୍ଚିତ କରିବା ନେଇ କମ୍ପାନୀ ପ୍ରତିବଦ୍ଧ ।

ଖଙ୍କିରାରେ ହାତୀ ଦେଖେଇଲା ମାତୃତ୍ଵର ପାରାକାଷ୍ଠା

ଢେଙ୍କାନାଳ – ଢେଙ୍କାନାଳ ବନଖଣ୍ଡ ଷଢଙ୍ଗୀ ରେଂଜ ଖଙ୍କିରା ଗ୍ରାମରେ ଦିନକୁ ଦିନ ହାତୀ ଓ ମଣିଷ ଲଢ଼େଇ ଚାଲୁ ରହିଛି କିନ୍ତୁ ଗତକାଲି ରାତ୍ରି ୨ଟାରେ ୬ଟିକିଆ ହାତୀ ଦଳ ଖଙ୍କିରା ଗ୍ରାମ ମଧ୍ୟରେ ପଶି ଗୋପବନ୍ଧୁ ଦାସଙ୍କ କୁଅରେ ହାତୀ ଛୁଆ ଖସିପଡିଥିଲା ଫଳରେ ଅନ୍ୟ ହାତୀ ମାନଙ୍କର ଚିତ୍କାର ଫଳରେ ଗ୍ରାମବାସୀମାନେ ଏକାଠି ହୋଇଥିଲେ କିନ୍ତୁ ମାଆ ହାତୀଟି ସେହି ସ୍ଥାନରୁ ନଉଠି ନିଜେ ଲହୁଲୁହାଣ ହୋଇ ତାର ସନ୍ତାନ ପାଇଁ କୁଅ ପାଖରେ ଥିବା ଏକ ଗାଧୁଆଘର ଓ ପାଚେରୀ ଭାଙ୍ଗି ସେହି କୁଅରେ ପକାଇ

ତା ଶିଶୁର ସୁରକ୍ଷା କବଚ ସାଜିଥିଲା ଶେଷରେ ପରିସ୍ଥିତି ଏପରି ହେଲା ଯେ ମାହାତୀ ଟି କୁଅରୁ ପାଣି କାଢି ଆଣ୍ଠେଇ ପେଟେଇ ଶୋଇ ତାର ଛୁଆକୁ ଜଗି ରହିଥିଲା । ପରେ ଖଙ୍କିରାରେ ଥିବା ବନ ଅଧିକାରୀ ପହଁଚି ହାତୀ ସ୍କାର୍ଡ ପିଲାଙ୍କ ସହାୟତାରେ ଜେସିବି ରେ କୁଅକୁ ତାଡି ହାତୀକୁ ସକାଳ ୫ଟାରେ ଉଦ୍ଧାର କରିଥିଲେ ଏହିଥିଲା ମାଆର ମମତା ।

ଏଠାରେ ପ୍ରଶ୍ନ ଉଠେ ଖଙ୍କିରା ଅଂଚଳ ହାତୀ ପ୍ରବଣ ଅଂଚଳ ହୋଇଥିବା ବେଳେ ସବୁଦିନ ହାତୀ ଆସିବା ନିଶ୍ଚିନ୍ତ ହୋଇଥିବା ବେଳେ ବନ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ଦେଉ ନାହିଁ ହାତ ଗଣତି କେତେ ଜଣ ହାତୀ ସ୍ୱାର୍ଡ ପିଲାଙ୍କୁ ଧରି ଚାଲିଛି ଖଙ୍କିରାସେକସନ । ଯଦି ଏପରି ସମସ୍ୟା ରହିବ ତେବେ ଏହି ଅଂଚଳର ମୌଳିକ ସମସ୍ୟା ଯଥା ବ୍ରାହ୍ମଣ ତଇଲା ଅଂଚଳରେ ଥିବା ଟ୍ରେଞ୍ଚ କୁ ନଖୋଳି ବାଟ ଛାଡି ଦେବାର ପରିଣତି ଦିନକୁ ଦିନ ହାତୀ ମଣିଷ ଲଢେଇକୁ ତେଜଦୀପ୍ତ କରିବାରେ ଲାଗିଛି ଏବାବଦରେ ବହୁବାର ବହୁ ଅଧିକାରୀ ଅବଗତ ଥିଲେ ସୁଦ୍ଧା ଫଳ ଶୂନ୍ୟ । ଏଥି ସହିତ ଅଧିକ ପରିମାଣର କର୍ମଚାରୀ ଓ ଗାଡି, ବାଣ, ଲାଇଟ ଇତ୍ୟାଦି ନଥିବା ବେଳେ ବ୍ରାହ୍ମଣ ତଇଲାରେ ବନ କର୍ମଚାରୀ ନଜଗିବା ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ଏଦିଗରେ ଢେଙ୍କାନାଳ ମୁଖ୍ୟ ବନଖଣ୍ଡ ଅଧିକାରୀ ଓ ଜିଲାପାଳ ଦୃଷ୍ଟି ଦେବାପାଇଁ ଜନସାଧାରଣ ଓ ବୁଦ୍ଧିଜୀବି ମହଲରୁ ଅନୁରୋଧ କରାଯାଉଅଛି । କେବେ ଶେଷ ହେବ ଖଙ୍କିରାରେ ହାତୀ ମଣିଷ ଲଢେଇ ବୋଲି ସାଧାରଣରେ ପ୍ରଶ୍ନ ହେଉଛି?

ବେଆଇନ ଗାଈ ଚାଲାଣ ଗାଡି ଜବତ 

ଢେଙ୍କାନାଳ – ବେଆଇନ ଭାବରେ ଗାଈ ବୋଝେଇ କରି ନେଇ ଯାଉଥିବା ସମୟରେ ଏକ ଗାଡିକୁ ଗଁଦିଆ ପୋଲିସ ପେଟ୍ରୋଲିଙ୍ଗ ବେଳେ ଜବତ କରିଛି ପୋଲିସ ଠାରୁ ପ୍ରକାଶ ଜେ ଗତକାଲି ରାତ୍ରିରେ ଏକ ଟାଟା କମ୍ପାନୀ ମାଲ ବୁହା ଗାଡି ଯାହାର ନଂ OR 02BW 6759ରେ ଅତି ଅମାନୁଷିକ ଭାବରେ 6ଗୋଟି ଗୋମାତା ଙ୍କୁ ବାନ୍ଧି ଡାଲାରେ ନଦୀ ଦେଓଗାଁ -ଟାଙ୍ଗୀ ରାସ୍ତାରେ ଯାଉଥିବା ସମୟରେ ଗଁଦିଆ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ଦଳେଇ ଙ୍କ ନେତୃତ୍ୱରେ ଗଁଦିଆ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଉକ୍ତ ଗାଈ ଗାଡିକୁ ଅଟକାଇବା ସମୟରେ ହଟାତ ପୋଲିସ କୁ ଦେଖି ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲାପୋଲିସ ଉକ୍ତ ଗାଡିକୁ ଜବତ କରିବା ଶହ ଥାନାକୁ ଆଣିଥିଲା ଓ ସେଥିରେ ଅତି ଦହଣୀୟ ଭାବରେ ଥିବା ଗୋମାତା ମାନଙ୍କୁ ପଦାକୁ ଅଣାଯାଇ ସେମାନଂକୁ ଖାଦ୍ୟ ପ୍ରଦାନ କରାଯାଇଛି ଉଦ୍ଧାର ହୋଇଥିବା ଗୋମାତା ମାନଙ୍କୁ ବିରାଡ଼ିଆ କିମ୍ବା ଓରନ୍ଦା ଗୋ ଶାଳାକୁ ସ୍ଥାନାନ୍ତର ପାଇଁ ଗଁଦିଆ ପୋଲିସ ପଦକ୍ଷେପ ନିଆଯାଉଅଛି ବୋଲି ଥାନା ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି ।

ରୋପଣ ନ ହୋଇ ଜଙ୍ଗଲରେ ଫିଙ୍ଗା ଯାଉଛି ଚାରା

କାମାକ୍ଷାନଗର – ଜଙ୍ଗଲ ସୃଷ୍ଟି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ,ବାସ୍ତବରେ ଫିଙ୍ଗା ହେଉଛି ଚାରା! ଜଙ୍ଗଲ ସୃଷ୍ଟି ଓ ପରିବେଶ ସୁରକ୍ଷା ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଚାରା ପ୍ରସ୍ତୁତି,ପରିବହନ,ରୋପଣ ଓ ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ଯୋଜନା ହେଉଛି। କିନ୍ତୁ ବାସ୍ତବ ଚିତ୍ର ସରକାରୀ ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାମାକ୍ଷାନଗର ବ୍ଲକ ଆଲୁଅଝରଣ ଗାଁ ନିକଟ ଜଙ୍ଗଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଜଙ୍ଗଲ ସୃଷ୍ଟି ପାଇଁ ଅଣାଯାଇଥିବା ବହୁ ସଂଖ୍ୟକ ଚାରା ରୋପଣ ନ ହୋଇ ଜଙ୍ଗଲ ନିକଟରେ ଫିଙ୍ଗି ଦିଆଯାଇଛି। ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିବାରୁ ଅନେକ ଚାରା ନଷ୍ଟ ହୋଇଗଲାଣି। ଗୋଟେ ପଟେ ସରକାର ସବୁଜ ବଳୟ ସୃଷ୍ଟି ପାଇଁ ଯୋଜନା କରୁଥିବା ବେଳେ ଅନ୍ୟ ପଟେ ଚାରା ଏଭଳି ନଷ୍ଟ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଶ୍ନ ଉଠୁଛି: ଚାରା କିଏ ଓ କେଉଁ ଉଦ୍ଦେଶ୍ୟରେ ଏଠାକୁ ଆଣି ଫିଙ୍ଗିଲା। ଯଦି ସରକାରୀ ଅର୍ଥ ବ୍ୟୟ ହୋଇ ଚାରା ପ୍ରସ୍ତୁତ ହେଲା,ତେବେ ରୋପଣ କାହିଁକି ହେଲା ନାହିଁ? କେବଳ କାଗଜପତ୍ରରେ ବନୀକରଣ ସଫଳତା ଦେଖାଇ ଅର୍ଥ ହଡ଼ପ ହେଉନାହିଁ ତ? ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ବେଡରେ ଶୋଇ ରୋଗୀ ଦେଖୁଛନ୍ତି ଡାକ୍ତର , ମଦ ନିଶାରେ ଚଟାଣରେ ଗଡୁଛନ୍ତି ଡ୍ରେସର 

କାମାକ୍ଷାନଗର ମେଡିକାଲରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର

କାମାକ୍ଷାନଗର  କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି। ଡାକ୍ତର ବେଡରେ ଶୋଇ ଶୋଇ ରୋଗୀ ଦେଖୁଥିବା ବେଳେ ଡ୍ରେସର ମଦ ନିଶାରେ ଚଟାଣରେ ଗଡୁଥିବା ଅଭିଯୋଗ ହୋଇଛି। ଫଳରେ ଦୂର ଦୂରାନ୍ତରୁ ଆସିଥିବା ରୋଗୀମାନେ ଚିକିତ୍ସା ନ ପାଇ ନିରାଶ ହୋଇ ଫେରୁଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣାକୁ ଗୁରୁତର ସହ ନେଇଛନ୍ତି ଢେଙ୍କାନାଳ ସିଡିଏମଓ। ସମ୍ପୃକ୍ତ ଡାକ୍ତର ଓ ଡ୍ରେସରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସକ୍ଷମ ଅଙ୍ଗନୱାଡ଼ି କେନ୍ଦ୍ର ଆଭାସି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଶୁଭ ଉଦଘାଟନ

masiha

ରାତିରେ ଲୁଚାଛପା ମେସିନରେ ହେଉଛି ମନେରଗା କାମ ପ୍ରଶାସନ ର ନଜର ପଡୁନି 

masiha

ଗଣିତ ଓ ବିଜ୍ଞାନ ଶିକ୍ଷକଙ୍କ ପଦୋନ୍ନତି ବଦଳିରେ ସିନିୟର ଏସ୍ ଇ ଏସ୍ ପ୍ରଧାନଶିକ୍ଷକ ପଦବୀରେ ଯୋଗଦାନ:ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆନନ୍ଦିତ 

Leave a Comment

error: Content is protected !!