“ପେନସନ ଦିଅ, ନଚେତ୍ ଇଚ୍ଛାମୃତ୍ୟୁର ଅନୁମତି ଦିଅ”— ଅବସରପ୍ରାପ୍ତ ଦୃଷ୍ଟିହୀନ ଶିକ୍ଷକଙ୍କ କୋହଭରା ଆକୁଳ ନିବେଦନ
ଯେଉଁମାନେ ନିଜର ସାରା ଜୀବନ ଅନ୍ଧାର ଭିତରେ ଥିବା ପିଲାଙ୍କ ଜୀବନରେ ଆଲୋକ ଭରିଲେ, ଆଜି ସେମାନଙ୍କ ନିଜ ଜୀବନ ଅନ୍ଧକାରମୟ। ଅବସରର ଦୀର୍ଘ ବର୍ଷ ବିତିଯାଇଥିଲେ ବି ପେନସନ ଟଙ୍କାଟିଏ ପାଇନାହାନ୍ତି ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ଭବାନୀପାଟଣା ର ଅବସରପ୍ରାପ୍ତ ୧୨ଜଣ ଶିକ୍ଷକ-ଶିକ୍ଷୟିତ୍ରୀ। ସରକାରୀ ଅବହେଳା ଓ ଅଣଦେଖାରେ ଅତିଷ୍ଠ ହୋଇ ଏବେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଛନ୍ତି ଅବସରପ୍ରାପ୍ତ ଶିକ୍ଷକ।
ସାଧାରଣ ଶିକ୍ଷକଙ୍କ ଅପେକ୍ଷା ଦୃଷ୍ଟିହୀନ ପିଲାଙ୍କୁ ପାଠ ପଢ଼ାଇବା ବହୁତ କଷ୍ଟକର। ତଥାପି ନିଷ୍ଠାର ସହ କର୍ତ୍ତବ୍ୟ କରି ଏହି ଶିକ୍ଷକମାନେ ଅନେକ ମଣିଷ ଗଢ଼ିଛନ୍ତି। ଏହି ବିଦ୍ୟାଳୟରୁ ପାଠ ପଢ଼ି ୧୨ରୁ ୧୪ ବ୍ୟାଚ୍ ଛାତ୍ରଛାତ୍ରୀ ମାଟ୍ରିକ୍ ପାସ୍ କରିସାରିଥିବା ବେଳେ, କେତେକ ଛାତ୍ରଛାତ୍ରୀ ଓଏଏସ୍ (OAS) ଭଳି ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ହୋଇସାରିଛନ୍ତି। ଅଥଚ ଯେଉଁ ଗୁରୁମାନେ ସେମାନଙ୍କୁ ଗଢ଼ିଥିଲେ, ଅବସର ପରେ ସେମାନଙ୍କ ପ୍ରତିପୋଷଣ କରିବା ଏବେ କଷ୍ଟକର ହୋଇପଡ଼ିଛି।
ଅବସରପ୍ରାପ୍ତ ଦୃଷ୍ଟିହୀନ ବିଦ୍ୟାଳୟ ଭବାନୀପାଟଣା ପ୍ରଥମ ଶିକ୍ଷକ ବେଣୁଧର ପଟେଲ ନିଜର କ୍ଷୋଭ ଓ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ୧୯୮୭ ମସିହାରେ ସରକାର ନିୟମ କରିଥିଲେ ଯେ ଏହି ବିଦ୍ୟାଳୟର ଶିକ୍ଷକମାନଙ୍କୁ ସାଧାରଣ ଶିକ୍ଷକଙ୍କ ସହ ସମାନ ସୁବିଧା ସୁଯୋଗ ମିଳିବ। ବାରମ୍ବାର ସରକାରୀ ଚିଠି ଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ। ସରକାର କେବଳ ‘ଦିବ୍ୟାଙ୍ଗ’ ନାଁ ଦେଇ ସମ୍ମାନର କଥା କହୁଛନ୍ତି, କିନ୍ତୁ ବାସ୍ତବରେ ସେମାନଙ୍କ ସୁବିଧା ଓ ସଂରକ୍ଷଣକୁ କାଟି ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ଆନ୍ଦୋଳନ ଓ ଚରମ ପଦକ୍ଷେପର ଚେତାବନୀ ଦେଇଛନ୍ତି ।ଯଦି ତୁରନ୍ତ ପେନସନ ବ୍ୟବସ୍ଥା ଲାଗୁ ନ ହୁଏ, ତେବେ ଆଗାମୀ ଭିନ୍ନକ୍ଷମ ଦିବସରେ କଳା ପତାକା ଧରି ପ୍ରତିବାଦ କରିବେ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। କେବଳ ସେତିକି ନୁହେଁ, ବଞ୍ଚିବାର ଅଧିକାର ସ୍ୱରୂପ ପେନସନ ନ ମିଳିଲେ, ଆତ୍ମହତ୍ୟା ବା ଇଚ୍ଛାମୃତ୍ୟୁର ଅନୁମତି ମାଗି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଲିଖିତ ଭାବେ ଜଣାଇବେ ବୋଲି କୋହଭରା କଣ୍ଠରେ କହିଛନ୍ତି।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍

