ମହାଭାରତ କଥା……୨
ଭୀଷ୍ମ ବୋଲି ତୁମର ନାମ ଜଗତରେ ଅମର ହୋଇ ରହିବ ବୋଲି ପିତା ଶାନ୍ତୁନୁ ପୁତ୍ର ଦେବବ୍ରତଙ୍କୁ କାହିଁକି କହିଲେ ।
ଦିନେ ରାଜା ଶାନ୍ତୁନୁ ଗଙ୍ଗା ନଦୀ କୂଳରେ ବସି ଅତୀତର ଘଟଣା ସବୁ ମନେ ପକାଉଥିବା ସମୟରେ ନଦୀ ମଧ୍ୟରୁ ଗଙ୍ଗା ଜଣେ ୧୬ ବର୍ଷ ବୟସର କିଶୋରଙ୍କୁ ସାଙ୍ଗରେ ଧରି କୂଳକୁ ଆସି ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ରାଜା ଅପ୍ରତ୍ଯାଶିତ ଭାବରେ ଏହି ଦୃଶ୍ୟ ଦେଖି ଅବାକ୍ ହୋଇ ଯାଇଥିଲେ । ତାଙ୍କ ମୁହଁରୁ ବାକ୍ଯ ସ୍ଫୁରିଲା ନାହିଁ । ସେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିବା ସମୟରେ ଗଙ୍ଗା ତାଙ୍କୁ ସମ୍ବୋଧନ କରି କହିଲେ, ହେ ରାଜନ୍, ଏଇ ବାଳକଟି ହେଉଛି ତୁମର ଅଷ୍ଟମ ସନ୍ତାନ , ଯାହାକୁ ମୁଁ ଲାଳନ ପାଳନ କରି ବଡ଼ କରିଛି । ଏହି ବାଳକ ସମସ୍ତ ଶାସ୍ତ୍ର ଓ ବେଦବେଦାନ୍ତ ଅଧ୍ଯୟନ କରିଛି । ଏଇ ନିଅ ତୁମର ପୁତ୍ରକୁ । ଏହାର ନାମ ରଖିଛି ଦେବଵ୍ରତ । ଏହା କହି ଗଙ୍ଗା ଅଦୃଶ୍ୟ ହୋଇ ଗଲେ । ରାଜା ଆନନ୍ଦରେ ଉଲ୍ଲସିତ ହୋଇ ପୁତ୍ରକୁ ଆଲିଙ୍ଗନ କରି ମୁଖରେ ଚୁମ୍ବନ ଦେଇଥିଲେ । ଏହା ପରେ ପିତା ଓ ପୁତ୍ର ଦୁହେଁ ରଥରେ ବସି ରାଜଧାନୀକୁ ଫେରି ଆସିଲେ । ଏହି ପୁତ୍ର ସନ୍ତାନ ରାଜାଙ୍କର କୋଳମଣ୍ଡନ କରିଥିବାରୁ ସାରା ନଗରୀରେ ଆନନ୍ଦ ଉଲ୍ଲାସ ଖେଳିଗଲା । ପୁତ୍ର ଦେଵବ୍ରତ ତାଙ୍କର ଉତ୍ତରାଧିକାରୀ ହେଵେ ବୋଲି ରାଜା ଘୋଷଣା କଲେ । ଏହା ପରେ ଦୀର୍ଘ ୪ ବର୍ଷ ବିତିଗଲା । ରାଜକୁମାରଙ୍କ ସହିତ ଶାନ୍ତୁନୁ ଆନନ୍ଦରେ କାଳାତିପାତ କରୁଥାନ୍ତି ଏବଂ ପୁତ୍ରଙ୍କୁ ରାଜକାର୍ଯ୍ୟ ଶିକ୍ଷା ଦେଉଥାନ୍ତି । ଦିନେ ଶାନ୍ତୁନୁ ନଦୀ କୂଳରେ ଏକାକୀ ଭ୍ରମଣ କରୁଥିବା ସମୟରେ ଦେଖିବାକୁ ପାଇଲେ ଜଣେ ନବଯୌଵନସମ୍ପନ୍ନା ସୁନ୍ଦରୀ କନ୍ୟା ଏକ ନୌକାରେ ଯାତ୍ରୀମାନଙ୍କୁ ନଦୀ ପାର କରାଉଛି । କନ୍ଯାଟିର ଅସାମାନ୍ୟ ସୌନ୍ଦର୍ଯ୍ୟ ଦେଖି ଶାନ୍ତୁନୁ ଅତିଶୟ ମୋହିତ ହୋଇ ଯାଇଥିଲେ । ରାଜା ସେହି କନ୍ଯାଟି ନିକଟରେ ପହଞ୍ଚି ତା’ର ପରିଚୟ ଜାଣିବାକୁ ଚାହିଁବାରୁ ସେ ନିଃସଙ୍କୋଚରେ ଉତ୍ତର ଦେଲା, ମୁଁ ହେଉଛି ଏଠିକାର ଧୀବରମୁଖ୍ଯଙ୍କ କନ୍ୟା ସତ୍ଯବତୀ । ମୁଁ ଏଠାରେ ପ୍ରତିଦିନ ଯାତ୍ରୀମାନଙ୍କୁ ଡଙ୍ଗାରେ ନଦୀ ପାରି କରାଏ ।
ରାଜା ସେହି କନ୍ଯାର ପିତାଙ୍କୁ ଡକାଇ ନିଜର ପରିଚୟ ଦେଇ ତାଙ୍କ କନ୍ଯାଙ୍କୁ ବିବାହ କରିବା ନିମନ୍ତେ ଇଚ୍ଛା ପ୍ରକାଶ କଲେ । ଏହା ଶୁଣି ଧୀବର ଅତିଶୟ ଆନନ୍ଦିତ ହୋଇ କହିଲା, ମହାରାଜ୍ ,ଆପଣ ମୋ ପରି ଜଣେ ଧୀବର କନ୍ଯାର ପାଣିଗ୍ରହଣ କରିବାକୁ ଇଚ୍ଛା କରୁଛନ୍ତି, ଏହାଠାରୁ ଅଧିକ ଗୌରବର କଥା ମୋ ପକ୍ଷେ କ’ଣ ଥାଇପାରେ ? କିନ୍ତୁ ଗୋଟିଏ ସର୍ତ୍ତରେ ମୁଁ ମୋର ଏହି ଏକମାତ୍ର କନ୍ୟା ସତ୍ଯବତୀକୁ ଆପଣ ସହିତ ବିବାହ କରାଇବି ଏବଂ ସେହି ସର୍ତ୍ତଟି ହେଲା, ମୋର କନ୍ୟାର ପୁତ୍ର ସନ୍ତାନ ହିଁ ଆପଣଙ୍କର ଉତ୍ତରାଧିକାରୀ ହୋଇ ରାଜଗାଦିରେ ବସିବ । ଶାନ୍ତୁନୁ ଏହି ସର୍ତ୍ତଟି ଶୁଣି କୌଣସି ଉତ୍ତର ନ ଦେଇ ଚିନ୍ତିତ ଅବସ୍ଥାରେ ରାଜଧାନୀକୁ ଫେରି ଆସିଥିଲେ । ମନରେ ଅତ୍ଯନ୍ତ ବିମର୍ଷ ଭାବ । ତାଙ୍କର ପ୍ରଥମ ପତ୍ନୀ ଗଙ୍ଗାଙ୍କ ପୁତ୍ର ଦେବଵ୍ରତଙ୍କୁ ସେ ତାଙ୍କର ଉତ୍ତରାଧିକାରୀ ଵୋଲି ଘୋଷଣା କରିସାରିଥିଲେ । ତାକୁ ଏହି ଅଧିକାରରୁ ବଞ୍ଚିତ କରି ଆଉ କାହାରିକୁ କିପରି ରାଜସିଂହାସନରେ ଉତ୍ତରାଧିକାରୀ କରିବେ ? ଏହି ଚିନ୍ତାରେ ଶାନ୍ତୁନୁ ଦିନ ପରେ ଦିନ ଅତିବାହିତ କରିବାକୁ ଲାଗିଲେ ଏବଂ ରାଜକାର୍ଯ୍ଯରେ ଆଉ ମନ ଦେଇପାରିଲେ ନାହିଁ । ସେ ସଦାସର୍ଵଦା ବିଷାଦରେ ରହିଥାନ୍ତି । ଦେବବ୍ରତ ପିତାଙ୍କର ଏପରି ଚିନ୍ତାଗ୍ରସ୍ତ ଅବସ୍ଥା ଲକ୍ଷ୍ଯ କରୁଥାନ୍ତି । ସେ ରାଜାଙ୍କର ଜଣେ ବିଶ୍ବସ୍ତ ମନ୍ତ୍ରୀଙ୍କୁ ତାଙ୍କ ପିତା ଏପରି ଚିନ୍ତିତ ରହିଥିବାର କାରଣ ପଚାରିବାରୁ ସମସ୍ତ ଘଟଣା ଜାଣିବାକୁ ପାଇଲେ । ଦେବବ୍ରତ ସେହି ମନ୍ତ୍ରୀଙ୍କୁ ସଙ୍ଗରେ ଧରି ସତ୍ଯବତୀର ପିତାଙ୍କ ନିକଟରେ ଯାଇ ପହଞ୍ଚିଲେ ଏବଂ ତାଙ୍କର କନ୍ଯାଙ୍କୁ ନିଜର ମାତାରୂପେ ଗ୍ରହଣ କରି ପିତାଙ୍କ ଇଚ୍ଛା ପୂରଣ କରିବା ନିମନ୍ତେ ଧୀବରରାଜାଙ୍କୁ ଅନୁରୋଧ କଲେ । ଏହା ଶୁଣି ସତ୍ଯବତୀଙ୍କ ପିତା ସେହି ପୂର୍ବ ସର୍ତ୍ତଟି ଦୋହରାଇବାରୁ ଦେବବ୍ରତ ବଜ୍ରଗମ୍ଭୀର ସ୍ବରରେ କହିଲେ, ହେ ମାତାମହ, ମୋର ପ୍ରତିଜ୍ଞା ଶୁଣ । ତୁମର କନ୍ଯା ମୋର ପିତାଙ୍କୁ ବିବାହ କଲେ ତାଙ୍କର ପୁତ୍ର ହିଁ ରାଜସିଂହାସନରେ ବସିଵ ।
ଏହାଶୁଣି ସତ୍ଯବତୀର ପିତା କହିଲେ, ହେ ରାଜକୁମାର, ତୁମେ ଯେତେବେଳେ ବିବାହ କରିବ ଆଉ ତୁମର ପୁତ୍ରମାନେ ରାଜସିଂହାସନ ଦାବି କରିବେ, ସେତେବେଳେ ମୋ କନ୍ୟାର ପୁତ୍ରଙ୍କ ଭାଗ୍ଯ କ’ଣ ହେବ, ମୋର ଏହି ସନ୍ଦେହ ମୋଚନ କର । ଧୀବରଙ୍କ ଏହି ସନ୍ଦେହ ମୋଚନ କରିବାକୁ ଯାଇ ଦେବବ୍ରତ କହିଲେ, ହେ ମାତାମହ, ମୁଁ ଆଗରୁ ପ୍ରତିଶ୍ରୁତି ଦେଇସାରିଛି ଯେ ମୁଁ ରାଜସିଂହାସନର ଅଧିକାରୀ ହେବାକୁ ଚାହେଁ ନାହିଁ । ବର୍ତ୍ତମାନ ମୁଁ ଆଉ ଏକ ପ୍ରତିଜ୍ଞା କରୁଛି, ମୁଁ ଆଦୌ ବିବାହ ନ କରି ସାରା ଜୀବନ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବି । ମୋର ପ୍ରତିଜ୍ଞା ଅଟଳ ବୋଲି ଜାଣି ରଖ । ଦେବବ୍ରତ ଏହି ପ୍ରକାର ପ୍ରତିଜ୍ଞା କରୁଥିବା ସମୟରେ ଆକାଶରୁ ପୁଷ୍ପବୃଷ୍ଟି ହେବା ସଙ୍ଗେ ସଙ୍ଗେ, ” ତୁମେ ଭୀଷ୍ମ ତୁମେ ଭୀଷ୍ମ ” ବୋଲି ଶବ୍ଦ ଶୁଣାଗଲା । ଅଟଳ ପ୍ରତିଜ୍ଞା କରିଥିବା ଯୋଗୁଁ ଦେବବ୍ରତ ସେହି ମୁହୂର୍ତ୍ତରୁ ଭୀଷ୍ମରେ ପରିଣତ ହେଲେ । ଭୀଷ୍ମ ସତ୍ଯବତୀର ଚରଣ ବନ୍ଦନା କରି କହିଲେ, ହେ ମାତାଶ୍ରୀ , ଆଜିଠାରୁ ତୁମେ ମୋର ଜନନୀ ହେଲ । ଏହା କହି ରାଜକୁମାର ଧୀବରରାଜାଙ୍କ ଅନୁମତି ନେଇ ସତ୍ଯବତୀଙ୍କୁ ରଥରେ ବସାଇ ମନ୍ତ୍ରୀଙ୍କ ସହ ହସ୍ତିନାପୁରକୁ ଫେରି ଆସି ସିଧା ଯାଇ ପିତାଙ୍କ ନିକଟରେ ପହଞ୍ଚିଲେ । ଏହାଦେଖି ପାତ୍ରମନ୍ତ୍ରୀଗଣ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ପିତାଙ୍କ ନିକଟରେ ସତ୍ଯବତୀଙ୍କୁ ପହଞ୍ଚାଇ ରାଜକୁମାର କହିଲେ, ହେ ପିତାଶ୍ରୀ,ଏଇ ମୋର ମାତା ସତ୍ଯଵତୀଙ୍କୁ ଆପଣ ଗ୍ରହଣ କରନ୍ତୁ । ଭାବ ବିହ୍ବଳ ଅବସ୍ଥାରେ ଶାନ୍ତୁନୁ ସିଂହାସନରୁ ଓହ୍ଲାଇ ଆସି ପୁତ୍ରଙ୍କୁ ଗାଢ ଆଲିଙ୍ଗନ କରି କହିଲେ, ଧନ୍ଯ ପୁତ୍ର, ଧନ୍ଯ ତୁମର ଏହି ତ୍ଯାଗ । ତୁମେ ହେଉଛ ଏ ସଂସାରରେ ଅଦ୍ବିତୀୟ । ତୁମେ ପ୍ରକୃତରେ ଭୀଷ୍ମ । ମୁଁ ପିତା ରୂପେ ତୁମକୁ ଏହି ଆର୍ଶୀବାଦ ଦେଉଛି, ତୁମେ ଜୀବନର ଶେଷ ପର୍ଯ୍ୟନ୍ତ ଏ ସଂସାରରେ ଯଶସ୍ବୀ ହୋଇ ବଞ୍ଚି ରହି ଇଚ୍ଛାମୃତ୍ୟୁ ବରଣ କରିବ । ଭୀଷ୍ମ ବୋଲି ତୁମର ନାମ ଜଗତରେ ଅମର ହୋଇ ରହିବ । ଏହାପରେ ମହାସମାରୋହରେ ସତ୍ଯବତୀଙ୍କ ସହିତ ରାଜା ଶାନ୍ତୁନୁଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । କାଳ…..(କ୍ରମଶଃ)
ସଂଗ୍ରାହକ — କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ — ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର,