ସାବିତ୍ରୀ ବ୍ରତ
ସୁକାନ୍ତ ଖଣ୍ଡା
ଓଷା ଭିତରେ ସାବିତ୍ରୀ ବ୍ରତ।।
ଯାହା ଆଜି ଡିଆଁ ରୋଗ ଭଳି ସଂକ୍ରମଣ
ଯେମିତି କାଛୁ କି କୁଣ୍ଡିଆ?
ଆଜିର ଏ କରୋନା ପରି ଭୟଙ୍କର ବ୍ଯାପୁଛି
ସରହ,ନଗର ଓ ଗାଆଁ।
ସବୁ ଭୁଲିଲେଣି ଦ୍ବିତୀୟା ଓଷାକୁ
ଓପାସ ରହିବ କିଏ?
ସାବିତ୍ରୀ ବ୍ରତ କିନ୍ତୁ ଭାରି ଭଲ
ଭଲଭଲ ଖାଇବା ମିଳେ
ଓପାସ ବିଲକୁଲ ବି ନାହିଁ,ନୁହେଁ?
ବାପ ଘର ଓ ଶ୍ବଶୂର ଘରଠୁ ଦୁଇ ଦୁଇଟା ଶାଢୀ଼
ଭରପୂର ଫଳର ହାଟ
ଯାହା ଦିନେ ମୋଟେ ମିଳେ ନାହିଁ।
ଚୁଲିକୁ ଯାଉ ସ୍ବାମୀ ଭକ୍ତି
ନିତି କୁଆଡୁ ଆସିଲେ ପିଠିରେ
କଣ ଆଣିଛନ୍ତି ଦେଖିବାକୁ ହୁଏ
ଆଣିଥିଲେ ତ ଶୁଭଙ୍କର
ଅନ୍ଯଥା ଉତ୍ତମ ଓ ମଧ୍ଯମ ଶୁଣିବାକୁ ପ୍ରସ୍ତୁତ।
ନିତି ମନ ଓ ଦେହକୁ ଗୋଇଠା ତ
କଣ ହେଲା ସେଇଠୁ
ମୋର ହୋଇ କି ହିଁ ପଡି଼ଥା,ନୁହେଁ?
ହେଲେ ଆଜି ତ ସ୍ବାମୀ ନା
ପତି ପରମେଶ୍ବର
ଇହ ଓ ପର କାଳର ସାକ୍ଷାତ ଦେବତା।
ଆଜି ପର ପୁରୁଷକୁ ଦେଖିବା ପାପ
ଛୁଇଁବ ତ ସତୀତ୍ବ ନଷ୍ଟ।
ମୋବାଇଲ ବନ୍ଦ ଥାଉ ଆଜି ପାଇଁ
କାଳେ କେଉଁ ପୁରୁଷ ବନ୍ଧୁ କଲ କରିନେବ
ଅଥବା ବାହାନ କରି ସଞ୍ଜକୁ ଡାକିବ
ଖଟି ପାଇଁ ବଜାର କି ହୋଟେଲ?
ବଡ଼ ବ୍ଯସ୍ତତାର ମାୟା ଏ ସଂସାର।
କାହାକୁ ଚିହ୍ନିବା ମୁସ୍କିଲ
ଏଠି ଦେଇ ଚାଲିଥିଲେ ଭଲ
ଦିନେ ଉଣା ହେବ ତ ପୋଖରୀ ଖୋଳିବେ ପିଠିରେ
ସାତ ପୁରୁଷ ଉଦ୍ଧାର କରି ଫିଙ୍ଗିବେ ଅପଭାଷା ଆଉ ଅପକଥା ଯେତେ।
କିଏ କାହାର ପରି
ଭୁଲି ବି ଯିବେ ପତିଦେବ କିଏ
କାମନା ଓ ବାସନା ମିଳୁଥିବା ପାଖରେ
ହଜାଇ ଦେବେ ନିଜର ଦେହ,ମନ ଓ ପ୍ରାଣକୁ।
ଅଥଚ ଆଜି ସାବିତ୍ରୀ ବ୍ରତ ନାମରେ
ହୁରି ପଡୁଛି ଦଶଦିଶ
ଗୋଟାପଣେ ପ୍ରେମ ଓ ଭକ୍ତିରେ
ସତ୍ଯ,ଶାନ୍ତି ଓ ପବିତ୍ରତାରେ
ନେଶି ହୋଇ ଯାଉଛି ତାଳରୁ ତଳିପା
କର୍ମରେ ଆଉ ଧର୍ମରେ।
ହେ ସାବିତ୍ରୀମାନେ !
ଆଜି ଦିନଟି ପରି ସବୁଦିନ
ଭଲ ପାଇବା ଦିଅନ୍ତ ତ ପ୍ରତିଘର
ସ୍ବର୍ଗପୁର ହୋଇଯାନ୍ତା
ରାଗ,ରୁଷା,ଅଭିମାନ ଓ କଳିକୁ
ଦୂରେଇ ପବିତ୍ର ବନ୍ଧନରେ ହଜିଯାନ୍ତେ ସଭିଏଁ
ଯେମିତି କ୍ଷୀର ଆଉ ନୀର
ଦେହ ଆଉ ଛାଇ
ଆଖି ଆଉ ଲୁହ,ନୁହେଁ?