ସାବିତ୍ରୀ ବ୍ରତ
ପ୍ରେମାନନ୍ଦ ବେହେରା
ଉତ୍କଳ ବକ୍ଷରେ ଜୈଷ୍ଠ ମାସ ଆସେ
ହୁଏ ଅମାବାସ୍ୟା ତିଥି
ପ୍ରତିଟି ସାଧବା ସାଜନ୍ତି ସାବିତ୍ରୀ
ସତ୍ୟବାନ ହୁଏ ପତି ।।
ସକାଳୁ ଉପାସେ ପତ୍ନୀ ରହିଥାଏ
ପତି ମଙ୍ଗଳ ମନାସି
କେତେ ଉପଚାରେ ପୂଜା କରିଥାଏ
ହୋଇ ଅନ୍ତରରୁ ଖୁସି ।।
ଘେନି ଏକୋଇଶି ପ୍ରକାରର ଫଳ
କରିଥାଏ ସମର୍ପଣ
ଧୂପ ଦୀପ ଜାଳି ଭକ୍ତିଭରେ ଡାକେ
ହେ ପ୍ରଭୁ ସହୃଦେ ଘେନ ।।
ଜୀବନ ଡ଼ଙ୍ଗାରେ ନାଉରୀ ତା’ ସ୍ବାମୀ
ସର୍ବସୁଖ ଦେଇଥାଏ
ଦୁଃଖରେ କାତର ସୁଖରେ ଅଧିର
ସାତଜନ୍ମ ସାଥି ସିଏ ।।
ନାରୀ ପାଇଁ ବଡ଼ ଶଙ୍ଖା ଓ ସିନ୍ଦୁର
ଏହି ଭବ ସଂସାରରେ
ମାଗେ ନାହିଁ ଆଉ କିଛି ମହାପ୍ରଭୁ
ଦୟା ରଖିଥିବ ତା’ରେ ।।
ଇହକାଳ ପର କାଳ ସାଥି ପାଇଁ
ଅଗ୍ନିଙ୍କୁ ରଖିଣ ସାକ୍ଷୀ
ବିବାହ ବନ୍ଧନେ ଆବଦ୍ଧ ହୋଇଣ
ଜୀବନେ ହୋଇଛି ଖୁସି ।।
ସୁଖରେ ସମୟ ଗଡାଇ ନେବ ହେ
ପ୍ରଭୁ ଜଗତ ଠାକୁର
ସାବିତ୍ରୀମାନଙ୍କୁ ସୁଖରେ ରଖିବ
ଏତିକି ଗୁହାରୀ ମୋର ।।