କବି
ସୁରେନ୍ଦ୍ର କୁମାର ବେହେରା
ଜଗତ ହୀତରେ ଦ୍ଵିତୀୟ ଈଶ୍ୱର
ତୁମେ ପ୍ରିୟ କବିବର
ଲେଖନୀ ଚାଳନା ଶାଣିତ କରିଛ
ନୂତନ ସମ୍ଭାବନାର ।1।
ନଦୀ ନାଳ ଆଉ ପାହାଡ଼ ପର୍ବତ
ଝରଣା ସାଗର କଥା
ସମାଜରେ ଚଳି ଆସୁଥିବା ଯେତେ
କୁସଂସ୍କାର ନାନା ପ୍ରଥା ।2।
ପୋଖରୀରେ କଇଁ ଆକାଶରେ ଜହ୍ନ
ମିଳନ ଯେ ଆସମ୍ଭବ
ତୁମ ଲେଖନୀରେ ମନର ଭାବକୁ
କରି ପାରିଛ ସମ୍ଭବ ।3।
ସମାଜର ଚିତ୍ର ଲେଖନୀ ମୁନରେ
ହୋଇଛି ପରିବର୍ତ୍ତନ
ଶିଶୁ ଓଠେ ହସ ଫୁଟାଇ ପାରିଛ
ହାତେ ଧରାଇଛ ଜହ୍ନ ।4।
ପର୍ବତ ଶିଖରେ ପଦ୍ମ ପୁଟାଇଛ
ପ୍ରିୟା ଓଠେ ସ୍ମିତହାସ
ନାରୀ ନିର୍ଯାତନା ଧର୍ଷଣ ଲାଞ୍ଛନା
ସମାଜକୁ ଉପହାସ ।5।
ମନ ତୁମ ଘୁରେ କଳ୍ପନା ରାଇଜେ
ନଜରକୁ ଆସେ ଯାହା
ଅନ୍ୟାୟ ଅନୀତି ଯେତେକ ଦୁର୍ନୀତି
ନିର୍ଭୟରେ ଲେଖ ତାହା ।6।
ତୁମେ କବିବର ଛନ୍ଦ ଅଳଙ୍କାର
କଳ୍ପନାରେ ତୁମ ଆସେ
ମରୁ ପରେ ତୁମେ ସବୁଜିମା ଭର
ଉପବନେ ଫୁଲ ହସେ ।7।
ବିପ୍ଳବର ସ୍ୱର ଶାଣିତ ତୁମର
ଆନ୍ଦୋଳନ ଦାନା ବାନ୍ଧେ
ପ୍ରେମିକ ପ୍ରେମିକା ଏକମନ ପ୍ରାଣ
କରି ପାର ମଧୁଛନ୍ଦେ ।8।
ଅପସଂସ୍କାରର ବିଲୋପ ସାଧନ
ସଂସ୍କାର ସଂସ୍କୃତି ପାଇଁ
ଚେତନାର ସ୍ୱର ତୁମେ ତୋଳିପାର
ସମାଜ ବିକାଶ ପାଇଁ ।9।
କବି କଣ୍ଠେ ବିଜେ ଶାରଦା ବରଦା
ନବ ସୃଷ୍ଟି ସମ୍ଭାବନା
ଜଗତ ମଙ୍ଗଳ କାମନା ହୃଦୟେ
ଲେଖନୀ ମୁନେ ସର୍ଜନା ।10।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର ।