ଈଶ୍ବର
ସୁକାନ୍ତ ଖଣ୍ଡା
ଈଶ୍ବର ହେ ତୁମେ ସତ୍ଯ ଧର୍ମ ନ୍ଯାୟ
ସୃଷ୍ଟି ସ୍ଥିତି ଓ ପ୍ରଳୟ
ତୁମର ଇଛାରେ ଏ ଜଗତ ଚାଲେ
ତୁମେ ହିଁ ଅମୃତମୟ।୧
ସର୍ବବ୍ଯାପି ତୁମେ ଅନାଦି ଅନନ୍ତ
ତୁମର ଦୟାରୁ ସବୁ
ଅଗତିର ଗତି ମୁକତି ଆଉ ବି
ଦିନରାତି କର କାବୁ।୨
ଭକତି ସଉଧ ହୃଦୟରେ ଥାପି
ଈଶ୍ବରଙ୍କ ନାମ ଧରି
ସୁମରଣ କରେ ଯିଏ ବିଶ୍ବ ବ୍ଯାପି
କିଏ ହେବ ତାଙ୍କ ସରି?୩
ଯାହାଙ୍କ ଇସାରା ନ ହେଲେ ଜୀବର
ପଲକ ଯମା ପଡେ଼ନା
ଭବ ସାଗରର ତୁମେ ହେ ନାଉରୀ
ଉଡାଇ ଚାଲିଛ ବାନା।୪
ତୁମେ ଜଗନ୍ନାଥ ତୁମେ ହିଁ ଈଶ୍ବର
ଦାରୁବ୍ରହ୍ମ ହୋଇଅଛ
ଭକତଙ୍କ ମାନ ମହତ ପାଇଁ କି
ପୁରୀଧାମେ ବସିଅଛ।୫
ସତ୍ଯକୁ ତ୍ରେତୟା ଦ୍ବାପର ଓ କଳି
ରୂପ ତୁମ ଭିନ୍ନ ଅଟେ
ଧରମ ପାଇଁକି ବିଜୟର ବାନା
ଉଡା଼ଅ ଏ ମହୀ ଘଟେ।୬
ମନ ହୃଦୟରେ ଜପୁଅଛି ନାମ
ବିଭିନ୍ନ ରୂପକୁ ଦେଖି
ଭକତି ଭାବନା କରମ ସାଧନା
ହେବାକୁ ଅନନ୍ତ ସୁଖୀ।୭
ଯିଏ ସର୍ବବ୍ଯାପି ଅନାଦି ଅନନ୍ତ
ଜନମ ଓ ମରଣର
ମୋକ୍ଷର ମନ୍ଦିର ଗୀତା ଭାଗବତ
ପ୍ରଣାମ ହେ ନିରନ୍ତର।୮
ସକଳ ପରାଣେ ନିଏ ବିଦ୍ଯମାନ
ସିଏ ହିଁ ଈଶ୍ବର ଜାଣ
ପଟାନ୍ତର ନାହିଁ ମହିମା ତାଙ୍କର
କିଏ ବା ବାଛିବ ଖୁଣ?୯
ଜଳରେ ସ୍ଥଳରେ ଆକାଶେ ସର୍ବତ୍ର
ବିରାଜିତ ହୃଦୟରେ
ନର ପଶୁ ପକ୍ଷୀ କୀଟ ତରୁଙ୍କର
ଯା’ପାଇଁ ଅମୃତ ଝରେ।୧୦