ସନ୍ଧ୍ୟା
ସୁରେନ୍ଦ୍ର କୁମାର ବେହେରା
ଗୋଧୂଳି ବେଳାରେ ଅସ୍ତଗାମୀ ରବି
ପଶ୍ଚିମରେ ଗଲେ ବୁଡି
ନିଜ ନିଜ ବସା ଅଭିମୁଖେ ପକ୍ଷୀ
ଦଳ ଦଳ ଗଲେ ଉଡି ।1।
ଗୋଠକୁ ଫେରିଲେ ଗାଈଗୋରୁ ଯେତେ
ସନ୍ଧ୍ୟା ହୋଇଲା ଆଗତ
କଳା ପରଦାରେ ଧରାକୁ ଘୋଡେଇ
ତାରାକୁ କଲା ସ୍ୱାଗତ ।2।
ଛାଇ ଆଲୁଅର ଲୁଚକାଳି ଖେଳ
ତୁଳସୀ ଚଉଁରା ମୂଳେ
ଘରର ଘରଣୀ ଭକ୍ତିଭାଵ ନେଇ
ସଞ୍ଜବତୀ ଜାଳି ଦେଲେ ।3।
ଗାଆଁ ମନ୍ଦିରରେ ଘଣ୍ଟ ଘଣ୍ଟା ଶଙ୍ଖ
ସନ୍ଧ୍ୟା ଆଜିତେ ଆଳତୀ
ଧୂପ ଦୀପ ଜାଳି ପୂଜକ ଗୋସେଇଁ
ଦେବାଦେବୀଙ୍କୁ ପୂଜନ୍ତି ।4।
ତାରାଙ୍କ ରୋଷଣୀ ଆକାଶ ଛାତିରେ
ଜହ୍ନ ଆସୁଥିଲା ଉଇଁ
ପୋଖରୀ ଜଳରେ ଜହ୍ନ ମୁଖ ଚାହିଁ
ଜୋଛନାରେ ହସେ କଇଁ ।5।
କ୍ଷେତ କାମସାରି କୃଷକ ଫେରଇ
ଆପଣା ଘରକୁ ହସି
ଖେଳକୁଦ ସାରି ବାଳକେ ଆସିଲେ
ପାଠ ପଢିବାକୁ ବସି ।6।
ସନ୍ଧ୍ୟା ଆଗତରେ କମି ଗଲା କ୍ଷଣେ
ପିଲାଙ୍କର କୋଳାହଳ
ଅନ୍ଧାର ରାଜତ୍ୱ ଚାରିଆଡେ ଶାନ୍ତ
ବିଶ୍ରାମ ଶ୍ରମେ ସକଳ ।7।
ରାତ୍ରି ଭୋଜନର ପ୍ରସ୍ତୁତରେ ବ୍ୟସ୍ତ
ଘରର ଯେତେ ଘରଣୀ
ଖାଦ୍ୟପେୟ ପରେ ଶୟନରେ ସର୍ବେ
ବିଶ୍ରାମ ଲୋଡନ୍ତି ଜାଣି ।8।