ପରଦେଶୀ ମେଘ
ପରଦେଶୀ ମେଘ
ଯାଏ ଭାସି ଦୂରେ
ସମ୍ପର୍କକୁ କରି ପର
କେଜାଣି କେଉଁଠି
ଠିକଣା ତାହାର
ସିଏ ପରା ଯାଯାବର.
ବ୍ୟଥା ହୃଦୟର
ବୁଝେନାହିଁ ସିଏ
ହସ ଅବା ଲୁହ ଧାର
ମଳୟ ଆସିଲେ
ବଦଳେ ତା ମନ
ସିଏ ଭାରି ସ୍ୱାର୍ଥପର.
ହୃଦୟର ବ୍ୟଥା
ବୁଝେ ଆଖିପତା
ଝରିପଡ଼େ ଲୁହ ଧାର
ପରଦେଶୀ ବନ୍ଧୁ
ଫେରିଯାଏ ଦିନେ
କଥା ତା ପାଣିର ଗାର.
ରୁକୁଣାରଥ ସେ
ଗୋପର କହ୍ନାଇ
ଯାଏ ଛାଡି ମଧୁପୁର
ଭୁଲି ପ୍ରତିଶୃତି
ସ୍ନେହ ପ୍ରେମ ପ୍ରୀତି
ହୋଇଯାଏ ସାତପର.
ଗୋପ ଗୋପାଙ୍ଗନା
ଉଜାଣି ଯମୁନା
ରାଧାରାଣୀ ପ୍ରୀତି ଭୁଲି
ଯାଏ କଳାକାହ୍ନୁ
ପରଦେଶୀ ସାଜି
ଯିଏ ଥିଲା ପ୍ରାଣ କାଲି.
ସମୟ ଖେଳୁଛି
ଭଉଁରୀର ଖେଳ
କେବେ ହସ କେବେ ଲୁହ
ପରଦେଶୀ ମେଘ
ଯାଏ ଦୂରେ ଭାସି
ତୁଟାଇ ସମ୍ପର୍କ ମୋହ.