ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ୍‌: ରେଳମନ୍ତ୍ରୀ

ସ୍ବତନ୍ତ୍ର ଟ୍ରେନ୍‌ ସହ ବନ୍ଦ ଥିବା ପାସେ‌ଞ୍ଜର ଟ୍ରେନ୍‌ଗୁଡ଼ିକ ପୁଣି ଥରେ ଚାଲିବ

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୨ ସମୟରେ ଶ୍ରୀକ୍ଷେତ୍ର ପୁରୀକୁ ୨୦୫ଟି ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ଦେଶର ବିଭିନ୍ନ ପ୍ରାନ୍ତରୁ ଏହି ‌ସ୍ବତନ୍ତ୍ର ଟ୍ରେନ୍‌ ଗୁଡ଼ିକ ଚାଲିବ। ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ପୂର୍ବ ବର୍ଷ ଗୁଡ଼ିକର ତୁଳନାରେ ଚଳିତ ଥର ଅଧିକ ସ୍ବତନ୍ତ୍ର ଟ୍ରେନ୍‌ ସେବା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି।ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, କୋଭିଡ-୧୯ ପାଇଁ ବନ୍ଦ ଥିବା ପାସେ‌ଞ୍ଜର ଟ୍ରେନ୍‌ଗୁଡ଼ିକ ପୁଣି ଥରେ ଚାଲିବ। ରଥଯାତ୍ରା ସମୟରେ ଏହି ପାସେଞ୍ଜର ଟ୍ରେନ୍‌ଗୁଡ଼ିକ ପୁଣି ଥରେ ଚାଲିବା ଦ୍ବାରା ଗ୍ରାମାଞ୍ଚଳର ଲୋକେ ସହଜରେ ପୁରୀକୁ ଆସି ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖି ପାରିବେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଯାତ୍ରୀମାନେ ଯେପରି ହଇରାଣ ନ ହୁଅନ୍ତି, ସେଥିପାଇଁ ରେଳବାଇ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଯାତ୍ରୀମାନେ ଟିକେଟ ପାଇଁ କାଉଣ୍ଟରରେ ଭିଡ ନ ଲଗାଇ ମୋବାଇଲରେ ଟିକେଟ ବୁକ୍‌ କରିପାରିବେ। ଏଥି ପାଇଁ ମୋବାଇଲ ଟିକେଟ୍‌ ବୁକିଂ ବ୍ୟବସ୍ଥା କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ରଥଯାତ୍ରା ସମୟରେ ପୁରୀରେ ଲକ୍ଷାଧିକ ଲୋକଙ୍କର ଭିଡ ହେବ। ଏହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ପୁରୀ ରେଳ ଷ୍ଟେସନ୍‌ରେ ଜର୍ମାନୀ ଶୈଳୀରେ ଏକ ବିଶାଳ ଟେଣ୍ଟ ନିର୍ମାଣ କରାଯିବ। ଏହି ଟେଣ୍ଟରେ  ଯାତ୍ରୀମାନଙ୍କୁ ଆବଶ୍ୟକ ସୁବିଧା ମିଳିବ। ଯାତ୍ରୀମାନେ ଟେଣ୍ଟ ଭିତରେ ମାଗଣା ଖାଦ୍ୟ ଓ ପାନୀୟ ଜଳ ପାଇପାରିବେ। ଶ୍ରୀଗୁଣ୍ଡିଚା ଯାତ୍ର ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ଏଥି ସହିତ ରେଳବାଇ ପକ୍ଷରୁ ବିଭିନ୍ନ ସ୍ଥାନରେ ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଯାତ୍ରୀଙ୍କ ସୁରକ୍ଷା ପାଇଁ ୬୦୦ ଆରପିଏଫ ମୁତୟନ ହେବେ।

ସୂଚନାଯୋଗ୍ୟ, ୨୦୨୦ ଓ ୨୦୨୧ ରଥଯାତ୍ରାରେ ସାଧାରଣ ଭକ୍ତ ପୁରୀ ରଥଯାତ୍ରାରେ ସାମିଲ ହୋଇପାରି ନଥିଲେ। ତେଣୁ ଚଳିତ ବର୍ଷ ରଥଯାତ୍ରାରେ ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କର ଭିଡ ହେବ ବୋଲି ପୂର୍ବାନୁମାନ କରାଯାଉଛି। ସେଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଇଛି। ପୂର୍ବରୁ ରଥଯାତ୍ରାରେ ପ୍ରାୟ ୧୦ ଲକ୍ଷ ‌ଶ୍ରଦ୍ଧାଳୁଙ୍କ ଭିଡ ‌ରହୁଥିଲା। କିନ୍ତୁ ଏଥର ଅଧିକ ୫ ଲକ୍ଷ ଲୋକ ଭିଡ ହୋଇପାରନ୍ତି ବୋଲି ପୂର୍ବାନୁମାନ କରାଯାଉଥିବାରୁ ସ୍ବତନ୍ତ୍ର ଟ୍ରେନ୍‌ ସଂଖ୍ୟା ବଢ଼ାଇ ଦିଆଯାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଏଣିକି କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିବେ କୋଭିଡ ଅନାଥ…

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ

Sunil Chandra Nayak

ମାଁ ନାରାୟଣୀ ଠାକୁରାଣୀ ଙ୍କର ପଞ୍ଚବିଂଶ ତମ ରୌପ୍ୟ ଜୟନ୍ତୀ ଯାତ୍ରା

Leave a Comment

error: Content is protected !!