ମୂର୍ଖ ପଣ୍ଡିତ

ନଈରେ ଭରା ସୁଅ।ପାଣି ,ଏ କୂଳରୁ ସେ କୂଳ ଖାଉଛି। ଚାରି ଚକିଆ ଗାଡି ଧରି,ବିଲାତ ଫେରନ୍ତା ପଣ୍ଡିତ, ଶ୍ରୀମାନ ଡକ୍ଟର ଅମୁକ, ଯୋଗ୍ୟତା -(ଏମ୍ ଟେକ୍ ,ପିଏଚଡି.ଏଲଟି,ଡିଟି.(ଲଣ୍ଡନ),)ନଈ କୂଳରେ ପହଞ୍ଚିଗଲେ।କୂଳରେ ଠିଆ ହେଇ,ବିଦେଶୀ ଷ୍ଟାଇଲରେ ,ଡାକ ଛାଡ଼ିଲେ “ହ୍ୟାଲୋ,!ହାଏ,!ବୋଟମ୍ୟାନ୍।ମୋତେ ଟିକିଏ ନଈ ପାରି କରିଦେଇ ପାରିବ।”।
ନାଉରୀ ନମ୍ର ଭଦ୍ର ଭାବରେ ଉତ୍ତର ଦେଲେ, “କାହିଁକି ନୁହେଁ ଆଜ୍ଞା। ମୁଁ ତ ସେଇଥିପାଇଁ ଏ ଘାଟ ଜଗିଛି।ଆସନ୍ତୁ, ମୁଁ ଆପଣଙ୍କୁ ନଈ ପାରି କରିଦଉଛି।”
ଚାରିଚକିଆ ଗାଡିକୁ କୁ,ଡଙ୍ଗା ଉପରେ ରଖି,ନାଉରିଆ ବାପୁଡ଼ା, ଡକ୍ଟର ଅମୁକ ବାବୁଙ୍କ, ହାତ ଧରି, ଧୀରେ ଧୀରେ, ଡଙ୍ଗାରେ ବସେଇଲେ।
ଡଙ୍ଗାଚାଲିଲା…ଭିତରକୁ…ଭିତରକୁ।
ଡଙ୍ଗାରେ ବସି,ଡକ୍ଟର ଅମୁକ ବାବୁ ଆରମ୍ଭ କଲେ,ହ୍ୟାଲୋ !ବୋଟମ୍ୟାନ ପାଠ କଉଁଯାଏ ପଢିଛ?
ନାଉରି ବାପୁଡ଼ା କାତ ମାରୁମାରୁ,କହି ଉଠିଲା”,ପାଠ କଥା କାହିଁକି ପଚାରୁଛନ୍ତି ଆଜ୍ଞା।ନଅ କିଲାସରୁ,ପାଠ ବନ୍ଧ କରିଦେଇଛି।
ଅମୁକ ବାବୁ ଗର୍ବରେ ଫୁଲିଉଠି କହିଲେ,ଜାଣିଛୁ,ମୋ ପାଠ କଥା ଶୁଣିଲେ,ତୋ ଆଖି ଖୋସି ହେଇଯିବ।ମୋର qualification, କ’ଣ ଜାଣିଛୁ, ଡକ୍ଟର ଉପାଧି ଲାଭ କରି, ଲଣ୍ଡନ ରେ ଚାକିରି କରିଛି। କଲେଜ ପିଲାଙ୍କୁ ପାଠ ପଢଉଛି।ବିଦେଶରେ ମୋର ଭାରି ଖାତିରି।ପାଠ ପଢିଛି ବୋଲି ଦେଖ ! ମୋ ଦେହରେ,ଲକ୍ଷେ ଟଙ୍କାରୁ ପୋଷାକ।ବେକରେ ତିନି ଲକ୍ଷ ଟଙ୍କାର ସୁନା ରତ୍ନମଣି। ବ୍ୟାଙ୍କ ରେ କୋଟିକୋଟି ଟଙ୍କା ର ବାଲାନ୍ସ।ପାଠ ନ ପଢି,ତୋ ଜୀବନ ଅଧା ନଷ୍ଟ ହେଇଗଲା।
ନାଉରୀ,ମନରେ ଟିକିଏ ଆଘାତ ଲାଗିଲା। କହିଲା,”କ’ଣ କରିଥାନ୍ତି ଆଜ୍ଞା।ବୁଢା ବା'(ବାପା)ଟା ଏଇ ଡଙ୍ଗାରୁ ଦି ପଇସା ରୋଜଗାର କରି,ଆମ ସୁନା ସଂସାର କୁ ଚଳେଇ ନେଉଥିଲେ।ହେଲେ, ଭଗବାନ ସହିଲେନି। ହଠାତ୍ କ’ଣ ହେଲା କେଜାଣି,ବା’ (ବାପା)ର ହାତଗୋଡ ଅଚଳ ହେଇଗଲା। ଡାକ୍ତର ପାଖକୁ ନେଲି। ଡାକ୍ତର କହିଲେ,କ’ଣ ଗୋଟେ ପାରାଲିସିସ୍ ରୋଗ ହେଇଯାଇଛି। ଚିକିତ୍ସା କଲେ ଟିକିଏ ଅଧିକ ଦିନ ଲାଗିବ।ଭଲ ହେଇଯିବ। ଅନେକ ପଇସା ସାରିଲୁ।କିନ୍ତୁ ରୋଗ ଭଲ ହେଲାନି।ବାଆ’ ସେଇ ଦିନରୁ ବିଛଣାରେ ଶୋଇ ରହିଛି।
ତା’ର ଦାୟିତ୍ବ ନେଇ ତା’ର ସେବା ଶୁଶ୍ରୁଷା କରିବାକୁ ପଡୁଛି। ମୁଁ ପାଠ ପଢିଥିଲେ,ବୁଢା ବାଆ’ଟା ମୋର କେମିତି ସଂସାର ଚଳେଇ ଥାଆନ୍ତେ।
ଅମୁକ ବାବୁ କହି ଉଠିଲେ,”,ଆରେ, ମୂର୍ଖ।ବାପା ତ ପାଚିଲା ତାଳ। ତାଙ୍କର ଦିନ ସରି ଆସିଲାଣି।ତାଙ୍କ ପାଇଁ ତୋ ଭବିଷ୍ୟତ,ତୋ ପିଲାଛୁଆଙ୍କ ଭବିଷ୍ୟତକୁ ନଷ୍ଟ କରିଦେଲୁ।ତୋ ଭଳିଆ ମୂର୍ଖ ପୁଅ ଦୁନିଆରେ ନଥିବେ।ଜାଣିଛୁ।ମୋ ବାପା, ରୋଗରେ ପଡ଼ିଲେ।ମୋତେ ଟଙ୍କା ମାଗିଲେ। ମୁଁ କହିଲି,ବାପା।ତମେ ତ ପାଚିଲା ତାଳ।ତମ ପିଛେ ପଇସା ସାରି ମୋ ପିଲା ମାନଙ୍କ ଭବିଷ୍ୟତ ନଷ୍ଟ କରିଦେବାଟା କ’ଣ ଉଚିତ ହେବ ?ବାପା ମୋ କଥା ଠିକ ବୁଝିଗଲେ।ଏବେ ସେ ବୃଦ୍ଧାଶ୍ରମରେ ରହୁଛନ୍ତି। ଖୁବ୍ ଆରାମ ରେ ଅଛନ୍ତି।ଆରେ ଯେଉଁଠି ହେଉ ଶାନ୍ତି ରେ ରହିଲେ ହେଲା।”
ନାଉରୀ ବାପୁଡ଼ା ମୁଣ୍ଡରେ ହାତ ଦେଇ କହିଲା”, ସାର୍। କେମିତିକା ନ୍ୟାୟ ଇଏ।ସାରା ଜୀବନ ଆପଣଙ୍କ ପାଇଁ,ଖଟିଖଟି,ବାପା ମାଆ, ବିଚାରା ଶେଷରେ,ବୃଦ୍ଧାଶ୍ରମରେ ରହିବେ ? କ୍ଷୀର ଦେଉଥିବା ଯାଏ,ଗାଇ ଆପଣଙ୍କର, କ୍ଷୀର ଛାଡିଦେଲେ, ଗୋଶାଳାରେ ଛାଡି ଦେବେ।”
ଠିକ୍ ଏଇ ସମୟରେ ହଠାତ୍,ଝଡ ତୋଫାନ ମାଡିଆସିଲା।ଡଙ୍ଗା ଟଳମଳ ହେଲା। ଝଲକାଏ ଝଲକାଏ ପବନ ସାଙ୍ଗକୁ ଆଞ୍ଜୁଳାଏ ଆଞ୍ଜୁଳାଏ ପାଣି ଡଙ୍ଗା ଭିତରକୁ ପଶିବାକୁ ଲାଗିଲା।ନାଉରୀ ପଚାରିଲା,”ସାର୍। ଆପଣ ପହଁରା ଶିଖିଛନ୍ତି ?”
ଡକ୍ଟର ଅମୁକ ବାବୁ କହିଲେ,”ନାଁ”ପାଠ ପଢୁ ପଢୁ ତ ମୋ ସମୟ ସରିଗଲା। ପହଁରା ଶିଖିଲି କେତେବେଳେ।”
ନାଉରୀ କହିଲା”,ସାର୍।ପାଠ ପଢିନାହିଁ ବୋଲି,ମୋର ଅଧା ଜୀବନ ସିନା ନଷ୍ଟ ହେଇଥିଲାବୋଲି କହୁଥିଲେ।ଏବେ ଆପଣଙ୍କର ଜୀବନର ଶତ ପ୍ରତିଶତ ନଷ୍ଟ ହେଇଗଲା।”
ଏଇ ସମୟରେ ହଠାତ୍,ପ୍ରବଳ ଝଡ଼ରେ,ଡଙ୍ଗାଟି ଓଲଟି ପଡ଼ିଲା। ଚାରିଚକିଆ ଯାନ ସହ ଡକ୍ଟର ଅମୁକ ବାବୁ,ନଈ ଭିତରକୁ ଗଳି ପଡ଼ିଲେ।ନାକରେ କାନରେ ପାଣି ପଶିଗଲା।ବାବୁ ଆକଚା ମାକଚା ହେଇଗଲେ।ଭାବିଲେ,ଆଜି ମୋ ପ୍ରାଣ ଗଲା ନିଶ୍ଚୟ। ଚିତ୍କାର କଲେ ମୋତେ ବଞ୍ଚାଅ। ମୋତେ ବଞ୍ଚାଅ।ନାଉରୀ, ଡକ୍ଟର ଅମୁକଙ୍କୁ ରକ୍ଷା କରିବାକୁ ଚେଷ୍ଟା ଜାରି ରଖି,ହାତରେ ଥିବା କାତକୁ ନଈର କାଦୁଆ ମାଟି ଭିତରେ ପୋତି ଦେଇ,ଅମୁକଙ୍କୁ ସେ କାତକୁ ଧରେଇ ଦେଲେ। କହିଲେ, ଆପଣ ଏଇ କାତକୁ ଆଶ୍ରା କରି ଟିକିଏ ଅପେକ୍ଷା କରନ୍ତୁ।ମୁଁ, କୂଳରୁ ଆଉ ଗୋଟେ ଡଙ୍ଗା ନେଇକି ଆସୁଛି।
କିଛିକ୍ଷଣ ମଧ୍ୟରେ, ନାଉରୀ, କୂଳକୁ ପହଁରି ପହଁରି ଆସି, କୂଳରେ ଥିବା ଡଙ୍ଗା କୁ ନେଇ, ଡକ୍ଟର ଅମୁକ ବାବୁ ଙ୍କୁ ଉଦ୍ଧାର କଲେ।
କୂଳରେ ପହଞ୍ଚିଲା ପରେ,ବାବୁ,ଭୋ ଭୋ ହେଇ କାନ୍ଦିବାକୁ ଲାଗିଲେ। ନାଉରି କହିଲେ, କାନ୍ଦନ୍ତୁ ନାହିଁ ଆଜ୍ଞା।ଆପଣଙ୍କ ଗାଡି ପାଇଁ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ। ଲୋକ ଲଗେଇ ମୁଁ ସେ ଗାଡିକୁ ଉଠେଇବା ବ୍ୟବସ୍ଥା କରେଇ ଦେବି।
ନାଉରୀ ର କଥା ଶୁଣି, ଡକ୍ଟର ଅମୁକ ଆହୁରି ଜୋରରେ କାନ୍ଦିବାକୁ ଲାଗିଲେ। କହିଲେ, ନାଉରୀ ଭାଇ,ମୋ ଗାଡି ପାଇଁ ମୁଁ କାନ୍ଦୁ ନାହିଁ।ସେ ଧନ ସମ୍ପତ୍ତି ସବୁ ଅଳିକ।ମୋ ପାଇଁ ଜୀବନ ବଡ଼।ତମେ ମୋ ଆଖି ଖୋଲିଦେଲ।ତମ ମଣିଷ ପଣିଆ ନିକଟରେ ମୋର ସବୁ ଜ୍ଞାନ,ସବୁ ଅହମିକା,ତୁଚ୍ଛ ହେଇଯାଇଛି। ମୋର ଜ୍ଞାନ ପୁସ୍ତକ ଭିତରେ ସୀମିତ ହେଇ ରହିଯାଇଥିଲା। କେବଳ ପୁସ୍ତକ ରୁ ସବୁ ଶିକ୍ଷା ମିଳେ,ଏ ଧାରଣା କୁ ତୁମେ ଭୁଲ ବୋଲି ପ୍ରମାଣିତ କରି ଦେଲ। ପୁସ୍ତକ ବାହାରେ ଅନେକ ଶିକ୍ଷା ରହିଛି ,ଏ କଥା ମୁଁ ଆଜି ଜାଣି ପାରିଛି। ମୋ ବାପା,ତମ ବାପାଙ୍କ ଭଳି ,ଜଣେ ନାଉରୀ ଥିଲେ। କେତେ ଶ୍ରମଦେଇ,ସେ ମୋତେ ମଣିଷ କରିଥିଲେ।ହେଲେ,ସେ ଆଜି,ବୃଦ୍ଧାଶ୍ରମରେ।ପୁଅ ହେଇ ବି ମୁଁ ତାଙ୍କ ଦୁଃଖ ବୁଝି ପାରିଲି ନାହିଁ।ପାଣି ଭିତରେ ବୁଡ଼ି ଯାଉଥିଲା ବେଳେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲା ବେଳର କଥା ମନେ ପଡିଗଲେ,ମୋ ବାପାଙ୍କ କଥା ମନେ ପଡିଯାଉଛି। ସ୍ଵାଭିମାନୀ ମଣିଷ ମୋ ବାପା।କେବେ କାହାକୁ ମୁହଁ ଖୋଲି କିଛି ମାଗନ୍ତି ନାହିଁ।ହେଲେ, ସେ ଯେତେବେଳେ ମୋ ପାଖରୁ ସାହାଯ୍ୟ ମାଗୁଥିଲେ,ସେ ନିଶ୍ଚୟ ମୋ ପାଣିରେ ବୁଡ଼ିବା ଅବସ୍ଥାକୁ ଆସି ଯାଇଥିବେ। ମୁଁ ଚଣ୍ଡାଳ, ସେ କଥା ବୁଝି ପାରିନଥିଲି।ଆଜି ତୁମେ ମୋ ଆଖି ଖୋଲି ଦେଲ। ତୁମେ ମୋ ନିକଟରେ, ଅପରିଚିତ ହେଇ ବି,କେତେ ଶ୍ରମ କରି,ମୋତେ ଜଳରୁ ରକ୍ଷା କଲ।ହେଲେ ରକ୍ତ ନିଗାଡି ଯେଉଁ ବାପା ମୋତେ ମଣିଷ କରିଥିଲେ,ତାଙ୍କୁ ମୁଁ ସାହାଯ୍ୟ କରି ପାରିଲିନି।ମୋ ଶିକ୍ଷା ଗର୍ବରେ ଅନ୍ଧ ହେଇ, ମୁଁ ମଣିଷ ପଣିଆ ଭୁଲି ଯାଇଥିଲି।ତୁମର ମଣିଷ ପଣିଆ ନ ଥିଲେ,ମୋର ସବୁ ଶିକ୍ଷା,ସବୁ ଧନ, ମୂହୁର୍ତ୍ତକ ମଧ୍ୟରେ ପାଣିରେ ମିଶି ଯାଇଥାନ୍ତା। ଶତାଧିକ ମୋ ଶିକ୍ଷା କୁ।ଶତ ଝିଅ ମୋର ଅମଣିଷ ପଣିଆକୁ।ତୁମକୁ ଶତ ନମନ ନାଉରୀ ଭାଇ।ଶତ ନମନ ତମ ମଣିଷ ପଣିଆ କୁ।ଆଉ ଶତଧିକ ମୋ ଭଳି ମୂର୍ଖ ପଣ୍ଡିତ ମାନଙ୍କୁ।

