ବିରଳ ପ୍ରେମ
ଆଖିରେ ଆଖିରେ କଥା କୁହ ପ୍ରିୟା
ଓଠ ଜମା ଖୋଲ ନାହିଁ
ଆଖି ତୁମ ଯେତେ କଥା କହିପାରେ
ଓଠ କହିପାରେ ନାହିଁ
ଓଷ୍ଠାଧାର ତୁମ ଆହା କି ସୁନ୍ଦର
ଆଙ୍କିଛି କି ଚିତ୍ରକର
ସେହି ମାଧୁରିମା ହଜିଯିବ ଯେବେ
ଖୋଲିବ ତୁମ ଅଧର
ଗୋଲାପ ପାଖୁଡା ଓଠଟି ତୁମର
ଥିରି ଥିରି ଯିବ ଥରି
କଥା ପଦେ ତୁମେ କହିବା ପୂର୍ବରୁ
ମୋ ହୃଦୟ ହେବ ଘାରି
ଆଖି ସାଗରର ଢେଉକୁ ତୁମର
ପଢୁଥିବ ମୋର ଆଖି
ତୁମେ ଚୁପଚାପ ମୁଁ ବି ନୀରବ
ଜହ୍ନ ତାରା ଥିବେ ସାକ୍ଷୀ
କାନ୍ଥ ତା’ର କାନ ଡେରିଥିବ ସିନା
କିଛି ଶୁଣି ପାରିବନି
ପବନ-ପାଟିଟା ଚୁପ୍ ରହିଯିବ
ତିଳଟା ତାଳ ହେବନି
ଆମେ ଚୁପଚାପ ଆମ ଚାରିପଟେ
ଚାପା ଚାପା ଗୁଞ୍ଜରଣ
ଈର୍ଷା ପକ୍ଷୀ ତା’ର ଡେଣା ଝାଡୁଥିବ
ଆମ ପ୍ରେମ ଚିରନ୍ତନ
ନୀରବ ଭାଷାରେ ଆମରି ପ୍ରେମର
ଜଗତେ ନାହିଁ ତୁଳନା
ନିନ୍ଦା ପ୍ରଶଂସାର ବିଚାର ଉର୍ଦ୍ଧ୍ବରେ
ଆମର ପ୍ରେମ ନମୁନା
କବି ସମ୍ରାଟ କାବ୍ୟ ରସିକ ରାଜା
ଉପେନ୍ଦ୍ର ଭଞ୍ଜ ଉପମା
କାଳଜୟୀ କରନ୍ତା ଶାଶ୍ୱତ ପ୍ରେମକୁ
ଅଧୁରା ମୁଁ ତୁମ ବିନା
ବିନା ସ୍ପର୍ଶରେ ବିନା ଭାଷାରେ ପ୍ରେମ
କରିଯିବା ଆମେ ଦୁଇ
ଆବିଳତା ହୀନ ଆମ ପ୍ରେମ ଦେଖି
ଲାଜେଇବେ ଜହ୍ନ କଇଁ
ଜହ୍ନ କଇଁଙ୍କୁ ଦୂରତା ବାଧା ଦିଏ
ଆମ ପାଇଁ ନାହିଁ ବାଧା
ତଥାପି ଆଦର୍ଶ ପ୍ରେମର ଚିରାଗ
ଦେଖିବ ଏହି ବସୁଧା