ତମେ କହିଥିଲ
ସୁରେନ୍ଦ୍ର କୁମାର ବେହେରା
ତମେ କହିଥିଲ ଆସିବାକୁ ମତେ
ଶ୍ରାବଣ ସନ୍ଧ୍ୟାରେ ଭିଜିବାକୁ
ଆସିବାର ମୋର ହୋଇଗଲା ଡେରି
ଲାଜ ଲାଗେ ମତେ କହିବାକୁ ।1।
ଆଶ୍ଵିନର ଶୁଭ୍ର କାଶତଣ୍ଡି ଦିନେ
କରିଥିଲା ଆମ ମନ ଚୋରି
ସେହିଦିନ ଠାରୁ ତୁମରି ପ୍ରେମକୁ
ସକାଳ ସଞ୍ଜରେ ହୁଏ ଝୁରି ।2।
କେତେ ହସ କାନ୍ଦ ସୁଖ ଭଲମନ୍ଦ
ଶ୍ରାବଣ ସଞ୍ଜରେ ବାଣ୍ଟି ଥିଲ
ହାତ ଧରି ସାଥେ କେତେ ଗପୁଥିଲ
ସଞ୍ଜୁଆ ଜହ୍ନକୁ ସାକ୍ଷୀ କଲ ।3।
କୋଳେ ମଥାରଖି ତୁମେ ଗାଇଥିଲ
ପ୍ରୀତି ମଲ୍ଳାରରୁ କେଇ ପଦ
ପ୍ରେମର ହିସାବ କିତାବ ଜାଣିଲି
ଶୁଣାଇଲ ପ୍ରେମ ବର୍ଣ୍ଣବୋଧ ।4।
ଅତୀତ ସ୍ମୃତିକୁ ମନେ ପକେଇଲ
ପୃଷ୍ଠା ପରେ ପୃଷ୍ଠା ଓଲଟାଇ
କିଛି ସ୍ମୃତି ଥିଲା ଲୁହାଭିଜା ଆମ
ଫିକା ଚିତ୍ରପଟ ତୁମ ପାଇଁ ।5।
ହଳଦୀ ବସନ୍ତ କହିଥିଲା କାନେ
ପିନ୍ଧିବ ହଳଦୀ ରଙ୍ଗ ପାଟ
ସବୁଠୁ ସୁନ୍ଦର ଲାଗୁଥିବ ତମେ
ଫଗୁଣ ସହରେ ହେବ ଭେଟ ।6।
ନାଲି ଗୋଲାପରେ ଶରଧା ତୁମର
ଭଲ ପାଏ କହି ଧରେଇବି
ତମେମୋ ମାନସୀ ଶରଗର ଶଶୀ
ରଜ ଝୁଲଣାରେ ଝୁଲେଇବି ।7।
ତୁମେମୋ ପ୍ରେମର ଅବୁଝା ନାୟିକା
ପ୍ରିୟାରୁ ସାଜିବ ପ୍ରିୟତ୍ତମା
ସମୟ ସାଥୀରେ ତାଳଦେଇ ଆମେ
ଗାଇବା ପ୍ରୀତିର ସାରେଗାମା ।9 ।
ସୁରେନ୍ଦ୍ର କୁମାର ବେହେରା
ଜିତିପୁର ,ହରିପୁର ହାଟ ,ଯାଜପୁର