ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ବଡ଼ଦାଣ୍ଡ ଜଗନ୍ନାଥ 

ବଡ଼ଦାଣ୍ଡ ଜଗନ୍ନାଥ 

ଆମ ପରମ୍ପରା ଆମରି ସଂସ୍କୃତି

          ଅଟେ ନିଆରା ବିଶ୍ଵରେ

ଆମ ଜଗନ୍ନାଥ ଜଗତ ଠାକୁର

            ସବୁ ଧରମ ଉର୍ଦ୍ଧ୍ଵରେ ॥

ଜାତି ମତ ପନ୍ଥ ସବୁକୁ ଏଡ଼ାଇ

              ଶିରି ମନ୍ଦିରୁ ବାହାରି

ବଡ଼ଦାଣ୍ଡେ ଉଭା ହୁଅନ୍ତି ଠାକୁରେ

              ଶୁଣନ୍ତି ଭକ୍ତ ଗୁହାରି ॥

ବାରମାସେ ତେର ଯାତରା ମଧ୍ୟରେ

              ଘୋଷ ଯାତ୍ରା ଯେ ମହାନ

ଶ୍ରୀଗୁଣ୍ଡିଚା ଯାତ୍ରା ରଥଯାତ୍ରା ନାମେ

             ଯାତ୍ରା ପତିତ ପାବନ ॥

ସର୍ବ ଜାତି ଧର୍ମ ପତିତ ଜନଙ୍କୁ

                 ରଥେ ଦିଅନ୍ତି ଦର୍ଶନ 

ରଥେ ବାମନଙ୍କୁ ଦେଖିଦେଲେ ଥରେ

                 ମିଳେ ବଇକୁଣ୍ଠ ସ୍ଥାନ ॥

ଆଷାଢ଼ ଶୁକଳ ଦ୍ଵିତୀୟା ତିଥିରେ

                ରଥକୁ ପ୍ରଭୁ ଆସନ୍ତି

ରତ୍ନ ବେଦୀ ଛାଡ଼ି ଜନମ ବେଦୀକୁ

           ସଭିଙ୍କୁ ସାଥେ ନିଅନ୍ତି ॥

ବଳିଆର ଭୁଜ ତାଳଧ୍ଵଜ ରଥେ

           ସୁଭଦ୍ରା ଦେବଦଳନେ

ନନ୍ଦିଘୋଷ ରଥେ ଜଗତର ନାଥ

         ଯାଆନ୍ତି ଆନନ୍ଦ ମନେ ॥

ଚକ୍ର ସୁଦର୍ଶନ ମଦନ ମୋହନ

            ସାଥିରେ ଧରି ଯାଆନ୍ତି

ଆଡ଼ପ ମଣ୍ଡପେ ଜନମ ବେଦୀରେ

             କେତେ ଲୀଳା କରିଥାନ୍ତି ॥

କଥା ଦେଇଥିଲେ ବରଷକେ ଥରେ

            ଯିବି ଶ୍ରୀଗୁଣ୍ଡିଚା ଘର

ନବଦିନାତ୍ମକ ଯାତରାରେ ଯାଇ

           କଥା ରଖନ୍ତି ଠାକୁର ॥

ବାଟେ ମାଉସୀମା ପୋଡ଼ପିଠା ଖାଇ

           ସଭିଏଁ ତୃପ୍ତ ହୁଅନ୍ତି

ଆଡ଼ପ ବେଦୀରେ ଭକତ ଦର୍ଶନେ

            ସାଯୁଜ୍ୟ ମୁକ୍ତି ଦିଅନ୍ତି ॥

ବାହୁଡ଼ା ଯାତ୍ରାରେ ନିତ୍ୟଲୀଳା କ୍ଷେତ୍ର

            ଫେରନ୍ତି ଜଗତ ସାଇଁ

ରଥେ ଏକାଦଶୀ ସୁନାବେଶ ସାରି

            ଅଧର ପଣା ଲଗାଇ ॥

ଲକ୍ଷ୍ମୀ ଠାକୁରାଣୀ ମାନ ଭାଙ୍ଗିଥାନ୍ତି

          ରସଗୋଲା ଲାଞ୍ଚ ଦେଇ

ନିଳାଦ୍ରି ବିଜେରେ ରତନ ବେଦୀରେ

           ବସନ୍ତି ପ୍ରଭୁ ଗୋସାଇଁ ॥

ରଥଯାତ୍ରା ପର୍ବ ସମାପ୍ତ ହୁଅଇ

          ଭକତ ଜନଙ୍କ ହିତେ

ମିନତି ଏତିକି ହରିନିଅ ପ୍ରଭୁ

          ଜଗତର ଦୁଃଖ ଯେତେ ॥

ରତିନାରାୟଣ ରାଉତ 

ହରିଚନ୍ଦନପୁର, କେନ୍ଦୁଝର, ଓଡ଼ିଶା

 

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଯନ୍ତ୍ରଣା ନଈ ର ଢେଉ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ

Sunil Chandra Nayak

ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ରାଶି ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସ୍ବର୍ଣ୍ଣ ବିଜେତାଙ୍କୁ ମିଳିବ ୧ କୋଟି

Leave a Comment

error: Content is protected !!