ଦଗ୍ଧ ବୈଶାଖ
ସାଧନା ପଣ୍ଡା
ବୈଶାଖେ ବଜ୍ରାହତ, ସ୍ତବ୍ଧ, ଅଗ୍ନିଦଗ୍ଧ
ଅରଣ୍ୟ ସାରା ଯାଏ ଛାଇ
ମହୀ ଆଜି ସହି ଯାଏ
ରୌଦ୍ରତାପ ମୁଣ୍ଡ ପାତିଦେଇ !
ବନସ୍ପତି ଜଳି ଯାଏ
ଚାଲି ଯାଏ ବଣ ଛାଡି ଦେଇ ….
ଲତାମାନେ ଝୁରୁଛନ୍ତି
ଆଉଜିବା ପାଇଁ !
ନିସ୍ତବ୍ଧ ପକ୍ଷୀଙ୍କ କାକଳି
ଆହତ ନୀଡ କିଛି
କିଛି କୁଟା-କାଠି—
ଶୁଖିଲା ପତର ଆଉ
ଜହ୍ନର ନିସ୍ତେଜ ଶରୀର
ଜ୍ୱଳନରେ ଆଜି !
ଉତ୍ପୀଡନ ସହେ ରୌଦ୍ରତାପେ
ସ୍ତବ୍ଧତା ଚାରିଆଡେ ବିଛାଡି ପଡିଛି
ଝୁଲିବେନି ଅନ୍ତରଦାହେ
ବ୍ୟର୍ଥ ପ୍ରେମ ଦୀର୍ଘ-ଶ୍ୱାସ
ଚନ୍ଦନ ବନରେ ଲାଗିଯାଏ ନିଆଁ
ଲାଗିଛି ନିଆଁ ଗୋଧୂଳି ଦେହରେ
ମୁହଁ ଆଜି ଦିଶେ ଝାପ୍ ସା ଝାପ୍ସା
ନିଦାଘର ଫଟା ଦର୍ପଣ ରେ !
ସ୍ମୃତି ସବୁ ବେଦନା ବିଧୁରା
ଫୁଟିଉଠେ ନିଷ୍ଠୁର ଭାବରେ
ସମୟର କ୍ଳେଦାକ୍ତ କ୍ଷତ
ଜଳି ଯାଏ ନିଦାଘର ଧାସେ ।
ଧାସରେ ତା’ ବାଜିଉଠେ
ବିଦାୟ ରିଗିଣୀ
ଗ୍ରୀଷ୍ମ ର ନିବିଡ ସ୍ପର୍ଶେ
ମଣିଷ ବିମର୍ଶ
ସବୁକିଛି ଜଳି ଯିଏ
ଦିଶେ ଭଗ୍ନସ୍ତୁପ ଭଳି !
ସବୁତ ଯାଉଛି ଜଳି
ତୀବ୍ର ଦାବାନଳେ ଛାତି
ଧୂସର ପୃଷ୍ଠାର ସମୂହ
ଆଜି ନଷ୍ଟ ଭ୍ରଷ୍ଟ ହୋଇଛି
ଉଠୁଛି ଫୁଟି ନିଦାଘର ଛବି
ଭୂଇଁ ଫାଟି ଆଁ କରିଛି !
ଜୀବନରୁ ବସନ୍ତ ବାହୁଡିଛି
କିନ୍ତୁ କ୍ୟାଲେଣ୍ଡର୍ ଜାବୁଡି ଧରିଛି
ଅଙ୍କାବଙ୍କା ଧୂଳିର ସାରଣୀ
ଦିଗନ୍ତକୁ ଲମ୍ବିଛି
ଧୂସର ତା’ ସେଇ କିଆବୁଦା
ସେହି ପରିଚିତ ସୂର୍ଯ୍ୟାସ୍ତ
ଭୂତକୋଠି ସାଜିଛି
ବୁଢିଆଣି ଜାଲ ସ୍ମୃତିର କଙ୍କାଳ
ସାଜି ଆଜି ଠିଆ ହୋଇଛି !
ନିଦାଘ ଧସେଇ ପଶିଛି
ଅନ୍ତିମ ପୃଷ୍ଠାରେ ସେହି
ଅବିଚ୍ଛେଦ୍ୟ ରୌଦ୍ରତାପ
ଖିନ୍ ଭିନ୍ କରୁଛି !!
ଉଠେ ଝଡ ପୁଞ୍ଜା ପୁଞ୍ଜା
ମେଘ ଉହାଡରେ
ସ୍ମୃତି ସବୁ ଧୋଇଯାଏ
ଏଇ ମୁହୁର୍ତ୍ତରେ ।