ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ତୋ ସୁନା ବେଶ

ତୋ ସୁନା ବେଶ

ଅପର୍ତ୍ତି ସେଠୀ

 

ଜାଣି ମୁଁ ନ ଥିଲି କାଳିଆ ସୁନାରେ
        ରଖିଛୁ ଏତେ ସୁବର୍ଣ୍ଣ,
ମୋ ପାଇଁ ସୁବର୍ଣ୍ଣ ଯେ ସାତ ସପନ 
        କିଣେ‌ ମୁଁ ଇମିଟେସନ।
ତୋତେ ମୁଁ ଅନେକ ଥର ମାଗିଅଛି 
        ଦେଲୁନି ତ କିଛି ସୁନା,
ଓଲଟାମୋତେ ତୁ ଦେଖେଇ ଦେଇଛୁ
        ତୋ ଅଧା ହାତକୁ ସିନା।
ବଡ଼ ଦଗାଦିଆ ମିଛୁଆ ବୋଲିକି
        ଆଗରୁ ମୁଁ ଜାଣିଥିଲି,
ଆଜି ମୁଁ ଜାଣୁଛି ତୁ ଅତ୍ୟନ୍ତ ଲୋଭି
        ବଡ ସ୍ଵାର୍ଥପର ବୋଲି।
ସଖା ସୁଦାମାକୁ ଧନ ଦେଇଥିଲୁ
        କୈବର୍ତ୍ତ ଦୁଃଖ ହରିଲୁ‌,
ବନ୍ଧୁ ମହାନ୍ତିକୁ ଭୋଗଥାଳି ଦେଇ
        ବାନା ତୋର ଉଡାଇଲୁ।
ଆଜି ତୋର ସୁନା ବେଶକୁ ଦେଖିଲେ
        ଭାବୁଛି ମୁଁ ଏଇ କଥା,
କିଛି ସୁନା ଯଦି ମୋ ହାତେ ଆସନ୍ତା
        ମୋ ଭାଗ୍ୟ ବଦଳି ଯା’ନ୍ତା।         
କାମିନୀ କାଞ୍ଚନ ପାଖେ କଳି‌ ଥାଏ
         ତୁ’ ପରା କହୁଥାଉ, 
କ’ଣ ପାଇଁ କି ବରଷକୁ ପାଞ୍ଚଥର
         ସୁନା ବେଶ ହେଉ?
ତୋ କଥାରେ ସତ ନାହିଁରେ କାଳିଆ
         କାମ ତୋର ବିପରୀତ,
ମୋ ଭଳି ପତିତ ଭାସିଯାଏ ଯଦି
         ଉଡାଉ‌ କାହିଁକି ନେତ ?
ସୁନାବେଶ ହୋଇ ମୋ ଅନ୍ତର ଦହି
         ତୁହି ମନେ ମନେ ହସୁ,
 ଜଗତକୁ ଆଖି ଠାର ମାରି ଜଗା
          ରତ୍ନ ସିଂହାସନେ ବସୁ।
ତୋର ନାନା ସୁନାଅଳଙ୍କାରେ କାଳେ
          ମାୟା କଳି ବିରାଜିଛି,
ତେଣୁ ମୋ ଆଖିକି ତୋକଳାଦେହଟି
         କେବଳ ଭଲ ଦିଶୁଛି।
ବୋଧେ ତୁଭାବିଛୁ‌ ଏବେଶ ହୋଇଲେ
         ଲକ୍ଷ୍ମୀ ଛାଡ଼ିଦେବେ ଦ୍ଵାର,
ଅପେକ୍ଷା କରିଥା କି ପାଲା ଲାଗିବ
         ଦେଖିବୁ କଳା ଠାକୁର।
ବେଶୀ କଥା ବାର୍ତ୍ତା କରିବନି ପ୍ରଭୁ
         ଲକ୍ଷ୍ମୀ ଭାରି ରାଗିଛନ୍ତି,
ସଙ୍ଗେସଙ୍ଗେରସଗୋଲା ଖୋଇଦେବୁ
          ମାନ କରିବୁନି କିଛି।
କେଉଁ ସୁନାବେଶ କରିବକେ ତୋତେ
        ତୁ ନିଜେ କାଳିଆ ସୁନା,
କେଉଁ ମାଣିକରେ ତୋ ମନ ବୁଝିବ 
        ତୁ କଳାମାଣିକ ସିନା।
ରାଜରାଜେଶ୍ଵର ବେଶରେ କାଳିଆ
        କିଣୁଥା ଜଗତ ମନ,
କିନ୍ତୁ ଶେଷବେଳେ ଦଗା‌ ଦେବୁନାହିଁ
        ଚରଣେ ଦେବୁ ଶରଣ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

 

Related posts

ମୟୂରଭଞ୍ଜ:ବଜ୍ରାଘାତରେ ୩ମୃତ,ଜଣେ ଗୁରୁତର

Sunil Chandra Nayak

ଦରଦାମ ବୃଦ୍ଧି କୁ ନେଇ ସଦର ବ୍ଲକ ମାଣିଙ୍ଗ ହାଟ ରେ କଂଗ୍ରେସ ର ହଲ୍ଲାବୋଲ 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଅମୃତର ସପନ

Sunil Chandra Nayak

Leave a Comment

error: Content is protected !!