ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମନ୍ଦିରେ କର୍କଟ ସଂକ୍ରାନ୍ତି ,ଦକ୍ଷିଣାୟନ ବନ୍ଦାପନା

କର୍କଟ ସଂକ୍ରାନ୍ତି ଦିନ ଶ୍ରୀଜୀଉମାନଙ୍କର ସକାଳ ଧୂପ ଓ ଭୋଗ ମଣ୍ଡପ ଧୂପ ଶେଷ ପରେ ମଇଲମ ଓ ଭିତରେ ପାଣିପଡ଼ି ମହାସ୍ନାନ କରାଯାଏ । ତିନିବାଡ଼ରେ ଦିଅଁଙ୍କୁ ବୋଇରାଣି ବସ୍ତ୍ର ଲାଗି କରାଯାଏ । ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସିଂହାସନ ଉପରକୁ ଉଠି ଚନ୍ଦନ ସର୍ବାଙ୍ଗ ଲାଗି କରାନ୍ତି । ତା’ପରେ ପୁଷ୍ପାଳକ ବେଶ ବଢ଼ାଇ ସିଂହାସନରୁ ଓହ୍ଲାଇ ଆସନ୍ତି । ତାପରେ ପାଣି ପଡ଼ି ଦ୍ୱିପ୍ରହର ଧୂପ ଉଠେ । ଘଣ୍ଟ, ଛତା, କାହାଳୀ ସହ ରୋଷରୁ ତଳିଛ ଓ ପ୍ରଧାନୀ ହାତପୈଠ ହୋଇ ଭୋଗ ଛାମୁକୁ ଆସେ । ଭୋଗ ଉଠିଲେ ଶ୍ରୀଅଙ୍ଗରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ତିନିଜଣ ପୂଜାପଣ୍ଡା ପୂଜାରେ ବସି ଟେରା ପଡ଼ିବା ପରେ ପ୍ରସ୍ତୁତ ବଳିଭାତରୁ ଅନ୍ନ ବଳି, ଜଣେ ପୂଜାପଣ୍ଡା, ପତ୍ରୀ ଓ ସୁଆରବଡ଼ୁ ବାହାରକୁ ଆସି ମନ୍ଦିର ଚାରିପଟେ ଦିଅନ୍ତି । ତା’ପରେ ଭିତରେ ପୂଜା ବଢ଼ିଲେ ଟେରା ଫିଟି ଆଳତି ହୁଏ । ଭୋଗ ବାହାରି ପାଣିପଡ଼ିବା ପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ବନ୍ଦାପନା କରନ୍ତି । ରଥ ଉପରେ ଠାକୁର ଥିବା ସମୟରେ ଏ ସଂକ୍ରାନ୍ତି ପଡ଼ିଲେ ବି ଏହି ନୀତି ରଥ ଉପରେ ହୁଏ । କିନ୍ତୁ ଅନ୍ନ ବଦଳରେ ଶୁଖିଲା ଚାଉଳ ଓ ବିରିରେ ବଳି ହୁଏ । ଦିଅଁଙ୍କୁ ଶୁଖିଲା ଭୋଗ ନୈବେଦ୍ୟ ହୋଇଥାଏ । ଗୁଣ୍ଡିଚା ଘରେ ଦିଅଁମାନେ ଥିବାବେଳେ ସଂକ୍ରାନ୍ତି ପଡ଼ିଲେ ସେଠାରେ ଶ୍ରୀମନ୍ଦିର ପରି ନୀତି ହୁଏ ।

କର୍କଟ ସଂକ୍ରାନ୍ତି/ ଦକ୍ଷିଣାୟନ ସଂକ୍ରାନ୍ତି….

ଏହିଦିନ ଠାରୁ ସୂର୍ଯ୍ୟଙ୍କର ଦକ୍ଷିଣ ଦିଗକୁ ଗମନ ହୋଇଥାଏ, ଫଳରେ ସୂର୍ଯ୍ୟଙ୍କ କିରଣର ପ୍ରଖରତା କମ୍ ହୋଇଥାଏ। ଏହିଦିନ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଙ୍କର ନିକଟରେ ଦକ୍ଷିଣାୟନ ବନ୍ଦାପନା ହୋଇଥାଏ। ଏହିଦିନର ଅନ୍ୟ ଏକ ମହତ୍ତ୍ଵ ହେଉଛି ଏହି ଦିନ ପ୍ରତ୍ୟେକ ଓଡିଆ ଘରର ରୋଷେଇ ଘର କବାଟରେ ଲକ୍ଷ୍ମୀଙ୍କ ବଡଭଉଣୀ ଅଲକ୍ଷ୍ମୀଙ୍କୁ ଆଙ୍କି ଧୂପ ନୈବେଦ୍ୟ ସହ ପୂଜା କରାଯାଏ। ସାଧାରଣତଃ ରୋଷେଇ ଘର କବାଟ ଦକ୍ଷିଣ ଦିଗକୁ ମୁହଁ କରି ରହିଥିବା ଯୋଗୁଁ ସେଠାରେ ତାଙ୍କର ଚିତ୍ର ଆଙ୍କି ଅବା ଗୁଆ ଦ୍ଵାରା ପୂଜା କରାଯାଏ। ସଙ୍ଖୁଡି ଭୋଗ ଲାଗି ହୋଇଥାଏ ଅଲକ୍ଷ୍ମୀଙ୍କୁ ଏହିଦିନ। ଅଲକ୍ଷ୍ମୀଙ୍କ ପୂଜା।ଦକ୍ଷିଣାୟନ ସଂକ୍ରାନ୍ତି ଦିନ ସରିବା ପରେ ମାଲକ୍ଷ୍ମୀ ଙ୍କର ଚର୍ତୁମାସ ଗୁରୁବାର ବ୍ରତ ପ୍ରାରମ୍ଭ ହୋଇଥାଏ। ଉତ୍କଳ ପ୍ରଦେଶରେ ଅଲକ୍ଷ୍ମୀଙ୍କୁ ନେଇ ଅନେକ ଗାଥା କାହାଣୀ ରହିଛି। ଦକ୍ଷିଣାୟନ ସଂକ୍ରାନ୍ତି ପରେ ପରେ ଓଡ଼ିଶାର ପୁରପଲ୍ଲୀରେ ବିଭିନ୍ନ ପର୍ବପର୍ବାଣି ଆଦି ପ୍ରାରମ୍ଭ ହୋଇଥାଏ। ତେଣୁ ଏହାକୁ ନେଇ ଏକ ସୁନ୍ଦର ଢଗ ପ୍ରଚଳିତ, “ଆଇଲା ଦକ୍ଷିଣୀ ନାନୀ , ସବୁ ପରବ ସାଙ୍ଗରେ ଘେନି।”

ଵିଦ୍ୟାଧର ସାହୁଙ୍କ ସଂଗୃହୀତ ରିପୋର୍ଟ…..

Related posts

ଦୟନୀୟ ସ୍ଥିତିରେ ଚିଲିଗୁଡା ହାଇସ୍କୁଲ ଖେଳପଡ଼ିଆ ପଡିଆ ଭିତରେ ଅନା ବନା ଗଛ କ୍ରୀଡା କାର୍ଯ୍ୟକ୍ରମ ଠପ ଚିନ୍ତାରେ ଛାତ୍ର ଛାତ୍ରୀ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ବିଷୁବ ସଂକ୍ରାନ୍ତି 

Sunil Chandra Nayak

ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ ଓ ଆମ୍ବେଦକର ପାଠାଗାର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!