ରାତ୍ରି ପିଆଲାର
ସିତାଂଶୁ ଜେନା
ରାତ୍ରିପିଆଲାର ରକ୍ତିମ ଅଧରେ
ରଙ୍ଗର ପରଦା ଟେକି
ପ୍ରଶାନ୍ତ ଚିତ୍ତରେ ଚିନ୍ମୟ ମୁଖରେ
ହୋଇଥାଏ ସଦା ସୁଖୀ
ସୁପ୍ତ ଅନୁରାଗେ ଅନ୍ଧ ହୋଇନି
ଅପଲକ ନେତ୍ରେ ଚାହିଁ
ପୋଛିଦେଇନିମୁଁ ପତାରୁ କଜ୍ଜ୍ୱଳ
ରାତ୍ରି ଯେବେ ଆସିନାହିଁ
ଅୟୁତ ସପନ ସରଂଚନା କୁମୁଁ
ସାଇତି ରଖିଛି ଆଜି
ଆଜୀବନ ମୋର ସାଇତା ଗଣ୍ଠିରେ
ପାଣ୍ଡୁଲିପିକାକୁ ବୁଜି
ବିବିଧବର୍ଣାଳି ସାଜି ଆସୁ ପଛେ
ଅସୁମାରୀ ସ୍ୱପ୍ନ ଯେତେ
ଜିତେନ୍ଦ୍ରିୟ ହୋଇ ଜୀବନ ଜିଜ୍ଞାସେ
କଳି ପାରିବକି ମୋତେ
କୁଟିଳ ହସର ହାଲୁକା ପବନେ
ହଜାଇନି ମଥାମଣି
ହରିନେଇନାହିଁ ମୋର ପବିତ୍ରତା
ଏ କଥା କୁ ତୁମେ ଜାଣି
ଜଣା ଅଜଣାର ଅଜବ ପ୍ରଶ୍ନର
ଅହେତୁକ ଅନୁକମ୍ପା
ଅସ୍ତିତ୍ବ ବିହୁନେ ଅରାଜକତାରେ
ହରିଲା ଚନ୍ଦର ଝୁମ୍ପା
ଝିନ ବାସ ଲୁଗା ପଣତରେ ମୋର
ଚେତନାର ସ୍ବେଦ ପୋଛି
ପିପିଲିକା ସବୁ ସମାର୍ଜନେ ଆସି
ନେଇଗଲେ ବାଛି ବୁଛି
ବାରାଙ୍ଗନା ନୁହେଁ ବର ବର୍ଣିନିମୁଁ
ରଚିନାହିଁ ବିଭୀଷିକା
ବିଦୀର୍ଣ୍ଣ ହୃଦୟେ ସମର୍ପି ଦେଇଛି
ମୁଁ ତୁମ ଅଭିସାରିକା
ଆଲଟ ଚାମର ଛତ୍ରୀ ପାଟ ଛତି
ପଡୁଥିଲା ଉଠୁଥିଲା
ଗହଣ ବିଜେର ବିର ତୁର ବାଜି
ପତଃ କାହାଳୀ ବାଜିଲା
ଉନ୍ମନା ମନନି ମନ ମଗନରେ
ମନ୍ମଥ ସୁନ୍ଦର ରୂପ
ରୂପେଲି ଲୁହର ଲିପ୍ତ ଲଗନରେ
ଖେଳୁଥିଲା କିଏ ଚାପ
ନଳୀନ ପତ୍ରର ଢଳ ଢଳ ପାଣି
ଶେଷ ସମାପିକାହୋଇ
ରାତ୍ରିର ପିଆଲା ଭରିଦେଉଥିବି
ଚମକ ଚାହାଣି ନେଇ
ସିତାଂଶୁ ଜେନା