ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା “ମା” ଗଡ଼ଚଣ୍ଡୀ ସ୍ତୁତି

ଜୟ ମାଆ ବିରଜା

“ମା” ଗଡ଼ଚଣ୍ଡୀ ସ୍ତୁତି

ଉମାକାନ୍ତ ଦାସ

ଜୟ ମାଲୋ ଗଡଚଣ୍ଡୀ ଗଡ଼ ମହାରାଣୀ,
ପର୍ବତ ତନୁଜା ତୁହି ଶିବଙ୍କ ଘରଣୀ ।।
ଭଦ୍ରକ ଜିଲ୍ଲା ଟିଲୁଓ ଅଞ୍ଚଳେ ରହଣୀ
ତେର ଗ୍ରାମ ଅଧିଷ୍ଠାତ୍ରୀ ଦୁଃଖ ବିନାସିନୀ ।।
ତୁହି ମାତା ଆଦିଶକ୍ତି ରୂପ ତୋ ଅନେକ,
ଅଧମ କି ବର୍ଣ୍ଣି ପାରେ ତୋର ରୂପ ରେଖ ।।
ତୁ ମାତା ପାର୍ବତୀ ଗୋ ତୁହି ମାଆ ବିରଜା
ଭାରତ ଭୂଖଣ୍ଡେ ପାଉ ଠାବେ ଠାବେ ପୂଜା ।।
ତୋ ସ୍ଥାନେ ଶରଣ ଯାଇ କରେ ମୁଁ ଉଲ୍ଲେଖ
ସୁଶବଦ କହିଦେବୁ ନ ହେବୁ ବିମୁଖ ।।
କେଉଁ କାଳୁ ଅଛୁ ଏଠି କେ ଅବା ଜାଣିଛି ,
ଦୁଃଖି ରଙ୍କି ଜନେ ମୁକ୍ତି ଦେଉଛୁ ଶୁଣିଛି ।।
ବରୁଣ କଇଥ ବଣେ ଅଟେ ତୋ ରହଣି,
ମାଙ୍କିଡିଆ କେନ୍ଦୁ ଲତା ଦ୍ବାରପାଳ ପୁଣି ।।
ସେ ଲତା ହୋଇଛି ତରୁ ତା ଦେହୁ ଜାଣିଲି ,
ସାଖା ଏକ ବାହୁ ପରି ପଡ଼ିଛି ଦେଖିଲି ।।
ତୋର ଦୟାବଳେ ମାଲୋ ଲତା ହେଲା ବୃକ୍ଷ ,
ଅନୁଭବେ ତୋର ଦ୍ବାରେ ବସିଲା ଏ ମୂର୍ଖ ।।
ଗ୍ରାମବାସୀଙ୍କର ମତ ହେଲା ନାହିଁ ଏକ,
ରଜ ପରବଟି ତୋର ହୋଇଗଲା ଠପ।।
କଣ୍ଟାପଡା ଗ୍ରାମେ ଏକ ଶବର ସନ୍ତାନ
ନାରାୟଣ ଦାସଙ୍କର ସୁଯୋଗ୍ଯ ନନ୍ଦନ ।।
ଗୋବିନ୍ଦ ଦାସ ଶବର ଆଧ୍ୟାତ୍ମିକ ବାଦୀ
ମାଆଙ୍କର ସେବା ପାଇଁ ସଜାଡ଼ିଲେ ଗଦି ।।
ବୋଉଳ ସାହିର ଯୁବ ଗୋଷ୍ଠୀଙ୍କୁ ଡ଼କାଇ,
ଉଣେଇଶ ବାଆସ୍ତୋରୀ ମସିହାରେ ଭେଇ।।
ପୁନଶ୍ଚ ପରବ ସେଠି ହୋଇଲା ପାଳନ
ନବେ ସାଲ ଯାଏ ଥିଲା ସେହି ସଂଗଠନ।।
ନବେ ସାଲ ପରେ ପୁଣି ହୋଇଲା ବିଦ୍ରୋହ
ପୁଣି ପୂଜା ପାଠ ସବୁ ହୋଇଗଲା କ୍ଷୟ।।
ସଭାପତି ଟିଙ୍କୁ ସ୍ବାଇଁ କଲେ ସଂଗଠନ
ଗ୍ରାମବାସୀଙ୍କ ସାହାଯ୍ୟେ ମନ୍ଦିର ନିର୍ମାଣ ।।
ବିଷୁବ ସଂକ୍ରାନ୍ତି ଦିନ କରିଲୁ ପ୍ରବେଶ
ସେହି ଦିନ ହୁଏ ସେଠି ବହୁ ସମାବେଶ।।
ଉଣେଇଶ ବୟାନବେ ହେଲା ଇତିହାସ
ଭକ୍ତଗଣେ ପାନ କଲେ ତୋ ଭକତି ରସ।।
ମାଙ୍କଡିଆ କେନ୍ଦୁ ବୃକ୍ଷ ମଧ୍ଯୁ ଏକ ଡାଳ
ତୋ ମୁଖ୍ୟ ଦ୍ବାରେ ରହିଛି ହୋଇ ଦ୍ବାରପାଳ ।।
ଦୁଇ ହଜାର ବାଇସି ରଜ ଉତ୍ସବରେ
ଏ ହୀନ ଶବର ବସି ଅଛି ତୋ ଦୁଆରେ ।।
କହିଦେବୁ ଶବ୍ଦମାନ ନକରି ଅନ୍ତର
ତୁହି ମା” ଲୋ ସର୍ଵ ଶକ୍ତି ଅଟୁ ମୂଳାଧାର।।
ବହୁ ବଡ଼ ଅପରାଧେ ହେଲି ଅପରାଧୀ ,
ଚପଲ ନେଇ ଉଦ୍ଯାନେ ହେଲି ତୋ ବିରୋଧୀ ।।
ଦୁଇ ଭକ୍ତ ଭାଇ ଆସି କରିଲେ ବିରୋଧ,
ଅଜଣା ଦୋଷକୁ କରିଦେବୁ ପରିଶୋଧ ।।
ଶୁଣ ଆହେ ଭକ୍ତଜନ ଦାସ ନିବେଦନ
ପ୍ରଥମ ଦ୍ବାରେ କେମିତି କରିବ ଚଳନ ।।
ଏକ ନଳକୂପ ଅଛି ଦକ୍ଷିଣ ଦିଗର
ଗୋଡ ହାତ ଧୋଇ ଶୌଚ କରିବ ଶରୀର।।
ଦ୍ବାରଦେଶେ ଦୁଇ ଘୋଡ଼ା ହୋଇ ଅଛି ଉଭା,
ବାମ ପାର୍ଶ୍ଵ ଘାସପରେ ଚପଲ ରଖିବା।।
ନାଲି ରଙ୍ଗ ଦୁହିଁଙ୍କର ନୟନେ ଦେଖିବା,
ମନ୍ଦିରକୁ ଗଲା ପୂର୍ବୁ ତା’ ଖୁରା ଛୁଇଁବା ।।
ସଭକତି ଭରେ ଆମେ ଭିତରକୁ ଯିବା
ଦ୍ବିତୀୟ ଦ୍ୱାର ମଧ୍ୟରେ ପ୍ରବେଶ କରିବା ।।
ଚାରି ଘୋଡ଼ା ଅବସ୍ଥିତ ଅଛି ମୁଖ୍ୟ ଦ୍ବାରେ
ତାଙ୍କ ଦରଶନେ ଯିବା ମନ୍ଦିର ଭିତରେ ।।
ଯେଉଁ ଡାଳ ଦ୍ବାରପାଳ ରହିଛି ସେଠାରେ
ମୁଣ୍ଡ ମାରି ଯିବା ତାକୁ ମାଆଙ୍କ। ପାଖରେ।।
ମାଆଙ୍କ ସମ୍ମୁଖେ ଅଛି ମହା ଯଜ୍ଞ କୁଣ୍ଡ।
ସେହିଠାରୁ ରହି ସର୍ବେ ମାରୁଥିବା ମୁଣ୍ଡ ।।
ଯାଜପୁରରୁ ଆସିଛି ମାଲୋ ତୋର ପାଶେ
ଲେଖୁଛି ଭଜନ ତୋର ରହି ତୋ ବିଶ୍ୱାସେ ।।
ଗଡଚଣ୍ଡୀ ନାମେ ମାଲୋ ଜଗତ ବିକ୍ଷାତ
ଗଡ଼ରକ୍ଷା କରି ହେଲୁ ଜଗତର ମାତ।।
ଵନ୍ଯା ବାତ୍ୟା ଭଳି କେବେ ପଡେ ନି ସଂକଟ,
ଯଦି ପଡୁଥାଏ ମାଲୋ କରୁ ତୁ ଆକଟ ।।
ଭକତଙ୍କୁ ରଖିଥାଉ ସଦା ତୁ ଆବୋରି,
ଆସେ ନାହିଁ କେବେ କେଉଁ ଦିନ ମହାମାରୀ ।।
ସର୍ବ ଜନେ ମିଳେ ସୁଖ ଦେଉ ତୁ ନିର୍ଭୟ,
ପୁରିଛି ଶସ୍ୟ ଶ୍ଯାମଳା ନାହିଁ କିଛି ଭୟ ।।
ତେଣୁ ତୋ ଚାନ୍ଦିନୀ ପରେ ବସି ଲେଖେ ଗୀତ
ଅରାଜି ନ ହୋଇ ଶବ୍ଦ କହି ଦେବୁ ତୁ ତ।।
ମାଗେ ନାହିଁ ଧନ ଜନ ମାଗେ ନି ସମ୍ପତ୍ତି
ମାଗୁଣି ମୋହର ଦେଶେ ନ ପଡୁ ବିପତ୍ତି ।।
ମୋର ନିଜ ସ୍ବାର୍ଥେ ତୋତେ ପାତୁ ନାହିଁ ହାତ
ତୁହି ଗଡ଼ଚଣ୍ଡୀ ମାଲୋ ଅନା ତୋ ଜଗତ ।।

Related posts

ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ଧାରଣା: ପ୍ରତିବାଦ ସଭା

Sunil Chandra Nayak

ଶ୍ରବଣ ବାଧୀତ ଓ ବାକଶକ୍ତି ଅକ୍ଷମତା ପିଲାଙ୍କ ପାଇଁ ତ୍ରୀଦିଵସୀୟ ତାଲିମ ଶିବିର

Sunil Chandra Nayak

ଖଇରଭାଡ଼ି ଠାରେ ନବକୁଣ୍ଡୀୟ ବିଶ୍ୱଶାନ୍ତି ଶ୍ରୀ ମହାବିଷ୍ଣୁ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!