ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଭାଲୁକୁଣୀ ଅଡିସନ

ଭାଲୁକୁଣୀ ଅଡିସନ

ଅପର୍ତ୍ତି ସେଠୀ

         (ରମ୍ୟ ରଚନା)
ସାହିତ୍ୟ ସଂସଦ କରୁଅଛି ଆଜି
         ଭାଲୁକୁଣୀ ଅଡିସନ‌,
ଅନେକ ତରୁଣୀ ଆସିଛନ୍ତି ପୁଣି
         ପାଇ ଯେଣୁ ନିମନ୍ତ୍ରଣ।
ସସ୍ମିତା, କବିତା,ଗୀତା ,ସ୍ନିଗ୍ଧା, ଲତା
         ପ୍ରେମଲତା,ଚାରୁଲତା,
ରଞ୍ଜିତା, ସବିତା,ମଞ୍ଜୁଶ୍ରୀ ,ସୁଜାତା,
         ଓ ରୀତା ଅପରାଜିତା।
ମୋନାଲିସା,ସ୍ମୂତି, ମିନତୀ, ବାସନ୍ତୀ,
         ସରସ୍ଵତୀ, ବିଣାପାଣି,
ତେଜସ୍ଵିନୀ,ପୂଜାରିଣୀ, ମନସ୍ଵିନୀ,
         ମୁକ୍ତିରାଣୀ, ବିନୋଦିନୀ।
ଚିନ୍ମୟୀ, ଜାନକୀ ପୁଣି ବନଲକ୍ଷ୍ମୀ
         ପ୍ରିୟମ୍ବଦା, ହାସ୍ୟମୟୀ,
ପ୍ରମିଳା, ଉର୍ମିଳା,ସହ ଶୈଳବାଳା,
          କଳ୍ପନା,ପ୍ରଶାନ୍ତମୟୀ। 
ଆସିଛନ୍ତି ଆରାଧନା, ନିରୂପମା,
          ସୁପ୍ରିୟା ଓ ଅନସୂୟା,
ତାଙ୍କ ସହିତରେ ପୁଣି ବି ଅଛନ୍ତି
         ଶୈଳାଧିରାଜ ତନୟା‌।
ଭକ୍ତିରେ ଏମାନେ କରିଛନ୍ତି ଓଷା
         ପୂଜନ୍ତି ଖୁଦୁରୁକୁଣୀ,
କାହା ମୁଣ୍ଡେ କିନ୍ତୁ ନାହିଁ ତ ଉକୁଣି 
         କେ ନୁହେଁ ଫୁଲ ଚୋରଣୀ।
ଶନିବାର ରାତି ପାହାନ୍ତାରୁ ଉଠି
        କାହା ବାଡ ଭାଙ୍ଗନ୍ତିନି,
ଆଙ୍କୁଡିଟା ଧରି ପିଜୁଳି, କାକୁଡି
        କେବେ ଚୋରୀ କରନ୍ତିନି।
ସବୁ ସୁନାଝିଅ ଖାଣ୍ଟି ଗୁଆଘିଅ 
        ବୋଲି ଦେଲେ ପରିଚୟ,
ବିଚାରକ ବାବୁ ସେମାନଙ୍କୁ କିନ୍ତୁ
        କରୁଥିଲେ ଯେ ସନ୍ଦେହ।
ଭାସ୍‌ମଲ ତେଲ ମାରୁଥିବେ ଯେଣୁ
        ଉକୁଣିମୁଣ୍ଡେ ନ ଥିବେ,
ହେଲେ ଭାଲୁକୁଣି ଓଷାରେ ତ ନିଶ୍ଚେ
        କା’ବାଡିରେ‌ ପଶିଥିବେ।
ସେ ଯା’ହେଉ କୁହନ୍ତୁ ବାଳିକେ
        ପୂଜ ଯଦି ଭାଲୁକୁଣୀ,
କେଉଁଠାରୁ ଏହି ଓଷା ସୃଷ୍ଟି ହେଲା
        କହିବ କେ ଅଛ ଜାଣି?
କିଏ ତ‌ଅପୋଈ କିଏ ତାର ବାପା
        କେତେଥିଲେ ତାର ଭାଇ,
ଏତିକି ପ୍ରଶ୍ନର ଯେ ଉତ୍ତର ଦେବେ
        ଆଓ୍ଵାର୍ଡ ପାଇବେ ସେହି।
ଓଡ଼ିଶାର ପୂର୍ବ ବଙ୍ଗୋପସାଗର
        ଜମ୍ଵୁଦୀପ ଉପକୂଳ,
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର
        ସେ ସାତଭାୟା ଅଞ୍ଚଳ।
ତନୟବନ୍ତ ସେ ସାଧବର‌ ନାମ 
        ଥିଲା ସିଏ ଧନେଶ୍ୱର,
ସାତ ପୁଅ ସାତ ବୋହୂ ଏକ ଝିଅ 
       ତ‌ଅପୋଈ ନାମ ତାର।
ସାତଭାଇଙ୍କର ସ୍ମୃତି ଉଦ୍ଦେଶ୍ୟରେ
       ଗ୍ରାମ ନାମ ସାତଭାୟା,
ଆଜି ସେ ଗ୍ରାମକୁ ସମୁଦ୍ର ଲହଡି
       ମାଡ଼ି ଖାଇଲାଣି ଯାହା।
ମା’ପଞ୍ଚବରାହୀ‌ ରହିଛନ୍ତି ସାକ୍ଷୀ
       ନବଦୁର୍ଗା ଠାକୁରାଣୀ,
ଯାହାଙ୍କ ପାଖରେ ତ‌ଅପୋଈବାଳୀ‌
       ପୂଜୁଥିଲା‌ ଭାଲୁକୁଣି।
ସେଇଠୁ ସାଧବ ସାତଭାଇଙ୍କର
       ବୋଇତ ବାହାରୁଥିଲା,
ସେଇ ସ୍ମୃତି ଆଜି କାର୍ତ୍ତିକେ ବୋଇତ
        ବନ୍ଦାଣ‌ ଉତ୍ସବ ହେଲା।
ଏମିତି ଉତ୍ତର ଶୁଣି ବିଚାରକ 
       ଭାରି ଖୁସି ହୋଇଗଲେ,
ଏ ବାଳିକେ ବୋଧେ କବିହୋଇଥିବେ
       ମନେ ମନେ ଭାବିନେଲେ।
ପୁରସ୍କାର ପାଇ ସମସ୍ତେ ସେଠାରେ
       ମିଠା ବଣ୍ଟାବଣ୍ଟି‌ ହେଲେ,
ଏ ମୂର୍ଖ ଅପର୍ତ୍ତି ଥିଲା କିନ୍ତୁ ସେଠି
       ତାକୁ କେହି ନ ଯାଚିଲେ‌। 
ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

    

Related posts

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ସମ୍ପର୍କ

ନୂଆପଡା ଓ କଳାହାଣ୍ଡି ସୀମାରେ ଦୁଇ ଅହିଂସା ରଥକୁ ସ୍ୱାଗତ କଲେ ବ୍ଲକ ପ୍ରଶାସନ ଓ ଧର୍ମଗଡ଼ ଉପ ଜିଲ୍ଲାପାଳ

Sunil Chandra Nayak

ବନାଞ୍ଚଳରେ ମହୁଲର ମହକ

Sunil Chandra Nayak

Leave a Comment

error: Content is protected !!